ଓଡ଼ିଆ ବହିର ‘ଗାଲଗୋଟିଆ’ମାନେ

ଅସିତ ମହାନ୍ତି (ସାହିତ୍ୟିକ ପାଣିପାଗ)

ଓଡ଼ିଆରେ ଗୋଟିଏ ଢଗ ଅଛି- ‘‘ଗାଲୁଆଙ୍କର ବାରବାଟି ଚାଷ’’। ବିଶ୍ବାଏ ବି ଜମି ନ ଥାଇ କେହି ଯଦି ତା’ର ବାରବାଟି ଚାଷ ଅଛି ବୋଲି କହେ- ନିଶ୍ଚିତ ଭାବରେ ସେ ଗୋଟିଏ ଗାଲୁଆ।
‘ବାଟି’ ଭୂମି ପରିମାପର ଏକ ପରିମାଣ ବିଶେଷ। ଏହି ପରିମାଣ କେତେ, ତାହା ବୁଝିଲେ ହିଁ କଥାଟିର ଗୁରୁତ୍ବ ବୁଝିହେବ। ଏହି ଭୂମି ପରିମାପ ହେଉଛି- ୧୬ ‘ବିଶ୍ବା’ରେ ୧ ଗୁଣ୍ଠ, ୨୫ ‘ଗୁଣ୍ଠ’ରେ ୧ ମାଣ (ଏକର) ଏବଂ ୨୦ ‘ମାଣ’ (ଏକର)ରେ ଏକ ବାଟି। ଏହି ପରିମାଣର ଆହୁରି ଏକ ଛୋଟ ଏକକ ହେଉଛି- ‘ପଦିକା’। ଏହା ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟର ଯଷ୍ଟି। ପୂର୍ବେ ୨୪, ୧୬, ୧୪ ବା ୧୨ ‘ଦସ୍ତିପଦିକା’ ଅନୁସାରେ ମଧ୍ୟ ଭୂମି ମାପ କରାଯାଉଥିଲା। ‘ଦସ୍ତି’ ହେଉଛି- ହାତମୁଠା ବା ପ୍ରାୟ ୫ ଇଞ୍ଚ ୬ ଅାଙ୍ଗୁଳ ପରିମାଣ। ଏହି ପରିମାଣର ୧୨, ୧୪, ୧୬ ବା ୨୪ ଗୁଣ ଦୀର୍ଘ ବାଡ଼ି ‘ପଦିକା’ ରୂପେ ବ୍ୟବହୃତ ହେଉଥିଲା। ଏଣୁ ଦୈର୍ଘ୍ୟ-ପ୍ରସ୍ଥରେ ପଦିକାଏ ବି ଭୂମି ନ ଥାଇ ବାରବାଟି ଚାଷ ଅଛି କହିବା ଲୋକକୁ କୁହାଯାଏ ଗାଲୁଆ। ସାଧୁ ଭାଷାରେ- ଏହା ମିଥ୍ୟା ଆତ୍ମବଡ଼ିମା। କଞ୍ଚା ବା ଲୋକକଥିତ ଓଡ଼ିଆରେ, ଏହାକୁ କୁହାଯାଏ- ‘ଫୁଟାଣି’।

