ଐତିହାସିକ କାରଣରୁ ଜାତିଗତ ଉତ୍ପୀଡ଼ନ କ୍ଷେତ୍ରରେ ସବର୍ଣ୍ଣମାନଙ୍କୁ ଉତ୍ପୀଡ଼କ ରୂପେ ଦେଖାଯାଇଥାଏ, ଯେମିତି ବର୍ଣ୍ଣ ବୈଷମ୍ୟ କ୍ଷେତ୍ରରେ ଶ୍ବେତାଙ୍ଗମାନେ ବା ଲିଙ୍ଗୀୟ ବିଦ୍ବେଷ ସଂଦର୍ଭରେ ପୁରୁଷମାନେ ହୋଇଥାଆନ୍ତି। ତେଣୁ ଏହି ନିୟମାବଳୀକୁ ସମର୍ଥନ କରୁଥିବା ବର୍ଗ କହିଥାଆନ୍ତି ଯେ ଏଭଳି ଉତ୍ପୀଡ଼ନ ବିରୋଧୀ ଆଇନକୁ ଏକ ସଂସ୍କାରଧର୍ମୀ ଉଦ୍ୟମ ଭାବେ ଦେଖାଯିବା ଶ୍ରେୟସ୍କର ହୁଅନ୍ତା।
Horoscope 2026 January 29: ଜାଣନ୍ତୁ ଆଜିର ରାଶିଫଳ
‘ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ’ ବା ‘ୟୁ.ଜି.ସି.’ ଦ୍ବାରା ସଦ୍ୟ ଜାରି କରାଯାଇଥିବା ‘ପ୍ରମୋସନ ଅଫ୍ ଇକ୍ବିଟି ଇନ୍ ହାୟର ଏଡୁକେସନ ଇନଷ୍ଟିଚ୍ୟୁସନ୍ସ ରେଗୁଲେସନ୍ସ- ୨୦୨୬’ ବା ‘ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ସମଭାବ ପ୍ରୋତ୍ସାହନ ନିୟମାବଳୀ-୨୦୨୬’, ଶୀର୍ଷକ ପ୍ରାବଧାନଗୁଡ଼ିକୁ ତୁମୂଳ ପ୍ରତିକ୍ରିୟା ଓ ତୀବ୍ର ପ୍ରତିବାଦ ମଧ୍ୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ସ୍ଥଗିତ ରଖାଯାଇଛି। ଯଦିଓ, ଏହା ନିଃସନ୍ଦେହ ଯେ ଏହି ନିୟମାବଳୀର ଲକ୍ଷ୍ୟ ଥିଲା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପରିସରକୁ ଜାତି, ସଂପ୍ରଦାୟ, ବର୍ଣ୍ଣ, ଲିଙ୍ଗ ଏବଂ ଶାରୀରିକ ଅକ୍ଷମତା ଆଦିକୁ ନେଇ ସୃଷ୍ଟି ହେଉଥିବା ବୈଚାରିକ ଓ ବ୍ୟାବହାରିକ ବିଦ୍ବେଷରୁ ମୁକ୍ତ ରଖିବା; ଏହାର ସ୍ବରୂପକୁ ନେଇ ଆଶଙ୍କା ଓ ପ୍ରତିବାଦର ସ୍ବର ମୁଣ୍ଡ ଟେକିଥିଲା। ତେବେ, ପ୍ରଥମରୁ କହି ରଖାଯାଉ ଯେ ଏହା କୌଣସି ନୂତନ ନିୟମାବଳୀ ନ ଥିଲା; ଏହା ଥିଲା ୨୦୧୨ରେ ପ୍ରବର୍ତ୍ତିତ ନିୟମାବଳୀର ଏକ ସଂଶୋଧିତ ସଂସ୍କରଣ, ଯାହାକୁ ସମ୍ଭବ କରିଥିଲା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ଦୃଢ଼ ନିର୍ଦ୍ଦେଶ। ତେଣୁ ଏଭଳି ସ୍ଥଳେ, ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଏହାକୁ ସ୍ଥଗିତ ରଖାଯିବା ନେଇ ନିର୍ଦ୍ଦେଶ ସ୍ବାଭାବିକ ଭାବେ ଭ୍ରୂକୁଂଚନ ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ଘଟଣାର ପୃଷ୍ଠଭୂମି ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ୨୦୧୬ ମସିହାରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପିଏଚ୍.ଡି. ଛାତ୍ର ରୋହିତ ଭେମୁଲା ଏବଂ ୨୦୧୯ ମସିହାରେ ଏଲ ନାୟାର ମେଡିକାଲ କଲେଜର ସ୍ନାତ୍ତକୋତ୍ତର ଛାତ୍ରୀ ପାୟଲ ତାଡ଼ୱିଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପରିବାର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଆଗତ ହୋଇଥିବା ଜନ ସ୍ବାର୍ଥ ମାମଲାରେ ଦର୍ଶାଯାଇଥିଲା ଯେ ଏହି ହତଭାଗ୍ୟ ବିଦ୍ୟାର୍ଥୀଦ୍ବୟ ଏଭଳି ଚରମ ପଦକ୍ଷେପ ନେବା ପଛର କାରଣ ଥିଲା ସେମାନଙ୍କ ନିଜ ନିଜ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ଦିଆଯାଇଥିବା ତୀବ୍ର ଜାତିଭିତ୍ତିକ ଲାଂଛନା। ତେବେ, ସର୍ବୋଚ୍ଚ ଅଦାଲତଙ୍କୁ ଯାହା ଉଦ୍ବିଗ୍ନ କରିଥିଲା, ତାହା ହେଲା ୨୦୧୨ ମସିହାରୁ ଏକ ନିୟମାବଳୀର ଉପସ୍ଥିତି ସତ୍ତ୍ବେ ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଭଳି ବିଦ୍ବେଷ କୈନ୍ଦ୍ରିକ ଅଭିଯୋଗର ସଂଖ୍ୟାରେ ୧୧୮% ବୃଦ୍ଧି ଘଟିବା। ସୁତରାଂ, ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାନୁସାରେ ଏକ ସଂଶୋଧିତ କଠୋର ନିୟମାବଳୀର ଆବିର୍ଭାବ ଘଟିଲା। ଉପକ୍ରମଣିକାରେ ଇଙ୍ଗିତ କରାଯାଇଥିବା ଭଳି ଯଦିଓ ବିଭିନ୍ନ ପ୍ରକାରର ବିଦ୍ବେଷ ଦୂର କରିବାର ପ୍ରଯତ୍ନ ଏହି ଉଦ୍ୟମରେ ନିହିତ, ସମସ୍ୟା ସୃଷ୍ଟି ହୋଇଥିଲା ଜାତିଗତ ବିଦ୍ବେଷ ସଂଦର୍ଭରେ। କାରଣ ୨୦୧୨ ମସିହାର ନିୟମାବଳୀରେ କେବଳ ଏସ.ସି.(ଦଳିତ) ଓ ଏସ୍.ଟି.ଙ୍କୁ ସୁରକ୍ଷା ପ୍ରଦାନ କରିବାର ପ୍ରାବଧାନ ଥିବା ବେଳେ ସଂଶୋଧିତ ରୂପଟିରେ ଓ.ବି.ସି.