ରାଉରକେଲା: ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଖଣିଜ ସମ୍ପଦରେ ଭରପୂର ରାଉରକେଲା ରାଜ୍ୟର ଦ୍ବିତୀୟ ସହରଭାବେ ୨୦୧୬ ସେପ୍ଟେମ୍ବର ୨୦ରେ ସ୍ମାର୍ଟସିଟିର ମାନ୍ୟତା ପାଇଥିଲା। କିଛିବର୍ଷ ହେବ ସହରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ରିଙ୍ଗରୋଡ଼ ସହିତ ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଅନୁଷ୍ଠାନ, ଆଶ୍ରମ, ଷ୍ଟାଡିୟମ ଏମିତି କି ବସ୍ତିଅଞ୍ଚଳରେ ଥିବା ପାଚେରିଗୁଡ଼ିକରେ ସୁନ୍ଦରସୁନ୍ଦର କଳାକୃତି ଦେଖିବାକୁ ମିଳୁଛି। ଏଥିରେ ଆମ ସଂସ୍କୃତିପରମ୍ପରା ସହିତ ରାଉରକେଲାର ଇତିହାସକୁ ନେଇ ବିଭିନ୍ନ ପ୍ରକାର ଚିତ୍ର ଅଙ୍କା ଯାଇଛି। ଯାହାକି ସହରର ସୌନ୍ଦର୍ଯ୍ୟବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ରାସ୍ତା ଓ କାନ୍ଥରେ କାରିଗରଙ୍କ କଳାକୃତିକୁ ଦେଖି ବେଶ ପ୍ରଶଂସା କରିବା ସହିତ ଫଟୋକୁ ନିଜନିଜ କ୍ୟାମେରାରେ କଏଦ କରି ସେଲଫି ମଧ୍ୟ ନେଉଛନ୍ତି। ତେବେ ଆସନ୍ତୁ ପରଦା ପଛରେ ରହି ସହରକୁ ସଜାଉଥିବା ରଙ୍ଗତୂଳୀର ରୂପକାରଙ୍କ ବିଷୟରେ ଜାଣିବା...
ଅଧିକପଢ଼ନ୍ତୁ:ଡାକ ବିଭାଗରେ ନିଯୁକ୍ତି ସୁଯୋଗ
ବବଲୁ ବିଭାର, ଚିତ୍ରଶିଳ୍ପୀ
‘୩୫ବର୍ଷ ହେବ ରାଉରକେଲାରେ ବସବାସ କରୁଛି। ୧୭/୧୮ବର୍ଷ ହେବ ସହରର କାନ୍ଥ ଓ ରାସ୍ତାରେ ଆଙ୍କୁଛି ଚିତ୍ର। ପାଠପଢ଼ା ସମୟରୁ ହିଁ ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ମାଟ୍ରିକ ପରେ କଲେଜରେ ନାମ ଲେଖାଇବା ବଦଳରେ ଚିତ୍ର କେମିତି ଆଙ୍କିବି ସେ ନିଶା ମୋତେ ଘାରିଥିଲା। ଟୁପଲି ଭଇନାଙ୍କୁ ଗୁରୁ କରି ତାଙ୍କ ଠାରୁ ଚିତ୍ର ଆଙ୍କିବା ଶିକ୍ଷା କରିଥିଲି। ଧୀରେଧୀରେ ଏହାକୁ ମୁଁ ଜୀବିକା ଭାବେ ଆପଣାଇନେଇଛି। ଏଯାବତ ସହରର କାନ୍ଥବାଡ଼ରେ ଭଲ ବିଷୟବସ୍ତୁ ଥିବା ଦୁଇହଜାରରୁ ଊର୍ଦ୍ଧ୍ବ ଚିତ୍ର ଆଙ୍କିସାରିଛି। ତଥାପି ହାଇଟେକ ମେଡିକାଲ ପାଚେରିରେ ଆଙ୍କିଥିବା କୋଣାର୍କମୂର୍ତ୍ତି, ଓଡ଼ିଶୀନୃତ୍ୟର ଚିତ୍ର ମନକୁ ଏକ ପ୍ରକାର ଆତ୍ମସନ୍ତୋଷ ଦେଇଛି। ସମ୍ପ୍ରତି ହନୁମାନବାଟିକାରସ୍ଥିତ ଥିବା ବୃଦ୍ଧାଶ୍ରମରେ ରାମାୟଣ ବିଷୟବସ୍ତୁକୁ ନେଇ ଆଙ୍କାଯାଇଥିବା ଚିତ୍ରକୁ ଦେଖି ସହରବାସୀ ବେଶ ପ୍ରଶଂସା କରୁଛନ୍ତି।’
