ସୁପ୍ରିମ୍ କୋର୍ଟଙ୍କ ରାୟ ଏକ ଧାରଣା ସୃଷ୍ଟି କରିଥାଏ ଯେ ସାଧାରଣ ନାଗରିକଙ୍କର ଯେଉଁ ଆଚରଣ ଆଇନର ଉଲ୍ଲଂଘନ ରୂପେ ବିବେଚିତ ହେବ, ପ୍ରଭାବଶାଳୀ ଗୋଷ୍ଠୀମାନଙ୍କର ସେଭଳି ଆଚରଣ ଆଇନସମ୍ମତ ରୂପେ ବିବେଚିତ ହେବ। ଏହା ନିଶ୍ଚିତ ରୂପେ କୌଣସି ଦେଶ ବା ସମାଜରେ ଆଇନର ଶାସନର ପରିଚାୟକ ନୁହେଁ। ଦେଶର ସର୍ବୋଚ୍ଚ ଅଦାଲତଙ୍କର ମୁଖ୍ୟ ଦାୟିତ୍ବ ହେଉଛି ଦେଶରେ ଆଇନର ଶାସନକୁ ନିଶ୍ଚିତ କରିବା ଓ ସୁରକ୍ଷିତ ରଖିବା। ଅଦାଲତଙ୍କର ଏଭଳି ଅସ୍ଥିର ଆଭିମୁଖ୍ୟ ପ୍ରଦର୍ଶନ ସେଥିରେ ସହାୟକ ହୋଇ ନ ଥାଏ।
ଫାଇନାନ୍ସ ଓ ବ୍ୟାଙ୍କିଙ୍ଗ୍ ପରିସରରେ ସମୟ ସମୟରେ ଅନୁସୃତ ହୋଇଥିବା ଏକ ତତ୍ତ୍ବର ନାମ ହେଉଛି ‘ଟୁ ବିଗ୍ ଟୁ ଫେଲ୍’ (‘ଟିବିଟିଏଫ୍’)। ଏହାର ମର୍ମ ହେଲା, କେତେକ ବିତ୍ତୀୟ ଅନୁଷ୍ଠାନର ଆକାର ଏତେ ବିଶାଳ ଓ ଅର୍ଥନୀତି ସହିତ ସେମାନଙ୍କର ସଂପର୍କ ଏତେ ଗଭୀର ଓ ବ୍ୟାପକ ହୋଇଥାଏ ଯେ, ଯଦି ସେମାନେ କେତେବେଳେ ବିଫଳତାର ସମ୍ମୁଖୀନ ହୋଇ ଭୁଶୁଡ଼ି ପଡ଼ନ୍ତି, ତେବେ ସେମାନଙ୍କ ସହିତ ସମଗ୍ର ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ି ଘୋର ବିପର୍ଯ୍ୟୟ ସୃଷ୍ଟି ହେବ। ଏଇ ନିୟମ ପ୍ରୟୋଗ କରାଯିବାର ଅନେକ ଉଦାହରଣ ମଧ୍ୟରୁ ଅଧିକ ଚର୍ଚ୍ଚିତ ହେଉଥିବା କେତେକ ଉଦାହରଣ ଦେଖିବାକୁ ମିଳିଥିଲା ଆମେରିକାରେ ୨୦୦୮ରେ ଘଟିଥିବା ବିତ୍ତୀୟ ସଂକଟ ସମୟରେ, ଯେତେବେଳେ ନିଜର ଅସାଧୁ ତଥା ଅପରିଣାମଦର୍ଶୀ ନୀତି ଯୋଗୁଁ ବୁଡ଼ିଯିବାକୁ ବସିଥିବା ‘ବେଅର୍ ଷ୍ଟର୍ନସ’ ବା ‘ବ୍ୟାଙ୍କ୍ ଅଫ୍ ଅାମେରିକା’ ପରି ବଡ଼ ବଡ଼ ବ୍ୟାଙ୍କ୍ମାନଙ୍କୁ ସେ ଦେଶର ସରକାର ବିଶାଳ ଆକାରର ବିତ୍ତୀୟ ସହାୟତା ପ୍ରଦାନ କରି ଉଦ୍ଧାର କରିଥିଲେ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭିନ୍ନ ଏକ ପରିପ୍ରେକ୍ଷୀରେ ଗତ ସପ୍ତାହରେ ୧୮ ନଭେମ୍ବର ମଙ୍ଗଳବାର ଦିନ ଭାରତର ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ଏକ ଗୁରୁତ୍ବପୂର୍ଣ୍ଣ ରାୟ ବିତ୍ତୀୟ କ୍ଷେତ୍ରର ସେଇ ‘ଟିବିଟିଏଫ୍’ ନିୟମକୁ ଅନୁସରଣ କରିଥିବା ଭଳି ମନେ ହୋଇଥାଏ। ସୁପ୍ରିମ୍ କୋର୍ଟଙ୍କର ଏଇ ରାୟକୁ ଯାହା ଆହୁରି ଶାଣିତ କରିଥାଏ, ତାହା ହେଲା ଦେଶର ଏହି ସର୍ବୋଚ୍ଚ ଅଦାଲତ ଏଇ ରାୟ ଦେବାବେଳେ ଗତ ମଇ ୧୬ ତାରିଖରେ ପ୍ରଦାନ କରିଥିବା ନିଜର ହିଁ ଏ ସଂପର୍କିତ ରାୟକୁ ପ୍ରତ୍ୟାହାର କରି ଓଲଟାଇ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ତାଙ୍କର ପୂର୍ବର ସେଇ ଆଦେଶରେ ସ୍ପଷ୍ଟ କରିଦେଇଥିଲେ ଯେ ପୂର୍ବରୁ ପରିବେଶ କ୍ଲିଅରାନ୍ସ ନ ନେଇ ଆରମ୍ଭ କରି ଦିଆଯାଇଥିବା କୌଣସି ପ୍ରକଳ୍ପକୁ ପିଛିଲା ତାରିଖରୁ ଏଭଳି କ୍ଲିଅରାନ୍ସ ପ୍ରଦାନ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟ କିନ୍ତୁ ମଙ୍ଗଳବାର ଦିନ ‘ବନଶକ୍ତି’ ମାମଲାର ବିଚାର କରି ରାୟ ଦେବା ଅବସରରେ ସଂପୃକ୍ତ ପ୍ରକଳ୍ପରେ ୨୦,୦୦୦ କୋଟି ଟଙ୍କାର ବିଶାଳ ଆକାରର ପୁଞ୍ଜି ନିବେଶ କରାଯାଇ ସାରିଛି ବୋଲି କାରଣ ଦର୍ଶାଇ ସେଇ ପ୍ରକଳ୍ପକୁ ପିଛିଲା ତାରିଖରୁ ପରିବେଶ କ୍ଲିଅରାନ୍ସ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତେ ବିଶାଳ ନିବେଶକୁ ଧ୍ବଂସ କରି ଦିଆଯାଇ ପାରିବ ନାହିଁ ବୋଲି ଅଦାଲତ ବିଚାର କରିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ଏଭଳି ଚିନ୍ତାଧାରା ବୁଝିବା କଷ୍ଟ ନୁହେଁ; ରାଷ୍ଟ୍ରର ଏତେ ବିଶାଳ ସମ୍ବଳକୁ ଏପରିଧ୍ବଂସ ମୁଖକୁ ଠେଲି ଦେବା ପାଇଁ କେହିହେଲେ ଚାହିଁବ ନାହିଁ। ଏହା କିନ୍ତୁ ଏକ ବିପଜ୍ଜନକ ନଜିର ମଧ୍ୟ ସୃଷ୍ଟି କରିଥାଏ: ବିଶାଳ ସମ୍ବଳର ଅଧିକାରୀମାନେ ସେମାନଙ୍କର ଅର୍ଥନୈତିକ ଶକ୍ତି ଓ ପ୍ରଭାବ ବ୍ୟବହାର କରି ଦେଶର ଆଇନକୁ ବଙ୍କେଇ ଦେଇ ପାରିବେ। ସେମାନେ ନିଶ୍ଚିତ ହୋଇଯିବେ ଯେ ଯଦି ସେମାନେ ବିପୁଳ ପୁଞ୍ଜି ନିବେଶ କରିଥିବେ ଓ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରି ସାରିଥିବେ, ତେବେ ଉପରୋକ୍ତ ‘ଟିବିଟିଏଫ୍’ ନିୟମର ଅନୁସରଣ କରି ଦେଶର ଅଦାଲତମାନେ ସେମାନଙ୍କ ଦ୍ବାରା ଘଟିଥିବା ପରିବେଶ ନିୟମ ଉଲ୍ଲଂଘନକୁ ମାଫ୍ କରିଦେବେ। ସୁପ୍ରିମ୍ କୋର୍ଟଙ୍କର ଏହି ରାୟ କେତେକ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବିଶାଳ ପ୍ରକଳ୍ପକୁ ସୁରକ୍ଷା ପ୍ରଦାନ କରିଛି ସତ, କିନ୍ତୁ ଏଥିସହିତ ଭାରତରେ ପରିବେଶ ସୁରକ୍ଷା ଉଦ୍ୟମ ଓ ଏହାର ପରିଚାଳନାକୁ ଦୁର୍ବଳ କରିଦେଇଛି।
