editorial: ବାଲି ବନ୍ଧ

ଅଭିବୃଦ୍ଧି ହାର ଉଚ୍ଚ ହେବା ସହିତ ମୁଦ୍ରାସ୍ଫୀତି ହାର ଅତ୍ୟନ୍ତ ନୀଚା ହୋଇ ଚାଲିଥିବାରୁ ଏଥର ତାହାର ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍‌ପିସି’) ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ସହିତ....

samp1

ଅଭିବୃଦ୍ଧି ହାର ଉଚ୍ଚ ହେବା ସହିତ ମୁଦ୍ରାସ୍ଫୀତି ହାର ଅତ୍ୟନ୍ତ ନୀଚା ହୋଇ ଚାଲିଥିବାରୁ ଏଥର ତାହାର ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍‌ପିସି’) ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ସହିତ ବ୍ୟାଙ୍କ୍‌ମାନଙ୍କ ପାଇଁ ଲାଗୁ ହେଉଥିବା ନଗଦ ମହଜୁଦ ଅନୁପାତ (‘ସିଆର୍‌ଆର୍’)ରେ ମଧ୍ୟ ହ୍ରାସ ଘଟାଇବାର ଦୃଢ଼ ସମ୍ଭାବନା ଥିବାର ଜଣାପଡୁଛି। ଏହା ଘରୋଇ କ୍ଷେତ୍ରରେ ଋଣ ଓ ନିବେଶରେ ବୃଦ୍ଧି ଘଟାଇ ଅର୍ଥନୀତିର ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବ।

ମାଡ଼ି ଆସୁଥିବା ଜୁଆରକୁ ଯେ ବାଲି ବନ୍ଧ ଛିଡ଼ାକରି ଅଟକାଇ ହୁଏ ନାହିଁ, ଭାରତୀୟ ଅର୍ଥନୀତି ଏବେ ତାହା ପ୍ରମାଣିତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ବିରୁଦ୍ଧରେ ସର୍ବୋଚ୍ଚ ୫୦ ପ୍ରତିଶତ ହାରରେ ଟାରିଫ୍ ଲାଗୁ କରିବାର ଉଦ୍ଦେଶ୍ୟ ଥିଲା ଏହା ଦ୍ବାରା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଧରାଶାୟୀ କରି ଭାରତକୁ ତାଙ୍କ ପାଖରେ ନତମସ୍ତକ ହେବାକୁ ବାଧ୍ୟ କରିବା। କିନ୍ତୁ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିର ଅଭିବୃଦ୍ଧି ଜୁଆର ସମ୍ମୁଖରେ ଟ୍ରମ୍ପ ବାନ୍ଧିଥିବା ଟାରିଫ୍ ବନ୍ଧର ଦଶା ଯେ ବାଲି ବନ୍ଧର ଦଶା ଭଳି ହୋଇଛି, ଜୁଲାଇ-ସେପ୍‌ଟେମ୍ବର ଚଉଠରେ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଦେଖିଲେ ଖୋଦ୍ ଟ୍ରମ୍ପ ମଧ୍ୟ ତାହା ସ୍ବୀକାର କରିବାକୁ ବାଧ୍ୟ ହେବେ।

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ଗତ ଶୁକ୍ରବାର ପ୍ରକାଶିତ ସୂଚନା ଅନୁସାରେ ଚଳିତ ବିତ୍ତ ବର୍ଷର ଏଇ ଦ୍ବିତୀୟ ଚଉଠରେ ଭାରତୀୟ ଅର୍ଥନୀତି ସମସ୍ତ ବିଶେଷଜ୍ଞମାନଙ୍କର ପୂର୍ବାନୁମାନକୁ ପଛରେ ପକାଇ ଏକ ସୁଉଚ୍ଚ ୮.୨ ଶତାଂଶ ବାର୍ଷିକ ହାରରେ ଅଭିବୃଦ୍ଧି ହାସଲ କରିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଟ୍ରମ୍ପ ଟାରିଫ୍ ଲାଗୁ କରିବା ପୂର୍ବରୁ ଗତ ବର୍ଷ ଏଇ ଜୁଲାଇ-ସେପ୍‌ଟେମ୍ବର ଚଉଠରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଅଭିବୃଦ୍ଧି ହାର ଥିଲା ଏହାଠାରୁ ବେଶ୍ କମ୍, ୫.୬ ଶତାଂଶ। ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠ (ଏପ୍ରିଲ-ଜୁନ୍)ରେ ଅଭିବୃଦ୍ଧି ହାର ହୋଇଥିଲା ଏହାଠାରୁ ସାମାନ୍ୟ କମ୍, ୭.୮ ଶତାଂଶ। ଗତ ଫେବ୍ରୁଆରିରେ ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣରେ ସମଗ୍ର ବିତ୍ତ ବର୍ଷ ପାଇଁ ବାସ୍ତବ ଅଭିବୃଦ୍ଧି ହାର ୬.୩-୬.୮ ଶତାଂଶ ମଧ୍ୟରେ ସୀମିତ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏବେ ବିତ୍ତ ବର୍ଷର ପ୍ରଥମ ଦୁଇ ଚଉଠ, ଅର୍ଥାତ୍ ପ୍ରଥମାର୍ଦ୍ଧରେ ହାସଲ ହୋଇଥିବା ଉଚ୍ଚ ଅଭିବୃଦ୍ଧି ହାରକୁ ଦେଖି ଅର୍ଥନୀତିଜ୍ଞମାନେ ଦୃଢ଼ ଆଶା ପ୍ରକାଶ କରୁଛନ୍ତି ଯେ ଚଳିତ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ଅନ୍ୟୂନ ୭ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି।