ଙ୍କୁ ସେହି ବନ୍ଧନୀରେ ଅନ୍ତର୍ଭୁକ୍ତ କରାଯାଇଛି। ସୁତରାଂ, ପ୍ରଥମ ଅଭିଯୋଗଟି ହେଲା, ସଂଶୋଧିତ ନିୟମାବଳୀରେ କେବଳ ସବର୍ଣ୍ଣମାନଙ୍କୁ ଏକମାତ୍ର ଅଦମ୍ୟ ‘ପୀଡ଼କ’ ରୂପେ ଧରି ନିଆଯାଇଛି, ଯେଉଁ ଧାରଣାଟି ମଧ୍ୟ ବୈଷମ୍ୟମୂଳକ। ଅଭିଯୋଗକାରୀମାନଙ୍କ ମତରେ ଯୌତୁକ ଓ ପାରିବାରିକ ହିଂସା ନିରୋଧକ ଆଇନଗୁଡ଼ିକ ଭଳି ଏହି ନିୟମାବଳୀ ମଧ୍ୟ ମିଥ୍ୟା ଅଭିଯୋଗ ଲଗାଇବା ଭଳି ଅପବ୍ୟବହାର କାରଣରୁ ଅନେକାଂଶରେ ତା’ର ମହନୀୟତା ହରାଇବ। ତେଣୁ ସେମାନେ ମିଥ୍ୟା ଅଭିଯୋଗକାରୀମାନଙ୍କୁ ଦଣ୍ଡନୀୟ କରିବାର ପ୍ରାବଧାନ ଦାବି କରନ୍ତି। ଦ୍ବିତୀୟରେ, ଏହି ନିୟମାବଳୀ ଅନୁସାରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସି ନ ଥିଲେ ସୁଦ୍ଧା ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନ(ହଷ୍ଟେଲ, କ୍ୟାଣ୍ଟିନ ବା ଲାଇବ୍ରେରି)ରେ ବିଦ୍ୟାର୍ଥୀମାନଙ୍କ ଆଚରଣ ଓ ଗତିବିଧି ଉପରେ ତୀକ୍ଷ୍ଣ ନିଘା ରଖିଥିବା ‘ଇକ୍ବାଲ ଅପର୍ଚୁନିଟି ସେଣ୍ଟର’ର ସଦସ୍ୟମାନେ ଯେ କୌଣସି ବିଦ୍ୟାର୍ଥୀ ବା ଅଧ୍ୟାପକଙ୍କ ବିରୋଧରେ ଏକତରଫା ଭାବେ ଆରୋପ ଲଗାଇ ପାରିବେ, ଯେଉଁ ନିରଙ୍କୁଶତା ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ତୃତୀୟରେ ଏହି ନିୟମାବଳୀ ଅନୁସାରେ ରହିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ‘ମନି ଲଣ୍ଡରିଂ ଆଇନ’ ସଦୃଶ ଏକତରଫା ଓ ଅନାବଶ୍ୟକ ଭାବେ ନିର୍ଦୟ ଓ ପକ୍ଷପାତୀ ବୋଲି ମଧ୍ୟ ଦୋଷାରୋପ କରାଯାଉଛି, କାରଣ ତହିଁରେ ଅଭିଯୁକ୍ତକୁ ପ୍ରଥମରୁ ଦୋଷୀ ବୋଲି ହିଁ ଧରି ନିଆଯାଏ; ଏବଂ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାର କଷ୍ଟସାଧ୍ୟ ଦାୟିତ୍ବକୁ ଅଭିଯୁକ୍ତ ବହନ କରିବାକୁ ବାଧ୍ୟ ହୁଏ। ତେଣୁ ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ସର୍ବତ୍ର ଏହି ସଂଶୋଧିତ ନିୟମାବଳୀକୁ ସବର୍ଣ୍ଣ ଶିକାର ସକାଶେ ଅଭିପ୍ରେତ ବୋଲି ଉଚ୍ଚାଟ ସୃଷ୍ଟି କରାଯାଉଥିଲା।
