ଉଚ୍ଚତର ବୈଜ୍ଞାନିକ ଗବେଷଣା ସକାଶେ ଏକ ବାତାବରଣ ବା ‘ଇକୋ ସିଷ୍ଟମ’ ସୃଷ୍ଟି କରିବା ଲାଗି ଯଦିଓ ଏଭଳି ଶିଖର ସମ୍ମିଳନୀର ଆବଶ୍ୟକତା ରହିଛି, ତା’ ଠାରୁ ଅଧିକ ଆବଶ୍ୟକ ଏଠାରେ ଉପଲବ୍ଧ ଅଥଚ ଅନାବିଷ୍କୃତ ବୈଜ୍ଞାନିକ ପ୍ରତିଭାର ସ୍ଫୁରଣ ସକାଶେ ଅଧିକ ସରକାରୀ ବ୍ୟୟ, ପ୍ରୋତ୍ସାହନ ଓ ପ୍ରୟାସ। ଆମେରିକାର ସିଲିକନ ଭେଲିରେ ଯୁଗାନ୍ତକାରୀ ବିପ୍ଳବ ସୃଷ୍ଟି କରିଥିବା ଭାରତୀୟ ମସ୍ତିଷ୍କ ସ୍ବଦେଶରେ ଚମକ ଦେଖାଇ ପାରିବ ନାହିଁ କାହିଁକି?
AFC Women’s: ଏଏଫ୍ସି ମହିଳା ଏସୀୟ କପ୍ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି
ଦିଲ୍ଲୀରେ ଆୟୋଜିତ ଭବ୍ୟ ‘ଏ.ଆଇ. ଇଂପାକ୍ଟ ସମ୍ମିଟ’ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସଂପର୍କିତ ଶିଖର ସମ୍ମିଳନୀ ଆଜି ସମାପ୍ତ ହେବାକୁ ଯାଉଥିବା ବେଳେ, ଯାହା ଅନୁଶୋଚନାର ବିଷୟ ହୋଇଥାଏ, ତାହା ହେଲା ଅନେକ ଉତ୍ତମ କାରଣ ଥିବା ସତ୍ତ୍ବେ ଗୋଟିଏ ନିତାନ୍ତ ଲଜ୍ଜାଜନକ ଅଧ୍ୟାୟ ପାଇଁ ଏହା ସ୍ମରଣରେ ରହିବ। କୋଡ଼ିଏଟି ରାଷ୍ଟ୍ରର ଶାସନ ମୁଖ୍ୟ ଓ ୫୦୦ରୁ ଅଧିକ ସୁପ୍ରସିଦ୍ଧ ଏ.ଆଇ. ବିଶେଷଜ୍ଞଙ୍କ ଉପସ୍ଥିତି, ଷ୍ଟଲଗୁଡ଼ିକରେ ଏ.ଆଇ.ର ଅଦ୍ଭୁତ ପ୍ରୟୋଗର ପ୍ରଦର୍ଶନ ଏବଂ କୁତୂହଳୀ ଜନସାଧାରଣଙ୍କ ବିପୁଳ ଆଗ୍ରହକୁ ପଛରେ ପକାଇ ଏହି ସମ୍ମିଳନୀ ଆଲୋଚିତ ହେଉଛି ଏକ ଅକ୍ଷମଣୀୟ ଓ ରସଭଙ୍ଗକାରୀ ଘଟଣାକୁ ନେଇ, ଯାହା ହେଲା ଚୀନା ନିର୍ମିତ ଏକ ‘ରୋବଟିକ ଡଗ’(ଯନ୍ତ୍ର କୁକୁର) ଏବଂ ଦକ୍ଷିଣ କୋରିଆ ଦ୍ବାରା ବିକଶିତ ‘ସକ୍କର ଡ୍ରୋନ’ ବା ‘ପେଣ୍ଡୁ ଡ୍ରୋନ’କୁ ପ୍ରଦର୍ଶନ କରି ସେଗୁଡ଼ିକ ନିଜ ଉତ୍କର୍ଷ କେନ୍ଦ୍ରରେ ନିର୍ମିତ ବୋଲି ଗୋଲଗୋଟିଆସ ବିଶ୍ବବିଦ୍ୟାଳୟ(ଘରୋଇ) ଦ୍ବାରା କରାଯାଇଥିବା ଦାବି। କହିବା ବାହୁଲ୍ୟ, ଖୁବ୍ ଶୀଘ୍ର ଏଭଳି ପ୍ରବଞ୍ଚନାର ପର୍ଦ୍ଦାଫାଶ ଘଟି ସାମାଜିକ ଗଣମାଧ୍ୟମରେ ନିନ୍ଦାର ବନ୍ୟା ସୃଷ୍ଟି ହେବା ସହିତ ସମଗ୍ର ଦେଶକୁ ଅପମାନ ଜର୍ଜର କରି ପକାଇଛି। ଗୋଲଗୋଟିଆସ ୟୁନିଭର୍ସିଟିର ଧୃଷ୍ଟତାକୁ ଘେନି ବର୍ତ୍ତମାନ ସମସ୍ତେ ସମାଲୋଚନା ମୁଖର। ତେବେ, ଏଭଳି ସ୍ଥଳେ ବିବେଚନାପୂର୍ଣ୍ଣ କାର୍ଯ୍ୟଟି ହେବ, ସମାଲୋଚନା କରିବାର ପ୍ରବଣତାକୁ ଅତିକ୍ରମ କରି ଏହି ଘଟଣାରୁ ଲବ୍ଧ ଶିକ୍ଷା ଉପରେ ମହତ୍ତ୍ବ ପ୍ରଦାନ କରିବା।
ଗୋଲଗୋଟିଆସର ଏଭଳି ଦାବି ପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସେହି ଯନ୍ତ୍ର ଶ୍ବାନର ଫଟୋକୁ ଆପଣା ‘ଏକ୍ସ’ ବାର୍ତ୍ତାରେ ଯୋଡ଼ି ତାହାକୁ ଏ.ଆଇ. କ୍ଷେତ୍ରରେ ଏକ ସ୍ବଦେଶୀ ଉପଲବ୍ଧି ରୂପେ ଦର୍ଶାଇଥିଲେ। ଅବଶ୍ୟ, ବିବାଦର ସୂତ୍ରପାତ ହେବା ପରେ ତୁରନ୍ତ ତାହାକୁ ଡିଲିଟ କରି ଦିଆଯାଇଥିଲା, କିନ୍ତୁ ତହିଁରୁ ପ୍ରଥମ ଶିକ୍ଷାଟି ମିଳିଛି ଯେ ସାମାଜିକ ଗଣମାଧ୍ୟମରେ ହେଉ ଅଥବା ଅନ୍ୟ କୌଣସି ମଞ୍ଚରେ ହେଉ; ମନ୍ତ୍ରୀ ସ୍ତରୀୟ କୌଣସି ସନ୍ଦେଶର ସଂପ୍ରସାରଣ ପୂର୍ବରୁ ଦାୟିତ୍ବପୂର୍ଣ୍ଣ ଓ ପୁଙ୍ଖାନୁପୁଙ୍ଖ ପୃଷ୍ଠଭୂମି ତନଖି ଏକାନ୍ତ ଜରୁରି। ଦ୍ବିତୀୟ ଶିକ୍ଷାଟି ହେଲା, ଏଭଳି ଏକ ବିଶ୍ବ ସ୍ତରୀୟ ମେଳାରେ ସ୍ଥାନ ପାଉଥିବା ପ୍ରଦର୍ଶନ ଯୋଗ୍ୟ ବସ୍ତୁ ସମ୍ବନ୍ଧୀୟ ବିବରଣୀ ଓ ଉତ୍କର୍ଷ ଇତ୍ୟାଦି ତାଲିକାଭୁକ୍ତ ବିଶେଷଜ୍ଞମାନଙ୍କ ଦ୍ବାରା କଠୋର ଯାଞ୍ଚ ପ୍ରକ୍ରିୟା ଦେଇ ଯିବା ଅପରିହାର୍ଯ୍ୟ; ଯହିଁରେ ବିଚ୍ୟୁତି ଘଟିଥିବା କାରଣରୁ ଚୀନା ଓ ଦକ୍ଷିଣ କୋରିଆ ଦ୍ବାରା ନିର୍ମିତ ଉପରୋକ୍ତ ବସ୍ତୁ ଦ୍ବୟ ଏହି ଏ.ଆଇ. ମେଳାରେ ସ୍ଥାନ ପାଇ ତୁଚ୍ଛା ବିଭ୍ରାନ୍ତି ସୃଷ୍ଟି କଲେ। ଉଲ୍ଲେଖଯୋଗ୍ୟ ଯେ ଇ-କମର୍ସ ମଞ୍ଚଗୁଡ଼ିକରେ ବିକ୍ରୟ ସକାଶେ ଉପଲବ୍ଧ ଏବଂ ସାଧାରଣ ବ୍ୟକ୍ତିବିଶେଷଙ୍କ ଦ୍ବାରା ସହଜରେ ଚିହ୍ନଟ ହୋଇ ପାରିଥିବା ଏହି ଚିଜ ଦୁଇଟି କଦାଚିତ୍ ବିଶେଷଜ୍ଞମାନଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇ ପାରି ନଥାଆନ୍ତା! ଏ ସଂକ୍ରାନ୍ତରେ ମୂଳ ପ୍ରଶ୍ନଟି ଉଠିଥାଆନ୍ତା ଯେ ଭାରତର ଏକ ବିଶ୍ବବିଦ୍ୟାଳୟ ଦ୍ବାରା ତା’ ନିଜ ଷ୍ଟଲରେ ଚୀନ ବା ଦକ୍ଷିଣ କୋରିଆ ଦ୍ବାରା ବିକଶିତ ପ୍ରଯୁକ୍ତିର ପ୍ରଦର୍ଶନ କରାଯିବ କାହିଁକି? ଅବଶ୍ୟ, ସତ୍ୟ ପ୍ରଘଟ ହେବା ମାତ୍ରକେ ସରକାରଙ୍କ ଆଦେଶରେ ଗୋଲଗୋଟିଆସ ୟୁନିଭର୍ସିଟିକୁ ଯଦିଓ ପ୍ରଦର୍ଶନୀ ସ୍ଥାନରୁ ବହିଷ୍କାର କରି ଦିଆଯାଇଥିଲା, ବିଭିନ୍ନ ଦ୍ବାହି ଦେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ନିରର୍ଥକ ସଫେଇର ଯେଉଁ ସୁଅ ଛୁଟିଥିଲା, ତହିଁରେ ବିଚ୍ୟୁତିଟି କେବଳ ବିସ୍ଫାରିତ ହୋଇ ଚାଲିଥିଲା। ଏହି ସଫେଇର କ୍ରମରେ ସର୍ବଶେଷଟିର ମର୍ମାର୍ଥ ହେଉଛି ଏହା ଯେ ‘ଦୂରଦର୍ଶନ’ର କ୍ୟାମେରାକୁ ଆଗରେ ପାଇ ଅତ୍ୟୁତ୍ସାହୀ ପ୍ରଗଳ୍ଭତା ପ୍ରଦର୍ଶନ କରିଥିବା ମହିଳା ପ୍ରଫେସର ଜଣକ ପ୍ରକୃତରେ ବିଶ୍ବବିଦ୍ୟାଳୟର ଆଧିକାରିକ ପ୍ରବକ୍ତା ବା ମୁଖପାତ୍ର ନ ଥିଲେ। ଏହା ମଧ୍ୟ ଜଣାପଡ଼ିଛି ଯେ ତଥାକଥିତ ଆତ୍ମନିଯୁକ୍ତ ପ୍ରବକ୍ତା ଜଣକ ଏ.