ଭାରତୀୟ ସମାଜରେ ପାରମ୍ପରିକ ଭାବରେ ମାନସିକ ସ୍ବାସ୍ଥ୍ୟ ପ୍ରତି ପ୍ରଦର୍ଶନ କରାଯାଇଥିବା ଅବହେଳାର ଏହା ହେଉଛି ଏକ ପ୍ରତିଫଳନ, କାରଣ ଛାତ୍ରଛାତ୍ରୀମା‌େନ ହେଉଛନ୍ତି ସେଇ ସମାଜର ଏକ ଅଂଶ ଏବଂ ସେମାନେ ସେଇ ବିଦ୍ବେଷମୂଳକ ମୂଲ୍ୟବୋଧ ଦ୍ବାରା ପରିଚାଳିତ ହୋଇଥାନ୍ତି। ସେଇ କାରଣରୁ ‘ଏନ୍‌ଟିଏଫ୍’ ଆବିଷ୍କାର କରିଛି ଯେ ଯେଉଁ ଅନୁଷ୍ଠାନରେ କାଉନ୍‌ସେଲିଙ୍ଗ୍ ସୁବିଧା ଉପଲବ୍‌ଧ ଅଛି, ସେଠାରେ ମଧ୍ୟ ଏହାର ଉପଯୋଗ ଅନୁପାତ ବେଶ୍ ନୀଚା ହୋଇଥାଏ। ଏଥିରେ ସୁଧାର ଆଣିବା ନିମିତ୍ତ ଏକ ଶକ୍ତିଶାଳୀ ସଚେତନତା ପ୍ରସାର ଅଭିଯାନର ଜରୁରି ଆବଶ୍ୟକତା ରହିଛି।

Advertisment

Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍‌ଆଇଭି ପଜିଟିଭ୍‌

ଯଦି କେଉଁ ଗୋଟିଏ ସୂଚକ ଏକ ସମାଜର ସଂରଚନାରେ ରହିଥିବା ଅନ୍ତର୍ନିହିତ ତ୍ରୁଟି ସମ୍ବନ୍ଧରେ ବଳିଷ୍ଠତମ ପ୍ରମାଣ ବହନ କରିଥାଏ, ତାହା ହେଉଛି ସେଇ ସମାଜର ଯୁବପିଢ଼ି ମଧ୍ୟରେ ଘଟୁଥିବା ଆତ୍ମହତ୍ୟାର ଧାରା। ଆଉ ଏଇ ଯୁବପିଢ଼ିର ଯେଉଁ ଅଂଶ ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ଏହାର ଅନ୍ତଃସ୍ଥଳରେ ଥିବା ଛାତ୍ର ସମାଜ। ଦୁର୍ଭାଗ୍ୟକ୍ରମେ ଆମ ପାଇଁ ଯାହା ହେଉଛି ଘୋର ଚିନ୍ତାଜନକ, ତାହା ହେଲା ଭାରତୀୟ ସମାଜର ଏହି ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀ ମଧ୍ୟରେ ପରିଲକ୍ଷିତ ହୋଇ ଚାଲିଥିବା ବର୍ଦ୍ଧିଷ୍ଣୁ ସଂଖ୍ୟାରେ ଆତ୍ମହତ୍ୟା ଘଟଣାମାନ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏହା ବର୍ତ୍ତମାନ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟଙ୍କର ଦୃଷ୍ଟି ଆକର୍ଷଣ କରିଛି ଓ ସେଇ ମାନ୍ୟବର ଅଦାଲତ ଏଇ ସମସ୍ୟାର ସମାଧାନ ନିମିତ୍ତ ଏଥର ଏଥିପାଇଁ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ ଭଳି ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଉଚିତ ମନେ କରିଛନ୍ତି।
