‘ଆର୍ଆଣ୍ଡ୍ଡି’ରେ ଚୀନ୍ ବର୍ତ୍ତମାନ ପ୍ରାୟ ଆମେରିକାର ସମକକ୍ଷ ହୋଇଗଲାଣି ଏବଂ ସେ ଏ ବାବଦରେ ପୃଥିବୀର ପ୍ରଥମ ଦଶଟି ଦେଶ ମଧ୍ୟରୁ ଗୋଟିଏ ହୋଇ ସାରିଥିବାବେଳେ ଭାରତର ସ୍ଥାନ ହେଉଛି ୩୮ତମ। ଗତ ବଜେଟ୍ରେ ଏକ ଲକ୍ଷ କୋଟି ଟଙ୍କାର ‘ଅନୁସନ୍ଧାନ ରିସର୍ଚ୍ଚ ଫାଉଣ୍ଡେସନ୍’ ସ୍ଥାପନ ଘୋଷିତ ହୋଇଥିଲେ ହେଁ ଭାରତୀୟ କଂପାନିମାନେ ତାହାର ଉପଯୋଗ କରିବାକୁ ଏ ପର୍ଯ୍ୟନ୍ତ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ସେମାନେ ଦୀର୍ଘକାଳୀନ ଧାରଣକ୍ଷମ ଲାଭ ଅପେକ୍ଷା ସ୍ବଳ୍ପକାଳୀନ ଲାଭ ପଛରେ ଧାଇଁବାକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି।
PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି
ଅର୍ଥନୈତିକ ଐତିହାସିକମାନେ ପୃଥିବୀ ପୃଷ୍ଠରେ ମାନବ ସମାଜ ହାସଲ କରି ଚାଲିଥିବା ଅର୍ଥନୈତିକ ସମୃଦ୍ଧିର ଇତିହାସକୁ ମୋଟାମୋଟି ଭାବରେ ଦୁଇ ଭାଗରେ ବିଭକ୍ତ କରିଥାନ୍ତି: ୧୮୭୦ ପୂର୍ବବର୍ତ୍ତୀ କାଳ ଓ ୧୮୭୦ ପରବର୍ତ୍ତୀ କାଳ। ୧୮୭୦ ପୂର୍ବରୁ ଉଦ୍ଭାବନ ଓ ନବପ୍ରବର୍ତ୍ତନ (ଇନୋଭେସନ୍) ବ୍ୟକ୍ତିବିଶେଷଙ୍କ ଏକାକୀ ଉଦ୍ୟମ ଉପରେ ନିର୍ଭରଶୀଳ ଥିଲା। ମୁଦ୍ରଣ ଯନ୍ତ୍ରରୁ ପବନ କଳ ପର୍ଯ୍ୟନ୍ତ, ମସ୍କେଟ୍ ବନ୍ଧୁକରୁ ଦୂରଗାମୀ କାରାଭେଲ୍ ପୋତ ପର୍ଯ୍ୟନ୍ତ, ବାଷ୍ପୀୟ ଇଞ୍ଜିନ୍ରୁ ଓଜନଦାର ଲଙ୍ଗଳ ପର୍ଯ୍ୟନ୍ତ ଏଇଭଳି ଏକଲା ଉଦ୍ୟମର ଚମକପ୍ରଦ ଫଳ ରୂପେ ଆବିର୍ଭୂତ ହୋଇଥିଲେ ହେଁ ଏବଂ ଏଗୁଡ଼ିକର ଉପଯୋଗ ଦ୍ବାରା ସୀମିତ ଓ ସାମୟିକ ଅଭିବୃଦ୍ଧି ସାଧିତ ହେବା ଦେଖାଯାଇଥିଲେ ହେଁ, ୧୮୭୦ ପୂର୍ବରୁ ଏହା ଦ୍ବାରା ଏକ ଦ୍ରୁତ ତଥା ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି ହାସଲ ସମ୍ଭବ ହୋଇପାରି ନ ଥିଲା, ଯାହା ଏହାର ପରବର୍ତ୍ତୀ ସମୟ କାଳରେ ଘଟିଚାଲିଛି ଓ ଯାହା ଆମେମାନେ ଅଙ୍ଗେ ନିଭାଇ ଚାଲିଛୁ।