ଆଇ. ବିଭାଗର ଶିକ୍ଷକ ନୁହନ୍ତି; ତାଙ୍କ ବିଭାଗ ହେଉଛି ଏମ.ବି.ଏ. ଏବଂ ଶିକ୍ଷାଦାନର ବିଷୟ ହେଉଛି ‘କମ୍ୟୁନିକେସନ ସ୍କିଲ’ ବା ‘ବାର୍ତ୍ତା ବିନିମୟର ଦକ୍ଷତା’। ସୁତରାଂ, ଯାହା ଚିନ୍ତାଜନକ, ତାହା ହେଲା ଦେଶର ସର୍ବଶ୍ରେଷ୍ଠ ଘରୋଇ ବିଶ୍ବବିଦ୍ୟାଳୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରୁ ପୁରସ୍କାର ପ୍ରାପ୍ତ ଏକ ଅପୂର୍ବ ଚାକଚକ୍ୟଭରା ଉଚ୍ଚ ଶିକ୍ଷାନୁଷ୍ଠାନର ପରିଚାଳନା କିଭଳି ତାଳ ଓ ଲୟ ଶୂନ୍ୟ! ଏହା ଏକ ସାଧାରଣ ଜ୍ଞାନର କଥା ଯେ କ୍ଷତିର ଆଂଶିକ ଭରଣା କରିବାରେ ହୁଏତ ବିଶ୍ବବିଦ୍ୟାଳୟଟି ସଫଳ ହୋଇଥାଆନ୍ତା, ଯଦି ଏକ ଭାବପୂର୍ଣ୍ଣ କ୍ଷମା ପ୍ରାର୍ଥନା ସହିତ ଭାବଗମ୍ଭୀର ନିରବତା ଅବଲମ୍ବନ କରାଯାଇଥାଆନ୍ତା। କିନ୍ତୁ ନିଜକୁ ନିର୍ଭୁଲ୍ ସାବ୍ୟସ୍ତ କରିବା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ଏବଂ ବ୍ୟକ୍ତିଗତ ଭାବେ ସେହି ମହିଳା ପ୍ରଫେସରଙ୍କ ଦ୍ବାରା ବିତଣ୍ଡା ତର୍କ, ମିଥ୍ୟା ବଚନ ଏବଂ ଶବ୍ଦର କୁହେଳିକା ସୃଷ୍ଟିର ଉଦ୍ୟମ ଇତ୍ୟାଦି ଏକ ଅତ୍ୟନ୍ତ ବିରକ୍ତିକର ପରିବେଶ ସୃଷ୍ଟି କରିଛି, ଯଦ୍ଦ୍ବାରା ଗୋଲଗୋଟିଆସ ବିଶ୍ବବିଦ୍ୟାଳୟ ଅଧିକ କଟୁ ସମାଲୋଚନାର ଶରବ୍ୟ ହେବାରେ ଲାଗିଛି। ଏବଂ ଏଥିରେ ବିଡ଼ମ୍ବନାଟି ହେଲା, ‘ବାର୍ତ୍ତା ବିନିମୟର ଦକ୍ଷତା’ ବିଷୟ ପଢ଼ାଉଥିବା ପ୍ରଫେସର ଜଣକ ସମ୍ଭବତଃ ପାସୋରି ଯାଇଥିଲେ ଯେ ଅନେକ ସମୟରେ ‘ଅର୍ଥପୂର୍ଣ୍ଣ ନିରବତା’ ମଧ୍ୟ ‘ବାର୍ତ୍ତ ବିନିମୟ ଦକ୍ଷତା’ର ଗୂଢ଼ ଅଂଶ ହୋଇଥାଏ!
