ଏଇ କର୍ମହୀନ ଦୁନିଆରେ ପିତାମା‌ତାମାନେ ସେମାନଙ୍କର ପିଲାମାନଙ୍କ ସମ୍ମୁଖରେ ସେମାନେ ବଡ଼ ହେଲେ ହାସଲ କରିବାକୁ କେଉଁ ଲକ୍ଷ୍ୟ ସ୍ଥାପନ କରିବେ? କୌଣସି ସାମାଜିକ ସାକ୍ଷାତ ଅବସରରେ ଯୁବକ ଯୁବତୀମାନଙ୍କୁ ପଚରା ଯାଉଥିବା ଗତାନୁଗତିକ ପ୍ରଶ୍ନ, ‘‘ତୁମେ କ’ଣ କରୁଛ?’’ର ଉତ୍ତର କ’ଣ ହେବ? ଅଧିକ ଯୋଗ୍ୟ, ଅଧିକ ମେଧାବୀମାନେ ସେମାନଙ୍କର କେଉଁ ଉପଲବ୍‌ଧି ପ୍ରଦର୍ଶନ କରି ଅନ୍ୟମାନଙ୍କ ଠାରେ ହୀନମନ୍ୟତା ସୃଷ୍ଟି କରିବେ? ଏଗୁଡ଼ିକ ହେଉଛନ୍ତି ଭବିଷ୍ୟତରେ ଉତ୍ତର ଅପେକ୍ଷା କରୁଥିବା ଅସୁମାରି ଅଖାଡୁଆ ସମ୍ଭାବ୍ୟ ମାନବୀୟ ପ୍ରଶ୍ନମାନଙ୍କ ମଧ୍ୟରୁ କେତୋଟି ନମୁନା ମାତ୍ର।

Advertisment

Editorial: ଟଙ୍କାକୁ ଧକ୍‌କା

editorial: ସଂଚାର ସାଥୀ

‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ।’’ ଏହା ବୋଧହୁଏ ହେଉଛି ଶ୍ରୀମଦ୍‌ଭଗବଦ୍‌ଗୀତାର ସର୍ବାଧିକ ସୁପରିଚିତ ବାଣୀ: କର୍ମ କରିବାରେ ହିଁ ତୁମର ଅଧିକାର ରହିଛି; କର୍ମର ଫଳ ଉପରେ ତୁମର କଦାପି ଅଧିକାର ନାହିଁ। ଏହାକୁ ହିଁ ଅନୁସରଣ କରି ସ୍ବାମୀ ବିବେକାନନ୍ଦଙ୍କ ଠାରୁ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଆମକୁ ଚେତାଇ ଦେଇଥିଲେ: ‘‘କର୍ମ ହିଁ ଈଶ୍ବର ଆରାଧନା’’ (‘‘ୱର୍କ ଇଜ୍ ଓର୍ସିପ୍’’)। ଆମ ସଂସ୍କୃତିରେ ଆଦି କାଳରୁ କର୍ମକୁ ଏଭଳି ଉଚ୍ଚ ସ୍ଥାନ ପ୍ରଦାନ କରା ହୋଇ ଆସିଥିଲେ ହେଁ ବାସ୍ତବ ଜୀବନରେ କର୍ମକୁ ଯଦି କେଉଁ ଏକ ସଂସ୍କୃତି ପ୍ରକୃତରେ ଈଶ୍ବର ଆରାଧନାରେ ପରିଣତ କରିଥାଏ, ତାହା ହେଉଛି ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ୍ ସଂସ୍କୃତି; ଯାହା ସେଥିପାଇଁ ଆଧୁନିକ ପୁଞ୍ଜିବାଦୀ ଅର୍ଥନୀତି ଓ ତହିଁରୁ ଉତ୍ପନ୍ନ ସମୃଦ୍ଧିର ଜନନୀ ସଂସ୍କୃତି ରୂପେ ବିବେଚିତ ହୋଇଥାଏ। (ଭାରତ ବର୍ତ୍ତମାନ ସେଇ ଅର୍ଥନୈତିକ ଢାଞ୍ଚାକୁ ଆଧାର କରି ଅନତି ବିଳମ୍ବେ ଏକ ବିକଶିତ ଦେଶରେ ପରିଣତ ହେବାକୁ ଆଗେଇ ଚାଲିଛି।)
ପୁଞ୍ଜିବାଦୀ ସଫଳତାର ଏଇ ସାଂସ୍କୃତିକ ମୂଳଦୁଆ ପ୍ରତି ସର୍ବପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରସିଦ୍ଧ ଜର୍ମାନ୍ ସମାଜତତ୍ତ୍ବବିତ୍ ମାକ୍ସ ୱେବର୍ ୧୯୦୫ରେ ପ୍ରକାଶିତ ତାଙ୍କର ପୁସ୍ତକ, ‘ଦି ପ୍ରୋଟେଷ୍ଟାଣ୍ଟ ଏଥିକ୍ ଆଣ୍ଡ୍ ଦି ସ୍ପିରିଟ୍ ଅଫ୍ କ୍ୟାପିଟାଲିଜ୍‌ମ’ ମାଧ୍ୟମରେ। ୱେବର୍‌ଙ୍କ ଠାରେ ଯାହା ଅନୁସନ୍ଧିତ୍ସା ସୃଷ୍ଟି କରିଥିଲା, ତାହା ହେଲା, କେବଳ ମୁଖ୍ୟତଃ ପ୍ରୋ‌େଟଷ୍ଟାଣ୍ଟ ଖ୍ରୀଷ୍ଟିଆନ୍ ଦେଶମାନଙ୍କରେ କାହିଁକି ପୁଞ୍ଜିବାଦୀ ବ୍ୟବସ୍ଥା ଉଧେଇ ପାରି ଅଭୂତପୂର୍ବ ସଂପଦ ଓ ସମୃଦ୍ଧି ଉତ୍ପନ୍ନ କରିପାରିଛି? ସେ ଏହାକୁ କେବଳ ମାତ୍ର ଏକ ସଂଯୋଗ ରୂପେ ବିବେଚନା ନ କରି ଏଥିରେ ଏକ କାର୍ଯ୍ୟ-କାରଣ ସଂପର୍କ ନିହିତ ଥିବା ଆବିଷ୍କାର କଲେ। ୱେବର୍‌ଙ୍କ ଯୁକ୍ତି ଅନୁସାରେ ସପ୍ତଦଶ ଶତାବ୍ଦୀରେ ଫରାସୀ ଧର୍ମଶାସ୍ତ୍ରୀ ଜନ୍ କାଲ୍‌ଭିନ୍‌ଙ୍କ ଦ୍ବାରା ପ୍ରସାରିତ ପ୍ରୋଟେଷ୍ଟାଣ୍ଟବାଦ (‘କାଲ୍‌ଭିନିଜ୍‌ମ’) ଦ୍ବାରା ଏକ ଧାରଣା ବଳବତ୍ତର ହେଲା ଯେ କେବଳ କଠିନ ଉତ୍ସର୍ଗୀକୃତ ଶ୍ରମ ମାଧ୍ୟମରେ ହିଁ ଜଣେ ମୋକ୍ଷ ପ୍ରାପ୍ତ ହୋଇପାରିବ।
କାଲ୍‌ଭିନ୍ ଘୋଷଣା କରିଥିଲେ ଯେ କେବଳ ଅଳ୍ପ କେତେକଙ୍କୁ ଈଶ୍ବର ସ୍ବର୍ଗରେ ସ୍ଥାନ ଦେବାକୁ ବାଛିବେ। ସେମାନେ ତା’ ହେଲେ କିଏ? ଉପରୋକ୍ତ କର୍ମ ସଂସ୍କୃତି ଅନୁସାରେ ଏଇ ଭାଗ୍ୟବାନମାନେ ହେଉଛନ୍ତି ସେଇମାନେ, ଯେଉଁମାନେ କଠିନ ପରିଶ୍ରମ ମାଧ୍ୟମରେ ପ୍ରଭୂତ ସଂପଦ ସୃଷ୍ଟି କରିବାରେ ସଫଳ ହୋଇଥାନ୍ତି। ଅର୍ଥାତ୍ ପ୍ରୋଟେଷ୍ଟାଣ୍ଟ ସଂସ୍କୃତିର ଯାହା ମୂଳାଧାରରେ ପରିଣତ ହେଲା, ତାହା ହେଲା, କର୍ମ ବା ଶ୍ରମ ହିଁ ହେଉଛି ମୋକ୍ଷ ଲାଭକୁ ରାସ୍ତା। ଅବଶ୍ୟ ସଂପଦ ସୃଷ୍ଟିରେ ସହାୟକ ହେବା ପାଇଁ ଏଥିସହିତ ମିତବ୍ୟୟିତା ମଧ୍ୟ ମିଶିଥାଏ। ଏହାର ଫଳସ୍ବରୂପ ଅଚିରେ ଜଣେ କେତେ କଠିନ ପରିଶ୍ରମ କରିଛି ଓ ସଫଳତା ଅର୍ଜନ କରିଛି, ତାହାରି ଆଧାରରେ ହିଁ ତା’ର ଜୀବନର ମୂଲ୍ୟାୟନ କରାହେଲା। କାରଖାନାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତରେ ଏଇ ମୂଲ୍ୟବୋଧ ପ୍ରତିଫଳିତ ହେଲା। ଯିଏ ନିର୍ଦ୍ଧାରିତ ସମୟ ଠାରୁ ଯେତେ ଅଧିକ ସମୟ କାରଖାନା କିମ୍ବା ଦପ୍ତରରେ ଅଟକି ରହି କାମ କରିବ କିମ୍ବା କର୍ମସ୍ଥଳୀରେ ଟଳି ପଡ଼ିଲା ପର୍ଯ୍ୟନ୍ତ କାମ କରିବ, ‌ସିଏ ସେତେ ଅଧିକ ପ୍ରଶଂସା ଲାଭ କରିବ; ଯିଏ ଏଭଳି କାର୍ଯ୍ୟବୋଝ ବହନ କରିବାକୁ ସମର୍ଥ ହେବ ନାହିଁ, ସେ ହେଉଛି ନିଶ୍ଚିତ ରୂପେ ଅଭିଶପ୍ତ, ତା’ର ଆତ୍ମା ମୋକ୍ଷ ଲାଭ କରିବାର ସମ୍ଭାବନା ନାହିଁ। (ବର୍ତ୍ତମାନ ଭାରତରେ କର୍ପୋରେଟ୍ କ୍ଷେତ୍ରରେ ଏଇ ସଂସ୍କୃତି ଅନୁସୃତ; ନାରାୟଣ ମୂର୍ତ୍ତିଙ୍କର ସପ୍ତାହକୁ ସତୁରି ଘଣ୍ଟା କାର୍ଯ୍ୟ କରିବାକୁ ଆହ୍ବାନ ଏହାରି ଉପରେ ଆଧାରିତ।)
ଆଜି ସେଇ ପୁଞ୍ଜିବାଦୀ ଢାଞ୍ଚା ପୃଥିବୀରେ ଚମକପ୍ରଦ ସମୃଦ୍ଧି ସୃଷ୍ଟି କରିଛି, କେବଳ ତାହା ନୁହେଁ, ଏହା ମଧ୍ୟ ପ୍ରମାଣିତ ହୋଇସାରିଛି ଯେ ପୁଞ୍ଜିବାଦ ହିଁ ହେଉଛି ଏକମାତ୍ର ଅର୍ଥନୈତିକ ବ୍ୟବସ୍ଥା, ଯେଉଁଥିରେ ଏଭଳି ସମୃଦ୍ଧି ସୃଷ୍ଟି ସମ୍ଭବ। ତେବେ ପୁଞ୍ଜିବାଦର ବିପରୀତ ବ୍ୟବସ୍ଥା ସାମ୍ୟବାଦର ଜନ୍ମଦାତା କାର୍ଲ ମାର୍କ୍ସ ପୁଞ୍ଜିବାଦ ସମ୍ବନ୍ଧରେ କରିଥିବା ଏକ ଭବିଷ୍ୟବାଣୀ ଏଠାରେ ସ୍ମରଣଯୋଗ୍ୟ: ପୁଞ୍ଜିବାଦର ସଫଳତା ଏହାର ଧ୍ବଂସର ବୀଜ ବହନ କରିଥାଏ। ଅବଶ୍ୟ ଇତିମଧ୍ୟରେ ଦେଢ଼ଶହ ବର୍ଷରୁ ଅଧିକ କାଳ ବିତି ଯାଇଥିଲେ ହେଁ ମାର୍କ୍ସଙ୍କ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇ ନାହିଁ ଏବଂ ପୁଞ୍ଜିବାଦର ଉତ୍ତରୋତ୍ତର ଉନ୍ନତି ଘଟିଚାଲିଛି। କିନ୍ତୁ ଉପରୋକ୍ତ କାଲ୍‌ଭିନୀୟ ମାପକାଠି ଅନୁସାରେ ଯାହାଙ୍କୁ ଆଜି ପୁଞ୍ଜିବାଦର ଶ୍ରେଷ୍ଠତମ ସନ୍ତାନ ବୋଲି କୁହାଯାଇ ପାରିବ - ତେଣୁ ସ୍ବର୍ଗରେ ଯାହାଙ୍କ ପାଇଁ ସ୍ଥାନ ସୁରକ୍ଷିତ - ସେଇ ଏଲନ୍ ମସ୍କ ଏବେ ଏକ ଭବିଷ୍ୟବାଣୀ କରି ଚହଳ ସୃଷ୍ଟି କରିଛନ୍ତି, ଯାହା ଏକ ଭିନ୍ନ ବାଟ ଦେଇ ମାର୍କ୍ସଙ୍କର ସେଇ ଭବିଷ୍ୟବାଣୀକୁ ସତ୍ୟରେ ପରିଣତ କରିପାରେ। କାରଣ ମସ୍କଙ୍କ କହିବା ଅନୁସାରେ ଆସନ୍ତା ୧୦ରୁ ୨୦ ବର୍ଷ ମଧ୍ୟରେ ଯାହା ଘଟିବାକୁ ଯାଉଛି, ତାହାକୁ ଆମେ ଉପରେ ବର୍ଣ୍ଣିତ ମାକ୍ସ ୱେବର୍‌ଙ୍କର ଯୁକ୍ତିକୁ ଅନୁସରଣ କରି ପୁଞ୍ଜିବାଦର କାଲ୍‌ଭିନୀୟ ମୂଳଦୁଆ ଭୁଶୁଡ଼ି ପଡ଼ିବା ସହିତ ସମାନ ବୋଲି କହିପାରିବା।
ସଂକ୍ଷେପରେ କହିଲେ ମସ୍କ ଭବିଷ୍ୟବାଣୀ କରିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ଜୀବନଧାରଣ ନିମିତ୍ତ ମନୁଷ୍ୟମାନଙ୍କୁ ଅାଉ କାମ କରିବାକୁ ପଡ଼ିବ ନାହିଁ; ସମସ୍ତ କାର୍ଯ୍ୟ ସଂପାଦିତ ହେବ ‘ଏଆଇ’ ଦ୍ବାରା- ଗୀତାରୁ କାଲ୍‌ଭିନ୍ ପର୍ଯ୍ୟନ୍ତ କର୍ମର ଜୟଗାନ କରି ପ୍ରଦାନ କରିଥିବା ଉପଦେଶ ଅନାବଶ୍ୟକ ସାବ୍ୟସ୍ତ ହେବ। ଏକ ଦୃଷ୍ଟିରୁ ଦେଖିଲେ ଏହି ‘ଏଆଇ’ର ଆବିର୍ଭାବ ପୁଞ୍ଜିବାଦର ଏକ ଚମକପ୍ରଦ ସଫଳତା ନୁହେଁ କି? ତେଣୁ ଏହାକୁ ପୁଞ୍ଜିବାଦ ବହନ କରୁଥିବା ନିଜର ଧ୍ବଂସର ବୀଜ ରୂପେ ବିଚାର କରିବା ଭୁଲ୍ ହେବ କି? କାରଣ ମନୁଷ୍ୟବିହୀନ କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଚାଳିତ ଏକ ଅର୍ଥନୈତିକ ବ୍ୟବସ୍ଥାକୁ ଆଉ ପୁଞ୍ଜିବାଦ ବୋଲି କୁହାଯାଇ ପାରିବ କି?
ଏଭଳି ଏକ ବ୍ୟବସ୍ଥାରେ ମନୁଷ୍ୟର ଭୂମିକା ବା ଭାଗ୍ୟ କ’ଣ ହେବ? ଏ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଇପାରେ। ଯେମିତି- ଆଳସ୍ୟ। ଏକ କର୍ମମୁଖର ଜୀବନରେ ଆଳସ୍ୟ ହେଉଛି ଏକ ରୀତିମତ ବିଦ୍ରୋହ- କର୍ମ ବିରୁଦ୍ଧରେ ବିଦ୍ରୋହ। ତେବେ ଏହି ବିଦ୍ରୋହ ମଧ୍ୟ ହେଉଛି ଏକ ପୂର୍ଣ୍ଣତା ପ୍ରଦାନକାରୀ ସକ୍ରିୟ ଭାବ। ମସ୍କ ସୂଚିତ ଦୁନିଆରେ କିନ୍ତୁ କର୍ମ ସହିତ ଆଳସ୍ୟର ମଧ୍ୟ ଅନ୍ତର୍ଦ୍ଧାନ ଘଟିବ- ବ‌ା ସଠିକ୍ ଭାବରେ କହିଲେ ବିଦ୍ରୋହୀ ଆଳସ୍ୟର ଅନ୍ତର୍ଦ୍ଧାନ ଘଟିବ; ଯେଉଁ ଆଳସ୍ୟ ଉପଲବ୍‌ଧ ହେବ, ତାହା ହେବ ଏକ ଫମ୍ପା ଆଳସ୍ୟ ମାତ୍ର। ସଫଳ ପୁଞ୍ଜିବାଦର ମୂଳ ଭିତ୍ତି କାଲ୍‌ଭିନୀୟ ପ୍ରୋଟେଷ୍ଟାଣ୍ଟବାଦରେ ପାରିବାରିକ ମୂଲ୍ୟବୋଧକୁ ଏକ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଥାଏ। ମସ୍କଙ୍କ କଳ୍ପିତ ଦୁନିଆରେ କର୍ମ ସହିତ ଏହି ମୂଲ୍ୟବୋଧ ମଧ୍ୟ ଉଭାନ ହୋଇଯିବ। କର୍ମ ପତିପତ୍ନୀଙ୍କୁ ପରସ୍ପର ଠାରୁ ସାମୟିକ ଭାବରେ ବିଚ୍ଛିନ୍ନ ହେବା ପାଇଁ ଏକ ବିଧିବଦ୍ଧ ବାହାନା ଯୋଗାଇଥାଏ, ଯାହା ପରିବାରରେ ଶାନ୍ତି ରକ୍ଷା କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନିର୍ଦ୍ଦିଷ୍ଟ କାଳ ପାଇଁ ପରସ୍ପର ମଧ୍ୟରେ ଅବିଚ୍ଛିନ୍ନ ସାନ୍ନିଧ୍ୟ ଦୁଇଟି ଚୁମ୍ବକର ସମମେରୁମାନଙ୍କ ମଧ୍ୟରେ ସାନ୍ନିଧ୍ୟ ଭଳି ହୋଇଥାଏ; ଏଥିରୁ ସୃଷ୍ଟି ହୋଇଥାଏ ବିକର୍ଷଣ। ଏହା ପରେ ପାରିବାରିକ ସୁଖଶାନ୍ତି ଏକ ମରିଚୀକାରେ ପରିଣତ ହୋଇଯିବ; ପରିବାର ଭୁଶୁଡ଼ି ପଡ଼ିବ। ଏଇ କର୍ମହୀନ ଦୁନିଆରେ ପିତାମା‌ତାମାନେ ସେମାନଙ୍କର ପିଲାମାନଙ୍କ ସମ୍ମୁଖରେ ସେମାନେ ବଡ଼ ହେଲେ ହାସଲ କରିବାକୁ କେଉଁ ଲକ୍ଷ୍ୟ ସ୍ଥାପନ କରିବେ? କୌଣସି ସାମାଜିକ ସାକ୍ଷାତ ଅବସରରେ ଯୁବକ ଯୁବତୀମାନଙ୍କୁ ପଚରା ଯାଉଥିବା ଗତାନୁଗତିକ ପ୍ରଶ୍ନ, ‘‘ତୁମେ କ’ଣ କରୁଛ?’’ର ଉତ୍ତର କ’ଣ ହେବ? ଅଧିକ ଯୋଗ୍ୟ, ଅଧିକ ମେଧାବୀମାନେ ସେମାନଙ୍କର କେଉଁ ଉପଲବ୍‌ଧି ପ୍ରଦର୍ଶନ କରି ଅନ୍ୟମାନଙ୍କ ଠାରେ ହୀନମନ୍ୟତା ସୃଷ୍ଟି କରିବେ? ଏଗୁଡ଼ିକ ହେଉଛନ୍ତି ଭବିଷ୍ୟତରେ ଉତ୍ତର ଅପେକ୍ଷା କରୁଥିବା ଅସୁମାରି ଅଖାଡୁଆ ସମ୍ଭାବ୍ୟ ମାନବୀୟ ପ୍ରଶ୍ନମାନଙ୍କ ମଧ୍ୟରୁ କେତୋଟି ନମୁନା ମାତ୍ର।
ଶେଷରେ, ମସ୍କ କଳ୍ପନା କରିଛନ୍ତି ଯେ ‘ଏଆଇ’ର ଅଭୂତପୂର୍ବ ଉତ୍ପାଦନଶୀଳତା ‌େ‌ଯାଗୁଁ ସୃଷ୍ଟ ପ୍ରାଚୁର୍ଯ୍ୟର ଦୁନିଆରେ ଜିନିଷପତ୍ର ସବୁ ଏତେ ଶସ୍ତା ହୋଇଯିବେ ଯେ ଟଙ୍କାପଇସା (ଅର୍ଥ) ବସ୍ତୁତଃ ସଂପୂର୍ଣ୍ଣ ଅଦରକାରୀ ହୋଇଯିବ। ଏଠାରେ ସ୍ବାଭାବିକ ଭାବରେ ପ୍ରଶ୍ନ ଉଠୁଛି, ଏଭଳି ଏକ ଦୁନିଆରେ ଏଲନ୍ ମସ୍କ ତାଙ୍କର ବାର୍ଷିକ ଏକ ଲକ୍ଷ କୋଟି ଡଲାର୍ ଆୟକୁ କରିବେ କ’ଣ?