Advertisment

ଏଇ ଫେବ୍ରୁଆରି ତୃତୀୟ ସପ୍ତାହରେ ଭାରତର ରାଜଧାନୀ ଦିଲ୍ଲୀଠାରେ ଉଦ୍‌ଯାପିତ ‌ହୋଇଯାଇଥିବା ‘ଏ.ଆଇ.ଇମ୍ପାକ୍‌ଟ ସମ୍ମିଟ୍‌’ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସଂପର୍କିତ ଶିଖର ସମ୍ମିଳନୀରେ ଆମ ଦେଶ ଯେଉଁ ଘଟଣା ପାଇଁ ଲଜ୍ଜିତ ହୋଇଛି- ତାହା ହେଉଛି ଏହିପରି ଏକ କଥା। ବିଶ୍ବର ୨୦ଟି ରାଷ୍ଟ୍ରର ଶାସନମୁଖ୍ୟ ଓ ଅର୍ଦ୍ଧସହସ୍ରରୁ ଊର୍ଦ୍ଧ୍ବ ଏ.ଆଇ. ବିଶେଷଜ୍ଞଙ୍କ ଉପସ୍ଥିତିରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏ.ଆଇ.ର ଅଦ୍ଭୁତ ପ୍ରୟୋଗ ଓ ତାହାର ଯାଦୁକରୀ ପ୍ରଦର୍ଶନରେ ସମସ୍ତେ ମୁଗ୍ଧ ଓ ଚକିତ ହେଉଥିବା ବେଳେ, ଘଟିଥିଲା ସେହି ଲଜ୍ଜାଜନକ ଘଟଣା। ଚୀନ୍‌ରେ ନିର୍ମିତ ଏକ ଯନ୍ତ୍ର କୁକୁର (ରୋବୋଟିକ୍‌ ଡଗ୍‌) ଓ ଦକ୍ଷିଣକୋରିଆରେ ନିର୍ମିତ ଏକ ପେଣ୍ଡୁ ଡ୍ରୋନ୍‌ (ସକ୍କର ଡ୍ରୋନ୍‌)କୁ ନିଜର ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍‌ସଲେନ୍‌ସ)ରେ ନିର୍ମିତ ବୋଲି ପ୍ରଦର୍ଶିତ କରି ଦେଶ ପାଇଁ ଲଜ୍ଜାଜନକ ଅଧ୍ୟାୟ ସୃଷ୍ଟି କରିଥିଲା ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟ। ତାହା ଆମ ଦେଶକୁ ସମଗ୍ର ବିଶ୍ବରେ ଅପଦସ୍ଥ କରିଥିଲା। ସେହି ବିଶ୍ବବିଦ୍ୟାଳୟର ନାଆଁ ‘ଗାଲଗୋଟିଆସ୍‌’। ଆମ ଓଡ଼ିଶାରେ ତାହା ‘ଗାଲୁଆ’ର ଏକ ନୂଆ ପରିଭାଷା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ- Accident-Rape-Murder: ଅପରାଧ ହିଁ ଅପରାଧ: ଦୁର୍ଘଟଣାରୁ ଦୁଷ୍କର୍ମ... ବ୍ଲେଡ୍ ଆକ୍ରମଣରୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ... ଘରେ ଶୋଇଥିଲେ, ଜଳିଗଲା ଜୀବନ

ଏହି ଜାତୀୟ ତଥା ଅନ୍ତର୍ଜାତୀୟ ଘଟଣାକ୍ରମରୁ ଆମ ଓଡ଼ିଶାର ସାହିତ୍ୟ ଜଗତକୁ ଆସିଲେ ଜଣାଯାଏ, ଯେ ଓଡ଼ିଆ ସାହିତ୍ୟ ତଥା ଓଡ଼ିଆ ପ୍ରକାଶନ ଜଗତରେ, ଏପରି ଗାଲଗୋଟିଆଙ୍କର ଅଭାବ ନାହିଁ। ଗୋଟିଏ ଦୃଷ୍ଟାନ୍ତ ଦେଲେ ହିଁ କଥାଟି ବୁଝିହେବ।