Winter Session: ବିଧାନସଭାରେ ଉଠିଲା ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ପ୍ରସଙ୍ଗ

‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାର ଏଭଳି ଉଚ୍ଚ ହେବା ପଛରେ ଦୁଇ ଶ୍ରେଣୀର କାରଣ ନିହିତ ଅଛି: ଉତ୍ପାଦନଜନିତ ଓ ପରିସଂଖ୍ୟାନଜନିତ। ପ୍ରଥମ ଅନୁସାରେ ଦେଶରେ ଏଇ ସମୟ କାଳରେ ମାନୁଫାକ୍‌ଚରିଙ୍ଗ, ବିତ୍ତୀୟ ସେବା ଓ ଉପଭୋଗ ଆଦିରେ ଦ୍ରୁତ ବେଗରେ ବୃଦ୍ଧି ଘଟିବାରେ ଲାଗିଥିବା ବେଳେ, ଦ୍ବିତୀୟ ଅନୁସାରେ ନୀଚା ଭିତ୍ତି (‘ଲୋ ବେସ୍’) ଓ ନୀଚା ମୁଦ୍ରାସ୍ଫୀତି ଯୋଗୁଁ ଏହି ବାସ୍ତବ ଅଭିବୃଦ୍ଧି ହାର ଉଚ୍ଚ ପ୍ରତୀୟମାନ ହୋଇଛି। ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ମାନୁଫାକ୍‌ଚରିଙ୍ଗରେ ୯.୧ ଶତାଂଶ ବୃଦ୍ଧି ଘଟିଛି, ଯାହା ପୂର୍ବ ଚଉଠରେ ହାସଲ ହୋଇଥିବା ୭.୭ ଶତାଂଶ ବୃଦ୍ଧି ହାର ତୁଳନାରେ ଯଥେଷ୍ଟ ଅଧିକ। ଅବଶ୍ୟ ଏଥିରେ ପାର୍ବଣ ସମୟର ଏକ ବିଶେଷ ଅବଦାନ ନିହିତ ଅଛି। ମାନୁଫାକ୍‌ଚରିଙ୍ଗରେ ଶକ୍ତିଶାଳୀ ଅଭିବୃଦ୍ଧି ସହିତ ବିଜୁଳି, ଗ୍ୟାସ୍ ଓ ଅନ୍ୟାନ୍ୟ ଦରକାରୀ ସେବାମାନଙ୍କରେ ଘଟିଥିବା ବୃଦ୍ଧିର ପ୍ରଭାବରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୭.୨ ଶତାଂଶ ହୋଇଛି। ସେବା କ୍ଷେତ୍ରରେ ମଧ୍ୟ ଏଇ ସମୟରେ ଅଭିବୃଦ୍ଧି ହାର ଏକ ଉଚ୍ଚ ୯.୨ ଶତାଂଶ ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୧ ଶତାଂଶ ହୋଇଥିଲେ ହେଁ ଅନୁକୂଳ ମୌସୁମୀ ତଥା କର୍ଷଣ ଅଞ୍ଚଳରେ ହୋଇଥିବା ବୃଦ୍ଧି ଯୋଗୁଁ ଏ ବାବଦରେ ଅନ୍ତିମ ପରିସଂଖ୍ୟାନ ଏହାଠାରୁ ଅଧିକ ହେବାର ଦୃଢ଼ ସମ୍ଭାବନା ରହିଛି। ଗ୍ରାମାଞ୍ଚଳ ଚାହିଦାରେ ବୃଦ୍ଧି ଏବଂ ଖାଦ୍ୟ ଦ୍ରବ୍ୟ ଦରଦାମରେ ହ୍ରାସ କୃଷିରେ ଅଭିବୃଦ୍ଧିର ସୂଚକ ହୋଇଥାନ୍ତି।
୨୦୨୫ ବିତ୍ତ ବର୍ଷର ଦ୍ବିତୀୟ ଚଉଠ ଓ ୨୦୨୬ ବିତ୍ତ ବର୍ଷର ଦ୍ବିତୀୟ ଚଉଠ ମଧ୍ୟରେ ଦେଶରେ ପୁଞ୍ଜି ନିବେଶ ହାରରେ ୩୫.୨ ଶତାଂଶରୁ ୩୪.୮ ଶତାଂଶକୁ ଏକ ସାମାନ୍ୟ ସ୍ଖଳନ ଘଟିଥିଲେ ହେଁ, ମାନୁଫାକ୍‌ଚରିଙ୍ଗରେ ଘଟିଥିବା ଉପରେ ସୂଚିତ ବୃଦ୍ଧି ନିଶ୍ଚିତ ରୂପେ ଉପସ୍ଥିତ ଉତ୍ପାଦନ କ୍ଷମତାର ଅଧିକ ଉପଯୋଗ ଘଟିବା ସୂଚାଇଥାଏ। ସାଧାରଣତଃ ଏକ ଅର୍ଥନୀତି ଯେତେବେଳେ ଏଭଳି ଚମକପ୍ରଦ ଅଭିବୃଦ୍ଧି ପ୍ରଦର୍ଶନ କରିଥାଏ, ସେତେବେଳେ ଘରୋଇ କ୍ଷେତ୍ରରେ ଋଣ ଓ ନିବେଶରେ ଘଟିଥିବା ବୃଦ୍ଧି ଏହାକୁ ଇନ୍ଧନ ଯୋଗାଇଥାଏ। କିନ୍ତୁ ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଭାରତର ଘରୋଇ କ୍ଷେତ୍ରରେ ସେଭଳି ଉଲ୍ଲେଖନୀୟ ଋଣ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇନାହିଁ। ଏଇ ଶୂନ୍ୟ ସ୍ଥାନକୁ ଯାହା ପୂରଣ କରିଛି, ତାହା ହେଉଛି କେନ୍ଦ୍ର ସରକାରୀ ପୁଞ୍ଜି ବ୍ୟୟରେ ଘଟିଥିବା ବୃଦ୍ଧି ଏବଂ ରାଜ୍ୟ ସରକାରମାନେ ବିନା ସୁଧରେ କେନ୍ଦ୍ର ସରକାରଙ୍କ ଠାରୁ ଋଣ କରିବା ନିମିତ୍ତ ସେମାନଙ୍କ ପ୍ରତି ଲାଗୁ ହେଉଥିବା ସର୍ତ୍ତକୁ କୋହଳ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ। ଏହା ଦ୍ବାରା ରାଜ୍ୟ ସରକାରମାନଙ୍କର ବ୍ୟୟରେ ବୃଦ୍ଧି ଘଟି ଅର୍ଥନୀତିରେ ବିଶାଳ କ୍ରୟ ଶକ୍ତି ମଧ୍ୟ ପ୍ରବେଶ କରିଛି।
ଏହା ମଧ୍ୟ ସୂଚନାଯୋଗ୍ୟ ଯେ ବିତ୍ତ ବର୍ଷର ପ୍ରଥମାର୍ଦ୍ଧର ଶେଷ ଆଡ଼କୁ ଦେଶରେ ‘ଜିଏସ୍‌ଟି’ରେ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ଯୋଗୁଁ ବଜାରରେ ଅନେକ ଦ୍ରବ୍ୟ ଓ ସେବାମାନଙ୍କର ଦରରେ ହ୍ରାସ ଘଟିବା ଯୋଗୁଁ ସାମଗ୍ରିକ ଚାହିଦାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦେଖାଯାଇଥିଲା। ଚାହିଦାରେ ଏହି ବୃଦ୍ଧି ସହିତ ଖାପ ଖାଇବା ନିମିତ୍ତ ଉଦ୍ୟୋଗମାନେ ନିଜର ଉତ୍ପାଦନ କ୍ଷମତାର ପୂର୍ଣ୍ଣ ଉପଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ଆନ୍ତର୍ଜାତିକ ଅର୍ଥନୀତି ସମ୍ବନ୍ଧରେ ପ୍ରତ୍ୟେକ ଆମେରିକୀୟ ଭଳି ଟ୍ରମ୍ପ ମଧ୍ୟ ନିଜର ସୀମିତ ଧାରଣା ଯୋଗୁଁ ଜାଣି ନ ଥିଲେ ଯେ ଅନ୍ୟ ଦେଶମାନଙ୍କର ଅର୍ଥନୀତି ଭଳି (ଯେମିତି ଜାପାନ୍ କିମ୍ବା ଦକ୍ଷିଣ କୋରିଆ କିମ୍ବା ଭିଏତ୍‌ନାମ) ଭାରତୀୟ ଅର୍ଥନୀତି ରପ୍ତାନି ଉପରେ ନିର୍ଭରଶୀଳ ହୋଇ ନ ଥାଏ; ନିଜ ଦେଶର ଆଭ୍ୟନ୍ତରୀଣ ଚାହିଦା ହିଁ ଏହାକୁ ସମ୍ଭାଳି ରଖିଥାଏ। ଟ୍ରମ୍ପଙ୍କର ବହିଃଶତ୍ରୁ ରୂପକ ଟାରିଫ୍ ଆକ୍ରମଣ ଭାରତୀୟଙ୍କର ସେଇ ଆତ୍ମନିର୍ଭରତା ପ୍ରବୃତ୍ତିକୁ ଅଧିକ ପ୍ରଜ୍ବଳିତ କରିବା ନିମିତ୍ତ ଇନ୍ଧନ ରୂପେ କାର୍ଯ୍ୟ କରି ଭାରତୀୟ ଅର୍ଥନୀତିର ଏହି ଅନ୍ତର୍ନିହିତ ଶକ୍ତିକୁ ଯେଉଁଭଳି ଜାଗୃତ କରିଛି, ତାହାର ପ୍ରମାଣ ବହନ କରିଥାଏ ବର୍ତ୍ତମାନ ପ୍ରକାଶ ପାଇଥିବା ଦ୍ବିତୀୟ ଚଉଠର ଅଭିବୃଦ୍ଧି ହାର, ଯାହା ବିତ୍ତ ବର୍ଷର ପ୍ରଥମାର୍ଦ୍ଧର ଅଭିବୃଦ୍ଧିକୁ ଈର୍ଷଣୀୟ କରି ତୋଳିଥାଏ।
ଏଥିସହିତ ବିତ୍ତ ବର୍ଷର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଅଭିବୃଦ୍ଧି ଏଇଭଳି ଉତ୍ସାହଜନକ ହେବାର ଦୃଢ଼ ସମ୍ଭାବନା ଦେଖିବାକୁ ମିଳୁଛି। ଅକ୍‌ଟୋବର ପାଇଁ ଯେତେବେଳେ ତଥ୍ୟ ପ୍ରକାଶ ପାଇବ, ସେଥିରେ ମଧ୍ୟ ‘ଜିଏସ୍‌ଟି’ ହ୍ରାସର ଦୃଢ଼ ପ୍ରଭାବ ପରିଲକ୍ଷିତ ହେବା ନିଶ୍ଚିତ; ଯାହା ପରବର୍ତ୍ତୀ ଦୁଇ ତିନି ଚଉଠ ଧରି ଅନୁଭୂତ ହେବା ଆଶା କରାଯାଏ। ସରକାରୀ ପୁଞ୍ଜି ବ୍ୟୟ ଅବ୍ୟାହତ ରହିବା ଦ୍ବାରା ଘରୋଇ ନିବେଶ ପ୍ରୋତ୍ସାହିତ ହେବ। ଅଭିବୃଦ୍ଧି ହାର ଉଚ୍ଚ ହେବା ସହିତ ମୁଦ୍ରାସ୍ଫୀତି ହାର ଅତ୍ୟନ୍ତ ନୀଚା ହୋଇ ଚାଲିଥିବାରୁ ଏଥର ତାହାର ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍‌ପିସି’) ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ସହିତ ବ୍ୟାଙ୍କ୍‌ମାନଙ୍କ ପାଇଁ ଲାଗୁ ହେଉଥିବା ନଗଦ ମହଜୁଦ ଅନୁପାତ (‘ସିଆର୍‌ଆର୍’)ରେ ମଧ୍ୟ ହ୍ରାସ ଘଟାଇବାର ଦୃଢ଼ ସମ୍ଭାବନା ଥିବାର ଜଣାପଡୁଛି। ଏହା ଘରୋଇ କ୍ଷେତ୍ରରେ ଋଣ ଓ ନିବେଶରେ ବୃଦ୍ଧି ଘଟାଇ ଅର୍ଥନୀତିର ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବ। ଇତିମଧ୍ୟରେ ଆମେରିକା ସହିତ ଚାଲିଥିବା କଥାବାର୍ତ୍ତା ସଂପୂର୍ଣ୍ଣ ହୋଇ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବାର ମଧ୍ୟ ଦୃଢ଼ ସମ୍ଭାବନା ରହିଛି। ତାହା ହେଲେ ଟ୍ରମ୍ପ ତାଙ୍କର ଟାରିଫ୍‌ରେ ହ୍ରାସ ଘଟାଇବାକୁ ବାଧ୍ୟ ହେବେ ଓ ମାଡ଼ି ଚାଲିଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଜୁଆରକୁ ଅସହାୟ ଭାବରେ ଚାହିଁ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe