ଟ୍ରଂପଙ୍କ ଆଚରଣ ପରେ ପୃଥିବୀର ଅନେକ ଦେଶ, ବିଶେଷ କରି ୟୁରୋପୀୟ ଦେଶଗୁଡ଼ିକ, ଆତ୍ମ ପ୍ରତ୍ୟୟର ଅନ୍ବେଷଣ କରିବା ଆରମ୍ଭ କରିଛନ୍ତି; କାରଣ ସେମାନେ ବୁଝିଲେଣି ଯେ ଆମେରିକା ଭଳି ଏକ କ୍ରଚ୍ର ଅବଲମ୍ବନ ସେମାନଙ୍କୁ ଦୁର୍ବଳ ଓ ଦାସ କରି ପକାଇଛି। ଗ୍ରୀନଲାଣ୍ଡ ଅଧିକାର ପରିପ୍ରେକ୍ଷୀରେ ଶାନ୍ତିପ୍ରିୟ ଡେନମାର୍କର ଯୁଦ୍ଧଂ ଦେହି ଉଚ୍ଚାଟ ଏହାର ଏକ ଉଦାହରଣ। ରୁଷିଆରୁ ତୈଳ କ୍ରୟରେ ବିରାମ ନ ଘଟାଇଲେ ଭାରତ ଉପରେ ୫୦୦% ‘ଟାରିଫ’ ଲଗାଯିବାର ଆଶଙ୍କା ଅଚିରେ ବାସ୍ତବରେ ପରିଣତ ହୋଇ ଭାରତ ସକାଶେ ବିପୁଳ କ୍ଷତିର କାରଣ ହେବାକୁ ବସିଥିଲେ ହେଁ କେତେକ ଗଣମାଧ୍ୟମ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦେଶ ପ୍ରଥମ’ ବା ‘ନେସନ ଫାଷ୍ଟ’ ବୋଲି ଘୋଷଣା କରି ସାରିଲେଣି।
Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର
କଟାଶଟିଏ ଅତର୍କିତ ଭାବେ ଝାଂପ ଦେବା ପରେ କପୋତ ଯୂଥ ଯେଉଁଭଳି ବିମୂଢ଼, ବିକ୍ଷିପ୍ତ ଓ ବିଚଳିତ ହୋଇ ଉଠନ୍ତି, ସେହିଭଳି ପରିସ୍ଥିତି ସଂପ୍ରତି ପୃଥିବୀ ସାରା ଦେଖିବାକୁ ମିଳୁଛି; କାରଣ ଡୋନାଲ୍ଡ ଟ୍ରଂପଙ୍କ ଟାରିଫ ଆକ୍ରମଣ ଯେମିତି ଯଥେଷ୍ଟ ନ ଥିଲା, ସେ ବସ୍ତୁତଃ ଏକ ବାସ୍ତବ ଯୁଦ୍ଧର ବିଭୀଷିକା ସୃଷ୍ଟି କରିବାକୁ ବାହାରିଛନ୍ତି, ଯାହା ପୃଥିବୀର ଗତାନୁଗତିକ ଶୃଙ୍ଖଳାକୁ ଧ୍ବଂସ କରିଦେଇପାରେ। ଭେନେଜୁଏଲା ଉପରେ ଆକ୍ରମଣ କରି ତା’ର କ୍ଷମତାସୀନ ରାଷ୍ଟ୍ରପତିଙ୍କୁ ସସ୍ତ୍ରୀକ ଅପହରଣ କରିନେଇ ଆମେରିକାର ଜେଲରେ ବନ୍ଦୀ କରି ରଖିବା, ସଶସ୍ତ୍ର ଆକ୍ରମଣ ବଳରେ ଗ୍ରୀନଲାଣ୍ଡକୁ ଅଧିକାର କରିବା ନେଇ ପ୍ରସ୍ତୁତି; କାନାଡାର ସାର୍ବଭୌମତ୍ବକୁ ଲୋପ କରି ଆମେରିକାର