Odisha Governor: ଉତ୍ତର-ପୂର୍ବାଞ୍ଚଳ ଭାରତର ଜାତୀୟ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ
ଏହି ସମ୍ମିଳନୀର ଏକ ଦୁର୍ଭାଗ୍ୟ ହେଲା ଏହା ଯେ ଗୋଲଗୋଟିଆସ ବିବାଦର ଛାୟାରେ ଅନେକ ଚମତ୍କାର ନିରୁତା ସ୍ବଦେଶୀ ଉଦ୍ୟମମାନ ବିଶେଷ ଆଲୋକିତ ହୋଇପାରିଲେ ନାହିଁ; ଯେମିତି ‘ଏକ୍ସ ଟେରା ରୋବୋଟିକ୍ସ’ ଦ୍ବାରା ବିକଶିତ ‘ଶ୍ବାନ ଏମ ୨’ ଯାହା ମଧ୍ୟ ଏକ ଦକ୍ଷ ଯନ୍ତ୍ର କୁକୁର; ଭାରତରେ ନିର୍ମିତ ପ୍ରଥମ ଚତୁଷ୍ପଦ ରୋବଟ। ସୁତରାଂ, ଏହି ପ୍ରେକ୍ଷାପଟରେ ଯାହା ଅଧିକ ଚର୍ଚ୍ଚିତ ହେଉଛି, ତାହା ହେଲା ସାମର୍ଥ୍ୟ ପ୍ରତିପାଦନ କରିବା ସକାଶେ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ଦିଗରେ ପ୍ରାଥମିକତା ପ୍ରଦାନ। ଜଣାପଡ଼ିଛି ଯେ ଚାରିଟି ପ୍ରମୁଖ ଆଇ.ଆଇ.ଟି.କୁ ମିଳିଥିବା ଷ୍ଟଲଗୁଡ଼ିକର ଆୟତନର ସମଷ୍ଟି ଠାରୁ ଏକା ଗୋଲଗୋଟିଆସ ଷ୍ଟଲର ଆକାର ଥିଲା ଅଧିକ, ଅଥଚ ଆଇ.ଆଇ.ଟି.ଗୁଡ଼ିକ ଦ୍ବାରା ହିଁ ସର୍ବୋତ୍କୃଷ୍ଟ ପ୍ରଯୁକ୍ତିର ଉଦ୍ଭାବନ ହୋଇଥାଏ। ତେଣୁ ଏହି ଶିଖର ସମ୍ମିଳନୀ ଅବସରରେ ହେଉଥିବା ଚର୍ଚ୍ଚାମାନଙ୍କରେ ଶୁଣିବାକୁ ମିଳୁଛି ଯେ ଉଚ୍ଚାଙ୍ଗ ଗବେଷଣା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଧିକ ପୁଞ୍ଜି ନିବେଶ ଅନିବାର୍ଯ୍ୟ। ପ୍ରକାଶ ଥାଉ କି ଆମେରିକା ଓ ଚୀନ ସେମାନଙ୍କ ଜି.ଡି.ପି.(ଯଥାକ୍ରମେ ୩୦ ଓ ୧୯ ଟ୍ରିଲିଅନ ଡଲାର)ର ପ୍ରାୟ ୪% ବିଜ୍ଞାନ ଓ ପ୍ରଯୁକ୍ତିଗତ ଗବେଷଣାରେ ବିନିଯୁକ୍ତ କରୁଥିବା ବେଳେ ଭାରତରେ ତାହା ହେଉଛି ତା’ର ଜି.ଡି.ପି.(ପ୍ରାୟ ୪ ଟ୍ରିଲିଅନ ଡଲାର)ର ମାତ୍ର ୦.୬୫ ପ୍ରତିଶତ। ଏଭଳି ସ୍ଥଳେ ‘ଚାଟ୍ ଜିପିଟି’(ଆମେରିକା) ବା ‘ଡିପ ସିକ୍’(ଚୀନ) ଭଳି ଚମତ୍କାରୀ ପ୍ରଯୁକ୍ତିଗତ ସର୍ଜନା ବା ବିକାଶ ଭାରତ ପକ୍ଷରେ ସମ୍ଭବ କି? କହିବାର ତାତ୍ପର୍ଯ୍ୟ ହେଲା, ଉଚ୍ଚତର ବୈଜ୍ଞାନିକ ଗବେଷଣା ସକାଶେ ଏକ ବାତାବରଣ ବା ‘ଇକୋ ସିଷ୍ଟମ’ ସୃଷ୍ଟି କରିବା ଲାଗି ଯଦିଓ ଏଭଳି ଶିଖର ସମ୍ମିଳନୀର ଆବଶ୍ୟକତା ରହିଛି, ତା’ ଠାରୁ ଅଧିକ ଆବଶ୍ୟକ ଏଠାରେ ଉପଲବ୍ଧ ଅଥଚ ଅନାବିଷ୍କୃତ ବୈଜ୍ଞାନିକ ପ୍ରତିଭାର ସ୍ଫୁରଣ ସକାଶେ ଅଧିକ ସରକାରୀ ବ୍ୟୟ, ପ୍ରୋତ୍ସାହନ ଓ ପ୍ରୟାସ। ଆମେରିକାର ସିଲିକନ ଭେଲିରେ ଯୁଗାନ୍ତକାରୀ ବିପ୍ଳବ ସୃଷ୍ଟି କରିଥିବା ଭାରତୀୟ ମସ୍ତିଷ୍କ ସ୍ବଦେଶରେ ଚମକ ଦେଖାଇ ପାରିବ ନାହିଁ କାହିଁକି?