ଅନାଦି ରାଉତ, ଚିତ୍ରଶିଳ୍ପୀ
‘ମୋ ଚିତ୍ରକଳା ବୃତ୍ତିକୁ ଇତିମଧ୍ୟରେ ୨୦ବର୍ଷ ପୂରିଛି। ପ୍ରଥମେ ମୁଁ ମୋ ରଙ୍ଗ ତୂଳୀରେ ପୂର୍ବରୁ ହକି ଷ୍ଟାଡିୟମ ଥିବା କାନ୍ଥରେ ଲେଖିଥିଲି ପୁରୁଷୋତ୍ତମ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି। ପୂର୍ବରୁ ଚିତ୍ରକଳା ଅପେକ୍ଷା ଲେଖାକୁ ବେଶୀ ଗୁରୁତ୍ବ ଦିଆଯାଉଥିଲା। ସହରର ବିଭିନ୍ନ ସ୍ଥାନ, ଫଳକ ଓ କାନ୍ଥବାଡ଼ରେ ତୂଳୀ ମାଧ୍ୟମରେ ଲେଖିଛି ଅନେକ ଲେଖା। ଇତିମଧ୍ୟରେ ସେଲ ପକ୍ଷରୁ ତୂଳୀମାଧ୍ୟମରେ ଲେଖା ଆଙ୍କିବାର ଯେତିକି ପ୍ରାଜେକ୍ଟ ଆସିଛି ସବୁଥିରେ ମୁଁ କାମ କରିଛି।’
ତୁଲିପ ଭଇନା, ଚିତ୍ରଶିଳ୍ପୀ
‘ସପ୍ତମଶ୍ରେଣୀରେ ପାଠପଢ଼ୁଥିବା ବୟସରୁ ଚିତ୍ର ଆଙ୍କିବା ଆରମ୍ଭ କରି ଦେଇଥିଲି। ମୋ ଗୁରୁ ହେଉଛନ୍ତି ଲକ୍ଷ୍ମଣ ରାଓ। ଚିତ୍ର ଆଙ୍କିବା ବୃତ୍ତିକୁ ଇତିମଧ୍ୟରେ ୩୫ବର୍ଷ ପୂରିଗଲାଣି। ପ୍ରଥମେ ମୁଁ ସେକ୍ଟର-୫ ମାର୍କେଟ କାନ୍ଥରେ ପ୍ରେଷ୍ଟିଜ, ହକିନ୍ସ ପ୍ରେସରକୁକର ଓ ପଙ୍ଖା ଆଦିର ଚିତ୍ର ଆଙ୍କିଥିଲି। ଇତିମଧ୍ୟରେ ସହରର ରାସ୍ତାଘାଟ, କାନ୍ଥବାଡ଼ ଆଦିସ୍ଥାନରେ କେତେ ଯେ ଚିତ୍ର ଆଙ୍କିଛି ତାହାକୁ ଗଣିବା ମୋ ପକ୍ଷେ ସମ୍ଭବ ନୁହେଁ। ପ୍ରତିଟି ଚିତ୍ର ଆଙ୍କି ସାରିବା ପରେ ନିଜକୁ ସନ୍ତୁଷ୍ଟ ଲାଗିଲେ ହିଁ ପ୍ରୋଜେକ୍ଟ ମାଲିକଙ୍କୁ ଆମେ ନିଶ୍ଚିତ କରିଥାଉ। ସମୟ ସମୟରେ ଆଙ୍କିଥିବା ଚିତ୍ରକୁ ଯଦି କେହି ଅସାମାଜିକଲୋକ ଅପରିଷ୍କାର କରିଦେଇଥାଆନ୍ତି ମନକୁ କଷ୍ଟ ହୋଇଥାଏ। ନିଜ କାର୍ଯ୍ୟ ବ୍ୟସ୍ତତା ଦିନ ଭିତରୁ ସମୟ ବାହାର କରି ଉକ୍ତ ଚିତ୍ରକୁ ଆଉଥରେ ପରିଷ୍କାର କରିବାକୁ ସର୍ବଦା ଚେଷ୍ଟା କରିଥାଏ। ନିକଟରେ ଛେଣ୍ଡର ବିବାହ ମଣ୍ଡପରେ ଆଙ୍କିଥିବା ବରକନ୍ୟା ଚିତ୍ରକୁ ଲୋକେ ବହୁତ ପ୍ରଶଂସା କରିଥିଲେ। ଇତିମଧ୍ୟରେ ସମସ୍ତ ସେକ୍ଟର ଠାରୁ ଆରମ୍ଭ କରି ଓଭର ବ୍ରିଜ, ବିଭିନ୍ନ ସ୍କୁଲ ପାଚେରି ସହିତ ହକି ବିଶ୍ବକପ ସମୟରେ ଅଙ୍କା ଯାଇଥିବା ଚିତ୍ରକୁ ମୁଁ ଓ ମୋର ସହଯୋଗୀବନ୍ଧୁମାନେ ମିଳିତ ଉଦ୍ୟମରେ ଆଙ୍କିଥିଲୁ।
ଅଧିକପଢ଼ନ୍ତୁ:ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/07/team-2026-01-07-15-46-28.jpg)