ଏକ ପ୍ରଦେଶରେ ପରିଣତ କରିବା ଓ ପାନାମା କେନାଲ ଅକ୍ତିଆର କରି ତା’ର ନାମ ବଦଳାଇବାର ଇଚ୍ଛା, ଅନ୍ତର୍ଘାତ ଜରିଆରେ ଇରାନରେ କ୍ଷମତା ପରିବର୍ତ୍ତନର ଚକ୍ରାନ୍ତ, ତାଇୱାନକୁ ଚୀନ ଠାରୁ ସୁରକ୍ଷା ଦେବାକୁ ମୂଳରୁ ଚୁକ୍ତିବଦ୍ଧ ହୋଇ ଆସିଥିବା ସତ୍ତ୍ବେ ତାହାର ବିପରୀତରେ ଯାଇ ଚୀନର ଆକ୍ରମଣ ପରିପ୍ରେକ୍ଷୀରେ ବୀତସ୍ଫୃହ ରହିବାର ଇଙ୍ଗିତ ଆଦି ହେଉଛି ଏହି ଗଲା ପନ୍ଦର ଦିନ ମଧ୍ୟରେ ପୃଥିବୀ ପ୍ରତ୍ୟକ୍ଷ କରିଥିବା କତିପୟ ଘଟଣା, ଯାହାର ସୂତ୍ରଧର ହେଉଛନ୍ତି ଟ୍ରଂପ। ଗଲା ବର୍ଷକ ମଧ୍ୟରେ ଯେଉଁମାନେ ଟ୍ରଂପଙ୍କୁ ଜଣେ ଆତ୍ମ-ପ୍ରଚାରମନସ୍କ ସ୍ବାର୍ଥପର ବ୍ୟବସାୟୀ, ଅହଙ୍କାରୀ, ଅବୁଝା ବାଳକ, ଅନ୍ଦାଜ-ଅଯୋଗ୍ୟ ହୁଣ୍ଡା ଏପରିକି ଜଣେ ଜୋକର ବୋଲି ଭାବି ନେଇଥିଲେ, ସେମାନେ ସମସ୍ତେ ଏବେ ସୁନିଶ୍ଚିତ ଓ ସଂତ୍ରସ୍ତ ଯେ ଟ୍ରଂପ ପ୍ରକୃତର ହେଉଛନ୍ତି ଜଣେ ଓଲଟ ମସ୍ତିଷ୍କଧାରୀ ଅତ୍ୟନ୍ତ ବିପଜ୍ଜନକ ମନୁଷ୍ୟ, ଯାହାଙ୍କ ଖେଳ ସମଗ୍ର ପୃଥିବୀ ସକାଶେ କାଳ ହେବାକୁ ବସିଛି।
Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ
ଇତିହାସରୁ ସ୍ପଷ୍ଟ ହୋଇଥାଏ ଯେ ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧର କାଳ ଖଣ୍ଡରେ ଯେଉଁଭଳି ଚରିତ୍ରଧାରୀ ବିଶ୍ବ ନେତୃତ୍ବ ଓ ପରିବେଶର ଆବିର୍ଭାବ ଘଟିଥିଲା, ସଂପ୍ରତି ଊଣାଅଧିକେ ସେଭଳି ସ୍ଥିତି ବିଦ୍ୟମାନ। ଉଦାର ଚେତନାର ଅବକ୍ଷୟ ଫଳରେ ଅନେକ ଦେଶର ନେତୃତ୍ବ ଆତ୍ମ-ମଗ୍ନ ହୋଇ ନିଜ ଦେଶକୁ ଗୋଟିଏ ଗୋଟିଏ ପୃଥକ୍ ଦ୍ବୀପରେ ପରିଣତ କରିଛନ୍ତି, ୨୦୧୬ ମସିହାରେ ‘ବ୍ରେକଜିଟ୍’ ଜରିଆରେ ୟୁରୋପୀୟ ସଂଘରୁ ନିଜକୁ ଛିନ୍ନ କରିଥିବା ଗ୍ରେଟ ବ୍ରିଟେନ ଥିଲା ଏହାର