ଏଭଳି ଘଟଣାରୁ ମିଳିଥିବା ଏକ ଗୂଢ଼ ସନ୍ଦେଶ ହେଲା ‘ଲାଡଲୀ ବେହନା’ ଭଳି ଯୋଜନାର ଥୋପ ଗିଳାଇ ଆମମାନଙ୍କ ଠାରୁ ଭୋଟ ହାତେଇ ନେଇ ପାରୁଥିବା ଜନ ପ୍ରତିନିଧିମାନେ ଆମ ସହିତ ସମଦୁଃଖୀ ହେବାର ଆବଶ୍ୟକତା ମଧ୍ୟ ଅନୁଭବ କରି ନ ଥାଆନ୍ତି। ଏଭଳି ଆଭିମୁଖ୍ୟ ହେତୁ ଇ‌େନ୍ଦାର ଭଳି ଏକ ସ୍ବଚ୍ଛ ସହର ଅସ୍ବଚ୍ଛ ବୋଲି କୁଖ୍ୟାତି ସହେ।

Advertisment

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦୂଷିତ ଟ୍ୟାପ୍‌ ପାଣି ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହିତ ସହସ୍ରାଧିକ ଇନ୍ଦୋରବାସୀ ସହରର ବିଭିନ୍ନ ହାସପାତାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଭଳି ବିଷୟ ରାଷ୍ଟ୍ର ବ୍ୟାପୀ ଆଲୋଡ଼ନ ଏବଂ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହାର କାରଣ, ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ଅତିକ୍ରମ କରି ସାରିଥିବା ଓ ୨୦୪୭ ମସିହା ସୁଦ୍ଧା ସଂପୂର୍ଣ୍ଣ ବିକଶିତ ହେବାର ସ୍ବପ୍ନ ଦେଖୁଥିବା ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିର ଏହି ଦେଶର ଏକ ଅଗ୍ରଣୀ ସହରରେ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ଜଳ ମୃତ୍ୟୁର ବାହକ ହୋଇଛି; ପୁଣି ସେହି ସହର ଯାହା କ୍ରମାଗତ ଭାବେ ଆଠ ବର୍ଷ ଧରି ଦେଶର ସର୍ବାଧିକ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି। ଏବଂ ତା’ ଠାରୁ ଅଧିକ ବିଡ଼ମ୍ବନା ଓ ଦୁଃଖର ବିଷୟ ହେଲା ମଇଳା ଏବଂ ଦୁର୍ଗନ୍ଧଯୁକ୍ତ ଜଳ ଯୋଗାଣ ନେଇ ଇନ୍ଦୋରବାସୀଙ୍କ ପକ୍ଷରୁ ଦୁଇ ମାସ ପୂର୍ବରୁ ବିଧିବଦ୍ଧ ଅଭିଯୋଗ କରାଯାଇଥିଲେ ହେଁ ଦାୟିତ୍ବରେ ଥିବା ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟିପାତ କରି ନାହାନ୍ତି ଏବଂ ଉପରୋକ୍ତ ଆପରାଧିକ ଅବହେଳା ଜନିତ ଭୟାବହ ପରିଣତି ସତ୍ତ୍ବେ ବିଭାଗୀୟ ମନ୍ତ୍ରୀ (ସେହି ଅଞ୍ଚଳର ବିଧାୟକ ମଧ୍ୟ) କୈଳାସ ବିଜୟବର୍ଗିଆ ତାଙ୍କର ଏକ ପ୍ରତିକ୍ରିୟାରେ ନୀଚ ରୁଚିବୋଧର ପ୍ରଦର୍ଶନ ମଧ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ଗୋଟିଏ ସହରର ଏକ ନାଗରିକ ସମସ୍ୟାକୁ ନେଇ ଦୃଷ୍ଟିଗୋଚର ହୋଇଥିବା ଘଟଣାକ୍ରମରୁ ଆମ ଦେଶର ଗଣତନ୍ତ୍ରର ସ୍ବରୂପ ଓ ଶାସନ ବ୍ୟବସ୍ଥାର ଚରିତ୍ର ନେଇ ମଧ୍ୟ ଆଭାସ ମିଳିଥାଏ, ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ। 

T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?

ଜଣା ପଡ଼ିଛି ଯେ ଫାଟି ଯାଇଥିବା ଗୋଟିଏ ପାଣି ପାଇପ ଉପରେ ନିର୍ମିତ ଶୌଚାଳୟରୁ ନିର୍ଗତ ମଳମୂତ୍ରାଦି ଅବଲୀଳା କ୍ରମେ ପାଣିରେ ମିଶି ଟ୍ୟାପ ଯୋଗେ ଘରଗୁଡ଼ିକରେ ପହଞ୍ଚୁଥିଲା ଏବଂ ‘ଇ କୋଲାଇ’ ଭଳି ମାରାତ୍ମକ ଜୀବାଣୁରେ ଭରପୂର ଜଳ ବ୍ୟବହାର କରି ଲୋକେ ସାଂଘାତିକ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ଉଲ୍ଲେଖଯୋଗ୍ୟ ଯେ ଇନ୍ଦୋରର ଭାଗିରଥୀପୁର ଅଞ୍ଚଳ ଏହା ଦ୍ବାରା ସର୍ବାଧିକ ଆକ୍ରାନ୍ତ, ଯାହା ମଧ୍ୟମ ଓ ନିମ୍ନ ଆୟ ବର୍ଗରେ ଥିବା ଲୋକଙ୍କ ଏକ କଲୋନି, ଯେଉଁଠାରୁ, ଗଲା ସେପ୍‌ଟେମ୍ବର ମାସରୁ, ବାଦାମୀ ରଙ୍ଗ ଏବଂ ଦୁର୍ଗନ୍ଧ ଯୁକ୍ତ ପାଣି ଆସୁଥିବାର ଅଭିଯୋଗ ବିଧିବଦ୍ଧ ଭାବେ ଦାଖଲ ହୋଇ ଚାଲିଥିଲା। ‘ଦ ଇଣ୍ଡିଆନ ଏକ୍‌ସପ୍ରେସ’ ଖବର କାଗଜର ତଥ୍ୟ ଅନୁସାରେ ଗଲା ଡିସେମ୍ବର ୨୮ ତାରିଖରେ, ଘଟଣାଟି ଅଣାୟତ୍ତ ହୋଇ ପଡ଼ିବା ପୂର୍ବରୁ, ଏଭଳି ଅଭିଯୋଗର ସଂଖ୍ୟା ପହଞ୍ଚି ଥିଲା ୨୬୬ରେ, ଯହିଁରୁ ୨୩ଟି ଆସିଥିଲା କେବଳ ଭାଗିରଥୀପୁର ଅଞ୍ଚଳରୁ। କିନ୍ତୁ ତା’ ଉପରେ ଆଦୌ କୌଣସି ଗୁରୁତ୍ବ ଦିଆଯାଇ ନ ଥିଲା। ଏଣେ, ଟ୍ୟାପ ପାଣି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଜନସାଧାରଣ ଅଗତ୍ୟା ନିରୁପାୟ ହୋଇ ସେଭଳି ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ସ୍ଥଳେ ପ୍ରଶ୍ନ ଉଠିଥାଏ ଯେ ସହରର କୌଣସି ସଂଭ୍ରାନ୍ତ ଅଞ୍ଚଳରେ ଏଭଳି ଏକ ଦୁଃସ୍ଥିତି ସୃଷ୍ଟି ହୁଅନ୍ତା କି? ଏବଂ ଏହାର ଉତ୍ତର ଖୋଜିବା ବେଳେ ପ୍ରାଂଜଳ ହୋଇଥାଏ ଯେ ନାଗରିକଙ୍କ ଜୀବନର ମୂଲ୍ୟ ନେଇ କର୍ତ୍ତାମାନଙ୍କ ବୋଧ ଓ ବିଚାରରେ ବୈଷମ୍ୟ କିଭଳି ପ୍ରଗାଢ଼!