କହିବା ଅନାବଶ୍ୟକ ଯେ ସବର୍ଣ୍ଣ ସମର୍ଥକମାନଙ୍କ ସଂଶୟ ଓ ଆଶଙ୍କା ସଂପୂର୍ଣ୍ଣ ନିରାଧାର ମଧ୍ୟ ନୁହେଁ; କିନ୍ତୁ ଏହା ମଧ୍ୟ ସତ ଯେ କେବଳ ଉତ୍ପୀଡ଼କମାନଙ୍କୁ ନିବୃତ୍ତ କରିବାର ପ୍ରଚେଷ୍ଟାକୁ ସବର୍ଣ୍ଣ ବିରୋଧୀ ରୂପେ ଚିତ୍ରଣ କରାଯିବା ମଧ୍ୟ ଅସମୀଚୀନ। ତେଣୁ ବିପରୀତ ପକ୍ଷଙ୍କ ମତରେ ଉତ୍ପୀଡ଼ନ ବିରୋଧୀ ଯେ କୌଣସି ଆଇନର ହୁଏତ ଅପବ୍ୟବହାର ସମ୍ଭବ, କିନ୍ତୁ ସେହି କାରଣରୁ ଆଇନ ସୃଷ୍ଟି କରା ନଯିବା ମଧ୍ୟ ଅବାନ୍ତର। ସଂଶୋଧିତ ନିୟମାବଳୀର ପ୍ରାବଧାନଗୁଡ଼ିକୁ ଲକ୍ଷ୍ୟରେ ରଖି ସେମାନେ କହିଥାଆନ୍ତି ଯେ କୌଣସି ଅଭିଯୋଗ କ୍ଷେତ୍ରରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଅନ୍ତରୀଣ କମିଟିରେ ଯଦି ଏସ.ସି., ଏସ.ଟି. ଓ ଓ.ବି.ସି. ବର୍ଗରୁ କୌଣସି ନିର୍ଦିଷ୍ଟ ସଂଖ୍ୟକ ବ୍ୟକ୍ତିଙ୍କୁ ରଖାଯିବାର ପ୍ରାବଧାନ ହୁଏ ତେବେ ଅନେକ ସ୍ଥଳରେ ସେମାନଙ୍କ ସଂଖ୍ୟାନ୍ୟୂନତା ଦୃଷ୍ଟିରୁ ତାହା ସମ୍ଭବ ହୋଇ ନ ପାରେ। ଏହି ମତକୁ ପରିପୁଷ୍ଟ କରୁଥିବା ‘ଡେଟା’ ଅନୁସାରେ ଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଏସ.ସି. ଏସ.ଟି. ଓ ଓ.ବି.ସି. ବର୍ଗର ପ୍ରଫେସରଙ୍କ ଅନୁପାତ ହେଉଛି ଯଥାକ୍ରମେ ୧.୯%, ୧.୫% ଓ ୪.୧%, ଆସୋସିଏଟ ପ୍ରଫେସରଙ୍କ ଅନୁପାତ ହେଉଛି ୭.୨%, ୨.୩% ଓ ୪.୯% ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅନୁପାତ ହେଉଛି ୧୨%, ୫.୭% ଓ ୮.୧ ପ୍ରତିଶତ। କହିବା ଅନାବଶ୍ୟକ ଯେ ଐତିହାସିକ କାରଣରୁ ଜାତିଗତ ଉତ୍ପୀଡ଼ନ କ୍ଷେତ୍ରରେ ସବର୍ଣ୍ଣମାନଙ୍କୁ ଉତ୍ପୀଡ଼କ ରୂପେ ଦେଖାଯାଇଥାଏ, ଯେମିତି ବର୍ଣ୍ଣ ବୈଷମ୍ୟ କ୍ଷେତ୍ରରେ ଶ୍ବେତାଙ୍ଗମାନେ ବା ଲିଙ୍ଗୀୟ ବିଦ୍ବେଷ ସଂଦର୍ଭରେ ପୁରୁଷମାନେ ହୋଇଥାଆନ୍ତି। ତେଣୁ ଏହି ନିୟମାବଳୀକୁ ସମର୍ଥନ କରୁଥିବା ବର୍ଗ କହିଥାଆନ୍ତି ଯେ ଏଭଳି ଉତ୍ପୀଡ଼ନ ବିରୋଧୀ ଆଇନକୁ ଏକ ସଂସ୍କାରଧର୍ମୀ ଉଦ୍ୟମ ଭାବେ ଦେଖାଯିବା ଶ୍ରେୟସ୍କର ହୁଅନ୍ତା।
Raid: ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ
ସଂଶୋଧିତ ‘ରେଗୁଲେସନ୍ସ’କୁ ସ୍ଥଗିତ ରଖିବାର ନିର୍ଦ୍ଦେଶ ଦେଇ ମାନ୍ୟବାର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହି ନୂତନ ନିୟମାବଳୀ ଅସ୍ପଷ୍ଟ ଏବଂ ଅଧିକ ବିଭାଜନ ସୃଷ୍ଟିର କାରଣ ହୋଇପାରେ। ତେଣୁ ସରକାର ଏହାର ପରିମାର୍ଜନ କରିବା ସକାଶେ ଅଦାଲତ ପରାମର୍ଶ ଦେଇଛନ୍ତି। କିନ୍ତୁ ଏକ ଅପ୍ରିୟ ବାସ୍ତବତା ହେଲା କୌଣସି ଆଇନ ଦ୍ବାରା ଜାତିଗତ ବିଭାଜନ ଦୂର କରି ସମଭାବ ଏବଂ ସମରୂପ ପ୍ରତିଷ୍ଠା କରିବାର ଉଦ୍ୟମ ସର୍ବଦା ନିଷ୍ଫଳ ହେବ। କେବଳ ଯେଉଁ ଗୋଟିଏ ମାର୍ଗରେ ଏହି ବିଭାଜନର ପ୍ରାଚୀର ଧରାଶାୟୀ ହେବା ସମ୍ଭବ, ତାହା ହେଲା ପରାକାଷ୍ଠା ପ୍ରଦର୍ଶନ। ସେଥି ଲାଗି ସ୍ବାଧୀନତା ପର ଠାରୁ ଏସ.ସି ଏବଂ ଏସି.ଟି ବର୍ଗଙ୍କ ସକାଶେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆରକ୍ଷଣର ବ୍ୟବସ୍ଥା କରାଯାଇଥିଲା, ଯଦ୍ଦ୍ବାରା ଏକ ବୃହତ୍ ନିଷ୍ପେଷିତ ବର୍ଗ ନିଜକୁ ପ୍ରମାଣିତ ଓ ପ୍ରତିଷ୍ଠିତ କରିବାର ସୁଯୋଗ ପାଇବ। କିନ୍ତୁ ‘ଡେଟା’ କହିଥାଏ ଯେ ଏଭଳି ଆରକ୍ଷଣ ଅଧୀନସ୍ଥ ଆସନ ଓ ପଦର ପ୍ରାୟ ୮୦% ଶୂନ୍ୟ ପଡ଼ି ଆସୁଛି। ଏବଂ ଆଉ ଏକ ବିଡ଼ମ୍ବନା ହେଲା, ଏହି ବର୍ଗର ଯେଉଁ ମୁଷ୍ଟିମେୟ ଆରକ୍ଷଣର ସୁଯୋଗ ନେଇ ପ୍ରତିଷ୍ଠିତ ହୋଇପାରିଛନ୍ତି, ସେମାନଙ୍କ ବଂଶଧରମାନେ ହିଁ ଏହାର ଲାଭ ଉଠାଇ ଚାଲିଛନ୍ତି, ଅବଶିଷ୍ଟ ପୂର୍ବ ଭଳି ତିମିର ଗ୍ରସ୍ତ ଅବସ୍ଥାରେ। ବଂଶାନୁକ୍ରମିକ ଭାବେ ଆରକ୍ଷଣର ସୁବିଧା ନେଉଥିବା ଏହି ‘କ୍ରିମି ଲେୟର’କୁ ଅପସାରଣ କରି ଆରକ୍ଷଣର ଦିଗନ୍ତକୁ ଅଧିକଙ୍କ ସକାଶେ ସଂପ୍ରସାରିତ କରିବା ଲାଗି ଉଚ୍ଚ ଅଦାଲତଗୁଡ଼ିକଙ୍କ ବାରମ୍ବାର ତାଗିଦା କାର୍ଯ୍ୟକାରୀ କରାଯାଇପାରୁନାହିଁ, କାରଣ ଏଭଳି ଯେ କୌଣସି ଉଦ୍ୟମକୁ ଏସ.ସି. ଓ ଏସ.ଟି.ଙ୍କ ବିରୋଧୀ ରୂପେ ଚିତ୍ରଣ କରାଯିବାର ସମ୍ଭାବନା ରହୁଛି। କିନ୍ତୁ, ସତ କଥା ହେଲା, ଆରକ୍ଷଣ ମାଧ୍ୟମରେ ଉତ୍ତରଣ ହିଁ ଏଭଳି ଦୁଃସ୍ଥିତିରୁ ନିଷ୍କୃତିର ଏକ ମାତ୍ର ପଥ। ଅବଶ୍ୟ, ଏହି ପଥରେ ଯାତ୍ରା କଲେ ରୋହିତ ଭେମୁଲା ବା ଡାକ୍ତର ପାୟଲ ତାଡ଼ୱିଙ୍କ ଭଳି ଜଘନ୍ୟ ଲାଂଛନାର ଶିକାର ହେବାକୁ ପଡ଼ିପାରେ, କିନ୍ତୁ ଆତ୍ମହତ୍ୟା କରିବା ମଧ୍ୟ କଦାଚିତ୍ ନିଷ୍କୃତିର ପଥ ନୁହେଁ।
Follow Us