ଏକ ଆଦ୍ୟ ଦୃଷ୍ଟାନ୍ତ। ‘ବିଶ୍ବାସର ସଂକଟ’ ହେଉଛି ଏହାର ମୁଖ୍ୟ କାରଣ, ଯେହେତୁ ପରିବାର ଠାରୁ ଆରମ୍ଭ କରି ରାଷ୍ଟ୍ର ଏବଂ ଅନ୍ତଃ-ରାଷ୍ଟ୍ର କ୍ଷେତ୍ର ପର୍ଯ୍ୟନ୍ତ ସର୍ବତ୍ର ସମସ୍ତ ବ୍ୟାପାର ବିଶ୍ବାସ ଉପରେ ହିଁ ଅଧିଷ୍ଠିତ ହୋଇ ଚାଲିଥାଏ। ଏଭଳି ସ୍ଥଳେ ଡୋନାଲ୍ଡ ଟ୍ରଂପଙ୍କ ଆଭିମୁଖ୍ୟ ଓ ଆଚରଣ ବିଶ୍ବାସ ସଂକଟକୁ ଅଧିକ ଘନୀଭୂତ କରିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିବା କାରଣରୁ ସମଗ୍ର ପୃଥିବୀ ସଂପ୍ରତି ଏକ ଅତ୍ୟନ୍ତ ଅସ୍ଥିର ସ୍ଥିତିରେ! କହିବା ଅନାବଶ୍ୟକ ଯେ ରାଜନୈତିକ ଆଦର୍ଶ, ରଣନୈତିକ ସମ ଦୃଷ୍ଟି, ସାଂସ୍କୃତିକ ସମ ଭାବ ଦ୍ବାରା ପ୍ରତିଷ୍ଠିତ ଶତ୍ରୁ ବା ମିତ୍ର ଭାବାପନ୍ନ ରାଷ୍ଟ୍ର ନେଇ ଧାରଣା ଟ୍ରଂପଙ୍କ ଆଚରଣ ହେତୁ ସଂପୂର୍ଣ୍ଣ ଧରାଶାୟୀ ହୋଇଛି; ଯହିଁରେ ମିତ୍ର ରାଷ୍ଟ୍ରଗୁଡ଼ିକ ସଂପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼, ଯେମିତି କାନାଡା ବା ଡେନମାର୍କ(ଗ୍ରୀନଲାଣ୍ଡର ଅଧିକାରୀ ରାଷ୍ଟ୍ର)। ପ୍ରକାଶ ଥାଉ କି ଟ୍ରଂପଙ୍କ ନିର୍ଦ୍ଦେଶରେ ଗଲା ମାସକ ମଧ୍ୟରେ ଜାତିସଂଘ ଦ୍ବାରା ପରିଚାଳିତ ୬୬ଟି ବିଶ୍ବସ୍ତରୀୟ ସଂଗଠନ ଓ ଅନୁଷ୍ଠାନରୁ ଆମେରିକା ଓହରି ଆସିଲାଣି, ଯାହା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନ୍ୟତମ। ଅନେକ ବିଶେଷଜ୍ଞ ଅନୁମାନ କରନ୍ତି ଯେ ଆମେରିକା ଖୁବ୍ ଶୀଘ୍ର ଜାତିସଂଘ ସହିତ ସଂପର୍କ ଛିନ୍ନ କରି ଦେଇ ପାରେ। ଏଭଳି ସ୍ଥିତିରେ ବିଡ଼ମ୍ବନାଟି ହେଲା ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା ପରେ ପୃଥିବୀରେ ଶାନ୍ତି ଓ ଶୃଙ୍ଖଳା ସ୍ଥାପନ କରିବା ଲାଗି ଆମେରିକାର