ଦ୍ବିତୀୟ ପ୍ରସଙ୍ଗଟି ନଗର ପରିଚାଳନା ଓ ରକ୍ଷଣାବେକ୍ଷଣକୁ କେନ୍ଦ୍ର କରି। କହିବା ଅନାବଶ୍ୟକ ଯେ ଇନ୍ଦୋର ଭଳି ଦେଶର ପ୍ରାୟ ସମସ୍ତ ପୁରାତନ ସହରରେ ଭୂତଳ ପାଣି ପାଇପଗୁଡ଼ିକ ମଧ୍ୟ ଷାଠିଏରୁ ସତୁରି ବର୍ଷ ପୁରୁଣା, ଯାହା ନିୟମିତ ତଦାରଖ ଏବଂ ଆବଶ୍ୟକ ସ୍ଥଳେ ସଂପୂର୍ଣ୍ଣ ନୂତନୀକରଣ ଲୋଡ଼ିଥାଏ। ପ୍ରକାଶ ଥାଉ କି ଗଲା ବର୍ଷ ଅଗଷ୍ଟ ମାସରେ ଏହି ସହରର ପାଣି ପାଇପଗୁଡ଼ିକୁ ବଦଳାଇବା ସକାଶେ ୨.୪ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ଭାରତର କିଂବଦନ୍ତୀୟ ପ୍ରାଶାସନିକ ମନ୍ଥରତା ଓ ଅବହେଳା ହେତୁ ଉଦ୍ୟମଟି ସ୍ଥାଣୁ ହୋଇଯାଇଥିଲା, ଯାହା ପରୋକ୍ଷରେ ଇନ୍ଦେରବାସୀଙ୍କ ଲାଗି ଅଦୃଷ୍ଟର ଅଭିଶାପରେ ପରିଣତ ହୋଇଥିଲା। କହିବା ବାହୁଲ୍ୟ, ୧୦ଟି ପ୍ରାଣପାତ ଘଟିବା ପରେ ବର୍ତ୍ତମାନ ସେହି ପ୍ରକଳ୍ପ ପୁନର୍ବାର ଜୀବନ୍ତ ହୋଇ ଉଠିଛି; କିନ୍ତୁ ଏହି ଅଘଟଣ ପରେ ଯେଉଁ ସନ୍ଦେଶଟି ମିଳିଛି, ତାହା ହେଲା ଭାରତର ସମସ୍ତ ନଗର ଓ ମହାନଗରର ଗର୍ଭରେ ଜଳ, ନର୍ଦ୍ଦମା ଓ ଗ୍ୟାସ ପରିବାହୀ ନଳମାନ ଛନ୍ଦାଛନ୍ଦି ହୋଇ ବିଛାଡ଼ି ହୋଇ ରହିଥିବା ବେଳେ ସେ ସବୁର ଉପଯୁକ୍ତ ତଦାରଖ ଓ ରକ୍ଷଣାବେକ୍ଷଣ ଅତ୍ୟନ୍ତ ଜରୁରି, ଯାହା ନ ହେଲେ ସମସ୍ତଙ୍କ ଅଲକ୍ଷ୍ୟରେ ପ୍ରାଣ ସଂଚାରୀ ଜଳ ଏକ ନିରବ ଘାତକ ରୂପେ ଆବିର୍ଭୂତ ହୋଇପାରେ!
