ଜଣେ ଡାକ୍ତର ଯେତେବେଳେ ସହଜରେ ପଢ଼ି ହେଉଥିବା ଅକ୍ଷରରେ ଏକ ପ୍ରେସ୍କ୍ରିପ୍ସନ୍ ଲେଖନ୍ତି, ତାହା ନିଶ୍ଚିତ ରୂପେ ତାଙ୍କର ପ୍ରଶଂସନୀୟ ନୈତିକ ବିନମ୍ରତାର ସ୍ବାକ୍ଷର ବହନ କରିଥାଏ। ଚିକିତ୍ସା ଯେ ଏକ ଏକତରଫା କାର୍ଯ୍ୟ ନୁହେଁ, ଏହା ହେଉଛି ଏକ ଦ୍ବିପାକ୍ଷିକ ଉଦ୍ୟମ, ଏଭଳି ପ୍ରେସ୍କ୍ରିପ୍ସନ୍ ହେଉଛି ତାହାର ଲିଖିତ ସ୍ବୀକାରୋକ୍ତି।
ନେସନାଲ୍ ମେଡିକାଲ କମିସନ (‘ଏନ୍ଏମ୍ସି’) ଡିସେମ୍ବର ୧୫ରେ ତା’ ଅଧୀନରେ ଥିବା ସମସ୍ତ ମେଡିକାଲ କଲେଜମାନଙ୍କର ନିର୍ଦ୍ଦେଶକ ଓ ଡିନ୍ମାନଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ସ୍ବାସ୍ଥ୍ୟ ସଚିବମାନଙ୍କ ପାଖକୁ ପ୍ରେରଣ କରିଥିବା ଏକ ନିର୍ଦ୍ଦେଶନାମା ଆମ ଦେଶରେ ଉପଲବ୍ଧ ସ୍ବାସ୍ଥ୍ୟ ସେବାର ଏପରି ଏକ ଦିଗର ଗୁଣବତ୍ତାରେ ଉନ୍ନତି ସାଧନ କରିବା ପାଇଁ ଉଦ୍ଦିଷ୍ଟ ଯାହାର ନିର୍ବିବାଦ ଗୁରୁତ୍ବ ସତ୍ତ୍ବେ ତାହା ପ୍ରତି ଚିରାଚରିତ ଭାବରେ ହେୟଜ୍ଞାନ ପ୍ରଦର୍ଶନ କରା ହୋଇ ଚାଲିଥିବା ଦେଖାଯାଇଥାଏ। ଏହା ହେଉଛି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଡାକ୍ତରଙ୍କ ପରାମର୍ଶପତ୍ର ବା ପ୍ରେସ୍କ୍ରିପ୍ସନ୍ର ପଠନଯୋଗ୍ୟତା, ବା ଅନ୍ୟ ପ୍ରକାରେ କହିଲେ- ଡାକ୍ତରଙ୍କ ହସ୍ତାକ୍ଷରର ପଠନଯୋଗ୍ୟତା। ‘ଏନ୍ଏମ୍ସି’ର ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ପ୍ରେସ୍କ୍ରିପ୍ସନ୍ ଲିଖନ ଶୈଳୀ ଉପରେ ନଜର ରଖିବା ନିମିତ୍ତ ଏବଂ ମେଡିକାଲ ଶିକ୍ଷା ପାଠ୍ୟକ୍ରମରେ ସ୍ପଷ୍ଟ, ପଠନଯୋଗ୍ୟ ପ୍ରେସ୍କ୍ରିପ୍ସନ୍ ଲିଖନର ଗୁରୁତ୍ବର ଅନ୍ତର୍ଭୁକ୍ତୀକରଣ ନିଶ୍ଚିତ କରିବା ନିମିତ୍ତ ସମସ୍ତ ମେଡିକାଲ କଲେଜରେ ସବ୍କମିଟିମାନ ସ୍ଥାପନ କରାଯିବ।
Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା
‘ଏନ୍ଏମ୍ସି’ ପ୍ରାୟ ତିନି ମାସ ତଳେ ପଞ୍ଜାବ ଓ ହରିଆନା ହାଇକୋର୍ଟ ପ୍ରଦାନ କରିଥିବା ଏ ସଂପର୍କିତ ଏକ ନିର୍ଦ୍ଦେଶ ପାଳନ କରି ବର୍ତ୍ତମାନ ଏହି ପଦକ୍ଷେପ ନେଇଛି। ମାନ୍ୟବର ହାଇକୋର୍ଟ ସେଥିରେ ମତପ୍ରକାଶ କରିଥିଲେ ଯେ ପଠନଯୋଗ୍ୟ ମେଡିକାଲ ପ୍ରେସ୍କ୍ରିପ୍ସନ୍ ଓ ଅନ୍ୟାନ୍ୟ ନଥି ହେଉଛି ସଂବିଧାନର ଧାରା-୨୧ ଅନ୍ତର୍ଗତ ସ୍ବାସ୍ଥ୍ୟ ପାଇଁ ଅଧିକାର (ରାଇଟ୍ ଟୁ ହେଲ୍ଥ)ର ଏକ ମୌଳିକ ଅଂଶ। ମାନ୍ୟବର ଅଦାଲତ ମଧ୍ୟ ଏ ପ୍ରସଙ୍ଗରେ ‘କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ୍ସ ଆକ୍ଟ, ୨୦୧୦’ରୁ ‘ଇଣ୍ଡିଆନ୍ ମେଡିକାଲ କାଉନ୍ସିଲ୍ (ପ୍ରଫେସନାଲ୍ କଣ୍ଡକ୍ଟ, ଏଟିକେଟ୍ସ ଆଣ୍ଡ୍ ଏଥିକ୍ସ) ରେଗୁଲେସନ୍ସ, ୨୦୦୨’, ‘ନେସନାଲ୍ ମେଡିକାଲ କମିସନ ଆକ୍ଟ, ୨୦୧୯’ ପର୍ଯ୍ୟନ୍ତରେ ତଥା ୨୦୧୬ରେ ତତ୍କାଳୀନ ‘ମେଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆ’ (‘ଏମ୍ସିଆଇ’) ଦ୍ବାରା ପ୍ରଦତ୍ତ ବିଜ୍ଞପ୍ତିରେ ସ୍ପଷ୍ଟ ଅକ୍ଷରରେ ପ୍ରେସ୍କ୍ରିପ୍ସନ୍ ଲିଖନ ପ୍ରତି ଆରୋପ କରାଯାଇଥିବା ଗୁରୁତ୍ବ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଏ ସମ୍ବନ୍ଧରେ ସଚେତନତା ସୃଷ୍ଟି ହୋଇ ପରିସ୍ଥିତିରେ ଉନ୍ନତି ନିମିତ୍ତ ଉଦ୍ୟମ କରା ହୋଇ ଆସିଥିଲେ ହେଁ ତାହା ଯଥା ପୂର୍ବମ୍ ରହିଥିବାରୁ ବର୍ତ୍ତମାନ ଉପରୋକ୍ତ ହାଇକୋର୍ଟ ଏହି ସଦ୍ୟତମ ପଦକ୍ଷେପ ନେବାକୁ ଆବଶ୍ୟକ ମନେ କରିଛନ୍ତି।
ପ୍ରେସ୍କ୍ରିପ୍ସନ୍ର ହସ୍ତାକ୍ଷର ପ୍ରତି ପ୍ରଦର୍ଶିତ ହେୟଜ୍ଞାନ ପଛରେ ନିହିତ ଥିବା ମନସ୍ତତ୍ତ୍ବ ବୁଝିବା ଅବଶ୍ୟ କଷ୍ଟ ନୁହେଁ: ରୋଗୀର ଚିକିତ୍ସା ପରି ଏକ ଅତ୍ୟନ୍ତ ଜଟିଳ ଜ୍ଞାନଭିତ୍ତିକ ପ୍ରକ୍ରିୟାରେ ଡାକ୍ତରଙ୍କର ହସ୍ତାକ୍ଷର ହେଉଛି ସବୁଠାରୁ ମାମୁଲି ଉପାଦାନ। କିନ୍ତୁ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ଯଦି