ପ୍ରଫେସର ଗୋଲୋକ ବିହାରୀ ଧଳ ଥିଲେ ଓଡ଼ିଶାର ଜଣେ ସ୍ବନାମଧନ୍ୟ ଭାଷାବିତ୍‌। ଲଣ୍ଡନ ବିଶ୍ବବିଦ୍ୟାଳୟରେ ସେ ତୁଳନାତ୍ମକ ଭାଷାତତ୍ତ୍ବ ଓ ଧ୍ବନିବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ। ସେଠାରୁ ଫେରିବା ପରେ, ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସଂସ୍କୃତ ଓ ଓଡ଼ିଆ ବିଭାଗରେ ଅଧ୍ୟାପନା କରିବା ସହିତ ଉତ୍କଳ ବିଶ୍ବବିଦ୍ୟାଳୟରୁ ରୁଷିଆନ୍‌ ଭାଷାରେ ମଧ୍ୟ ଡିପ୍ଲୋମା କରିଥିଲେ। ଓଡ଼ିଆ ସମେତ ୧୬ଟି ଭାଷାକୁ ନେଇ ବିଶ୍ବନାଥ ନରବଣେଙ୍କ ଦ୍ବାରା ପ୍ରସ୍ତୁତ ‘ଭାରତୀୟ ବ୍ୟବହାର କୋଷ’ରେ ମଧ୍ୟ ସେ କ‌ାମ କରିଥିଲେ। ଏହା ସହିତ ସେ ମଧ୍ୟ ଜଣେ ବିଶିଷ୍ଟ ଲେଖକ ଓ ଅନୁବାଦକ। ‘ମଣିଷର ଭାଷା’, ‘ପେଟର ପବନ ପାଟିର କଥା’, ‘ଧ୍ବନି ବିଜ୍ଞାନ’, ‘ଭାଷାଶାସ୍ତ୍ର ପରିଚୟ’ ଆଦି ତାଙ୍କର ଭାଷା ସଂପର୍କିତ ପ୍ରସିଦ୍ଧ ପୁସ୍ତକ।

ଏହିସବୁ ପୁସ୍ତକ ମଧ୍ୟରୁ ‘ମଣିଷର ଭାଷା’ ପ୍ରଥମେ ପ୍ରକାଶ ପାଇଥିଲା ୧୯୫୩ ମସିହାରେ। ପ୍ରକାଶକ ଥିଲେ- ‘ନିଉ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍ସ ଲିଃ’, ବ୍ରହ୍ମପୁର, କଟକସମ୍ବଲପୁର। ସେତେବେଳକୁ ପ୍ରଫେସର ଧଳଙ୍କ ‘ଆମେରିକା ଅନୁଭୂତି’ ଓ ‘ଲଣ୍ଡନ ଚିଠି’ ପ୍ରକାଶ ପାଇ ପ୍ରସିଦ୍ଧି ଲାଭ କରିଥିଲା। ତାହାର ସୂଚନା ବି ପ୍ରକାଶକ ସେଥିରେ ଦେଇଥି‌ଲେ।
୧୯୫୩ରେ ପ୍ରଥମେ ପ୍ରକାଶ ପାଇବା ପରେ ତାହାର ଦ୍ବିତୀୟ ପରିବର୍ଦ୍ଧିତ ସଂସ୍କରଣ ମଧ୍ୟ ୧୯୫୬ରେ ପ୍ରକାଶ ପାଇଥିଲା। ପ୍ରଥମ ସଂସ୍କରଣର ମୂଲ୍ୟ ଦେଢ଼ ଟଙ୍କା ଥିବାବେଳେ, ତାହାର ମୂଲ୍ୟ ତିନି ଟଙ୍କା ରହିଥିଲା।

ଏହି ଦ୍ବିତୀୟ ପରିବର୍ଦ୍ଧିତ ସଂସ୍କରଣରେ ‘ଅଭିମତ’ ଶିରୋନାମରେ ଏକ ମୁଖବନ୍ଧ ଲେଖିଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର। ସେଥିରେ ସେ ଲେଖିଛନ୍ତି- ‘‘ଲେଖକ ପୃଥିବୀ‌ର ନାନା ଭାଷାରୁ ଉପାଦାନ ଆଣି ସେ ସବୁର ତୁଳନାତ୍ମକ ଚିତ୍ର ଦେଖାଇଛନ୍ତି। ତାହା ତାଙ୍କ ପାଣ୍ଡିତ୍ୟର ଯେପରି ପରିଚୟ ଦେଉଛି, ତାଙ୍କ ଚିତ୍ରଣଶକ୍ତି ମଧ୍ୟ ସେହିପରି ପ୍ରକାଶ କରୁଛି। ସେ ‌‌ଗୋଟିଏ କଠିନ ବିଷୟ‌ର ଆଲୋଚନାରେ ହାତ ଦେଇ ତାକୁ ଭାରି ସହଜ ରୂପେ ବୁଝାଇଛନ୍ତି ଓ ସମସ୍ତଙ୍କ ବୁଝିବା ନିମନ୍ତେ ଚିତ୍ର କାଟି ଜଟିଳ ଭାବକୁ ସରଳ କରିଛନ୍ତି।’’

ଆହୁରି ପଢ଼ନ୍ତୁ- Auction: ୧ କୋଟି ୩୦ ଲକ୍ଷ ଟଙ୍କାରେ ନିଲାମ ହେଲା ଦେଶର ଦ୍ୱିତୀୟ ବୃହତ୍ତମ ହାଟ!

