ଯାଜପୁର: ଯାଜପୁର ଜିଲ୍ଲା ବିରଜା ହାଟ ପୁରୁଣା ଜାଗାରେ ପୁଣି ଅବସ୍ଥାପିତ ହେବାକୁ ନେଇ ଦୁଇପକ୍ଷ ମୁହାଁମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ  ଗୋଟିଏ ଗୋଷ୍ଠୀ ରାସ୍ତାରୋକ କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏପରି ସ୍ଥିତିରେ ବିରଜା ହାଟକୁ ସାମୟିକ ଭାବେ ଗୁରୁବାର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

Advertisment

ବିରଜା ପରିକ୍ରମା ପ୍ରକଳ୍ପ ନିମନ୍ତେ ୨ଶହ ବର୍ଷର ବିରଜା ହାଟକୁ ଗତ ବର୍ଷ ଜାନୁୟାରୀରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ହାଟକୁ ପୂର୍ବ ସ୍ଥାନକୁ ଫେରାଇବାକୁ ଚାଷୀମାନେ ବହୁ ଥର ଦାବି କରିଥିଲେ। ଏନେଇ ସେମାନେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ମାତ୍ର ବିଜେଡି ସରକାର ନିଦା ବିଷ୍ଣୁ ପାଲଟି ଥିଲେ।

ଏବେ ବିଜେପି ସରକାର ଆସିବା ପରେ ପୁଣି ଥରେ ଚାଷୀମାନେ ହାଟକୁ ପୁରୁଣା ଜାଗାକୁ ଫେରାଇବାକୁ ଦାବି ଜଣାଇଥିଲେ। ବିଜେପି ସରକାର ଏଥିନିମନ୍ତେ ସମ୍ମତି ଜଣାଇଥିବା ବେଳେ ଗୁରୁବାର ହାଟ ବିରଜା ମନ୍ଦିର ନିକଟକୁ ଫେରିବ ବୋଲି ସ୍ଥିର ହୋଇଥିଲା।

ଗୁରୁବାର ସକାଳେ ପୂର୍ବ ନିଷ୍ପତ୍ତି ଅନୁସାରେ କିଛି ବେପାରୀ ଆସି ପୁରୁଣା ସ୍ଥାନରେ ନିଜ ପସରା ମେଲାଇଥିଲେ। ମାତ୍ର ହାଟକୁ ବିରୋଧ କରୁଥିବା ଗୋଷ୍ଠୀ ବାରଣ  କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନର ନିର୍ଦ୍ଦେଶାନାମା ସତ୍ତ୍ୱେ ଏପରି ପରିସ୍ଥିତି ଉପୁଜିବାରୁ ଉତ୍ତ୍ୟକ୍ତ ଚାଷୀମାନେ ସକାଳୁ ଯାଜପୁର-ସିଂହିପୁର ରାସ୍ତାରୋକ କରିଥିଲେ। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଦାବି କରୁଛନ୍ତି।

ଅଧିକ ପଢ଼ନ୍ତୁ: ୨ ଦିନ କସରତ ପରେ କାବୁହେଲା ଦୁର୍ଦ୍ଦାନ୍ତ ହନୁ

ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ବେଳେ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଉପଜିଲ୍ଲାପାଳ ଅଶୁଂମାନ ସତପଥୀ ପହଞ୍ଚି ହାଟକୁ ସାମୟିକ ଭାବେ ବନ୍ଦ କରାଗଲା ବୋଲି କହିଛନ୍ତି। ଏନେଇ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ପକ୍ଷଙ୍କୁ ଡାକି ଆଲୋଚନା କରିବୁ । ସହମତିରେ ସମସ୍ୟାର ସମାଧାନ ପାଇଁ ଚେଷ୍ଠା କରିବୁ।

ବିରଜା ହାଟ ସପ୍ତାହରେ ଦୁଇ ଥର ଗୁରୁବାର ଓ ରବିବାର ବସିଥାଏ। ପୁରୁଣା ସ୍ଥାନରେ ଗୁରୁବାର ହାଟକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବେ ବେଳେ ଆସନ୍ତା ରବିବାର କେଉଁଠି ହାଟ ବସିବ ତାହା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ତେବେ ହାଟ କେବେ ଓ କେଉଁଠି ଖୋଲିବ ସେନେଇ ଲିଖିତ ଭାବେ ଜଣାଇବାକୁ ଚାଷୀମାନେ ଦାବି କରିଛନ୍ତି। ଏବେ ପୁରୁଣା ହାଟ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସିଏସ୍ଓ