ଔଷଧ ବା ସେବନ ବିଧି ଭୁଲ୍ ହୋଇଯାଏ, ରୋଗୀ ପାଇଁ ତାହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ- ଏହା କେହି ଅସ୍ବୀକାର କରିପାରିବେ ନାହିଁ। ଅନେକ ସମୟରେ କାର୍ଯ୍ୟଜନିତ ଚାପକୁ ଡାକ୍ତରଙ୍କ ଖରାପ ହସ୍ତାକ୍ଷରର କାରଣ ରୂପେ ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ଯେଉଁମାନେ ଏଭଳି ଯୁକ୍ତି କରନ୍ତି, ସେମାନେ ଭୁଲି ଯାଇଥାନ୍ତି ଯେ ପଠନଯୋଗ୍ୟ ହସ୍ତାକ୍ଷର ହେଉଛି ଜଣେ ଡାକ୍ତରଙ୍କର ବୃତ୍ତିଗତ ନୈତିକ ଦାୟିତ୍ବର ଏକ ଅଂଶ। ଚିକିତ୍ସା ବୃତ୍ତିର ପ୍ରାଚୀନତମ ପରମ୍ପରା ଅନୁସାରେ ବିଶ୍ବାସ ସହିତ ଏହାର ସଂପର୍କ ହେଉଛି ଅବିଚ୍ଛେଦ୍ୟ। ସୁପରିଚିତ ‘ହିପୋକ୍ରାଟିକ୍ ଶପଥ’ ଅନୁସାରେ ଜଣେ ଚିକିତ୍ସକ କେବଳ ରୋଗୀକୁ ଆରୋଗ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ନଥାନ୍ତି, ତା’ର ‘‘କୌଣସି କ୍ଷତି ନ ଘଟାଇବାକୁ’’ ମଧ୍ୟ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ଏକ ଅପାଠ୍ୟ ପ୍ରେସ୍କ୍ରିପ୍ସନ୍ ଏହି ଶପଥର ଉଲ୍ଲଂଘନ କରିଥାଏ, କାରଣ ଏହାର ତର୍ଜମା କରି ସଠିକ୍ ଔଷଧ ଓ ଅନ୍ୟାନ୍ୟ ପରାମର୍ଶ ସମ୍ବନ୍ଧରେ ଧାରଣା କରିବା ପାଇଁ ରୋଗୀ ଠାରୁ ପରିବାର ସଦସ୍ୟ ଓ ଔଷଧ ଦୋକାନୀଙ୍କ ପର୍ଯ୍ୟନ୍ତଙ୍କୁ ଅନ୍ଧାରରେ ବାଡ଼ି ବୁଲାଇବାକୁ ପଡ଼ିଥାଏ। କହିବା ଅନାବଶ୍ୟକ ଯେ ପ୍ରେସ୍କ୍ରିପ୍ସନ୍ର ଭୁଲ୍ ତର୍ଜମା ରୋଗୀ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେଣୁ ଡାକ୍ତରଙ୍କ ହସ୍ତାକ୍ଷରର ଗୁରୁତ୍ବ କେବଳ ତାହାର ସୌନ୍ଦର୍ଯ୍ୟରେ ସୀମିତ ନୁହେଁ; ଏଥିରେ ରୋଗୀର ଅନିଷ୍ଟ ସାଧନ ନିବାରଣ ଭଳି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଚିକିତ୍ସାଶାସ୍ତ୍ରୀୟ ନୈତିକତା ଓତପ୍ରୋତ ଭାବରେ ଜଡ଼ିତ ହୋଇଥାଏ।