ତୃତୀୟ ଉଦ୍‌ବେଗଜନକ ବିଷୟଟି ହେଉଛି ଏଭଳି କୌଣସି ସମସ୍ୟା ପରିପ୍ରେକ୍ଷୀରେ ଶାସନ ଓ ପ୍ରଶାସନ ପକ୍ଷରୁ ପ୍ରଦର୍ଶିତ ହେଉଥିବା ନିସ୍ଫୃହତା। ପୂର୍ବରୁ ବର୍ଣ୍ଣିତ ହୋଇଛି କିଭଳି ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାଟି ପ୍ରତି ଆଖି ବୁଜି ଦିଆଯାଇଥିଲା। ଆହୁରି ଉଲ୍ଲେଖ ଯୋଗ୍ୟ ଯେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚି ସାରିଥିବା ସତ୍ତ୍ବେ ସରକାରୀ ସ୍ତରରେ ତାକୁ ୨ରୁ ୪ ବୋଲି କୁହାଯାଇଥିଲା। ଏପରି କି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଜବାବ ତଲବ ପରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ସଂକ୍ରମଣର କାରଣ ଅସ୍ପଷ୍ଟ, ଯେତେବେଳେ କି ନର୍ଦ୍ଦମାଯୁକ୍ତ ଜଳ ଏହାର କାରଣ ବୋଲି ସୁନିଶ୍ଚିତ ହୋଇଯାଇଥିଲା। ସୁତରାଂ, ଆମ ଦେଶରେ ସର୍ବଦା ପରିଦୃଷ୍ଟ ହେଉଥିବା ଭଳି ସରକାର ନିଜ ଦୋଷ ସ୍ବୀକାର କରିବାକୁ କୁଣ୍ଠିତ, ଯେଉଁ ପରିସ୍ଥିତିରେ କୌଣସି ସମସ୍ୟାର ସମାଧାନ ସକାଶେ ମାର୍ଗ ଖୋଲି ନ ପାରିବା ସ୍ବାଭାବିକ। ଅବଶ୍ୟ, ପ୍ରତି ମୃତକଙ୍କ ଲାଗି ୨ ଲକ୍ଷ ଟଙ୍କା ଏବଂ ଆକ୍ରାନ୍ତଙ୍କ ସକାଶେ ମାଗଣା ଚିକିତ୍ସାର ଘୋଷଣା କରି ସରକାର କ୍ଷତି ଭରଣା କରିଥିବାର ସାମାନ୍ୟ ସାନ୍ତ୍ବନା ପାଇଛନ୍ତି। ଅଥଚ, ଚିକିତ୍ସାଧୀନମାନଙ୍କ ସକାଶେ ଅର୍ଥରାଶି ଉପଲବ୍‌ଧ ହେଉ ନ ଥିବା ସଂପର୍କରେ ଜନୈକ ସାମ୍ବାଦିକଙ୍କ ପ୍ରଶ୍ନରେ ମଧ୍ୟପ୍ରଦେଶର ନଗର ପରିଚାଳନା ମନ୍ତ୍ରୀଙ୍କ ବିରକ୍ତିଭରା ଉତ୍ତର ଥିଲା ‘ଫାଲତୁ ପ୍ରଶ୍ନ ପଚାର ନାହିଁ!’ ଅବଶ୍ୟ, ଏହି ଦୃଶ୍ୟଟି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇ ମନ୍ତ୍ରୀ ମହୋଦୟଙ୍କୁ ତ‌ାଙ୍କ ‘ଏକ୍‌ସ’ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରିବାକୁ ବାଧ୍ୟ କରିଛି; କିନ୍ତୁ ଯେ କୌଣସି ଲିଖିତ ବାର୍ତ୍ତାରେ ନିହିତ ସୁବିଧାଟି ମଧ୍ୟ ସେଇଠି ଯେ ଅନ୍ତର ଓ ଚକ୍ଷୁ ଶୁଷ୍କ ଥିବା ବେଳେ ଲିଖିତ ବାକ୍ୟଗୁଡ଼ିକୁ ମିଛ ଅଶ୍ରୁରେ ଜର୍ଜର କରିହୁଏ! କେବଳ ସେତିକି ନୁହେଁ, ଏଭଳି ଘଟଣାରୁ ମିଳିଥିବା ଏକ ଗୂଢ଼ ସନ୍ଦେଶ ହେଲା ‘ଲାଡଲୀ ବେହନା’ ଭଳି ଯୋଜନାର ଥୋପ ଗିଳାଇ ଆମମାନଙ୍କ ଠାରୁ ଭୋଟ ହାତେଇ ନେଇ ପାରୁଥିବା ଜନ ପ୍ରତିନିଧିମାନେ ଆମ ସହିତ ସମଦୁଃଖୀ ହେବାର ଆବଶ୍ୟକତା ମଧ୍ୟ ଅନୁଭବ କରି ନ ଥାଆନ୍ତି। ଏଭଳି ଆଭିମୁଖ୍ୟ ହେତୁ ଇ‌େନ୍ଦାର ଭଳି ଏକ ସ୍ବଚ୍ଛ ସହର ଅସ୍ବଚ୍ଛ ବୋଲି କୁଖ୍ୟାତି ସହେ। 

Editorial: ସମୟର ସିନ୍ଦୁକ

ଏଠାରେ ପ୍ରସଙ୍ଗ କ୍ରମେ ପଞ୍ଚମ ଶତାବ୍ଦୀ ବେଳକୁ ରୋମ ସାମ୍ରାଜ୍ୟ ସମ୍ମୁଖୀନ ହେଉଥିବା ପତନ ବିଷୟରେ ମଧ୍ୟ ସଂକ୍ଷିପ୍ତ ଅବତାରଣା କରାଯାଇପାରେ। ପ୍ରକାଶ ଥାଉ କି ରୋମାନ ସଭ୍ୟତାର ଅବକ୍ଷୟ କାଳରେ ଯାହା ଏକ ଶକ୍ତ ଧକ୍‌କା ଦେଇ ତା’ର ପତନକୁ ତ୍ବରାନ୍ବିତ କରିଥିଲା, ତାହା ହେଉଛି ମ୍ୟାାଲେରିଆ(ପ୍ଲାସମୋଡିଅମ ଫାଲସିପାରମ)ର ପ୍ରାଣଘାତୀ ସଂକ୍ରମଣ। ଏହା ଦ୍ବାରା ରୋମର ମାନବ ସମ୍ବଳ ଓ ସୈନ୍ୟ ବଳ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲେ। ସେହି ସମୟରେ ରୋମାନ ରାଜନ୍ୟ ବର୍ଗ ଓ ସଂଭ୍ରାନ୍ତ ଶ୍ରେଣୀ ବିଳାସବ୍ୟସନ, ଉତ୍ସବାନୁଷ୍ଠାନ ଓ ଅକାରଣ ଯୁଦ୍ଧ ଆଦିରେ ବ୍ୟାପୃତ ରହି ସେ ସମୟର ଅତ୍ୟନ୍ତ ବିକଶିତ ରୋମ ନଗରୀ ଉପରେ ‌ଧ୍ୟାନ ଦେଇ ପାରି ନ ଥିଲେ। ଏଭଳି ଅବହେଳା କାରଣରୁ ଅତ୍ୟନ୍ତ ସୁବ୍ୟବସ୍ଥିତ ହୋଇଥିଲେ ହେଁ ସହରର ଜଳ ନିଷ୍କାସନ ପ୍ରଣାଳୀ ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ ଏବଂ ନଳାଗୁଡ଼ିକରେ ପାଣି ଜମି ରହି ମଶା ବଂଶ ବୃଦ୍ଧିରେ ସହାୟକ ହୋଇଥିଲା। ଏହାର ପ୍ରାୟ ଦେଢ଼ ହଜାର ବର୍ଷ ପରେ ଇନ୍ଦେର ତାହାର ଏକ ପ୍ରତିଧ୍ବନି ଭଳି ଲାଗୁ ନାହିଁ କି?