ପରିଶେଷରେ ଭାରତୀୟ ଉତ୍କର୍ଷ ଓ ସହଜିଆ ମାର୍ଗ ଅନୁସରଣର ବାଧ୍ୟବାଧକତା ନେଇ ଏକ ଚଟୁଳ କାହାଣୀ କୁହାଯାଉ। ସପ୍ତମ ଦଶକରେ ଦିଲ୍ଲୀ ବୁଲିବାକୁ ଆସିଥିବା ଜଣେ ଜାପାନୀ ପର୍ଯ୍ୟଟକ ନକଲି ଦ୍ରବ୍ୟର ବଜାରରେ ଏକ ସିକୋ ଘଡ଼ି ଦେଖି ଚମକି ଉଠନ୍ତି, କାରଣ ଅସଲି ଠାରୁ ତାକୁ ଅଲଗା ବାରି ପାରିବାର ଜୁ ନ ଥାଏ। ସେହି ଘଡ଼ି ଉପରେ ‘ମେଡ ଇନ୍ ଜାପାନ’ ଲେଖା ଥିବା ଦେଖି ମଉଜରେ ଜାପାନୀ ଜଣକ କହନ୍ତି: ନକଲ କରିବାର ନିଶାରେ ‘ମେଡ ଇନ୍ ଜାପାନ’ ବୋଲି ଲେଖି ଦେଇଛ ଦେଖୁଛି! ‘ମେଡ ଇନ୍ ଇଣ୍ଡିଆ’ ବୋଲି ଲେଖିଥାଆନ୍ତ ଭଲା? ଏହା ଶୁଣି ଦୋକାନୀ ଜଣକ ଏକ ଯବକାଚ ଦେଇ ଦେଖାଇ ଦିଅନ୍ତି କିଭଳି ସେହି ଘଡ଼ିରେ ଆଖିକୁ ଦିଶୁ ନ ଥିବା ଭଳି ସୂକ୍ଷ୍ମ ଅକ୍ଷରରେ ଲେଖାଯାଇଛି ‘ମେଡ ଇନ ଝୁମରିତଲୈୟାଁ’। ଗପଟି ଏଇଠି ସରିଛି ସତ, କିନ୍ତୁ ତାହା ଆଗକୁ ଗଡ଼ିବା ଉଚିତ! ଏଥିରେ ହତଭମ୍ବ ଜାପାନୀ ଜଣକ କହନ୍ତି ଏଭଳି ପ୍ରତିଭା ଥାଉଁଥାଉଁ ତୁମେ ନକଲି ଦ୍ରବ୍ୟ ତିଆରି କରୁଛ? ସପ୍ତମ ଦଶକର ଅଣବିକଶିତ ଭାରତରେ ଉତ୍ତର ମିଳେ: ପ୍ରତିଭା ଥିଲେ କ’ଣ ହେବ, ସୁଯୋଗ କାହିଁ? ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ପରେ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ଭାରତର କୌଣସି ସରକାରୀ ମହାବିଦ୍ୟାଳୟରେ ଜଣେ ତରୁଣ ଉଦ୍ଭାବକ ଅନ୍ତତଃ ଏଭଳି ନ ପଚାରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)