ଭାରତୀୟ ଚିକିତ୍ସା ଦର୍ଶନରେ ମଧ୍ୟ ଏଭଳି ଆଭିମୁଖ୍ୟ ବିଶେଷ ପ୍ରାଧାନ୍ୟ ଲାଭ କରିଥିବା ଦେଖାଯାଏ। ଆୟୁର୍ବେଦ ଅନୁସାରେ ଜଣେ ବୈଦ୍ୟଙ୍କ ଠାରେ ଯେଉଁ ଚତୁର୍ଗୁଣର ସମାହାର ଘଟିଥାଏ, ସେଗୁଡ଼ିକ ହେଲେ: ଜ୍ଞାନ, ବିଜ୍ଞାନ (ଦକ୍ଷତା), କରୁଣା ଓ ସାଧୁତା। ରୋଗୀର ରୋଗ ଚିହ୍ନଟ ସହିତ ବୈଦ୍ୟଙ୍କର ଦାୟିତ୍ବରେ ଅନ୍ତ ଘଟି ନ ଥାଏ; ରୋଗୀ ଚିକିତ୍ସା ବିଧିକୁ ସଠିକ୍ ରୂପେ ବୁଝି ତାହାର ଉଚିତ ପାଳନ କରିବା ନିଶ୍ଚିତ କରିବା ମଧ୍ୟ ବୈଦ୍ୟଙ୍କର ନୈତିକ ଦାୟିତ୍ବର ଅଂଶ ହୋଇଥାଏ। କହିବା ବାହୁଲ୍ୟ, ଜଣେ ଡାକ୍ତର ଯେତେବେଳେ ବିଲେଇ ରାମ୍ପିବା ଭଳି ଅକ୍ଷରରେ ଏକ ପ୍ରେସ୍କ୍ରିପ୍ସନ୍ ଲେଖନ୍ତି, ସେ ସିଧାସଳଖ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଏଇ ନୈତିକ ଦାୟିତ୍ବର ଉଲ୍ଲଂଘନ କରିଥାନ୍ତି।
ଆଧୁନିକ ଚିକିତ୍ସାଶାସ୍ତ୍ରୀୟ ନୈତିକତାରେ ରୋଗୀଙ୍କର ସ୍ବାୟତ୍ତତାକୁ ଏକ ବିଶେଷ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ। ଏଥିରେ ସନ୍ଦେହ ନାହିଁ ଯେ ଜଣେ ରୋଗୀ ଯେତେବେଳେ ପ୍ରେସ୍କ୍ରିପ୍ସନ୍ଟିକୁ ପଢ଼ିବା ପାଇଁ ଅକ୍ଷମ ହୋଇଥାନ୍ତି, ତାଙ୍କର ଏଇ ସ୍ବାୟତ୍ତତା ସଂପୂର୍ଣ୍ଣ ରୂପେ ଉଭାନ ହୋଇଯାଇଥାଏ; ତାଙ୍କ ଅବସ୍ଥା ହୋଇଥାଏ ଏକ ନିରକ୍ଷର ଶିଶୁର ଅବସ୍ଥା ଭଳି, ମଧ୍ୟସ୍ଥିମାନଙ୍କ ନିଷ୍ପତ୍ତି ଉପରେ ଯାହାର ନିଜର ଚିକିତ୍ସା ନିର୍ଭରଶୀଳ ହୋଇଥାଏ।
ପୃଥିବୀର ପ୍ରତ୍ୟେକ ସଂସ୍କୃତିରେ ଚିକିତ୍ସାଶାସ୍ତ୍ରୀୟ ଦର୍ଶନରେ ଆରୋଗ୍ୟ କରିବାକୁ ଯେତିକି ଗୁରୁତ୍ବ ପ୍ରଦାନ କରାଯାଇଥାଏ, ରୋଗୀର ଯତ୍ନ ନେବାକୁ ମଧ୍ୟ ସେତିକି ଗୁରୁତ୍ବ ପ୍ରଦାନ କରାଯାଇଥାଏ। ବିଂଶ ଶତାବ୍ଦୀର ଖ୍ୟାତନାମା ଜର୍ମାନ୍ ଦାର୍ଶନିକ ହାନ୍ସ-ଜର୍ଜ ଗାଡାମର୍ କହିଥିବା ଭଳି କେବଳ ରୋଗର ଅନୁପସ୍ଥିତି