ଗୋଦାବରୀଶ ମିଶ୍ରଙ୍କର ଏହି ‘ଅଭିମତ’ରେ ତାରିଖ ଅଛି- ନୂଆବର୍ଷ, ୧.୪.୧୯୫୫, ପଣାସଂକ୍ରାନ୍ତି। ଅର୍ଥାତ୍‌ ସେ ବର୍ଷ ପଣାସଂକ୍ରାନ୍ତି ଅବସରରେ, ୧ ଏପ୍ରିଲ୍‌ରେ ସେ ତାହା ଲେଖିଛନ୍ତି। ଆହୁରି ପରବର୍ତ୍ତୀ କାଳରେ, କଟକର ‘ଫ୍ରେଣ୍ଡସ୍‌ ପବ୍ଲିଶର୍ସ’ ପକ୍ଷରୁ ତାହାର ସଂସ୍କରଣ ମଧ୍ୟ ପ୍ରକାଶ ପାଇଛି ଏବଂ ଉପଲବ୍‌ଧ ତଥ୍ୟ ଅନୁସାରେ, ୨୦୨୨ ମଧ୍ୟରେ ତାହାର ଆହୁରି ଅନ୍ୟୂନ ୬ଟି ସଂସ୍କରଣ ପ୍ରକାଶ ପାଇଛି। ଷଷ୍ଠ ସଂସ୍କରଣ‌େର ମଧ୍ୟ ପୁସ୍ତକଟି ପ୍ରଥମେ ୧୯୫୩ରେ ପ୍ରକାଶ ପାଇଥିଲା ବୋଲି ଉଲ୍ଲେଖ ଅଛି।ଅଥଚ ସଂପ୍ରତି କଟକ ବହିବଜାରରେ ‌ଏହି ପ୍ରସିଦ୍ଧ ପୁସ୍ତକର ଏକ ବିଚିତ୍ର ସଂସ୍କରଣ ଉପଲବ୍‌ଧ। ଏହା ‘ବିଚିତ୍ର’ ଏଇଥିପାଇଁ, ଯେ ଏହାର ନାମ ‘ମଣିଷର ଭାଷା’ ହୋଇଥିବାବେଳେ, ପ୍ରଫେସର ଗୋଲୋକ ବିହାରୀ ଧଳଙ୍କର ନାମ ବହିର ମୁଖ୍ୟ ଓ ପରବର୍ତ୍ତୀ ଭିତର ପୃଷ୍ଠାରେ ଥିବାବେଳେ, ଏବଂ ବହିର ସମଗ୍ର ପାଠ ପ୍ରଫେସର ଧଳଙ୍କର ହୋଇଥିବା ବେଳେ, ତାହାର ମଲାଟପୃଷ୍ଠାରେ ରହିଛି ଜନୈକ ‘ଅଧ୍ୟାପକ ଚିନ୍ତାମଣି ମିଶ୍ର’ଙ୍କର ନାମ। ପୁଣି ତାହାର ପ୍ରକାଶନ ସୂଚନାରେ ଉଲ୍ଲେଖ ଅଛି- ‘ପ୍ରଥମ ସଂସ୍କରଣ, ଶ୍ରୀରାମ ନବମୀ, ୨୦୨୩’। ମୂଲ୍ୟ ରହିଛି ୨୬୯ ଟଙ୍କା।