ଏହା ମଧ୍ୟ ଆମକୁ ସ୍ବୀକାର କରିବାକୁ ହେବ େଯ ଏଇ ଅଣନିଃଶ୍ବାସୀ ଅଭିବୃଦ୍ଧି ପ୍ରଥମେ ଉତ୍ତର ଆଟ୍ଲାଣ୍ଟିକ୍ ଅଞ୍ଚଳର ଦେଶମାନଙ୍କରେ ଦେଖାଦେଇ ପରେ କ୍ରମେ ପୃଥିବୀର ଅନ୍ୟ ଅଞ୍ଚଳମାନଙ୍କୁ ପ୍ରବାହିତ ହେବାରେ ଲାଗିଛି। ପ୍ରଶ୍ନ ଉଠେ, ଏପରି କାହିଁକି ହେଲା? ଏହାର ଉତ୍ତର ହେଉଛି ୧୮୭୦ ପରେ ଉତ୍ତର ଆଟ୍ଲାଣ୍ଟିକ୍ ଦେଶମାନଙ୍କରେ ଏକ ସଂପୂର୍ଣ୍ଣ ନୂତନ କିସମର ଉଦ୍ଭାବନର ଆବିର୍ଭାବ ଘଟି ଏଭଳି ଅଭୂତପୂର୍ବ ଅଭିବୃଦ୍ଧିକୁ ସମ୍ଭବ କରାଇଲା। ଏଇ ଉଦ୍ଭାବନ ହେଉଛି- ‘ଉଦ୍ଭାବନ’ର ଉଦ୍ଭାବନ। ସେମାନେ ଶୈଳ୍ପିକ ଗବେଷଣାଗାର (ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଲ୍ୟାବ୍)ର ଉଦ୍ଭାବନ କଲେ ଏବଂ ସେଥି ସହିତ ବୃହତ୍ କର୍ପୋରେସନ୍ ଗଠନ ପଦ୍ଧତି ମଧ୍ୟ ଆବିଷ୍କାର କଲେ। ଅର୍ଥାତ୍, ଉଦ୍ଭାବନ ଓ ନବପ୍ରବର୍ତ୍ତନ ଆଉ କାହାର ବ୍ୟକ୍ତିଗତ ବିଚକ୍ଷଣତା ଓ ଉଦ୍ୟମ ଉପରେ ନିର୍ଭରଶୀଳ ନ ହୋଇ ବୃହତ୍ ଶିଳ୍ପାନୁଷ୍ଠାନମାନଙ୍କର ବିଧିବଦ୍ଧ କାର୍ଯ୍ୟର ଅଂଶରେ ପରିଣତ ହୋଇଗଲା। ଏହା ପରଠାରୁ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଲ୍ୟାବ୍ମାନଙ୍କରେ ଯାହା ଯେତେବେଳେ ଉଦ୍ଭାବିତ ହେଲା, ତାହା ଅବିଳମ୍ବେ ଜାତୀୟ ସ୍ତରରେ କିମ୍ବା ମହାଦେଶୀୟ ସ୍ତରରେ ପ୍ରସାରିତ ହେବାକୁ ଲାଗିଲା। ଏହା ପରଠାରୁ ଅର୍ଥନୈତିକ ଅଭିବୃଦ୍ଧିର ଅଗ୍ରଗତି ଓ ପ୍ରସାର ଅପ୍ରତିହତ ହୋଇଛି କହିଲେ ଅତିରଞ୍ଜନ ହେବ ନାହିଁ।
ପୃଥିବୀରେ ଅର୍ଥନୈତିକ ଅଭିବୃଦ୍ଧିର ଏହି ଇତିହାସ ଆମକୁ ଯେଉଁ ଶିକ୍ଷା ଦେଇଥାଏ, ତାହା ହେଲା, ଆମେ ଯଦି ଦ୍ରୁତ ତଥା ଧାରଣକ୍ଷମ ଅଭିବୃଦ୍ଧି ହାସଲ କରି ଅନତି ବିଳମ୍ବେ ଏକ ବିକଶିତ ଦେଶରେ ପରିଣତ ହେବାକୁ ଚାହୁଁ, ତା’ ହେଲେ ଆମକୁ ଗବେଷଣା ଓ ନବପ୍ରବର୍ତ୍ତନ ଉପରେ ସେଇଭଳି ଧ୍ୟାନ ଦେବାକୁ ପଡ଼ିବ ଯେଉଁଭଳି ପୃଥିବୀର ଉପରୋକ୍ତ ସମୃଦ୍ଧ ଅଞ୍ଚଳରେ ଦିଆଯିବାରେ ଲାଗିଛି ଓ ନିକଟ ଅତୀତରେ ଯେଉଁ ନୀତି ଅନୁସରଣ କରି ଚୀନ୍ ଚମକପ୍ରଦ ଅଭିବୃଦ୍ଧି ହାସଲ କରିବାରେ ସମର୍ଥ ହୋଇଛି। ଏହା ତେଣୁ ଆମ ପାଇଁ ସନ୍ତୋଷଜନକ ମନେ ହୋଇଥାଏ ଯେ ଭାରତ ସରକାର ବାରମ୍ବାର ଘୋଷଣା କରିବା ଦେଖାଯାଇଛି ଯେ ଗବେଷଣା ଓ ବିକାଶ (ରିସର୍ଚ୍ଚ ଆଣ୍ଡ୍ ଡେଭେଲପ୍ମେଣ୍ଟ) ହେଉଛି ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରିଣତ ହେବା ନିମିତ୍ତ ସ୍ଥାପନ କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମର କେନ୍ଦ୍ର ସ୍ଥଳରେ ରହିଥିବା କୌଶଳ।
Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ
ସରକାର ଏହାକୁ ପ୍ରମାଣିତ କରିବା ପାଇଁ ପ୍ରାୟ ଦୁଇ ମାସ ତଳେ ଏକ ପ୍ରେସ୍ ନୋଟ୍ ଜାରି କରିଥିଲେ, େଯଉଁଥିରେ ଦର୍ଶାଯାଇଥିଲା ଯେ ୨୦୧୦-୧୧ରୁ ୨୦୨୧-୨୨ ମଧ୍ୟରେ ସରକାର ‘ରିସର୍ଚ୍ଚ ଆଣ୍ଡ୍ ଡେଭେଲପ୍ମେଣ୍ଟ’ (‘ଆର୍ଆଣ୍ଡ୍ଡି’) ବାବଦରେ କରୁଥିବା ବାର୍ଷିକ ବ୍ୟୟ ୬୦,୧୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ହୋଇଛି ୧.୨୭ ଲକ୍ଷ କୋଟି ଟଙ୍କା- ଅର୍ଥାତ୍ ଦ୍ବିଗୁଣିତ ହୋଇସାରିଛି। ଏହା ସ୍ବାଗତଯୋଗ୍ୟ ହୋଇଥିଲେ ହେଁ ଭାରତ ତା’ର ଦ୍ରୁତ ଅଭିବୃଦ୍ଧି ହାସଲ ଅଭିଯାନରେ ପ୍ରବିଧି (ଟେକ୍ନୋଲୋଜି)ର ବିକାଶ ଓ ପ୍ରୟୋଗକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବାବେଳେ, ଦଶ ବର୍ଷ ମଧ୍ୟରେ ‘ଆର୍ଆଣ୍ଡ୍ଡି’ ବ୍ୟୟ ମାତ୍ର ଦ୍ବିଗୁଣିତ ହେବା ପ୍ରଗତି ନୁହେଁ ବରଂ ସ୍ଥାଣୁତାର ସୂଚନା ବହନ କରିଥାଏ। କାରଣ, ଯଦି ଏଇ ଦଶ ବର୍ଷ ମଧ୍ୟରେ ଘଟିଥିବା ଦରଦାମ ବୃଦ୍ଧି ବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ଟଙ୍କାର ବାସ୍ତବ କ୍ରୟ ଶକ୍ତିକୁ ଆକଳନ କରାଯାଏ, ତେବେ ସାବ୍ୟସ୍ତ ହେବ ଯେ ସରକାରଙ୍କର ଏ ବାବଦରେ ହେଉଥିବା ବ୍ୟୟରେ ପ୍ରାୟ ଆଦୌ ବୃଦ୍ଧି ଘଟିନାହିଁ କହିଲେ ଚଳେ। ଆମ ପାଇଁ ଏହା ଯେଉଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ଏହା ଯେ ଆମ ଦେଶରେ ହେଉଥିବା ମୋଟ ‘ଆର୍ଆଣ୍ଡ୍ଡି’ ବ୍ୟୟର ପ୍ରାୟ ଦୁଇ-ତୃତୀୟାଂଶ ଘଟିଥାଏ ସରକାରୀ କ୍ଷେତ୍ରରେ। ଭାରତର କର୍ପୋରେଟ୍ କ୍ଷେତ୍ର ଏ ପର୍ଯ୍ୟନ୍ତ ଏ ବାବଦରେ ଯଥେଷ୍ଟ ପୁଞ୍ଜି ନିବେଶ କରିବାକୁ ଚିନ୍ତାଜନକ ଭାବରେ କୁଣ୍ଠା ପ୍ରଦର୍ଶନ କରିଆସିଛି। ମନେ ରଖିବା କଥା ‘ଆର୍ଆଣ୍ଡ୍ଡି’ରେ ଯଦି ଆବଶ୍ୟକ ସମ୍ବଳ ବିନିଯୋଗ କରା ନ ଯାଏ ତେବେ ବ୍ୟାବସାୟିକ ଲାଭ କେବେହେଲେ ଦୀର୍ଘକାଳୀନ ହୋଇପାରିବ ନାହିଁ।