ସୁସ୍ଥ ଅବସ୍ଥାର ପରିଚାୟକ ନୁହେଁ, ଏକ ନିଶ୍ଚିନ୍ତ ମାନସିକ ଅବସ୍ଥା ମଧ୍ୟ ହେଉଛି ଏହାର ଏକ ଅବିେଚ୍ଛଦ୍ୟ ଅଂଶ। ରୋଗୀ ଯେତେବେଳେ ଏକ ପଢ଼ି ହେଉ ନ ଥିବା ପ୍ରେସ୍କ୍ରିପ୍ସନ୍ଜନିତ ଅନିଶ୍ଚିତତା ସହିତ କସରତ କରେ ସେତେବେଳେ ସେଥିରୁ ସୃଷ୍ଟ ଦୁଶ୍ଚିନ୍ତା ତା’ର ଅସୁସ୍ଥତାର ଏକ ଅଂଶ ପାଲଟି ଯାଇଥାଏ। ତେଣୁ ଏକ ସହଜରେ ପଢ଼ି ହେଉଥିବା ପ୍ରେସ୍କ୍ରିପ୍ସନ୍ ଖୋଦ୍ ରୋଗୀର ଚିକିତ୍ସାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ରୂପେ ବିବେଚିତ ହୋଇଥାଏ।
ଜଣେ ଡାକ୍ତର ଯେତେବେଳେ ସହଜରେ ପଢ଼ି ହେଉଥିବା ଅକ୍ଷରରେ ଏକ ପ୍ରେସ୍କ୍ରିପ୍ସନ୍ ଲେଖନ୍ତି, ତାହା ନିଶ୍ଚିତ ରୂପେ ତାଙ୍କର ପ୍ରଶଂସନୀୟ ନୈତିକ ବିନମ୍ରତାର ସ୍ବାକ୍ଷର ବହନ କରିଥାଏ। ଚିକିତ୍ସା ଯେ ଏକ ଏକତରଫା କାର୍ଯ୍ୟ ନୁହେଁ, ଏହା ହେଉଛି ଏକ ଦ୍ବିପାକ୍ଷିକ ଉଦ୍ୟମ, ଏଭଳି ପ୍ରେସ୍କ୍ରିପ୍ସନ୍ ହେଉଛି ତାହାର ଲିଖିତ ସ୍ବୀକାରୋକ୍ତି। େଯଉଁ ବୃତ୍ତିରେ ରୋଗୀର ଦୃଷ୍ଟିରେ ଜଣେ ଡାକ୍ତର ଜଣେ ଦେବତାର ଆସନ ଦଖଲ କରିଥାନ୍ତି, ସେଥିରେ ଏକ ବୋଧଗମ୍ୟ ପ୍ରେସ୍କ୍ରିପ୍ସନ୍ଟିଏ ଲେଖିବା ସେ ଦେବତାଙ୍କ ପାଇଁ ଏକ ଛୋଟିଆ କାର୍ଯ୍ୟ ହୋଇପାରେ, କିନ୍ତୁ ରୋଗୀ ପାଇଁ ତାହା ଏକ ବରଦାନ ସଦୃଶ ହୋଇଥାଏ। ଆଜିକାଲି ଦେଖାଯାଉଥିବା ରୋଗୀମାନଙ୍କ ଭିଡ଼ ଓ ଡାକ୍ତରଙ୍କ କାର୍ଯ୍ୟବୋଝକୁ ପଢ଼ି ହେଉ ନ ଥିବା ପ୍ରେସ୍କ୍ରିପ୍ସନ୍ ଲେଖା ହେବାର ଏକ କାରଣ ରୂପେ ପ୍ରଦର୍ଶିତ କରାଯାଇପାରେ, କିନ୍ତୁ ପାରମ୍ପରିକ ଭାବରେ ସମାଜ ଚିକିତ୍ସକମାନଙ୍କୁ ପ୍ରଦାନ କରି ଆସିଥିବା ନୈତିକ ପ୍ରଭୁତ୍ବକୁ ଅକ୍ଷୁଣ୍ଣ ରଖିବା ପାଇଁ ସଯତ୍ନରେ ପ୍ରେସ୍କ୍ରିପ୍ସନ୍ଟିଏ ଲେଖିବା ଜଣେ ଡାକ୍ତରଙ୍କ ପକ୍ଷରେ ଆଦୌ ଏକ ଅସାଧ୍ୟ ବ୍ୟାପାର ନୁହେଁ: ଏହା କେବଳ ଏକ ଉପଯୁକ୍ତ ମନୋଭାବର କଥା।
Follow Us