ଆହୁରି ବିଚିତ୍ର ହେଉଛି- ବହିର ଏହି ଭିତର ପୃଷ୍ଠା‌ର ସୂଚନାରେ, ଏହାର ପ୍ରକାଶକ- ‘ସସ୍ମିତା ପବ୍ଲିଶର୍ସ, ଚାନ୍ଦିନୀଚୌକ, କଟକ’ ଲେଖା ଥିବାବେଳେ, ପଛ ମଲାଟ ପୃଷ୍ଠାରେ ପ୍ରକାଶକ- ‘ସସ୍ମିତା ପବ୍ଲିଶର୍ସ, ବାଲୁବଜାର, କଟକ’ ଲେଖାଅଛି।
ଏହି ପୁସ୍ତକର ପ୍ରଥମ ସଂସ୍କରଣ (୧୯୫୩)ର ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି- ସେଥିରେ ‘ପହିଲି କଥା’ ନାମରେ ଏକ ମୁଖବନ୍ଧ ଲେଖିଥିଲେ ପ୍ରଫେସର ଗୋଲୋକ ବିହାରୀ ଧଳ। ସେଥିରେ ସେ ‌କହିଛନ୍ତି- ‘‘ଏହି ଲେଖାର ଉଦ୍ଦେଶ୍ୟ ହେଉଛି, ପାଠକ ସାଧାରଣଙ୍କୁ ଦେଖାଇଦେବା ଯେ ଆମେ ପ୍ରତିଦିନ ଯେଉଁ ଶତ ସହସ୍ର ଶବ୍ଦ ଓ ବାକ୍ୟ ଲେଖୁ, ପଢ଼ୁ ଓ କହୁ ତା’ରି ଭିତରେ ଭାଷାତତ୍ତ୍ବର ଗଭୀର ତଥ୍ୟ ନିହିତ ଅଛି।’’ ଏହି ‘ପହିଲି କଥା’ର ଲିଖନ ସ୍ଥାନ, ତାଙ୍କର ଗାଆଁ ଗଞ୍ଜେଇ ଡିହ, ‌ଢେଙ୍କାନାଳ ଏବଂ ଲିଖନ ତାରିଖ ୨୦-୦୬-୧୯୫୩। ଦ୍ବିତୀୟ ପରିବର୍ଦ୍ଧିତ ସଂସ୍କରଣରେ ମଧ୍ୟ ତାହା ଥିଲା ଏବଂ ସେହି ତାରିଖ ଅବିକଳ ରହିଥିଲା।

ଏହି ଦ୍ବିତୀୟ ସଂସ୍କରଣ (୧୯୫୬)ର ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି- ଏହାର ଲେଖକ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କର ଏକ ‘ଟୀପଣୀ’ । ତାହାର ଶୀର୍ଷକ ଥିଲା ‘ଦ୍ବିତୀୟ ସଂସ୍କରଣର ଟୀପଣୀ’। ସେଥିରେ ସେ ଲେଖିଛନ୍ତି, ‘‘ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ପଣ୍ଡିତ ଡାକ୍ତର ଗୋଦାବରୀଶ ମିଶ୍ର ‘ମଣିଷର ଭାଷା’ର ଦ୍ବିତୀୟ ସଂସ୍କରଣରେ ନିଜର ମନ୍ତବ୍ୟ ଦ୍ବାରା ମୋତେ ଯେପରି ଭାବରେ ଉତ୍ସାହିତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କ ନିକଟରେ ଋଣୀ। ତାଙ୍କ ପ୍ରତି ମୋର ସହୃଦୟ କୃତଜ୍ଞତା ଜ୍ଞାପନ କରୁଛି।’’

ଆହୁରି ପଢ଼ନ୍ତୁ- Minister Review: ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସମୀକ୍ଷା