ଉଲ୍ଲେଖଯୋଗ୍ୟ, ଆମ ଦେଶରେ ‘ଏନ୍ଭିରନ୍ମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ’ (‘ଇଆଇଏ’) ହେଉଛି ପରିବେଶ ପରିଚାଳନା ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହା ଦ୍ବାରା କୌଣସି ଏକ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ପରିବେଶ ଉପରେ ଏହାର ସମ୍ଭାବ୍ୟ ପ୍ରଭାବର ଆକଳନ କରାଯାଇ ପାରିଥାଏ। କହିବା ବାହୁଲ୍ୟ, ପ୍ରକଳ୍ପ ଆରମ୍ଭ ହେବା ପରେ ‘ଇଆଇଏ’ କରିବା ନିରର୍ଥକ ହୋଇଥାଏ। ଥରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଗଲେ, ଜଙ୍ଗଲ, ଆର୍ଦ୍ରଭୂମି, ଭୂ-ତଳ ଜଳ କିମ୍ବା ସଂପୃକ୍ତ ଜନବସତି ଆଦି ଉପରେ ପଡୁଥିବା କୁ-ପ୍ରଭାବକୁ ଆଉ ଓଲଟାଇ ଦେବା ସମ୍ଭବ ହୋଇ ନ ଥାଏ। ତେଣୁ ପିଛିଲା ତାରିଖରୁ ବଳବତ୍ତର ହେଉଥିବା ଏଭଳି ରାୟ ପୂର୍ବ-ସାବଧାନତା ନୀତିକୁ ନିଷ୍ଫଳ କରି ଦେଇଥାଏ।
ଅବଶ୍ୟ ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ଏହି ରାୟ ଏକ ସର୍ବସମ୍ମତ ରାୟ ନୁହେଁ। ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ସଂପୃକ୍ତ ବେଞ୍ଚର ଜଣେ - ମାନ୍ୟବର ବିଚାରପତି ଉଜ୍ଜଳ ଭୂୟଁା - ଏଇ ରାୟ ସହିତ ସହମତ ନ ହୋଇ ନିଜର ଭିନ୍ନ ମତ ପ୍ରକାଶ କରିଛନ୍ତି। ସେ ସାବଧାନ କରି ଦେଇଛନ୍ତି ଯେ ଏଭଳି ପିଛିଲା କ୍ଲିଅରାନ୍ସ ପ୍ରଦୂଷଣକାରୀମାନଙ୍କୁ ପ୍ରଥମେ ପ୍ରଦୂଷଣ କରି ପରେ କ୍ଷମାପ୍ରାର୍ଥନା କରି ଖସି ଯିବାରେ ସହାୟକ ହେବ। ଏହା ଜୀବନ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସାଂବିଧାନିକ କର୍ତ୍ତବ୍ୟର ଉଲ୍ଲଂଘନ କରିଥାଏ ବୋଲି ଜଷ୍ଟିସ୍ ଭୂୟଁା କହିଛନ୍ତି।