ଭାରତ କିନ୍ତୁ ଏ କ୍ଷେତ୍ରରେ କିପରି ଶୋଚନୀୟ ଭାବରେ ପଛରେ ପଡ଼ିଛି, ତାହା ଆମର ପଡ଼ୋଶୀ ତଥା ପ୍ରତିଦ୍ବନ୍ଦ୍ବୀ ଚୀନ୍ର ଚିତ୍ର ଉପରେ ଆଖି ପକାଇଲେ ସ୍ପଷ୍ଟ ହୋଇଥାଏ। କେବଳ ୨୦୨୪ରେ ଚୀନ୍ ‘ଆର୍ଆଣ୍ଡ୍ଡି’ ବାବଦରେ ଖର୍ଚ୍ଚ କରିଥିଲା ମୋଟ ୫୦୦ ବିଲିଅନ୍ ଡଲାର୍ରୁ ଅଧିକ, ଯାହା ଭାରତୀୟ ମୁଦ୍ରା ଆକାରରେ ହେଉଛି ପ୍ରାୟ ୪୫ ଲକ୍ଷ କୋଟି ଟଙ୍କା। ଯଦି ଅନୁମାନ କରାଯାଉଥିବା ଭଳି ୨୦୨୫ରେ ଭାରତ ‘ଆର୍ଆଣ୍ଡ୍ଡି’ରେ ମୋଟ ୧.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥାଏ, ତାହା ହେବ ଚୀନ୍ କରିଥିବା ଉପରୋକ୍ତ ଖର୍ଚ୍ଚର କେବଳ ମାତ୍ର ଚାରି ଶତାଂଶ। ଯଦି ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’)ର ଅଂଶ ରୂପେ ଦେଖାଯାଏ, ତେବେ ଚୀନ୍ କରିଥିବା ବ୍ୟୟ ତା’ର ‘ଜିଡିପି’ର ୨.୭ ଶତାଂଶ ହୋଇଥିବାବେଳେ, ଭାରତ ପାଇଁ ତାହା ହେଉଛି ୦.୬ ଶତାଂଶ ମାତ୍ର। କ୍ଷୁଦ୍ର କିନ୍ତୁ ଏକ ପ୍ରାବିଧିକ ମହାଶକ୍ତି ରୂପେ ପରିଚିତ ଇସ୍ରାଏଲ୍ ପାଇଁ ଏଇ ଅନୁପାତ ୫.୪ ଶତାଂଶ ହୋଇଥିବାବେଳେ, ବିକାଶୋନ୍ମୁଖୀ ଦକ୍ଷିଣ ଆଫ୍ରିକା ପାଇଁ ଏହା ହେଉଛି ପ୍ରାୟ ୫ ଶତାଂଶ।
ଉଲ୍ଲେଖଯୋଗ୍ୟ ଯେ ‘ଆର୍ଆଣ୍ଡ୍ଡି’ରେ ଚୀନ୍ ବର୍ତ୍ତମାନ ପ୍ରାୟ ଆମେରିକାର ସମକକ୍ଷ ହୋଇଗଲାଣି ଏବଂ ସେ ଏ ବାବଦରେ ପୃଥିବୀର ପ୍ରଥମ ଦଶଟି ଦେଶ ମଧ୍ୟରୁ ଗୋଟିଏ ହୋଇ ସାରିଥିବାବେଳେ ଭାରତର ସ୍ଥାନ ହେଉଛି ୩୮ତମ। ଗତ ବଜେଟ୍ରେ ଏକ ଲକ୍ଷ କୋଟି ଟଙ୍କାର ‘ଅନୁସନ୍ଧାନ ରିସର୍ଚ୍ଚ ଫାଉଣ୍ଡେସନ୍’ ସ୍ଥାପନ ଘୋଷିତ ହୋଇଥିଲେ ହେଁ ଭାରତୀୟ କଂପାନିମାନେ ତାହାର ଉପଯୋଗ କରିବାକୁ ଏ ପର୍ଯ୍ୟନ୍ତ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ସେମାନେ ଦୀର୍ଘକାଳୀନ ଧାରଣକ୍ଷମ ଲାଭ ଅପେକ୍ଷା ସ୍ବଳ୍ପକାଳୀନ ଲାଭ ପଛରେ ଧାଇଁବାକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି।
ଯାହା ହେଉଛି ବିଶେଷ ଅନୁଶୋଚନାର କଥା, ଭାରତରେ ବିଚକ୍ଷଣ ବୁଦ୍ଧିମାନ ମାନବ ସମ୍ବଳ ଯଥେଷ୍ଟ ପରିମାଣରେ ଉପଲବ୍ଧ ଥିଲେ ମଧ୍ୟ ତାହାର ସଦୁପଯୋଗ କରିବା ପାଇଁ ଉଦ୍ଭାବନର ଉଦ୍ଭାବନ ଉପରେ କେହି ଆବଶ୍ୟକ ଗୁରୁତ୍ବ ଦେଉନାହାନ୍ତି। ଏଭଳି ମାରାତ୍ମକ ସ୍ଥାଣୁତ୍ବରେ ତୁରନ୍ତ ଅନ୍ତ ଘଟିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)