ମାତ୍ର ଏହି ‘ବିଚିତ୍ର’ ସଂସ୍କରଣରେ ଅତି ଚତୁରତାର ସହିତ ‘ଦ୍ବିତୀୟ ସଂସ୍କରଣର ଟୀପଣୀ’କୁ ବଦଳାଇ ‘ସଂସ୍କରଣୀୟ ଟୀପଣୀ’ କରିଦିଆଯାଇଛି। ସେହିପରି, ଏହି ଟୀପଣୀରୁ ଦ୍ବିତୀୟ ସଂସ୍କରଣର ସୂଚନା ଥିବା ବାକ୍ୟଗୁଡ଼ିକୁ କାଟି ଦିଆଯାଇଛି। କାରଣ, ତାହା ସେହିଭଳି ରହିଥିଲେ ସାବ୍ୟସ୍ତ ହୁଅନ୍ତା ଯେ ‘ସସ୍ମିତା ପବ୍ଲିଶର୍ସ’ର ଏହି ପୁସ୍ତକ ପ୍ରଥମ ସଂସ୍କରଣ ନୁହେଁ କି ୨୦୨୩, ଶ୍ରୀରାମ ନବମୀରେ ତାହା ପ୍ରଥମେ ପ୍ରକାଶ ପାଇ ନାହିଁ। ଏହା ତା’ର ୭୦ ବର୍ଷ ପୂର୍ବରୁ ୧୯୫୩ରେ ପ୍ରଥମେ ପ୍ରକାଶ ପାଇଥିଲା ଏବଂ ତିନି ବର୍ଷ ପରେ, ଅର୍ଥାତ୍‌ ୬୭ ବର୍ଷ ପୂର୍ବରୁ ତାହାର ଦ୍ବିତୀୟ ସଂସ୍କରଣ ପ୍ରକାଶ ପାଇସାରିଥିଲା।

କେବଳ ଏତିକି ନୁହେଁ, ଏହି ‘ଦ୍ବିତୀୟ ସଂସ୍କରଣର ଟୀପଣୀ’ ଲେଖିବା ବେଳେ ଗୋଲୋକ ବିହାରୀ ଧଳ ଥିଲେ ଆଗ୍ରା ବିଶ୍ବବିଦ୍ୟାଳୟର ଅଧ୍ୟାପକ। ସେହି ସୂଚନା ସହିତ, ଏହି ‘ଟୀପଣୀ’ର ରଚନା କାଳ ୨୬.୧.୫୬ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ଥିଲା। ସେହି ତାରିଖକୁ ମଧ୍ୟ ଅତ୍ୟନ୍ତ ତଞ୍ଚକତାର ସହିତ ସେଥିରୁ ଉଡ଼ାଇ ଦିଆଯାଇଛି। ତା’ ସହିତ ମଧ୍ୟ ଉଡ଼ାଇ ଦିଆଯାଇଛି ପ୍ରଥମ ସଂସ୍କରଣ (୧୯୫୩)ସୂଚନାକୁ। ଏହା ମଧ୍ୟ ନିଜର ଏହି ‘ବିଚିତ୍ର’ ସଂସ୍କରଣଟିକୁ ପ୍ରଥମ ସଂସ୍କରଣ ରୂପେ ସାବ୍ୟସ୍ତ କରିବାପାଇଁ ଏକ ‌ସୁଚତୁର ଉଦ୍ୟମ।
ବିଡ଼ମ୍ବନାର ବିଷୟ ହେଉଛି- ପ୍ରସିଦ୍ଧ ଲେଖକଙ୍କ ସୁପ୍ରସିଦ୍ଧ ବହିର ଜାଲିଆତି କରୁଥିବା ‌ଏପରି ପ୍ରକାଶନ ସଂସ୍ଥା ଏହି ଗୋଟିଏ ନୁହେଁ। ଭିନ୍ନ ଭିନ୍ନ ନାମରେ ଏହାର ଅନ୍ୟୂନ ଚାରିଟି ଶାଖା ରହିଛି ଏବଂ ଏପରି ଶହଶହ ବହି ଜାଲିଆତି କରି ପ୍ରକାଶ କରାହେଉଛି। ଏହାର ଆହୁରି ଅନେକ ପ୍ରମାଣ ଏହି ଲେଖକ ପାଖରେ ଅଛି।

ଏଣୁ ଓଡ଼ିଆ ବହି ବଜାରର ଏହି ‘ଗାଲଗୋଟିଆ’ମାନଙ୍କୁ ସାଧୁ ସାବଧାନ! 
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦ ୩୪୮୦୪