ସର୍ବୋଚ୍ଚ ଅଦାଲତ ଏଭଳି ନିଜର ପୂର୍ବ ରାୟକୁ ଓଲଟାଇ ଦେବାର ଏହା ମଧ୍ୟ ହେଉଛି ଦ୍ବିତୀୟ ଉଦାହରଣ। ଏଥିପୂର୍ବରୁ ‘ଜେଏସ୍ଡବ୍ଲ୍ୟୁ ଭୂଷଣ ପାୱାର’ ମାମଲାରେ ଅଦାଲତ ପ୍ରଥମେ ଏହି କଂପାନିର ସମାଧାନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ଏହାର ପରିସମାପନ (‘ଲିକ୍ବିଡେସନ୍’) ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଯେତେବେଳେ ‘ଜେଏସ୍ଡବ୍ଲ୍ୟୁ’ କଂପାନି ଯୁକ୍ତି ବାଢ଼ିଲା ଯେ କାରଖାନା ପୁଣି କାର୍ଯ୍ୟ ଆରମ୍ଭ କରିଦେଇଛି ଏବଂ ଏଥିସହିତ ୨୫,୦୦୦ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇଛି, ଏବଂ କଂପାନି ବନ୍ଦ ହୋଇଗଲେ ସେମାନେ ଦାନାପାଣି ହରାଇବା ସହିତ ବିପୁଳ ନିବେଶ ନଷ୍ଟ ହେବ, ସୁପ୍ରିମ୍ କୋର୍ଟ ସେତେବେଳେ ଉପରୋକ୍ତ ‘ଟିବିଟିଏଫ୍’ ନିୟମ ଅନୁସରଣ କରିବା ଭଳି ନିଜର ପୂର୍ବ ରାୟକୁ ପ୍ରତ୍ୟାହାର କରିଥିଲେ।
ସର୍ବୋଚ୍ଚ ଅଦାଲତଙ୍କର ଏତାଦୃଶ ନୀତି ଦେଶରେ ଦୁଇ ପ୍ରକାର ନିୟମ ପ୍ରତିଷ୍ଠା କରିବା ଭଳି ମନେ ହୋଇଥାଏ: ଦୁର୍ବଳ ପକ୍ଷଙ୍କ ପାଇଁ କେଠାର ନିୟମ; ବିତ୍ତଶାଳୀ ଶକ୍ତିଶାଳୀ ପକ୍ଷଙ୍କ ପାଇଁ ନମନୀୟ ନିୟମ। ନିବେଶ କିମ୍ବା ନିଯୁକ୍ତି ସୃଷ୍ଟି ଏଠାରେ ପ୍ରସଙ୍ଗ ନୁହେଁ; ତାହା ନିଶ୍ଚିତ ରୂପେ ଅର୍ଥନୀତି ଓ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଏଥିରେ କୌଣସି ସନ୍ଦେହ ନାହିଁ। ଏଠାରେ ଯାହା ହେଉଛି ଅସଲ ପ୍ରସଙ୍ଗ, ତାହା ହେଲା ଦେଶରେ ଆଇନସମ୍ମତ ଆଚରଣ ରେଖାର ଉଲ୍ଲଂଘନ ସମସ୍ତଙ୍କ ପାଇଁ ସମାନ କି ନୁହେଁ। ସୁପ୍ରିମ୍ କୋର୍ଟଙ୍କ ରାୟ ଏକ ଧାରଣା ସୃଷ୍ଟି କରିଥାଏ ଯେ ସାଧାରଣ ନାଗରିକଙ୍କର ଯେଉଁ ଆଚରଣ ଆଇନର ଉଲ୍ଲଂଘନ ରୂପେ ବିବେଚିତ ହେବ, ପ୍ରଭାବଶାଳୀ ଗୋଷ୍ଠୀମାନଙ୍କର ସେଭଳି ଆଚରଣ ଆଇନସମ୍ମତ ରୂପେ ବିବେଚିତ ହେବ। ଏହା ନିଶ୍ଚିତ ରୂପେ କୌଣସି ଦେଶ ବା ସମାଜରେ ଆଇନର ଶାସନର ପରିଚାୟକ ନୁହେଁ। ଦେଶର ସର୍ବୋଚ୍ଚ ଅଦାଲତଙ୍କର ମୁଖ୍ୟ ଦାୟିତ୍ବ ହେଉଛି ଦେଶରେ ଆଇନର ଶାସନକୁ ନିଶ୍ଚିତ କରିବା ଓ ସୁରକ୍ଷିତ ରଖିବା। ଅଦାଲତଙ୍କର ଏଭଳି ଅସ୍ଥିର ଆଭିମୁଖ୍ୟ ପ୍ରଦର୍ଶନ ସେଥିରେ ସହାୟକ ହୋଇ ନ ଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)