ନେତୃତ୍ବରେ ହିଁ ଜାତିସଂଘ ସ୍ବରୂପ ପାଇଥିଲା, ଯାହା ତା’ର କତିପୟ ଦୁର୍ବଳତା ସତ୍ତ୍ବେ ‘ବିଶ୍ବ ସମୁଦାୟ’ ସମ୍ମୁଖରେ ଏକ ବିଶ୍ବାସଯୋଗ୍ୟ ଓ ପ୍ରଭାବଶାଳୀ ଅନୁଷ୍ଠାନ ରୂପେ ବିଦ୍ୟମାନ। ସେହି ଦୃଷ୍ଟିରୁ ସ୍ବହସ୍ତ ରଚିତ ଓ ସ୍ବ-ନେତୃତ୍ବରେ ପରିଚାଳିତ ଜାତିସଂଘ ଭଳି ବିଶ୍ବ ସ୍ତରୀୟ ଅନୁଷ୍ଠାନକୁ ପଦାନତ ଓ ପରିହାର କରିବାର ଆଗ୍ରହରେ କେହି କେହି ମସ୍ତିଷ୍କ ବିକୃତିର ଆଭାସ ପାଆନ୍ତି। ତେଣୁ, ଟ୍ରଂପସୁଲଭ ବିକୃତ ବିଚାରରେ ମିତ୍ର ବା ଶତ୍ରୁ ବୋଲି କେହି ନ ଥାଆନ୍ତି; ଏବଂ ବଶମ୍ବଦ ରାଷ୍ଟ୍ରଙ୍କ ସମୁଦ୍ରରେ ଆମେରିକାକୁ ଏକ ନିବୁଜ ମହାଦ୍ବୀପରେ ପରିଣତ କରିବାକୁ ସେ ଆଗଭର।
ପ୍ରଥମ ବିଶ୍ବଯୁଦ୍ଧର ବିଭୀଷିକା ଦ୍ବାରା ବ୍ୟଥିତ ହୋଇ ନୋବେଲ ପୁରସ୍କାର ବିଜୟୀ ଆଇରିସ କବି ଡବ୍ଲ୍ୟୁ. ବି. ୟେଟ୍ସ ଲେଖିଥିଲେ ତାଙ୍କର ଅନ୍ୟତମ ଅମର କବିତା, ‘ଦ ସେକଣ୍ଡ କମିଙ୍ଗ’ ବା ‘ଦ୍ବିତୀୟ ଆବିର୍ଭାବ।’ ୟେଟ୍ସଙ୍କ ବିଚାରରେ କାଳର ଗତି ସରଳ ରୈଖିକ ନୁହେଁ, ଚକ୍ରାକାର। ସୁତରାଂ, କାଳ ଚକ୍ରର ଘୂର୍ଣ୍ଣନକୁ ଘେନି କବି ସେହି କବିତାରେ କରିଥିବା ଭବିଷ୍ୟବାଣୀର ସାରାଂଶ ହେଲା, ଏଭଳି ବେଳା ଆଗତ ପ୍ରାୟ, ଯହିଁରେ ଆଜ୍ଞାକାରୀକୁ ଅବଜ୍ଞା କରିବ ଆଜ୍ଞାବହ, ସବୁ କିଛି ହୋଇଯିବ ବିକ୍ଷିପ୍ତ ଏବଂ କେନ୍ଦ୍ର ହେବ ଧାରଣଶକ୍ତି ଶୂନ୍ୟ, ସର୍ବତ୍ର ନୈରାଜ୍ୟ, ରୁଧିରର ପ୍ଳାବନରେ ସମାଧି ଲଭିବ ନିରୀହତା, ନିର୍ବୋଧଙ୍କ ରାଜୁତିରେ ବୁଦ୍ଧିମାନ ନିରବ ହେବାକୁ ବାଧ୍ୟ ହେବେ; ଏଭଳି ସ୍ଥିତିରେ ‘ଦ୍ବିତୀୟ ଆବିର୍ଭାବ’ ଘଟିବ। ୟେଟ୍ସଙ୍କ ଏହି ‘ଦ୍ବିତୀୟ ଆବିର୍ଭାବ’ର ମର୍ମ ନିହିତ ଅଛି ଯୀଶୁଖ୍ରୀଷ୍ଟଙ୍କ ପୁନରାବିର୍ଭାବ ନେଇ ଖ୍ରୀଷ୍ଟଧର୍ମୀୟ ବିଶ୍ବାସରେ। ତେବେ, କବିଙ୍କ ଧାରଣାରେ ଏହି ‘ଦ୍ବିତୀୟ ଆବିର୍ଭାବ’ରେ ଯୀଶୁଖ୍ରୀଷ୍ଟଙ୍କ ପରିବର୍ତ୍ତେ ଦୃଶ୍ୟମାନ ହେବ ‘ସ୍ପିଙ୍କସ’ ତୁଲ୍ୟ ଏକ ଭୟଙ୍କର ଦାନବ, ଯିଏ ବେଥଲହାମ(ଯୀଶୁଙ୍କ ଜନ୍ମସ୍ଥଳୀ) ଆଡ଼କୁ ଅଗ୍ରସର ହେଉଥିବ। ଏଠାରେ ‘ଦ ସେକଣ୍ଡ କମିଙ୍ଗ’ର ଉଦାହରଣ ଏଥି ଲାଗି ପ୍ରାସଙ୍ଗିକ ଯେ ପ୍ରଥମ ବିଶ୍ବଯୁଦ୍ଧର ଅକଳ୍ପନୀୟ ଜୀବନ ଓ ସଂପଦର କ୍ଷୟକ୍ଷତି ପରେ ଅନେକ ବିଚକ୍ଷଣ ବିମର୍ଶକାର ଯଦିଓ ଧରି ନେଇଥିଲେ ଯେ ବିଚାରହୀନତା ଓ ବିବେକହୀନତାର ଏଭଳି ଦୃଷ୍ଟାନ୍ତର ପୁନରାବୃତ୍ତି ହୁଏତ ଘଟିବ ନାହିଁ; ୟେଟ୍ସ କିନ୍ତୁ ସେତିକି ବେଳେ ବିପରୀତ ବିଚାର ବହନ କରୁଥିବା କବିତାଟିଏ ଲେଖିଥିଲେ। କବିତା ପ୍ରକାଶିତ(୧୯୨୦) ହେବାର ଦୁଇ ଦଶନ୍ଧି ପରେ ଆହୁରି ଅଧିକ ଭୟାବହ ଓ ପରିବ୍ୟାପ୍ତ ଦ୍ବିତୀୟ ବିଶ୍ବଯୁଦ୍ଧ ସଂଘଟିତ ହୋଇଥିଲା। ୟେଟ୍ସଙ୍କ କାଳ-ଚକ୍ର ସମ୍ଭବତଃ ଗୋଟିଏ ଘୂର୍ଣ୍ଣନ ସଂପୂର୍ଣ୍ଣ କରିଥିଲା! ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା ପରେ ଜାତିସଂଘ ଓ ସେଭଳି ଅନେକ ଶାନ୍ତିକାମୀ ବିଶ୍ବସ୍ତରୀୟ ଅନୁଷ୍ଠାନର ଗଠନ ଓ ଅନେକ ଚୁକ୍ତିନାମାର ସଂପାଦନର ପଥୀକୃତ୍ ପ୍ରୟାସ ପରେ ଯଦିଓ ପୃଥିବୀ ପ୍ରାୟ ସୁନିଶ୍ଚିତ ଥିଲା ଯେ ବିଶ୍ବଯୁଦ୍ଧ ପୁଣି ଥରେ ହୁଏତ ଘଟିବ ନାହିଁ; ବସ୍ତୁ ସ୍ଥିତି ହେଲା ୟେଟ୍ସଙ୍କ କାଳ-ଚକ୍ର ଆଉ ଥରେ ଘୂରି ଯାଇ ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ପୃଥିବୀକୁ ଠେଲି ନେଲାଣି।