ସଂକ୍ଷେପରେ କହିଲେ, ଏଇ ସମସ୍ତ ଛାତ୍ରଛାତ୍ରୀ ଯେଉଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ଅଧ୍ୟୟନ କରିଥାନ୍ତି, ସେଇ ଅନୁଷ୍ଠାନମାନ ଯଦି ତା’ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ଘଟଣା ଘଟିବାକୁ ପ୍ରତିହତ କରିବା ନିମିତ୍ତ ଆବଶ୍ୟକ ଫଳପ୍ରଦ ପ୍ରତିଷେଧକ ପଦକ୍ଷେପ ନେବାରେ ଅବହେଳା ପ୍ରଦର୍ଶନ କରିଥାଏ, ତେବେ ସେଥିପାଇଁ ସେଭଳି ଅନୁଷ୍ଠାନକୁ ଉତ୍ତରଦାୟୀ କରାଯିବ। ଏଇ ମର୍ମନ୍ତୁଦ ସମସ୍ୟାର ଅନୁଶୀଳନ ପାଇଁ ଗଠିତ ‘ନେସନାଲ୍ ଟାସ୍କ ଫୋର୍ସ’ (‘ଏନ୍‌ଟିଏଫ୍’) ଏହାକୁ ପ୍ରତିହତ କରାଯିବା ପାଇଁ ଯେଉଁ ସମସ୍ତ ଉଦ୍ୟମ କରାଯିବା ପାଇଁ ସୁପାରିସ କରିଥିଲା, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କର ନିର୍ଦ୍ଦେଶ ତାହା ଉପରେ ହିଁ ଆଧାରିତ ହୋଇଛି। ଏଇ ସୁପାରିସ ହେଉଛି ‘ଏନ୍‌ଟିଏଫ୍’ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ଅଂଶ।
ଏ ସଂପର୍କିତ ପରିସଂଖ୍ୟାନ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ, ଏଇ ସମସ୍ୟାର ଭୀଷଣତା ହୃଦୟଙ୍ଗମ କରିବା ସହଜ ହୋଇଥାଏ। ୨୦୧୩ରେ ଭାରତରେ ଘଟିଥିବା ମୋଟ ଛାତ୍ର ଆତ୍ମହତ୍ୟା ଘଟଣା ସଂଖ୍ୟା ଥିଲା ୮,୪୨୩ଟି। ‘ନେସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ’ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଏହାର ଦଶ ବର୍ଷ ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ତାହା ହୋଇଥିଲା ୧୩,୮୯୨ଟି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଇ ଦଶ ବର୍ଷ ଅନ୍ତରରେ ଦେଶର ଜନସଂଖ୍ୟାରେ ଘଟିଥିବା ବୃଦ୍ଧିର ହାର ଠାରୁ ଛାତ୍ର ଆତ୍ମହତ୍ୟା ସଂଖ୍ୟାରେ ଘଟିଥିବା ବୃଦ୍ଧିର ହାର ଥିଲା ଅଧିକ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ‘ନେସନାଲ୍ ସୁଇସାଇଡ୍ ପ୍ରିଭେନ୍‌ସନ୍ ଷ୍ଟ୍ରାଟେଜି, ୨୦୨୨’ ଅନୁସ‌ାରେ ଦେଶରେ ଆତ୍ମହତ୍ୟା ନିବାରଣ ଉଦ୍ୟମରେ ଯୁବ ଓ ଛାତ୍ରଗୋଷ୍ଠୀମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯାଇଛି। କିନ୍ତୁ, ଅଦାଲତ ଉଲ୍ଲେଖ କରିଥିବା ଭଳି ଶିକ୍ଷାନୁଷ୍ଠାନମାନଙ୍କ ଦ୍ବାରା ଏଥିପାଇଁ କରାଯାଉଥିବା ଉଦ୍ୟମର କୌଣସି ବିଶ୍ବାସଯୋଗ୍ୟ ଆକଳନ କରାଯାଉ ନାହିଁ।
ଅଦାଲତ କହିଥିବା ଭଳି ଶିକ୍ଷାଗତ ପ୍ରତ୍ୟାଶା, ଆର୍ଥିକ ଅଭାବ, ଗୋଷ୍ଠୀଗତ ଏକଘରକିଆକରଣ, ଯୌନ ଉତ୍ପୀଡ଼ନ ଓ ରୢାଗିଙ୍ଗ୍ ଆଦି ଯେଉଁସବୁ କାରଣ ଯୋଗୁଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଦିଗରେ ଆଗେଇ ଯାଇଥାନ୍ତି, ସେଗୁଡ଼ିକର ନିୟନ୍ତ୍ରଣ ତଥା ଦୂରୀକରଣ ନିମିତ୍ତ ଯଥେଷ୍ଟ ପଦେକ୍ଷପ ଗ୍ରହଣ କରାଯାଇ ନାହିଁ। ଏଭଳି ମାନସିକ ଚାପରୁ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ କରିବାର ଏକ ସର୍ବସ୍ବୀକୃତ ଉପାୟ ହେଉଛି ବିଶେଷଜ୍ଞ ମନସ୍ତତ୍ତ୍ବବିତ୍‌ମାନଙ୍କ ଦ୍ବାରା ଉପଦେଶ ପ୍ରଦାନ ବା ‘କାଉନ୍‌ସେଲିଙ୍ଗ୍’। କିନ୍ତୁ ‘ଏନ୍‌ଟିଏଫ୍’ର ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ୬୫ ଶତାଂଶ ଉଚ୍ଚଶିକ୍ଷା ଅନୁଷ୍ଠାନରେ କୌଣସି କାଉନ୍‌ସେଲିଙ୍ଗ୍ ସୁବିଧା ଉପଲବ୍‌ଧ ନ ଥିବାବେଳେ ୭୩ ଶତାଂଶ ଅନୁଷ୍ଠାନରେ ପୂର୍ଣ୍ଣକାଳୀନ ସେବା ଉପଲବ୍‌ଧ ନ ଥାଏ। ସୁପ୍ରିମ୍ କୋର୍ଟ ବର୍ତ୍ତମାନ ଏଇ ସମସ୍ୟାକୁ ଗୁରୁତ୍ବର ସହିତ ବିଚାର କରିବା ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କୁ ଚେତାବନୀ ଦେଇଛନ୍ତି।

Cricket: ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କଲା ଭାରତ

ଛାତ୍ରଛାତ୍ରୀମାନଙ୍କୁ ଯଥେଷ୍ଟ ସଂଖ୍ୟାରେ ବୃତ୍ତି ପ୍ରଦାନ କରାଯିବା ଦ୍ବାରା ଆର୍ଥିକ ଅନଟନ ଭଳି ଏକ ପ୍ରମୁଖ ଆତ୍ମହତ୍ୟା ସୃଷ୍ଟିକାରୀ ସମସ୍ୟାର ନିୟନ୍ତ୍ରଣ କରାଯାଇ ପାରନ୍ତା। ୨୦୩୫ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ମୋଟ ଶିକ୍ଷାନୁଷ୍ଠାନ ପ୍ରବେଶ ହାର (ଗ୍ରସ୍ ଏନ୍‌ରୋଲ୍‌ମେଣ୍ଟ)କୁ ୫୦ ଶତାଂଶକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ସେଇ ଅନୁସାରେ ସେମାନଙ୍କ ପାଇଁ ବୃତ୍ତି ଯୋଗାଣରେ ମଧ୍ୟ ବୃଦ୍ଧି କରାଗଲେ, ତାହା ଆତ୍ମହତ୍ୟା ନିରାକରଣ ଦିଗରେ ଏକ ଫଳପ୍ରଦ ପଦକ୍ଷେପରେ ପରିଣତ ହେବ। ବିଦେଶରେ ଏଭଳି ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍‌ଧ ହେଉଥିବା ଶିକ୍ଷାଦାନ ଓ ଗବେଷଣାରେ ନିଯୁକ୍ତି ଭଳି ଏଠାରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ତାହା ଉପଲବ୍‌ଧ ହେବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।
ସେମାନଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହିତ ଅନୁଷ୍ଠାନର ସର୍ବାଧିକ ଏକ କିଲୋମିଟର ଦୂରତା ମଧ୍ୟ ପୂର୍ଣ୍ଣକାଳୀନ ଭିତ୍ତିରେ ମନସ୍ତାତ୍ତ୍ବିକ ସ୍ବାସ୍ଥ୍ୟ ସେବା ସୁବିଧା ନିଶ୍ଚିତ କରିବା ନିମିତ୍ତ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ମାଗଣା କାଉନ୍‌ସେଲିଙ୍ଗ୍ ସୁବିଧା ଉପଲବ୍‌ଧ ହେଲେ, ତାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାରେ ଲଗାମ ଦେବାରେ ନିଶ୍ଚିତ ରୂପେ ବିଶେଷ ଭାବରେ ସଫଳ ହେବ। କିନ୍ତୁ ଯୋଗାଣ ପାର୍ଶ୍ବରେ ଏଭଳି ଉନ୍ନତିସାଧନ ସହିତ ଏହାର ଚାହିଦା ପାର୍ଶ୍ବରେ ମଧ୍ୟ ଅନୁରୂପ ଉନ୍ନତିସାଧନ କରାଯିବା ଜରୁରି। କାରଣ ଉଭୟ ସଚେତନତା ଅଭାବରୁ ତଥା ସାମାଜିକ ଲଜ୍ଜା କାରଣରୁ ଛାତ୍ରଛାତ୍ରୀମାନେ ଏଇ କାଉନ୍‌ସେଲିଙ୍ଗ୍ ସୁବିଧାର ଉପଯୋଗ କରିବା ନିମିତ୍ତ ଆଗେଇ ଆସିବାକୁ କୁଣ୍ଠିତ ହୋଇପାରନ୍ତି।
ଭାରତୀୟ ସମାଜରେ ପାରମ୍ପରିକ ଭାବରେ ମାନସିକ ସ୍ବାସ୍ଥ୍ୟ ପ୍ରତି ପ୍ରଦର୍ଶନ କରାଯାଇଥିବା ଅବହେଳାର ଏହା ହେଉଛି ଏକ ପ୍ରତିଫଳନ, କାରଣ ଛାତ୍ରଛାତ୍ରୀମା‌େନ ହେଉଛନ୍ତି ସେଇ ସମାଜର ଏକ ଅଂଶ ଏବଂ ସେମାନେ ସେଇ ବିଦ୍ବେଷମୂଳକ ମୂଲ୍ୟବୋଧ ଦ୍ବାରା ପରିଚାଳିତ ହୋଇଥାନ୍ତି। ସେଇ କାରଣରୁ ‘ଏନ୍‌ଟିଏଫ୍’ ଆବିଷ୍କାର କରିଛି ଯେ ଯେଉଁ ଅନୁଷ୍ଠାନରେ କାଉନ୍‌ସେଲିଙ୍ଗ୍ ସୁବିଧା ଉପଲବ୍‌ଧ ଅଛି, ସେଠାରେ ମଧ୍ୟ ଏହାର ଉପଯୋଗ ଅନୁପାତ ବେଶ୍ ନୀଚା ହୋଇଥାଏ। ଏଥିରେ ସୁଧାର ଆଣିବା ନିମିତ୍ତ ଏକ ଶକ୍ତିଶାଳୀ ସଚେତନତା ପ୍ରସାର ଅଭିଯାନର ଜରୁରି ଆବଶ୍ୟକତା ରହିଛି। ସର୍ବୋଚ୍ଚ ଅଦାଲତଙ୍କ କଡ଼ା ନିର୍ଦ୍ଦେଶ ପରେ ଦେଶରେ ଉଚ୍ଚଶିକ୍ଷା ଅନୁଷ୍ଠାନମାନେ ଏଥର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଦେଶର ଅମୂଲ୍ୟ ମାନବ ସମ୍ବଳର ସୁରକ୍ଷା ନିଶ୍ଚିତ କରିବେ ବୋଲି ଆଶା କରାଯାଏ।