‘ଦ ସେକଣ୍ଡ କମିଙ୍ଗ’ କବିତାର ଦ୍ବିତୀୟ ଧାଡ଼ିଟି ହେଲା: ‘ଦ ଫାଲକନ କ୍ୟାନ ନଟ ହିଅର ଦ ଫାଲକନର’, ଅର୍ଥାତ୍ ବାଜ ପକ୍ଷୀ ତା’ର ଖାଉନ୍ଦର ନିର୍ଦ୍ଦେଶକୁ ଅମାନ୍ୟ କରୁଛି; ସୁତରାଂ ବିଶ୍ବାସ ସଂକଟର ଏକ ଦୃଶ୍ୟ। ଏଭଳି ସ୍ଥିତିରେ ବୋଧହୁଏ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ହେଉଛି ଅପସୃତ ବିଶ୍ବାସର ପୁନରାବିଷ୍କାର ଓ ପ୍ରତିଷ୍ଠା, ଯାହା ବିଭିନ୍ନ କାରଣରୁ ବିପର୍ଯ୍ୟସ୍ତ। ଅବଶ୍ୟ, ଟ୍ରଂପଙ୍କ ଆଚରଣ ପରେ ପୃଥିବୀର ଅନେକ ଦେଶ, ବିଶେଷ କରି ୟୁରୋପୀୟ ଦେଶଗୁଡ଼ିକ, ଆତ୍ମ ପ୍ରତ୍ୟୟର ଅନ୍ବେଷଣ କରିବା ଆରମ୍ଭ କରିଛନ୍ତି; କାରଣ ସେମାନେ ବୁଝିଲେଣି ଯେ ଆମେରିକା ଭଳି ଏକ କ୍ରଚ୍ର ଅବଲମ୍ବନ ସେମାନଙ୍କୁ ଦୁର୍ବଳ ଓ ଦାସ କରି ପକାଇଛି। ଗ୍ରୀନଲାଣ୍ଡ ଅଧିକାର ପରିପ୍ରେକ୍ଷୀରେ ଶାନ୍ତିପ୍ରିୟ ଡେନମାର୍କର ଯୁଦ୍ଧଂ ଦେହି ଉଚ୍ଚାଟ ଏହାର ଏକ ଉଦାହରଣ। ରୁଷିଆରୁ ତୈଳ କ୍ରୟରେ ବିରାମ ନ ଘଟାଇଲେ ଭାରତ ଉପରେ ୫୦୦% ‘ଟାରିଫ’ ଲଗାଯିବାର ଆଶଙ୍କା ଅଚିରେ ବାସ୍ତବରେ ପରିଣତ ହୋଇ ଭାରତ ସକାଶେ ବିପୁଳ କ୍ଷତିର କାରଣ ହେବାକୁ ବସିଥିଲେ ହେଁ କେତେକ ଗଣମାଧ୍ୟମ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦେଶ ପ୍ରଥମ’ ବା ‘ନେସନ ଫାଷ୍ଟ’ ବୋଲି ଘୋଷଣା କରି ସାରିଲେଣି। ଭାରତ ଲାଗି ମଧ୍ୟ ଏହା ହେଉଛି ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ସକାଶେ ପ୍ରତ୍ୟୟ ଆବିଷ୍କାରର ଯଥାର୍ଥ କ୍ଷଣ। ସୁୁତରାଂ, କଟାଶର ଆକ୍ରମଣ ପରେ ବିକ୍ଷିପ୍ତ କପୋତଗୁଡ଼ିକୁ ସମ୍ମିଳିତ ଭାବେ ଆତ୍ମ ବିଶ୍ବାସ ଓ ପାରସ୍ପରିକ ବିଶ୍ବାସର ସ୍ରୋତର ସନ୍ଧାନ କରିବାକୁ ହେବ। କାରଣ ଲଙ୍ଗରହୀନ ଜାହାଜ ଭଳି ଭାସି ବୁଲୁଥିବା ପୃଥିବୀ ଲାଗି ବିଶ୍ବାସର ବନ୍ଧ ହିଁ ହେଉଛି ଏକମାତ୍ର ପୋତାଶ୍ରୟ। ଆମେରିକା ବିଶ୍ବାସର ଏହି ବନ୍ଦନୀରୁ ନିଜକୁ ବାହାର କରି ସାରିଛି।
Follow Us