ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ସର୍ତ୍ତ ପୂରଣ ଦିଗରେ ଇଣ୍ଡିଗୋର ଅଗ୍ରଗତି ଉପରେ ଡି.ଜି.ସି.ଏ.ର ଦୃଷ୍ଟି ରହିଲା ନାହିଁ କାହିଁକି? ସଂପ୍ରତି ବିମାନ ଚଳାଚଳ କ୍ଷେତ୍ରଟି ସଂପୂର୍ଣ୍ଣ ରୂପେ ଘରୋଇ କଂପାନିଗୁଡ଼ିକ ଦ୍ବାରା ଅଧିକୃତ ହୋଇ ଯାଇଥିବାରୁ ନାଗରିକଙ୍କ ସ୍ବାର୍ଥ ରକ୍ଷା ଲାଗି ଡି.ଜି.ସି.ଏ. ଭଳି ନିୟାମକ ସଂସ୍ଥା ଆଶ୍ବାସନାର କାରଣ ହେବା କଥା! କିନ୍ତୁ ଡି.ଜି.ସି.ଏ.ର ନିଷ୍କ୍ରିୟତା ହେତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରାସଙ୍ଗିକତା ମଧ୍ୟ ପ୍ରଶ୍ନାକୁଳ ହୋଇ ପଡ଼ିଛି।
ଆମ ଦେଶର ଆନ୍ତଃ-ଦେଶୀୟ ବିମାନ ବନ୍ଦରଗୁଡ଼ିକରେ ଗଲା କିଛି ଦିନ ଧରି ଯେଉଁଭଳି ଚରମ ହାହାକାର ଦୃଶ୍ୟମାନ ହୋଇଛି, ତାହା ଭାରତ ଇତିହାସରେ ଉଭୟ ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ। ଏହାର କାରଣ ଦେଶର ଆଭ୍ୟନ୍ତରୀଣ ବିମାନ ଚଳାଚଳ କ୍ଷେତ୍ରରେ ସଂପୂର୍ଣ୍ଣ ଏକାଧିପତ୍ୟ ବିସ୍ତାର କରିଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନଗୁଡ଼ିକର ଉଡ଼ାଣ ଧାରାବାହିକ ଭାବେ ରଦ୍ଦ ହୋଇ ଚାଲିଛି, ଯହିଁରେ ଦୈନିକ ପ୍ରାୟ ୧୦୦୦ରୁ ଅଧିକ ବିମାନ ଆକାଶମାର୍ଗୀ ହେବାକୁ ସକ୍ଷମ ହେଉ ନାହାନ୍ତି। ପ୍ରକାଶ ଥାଉ କି ଦେଶର କୌଣସି ଏକ ସହରରୁ ଅନ୍ୟ ଏକ ସହରକୁ ସୁଲଭ ଦରରେ ଏବଂ ମାତ୍ର ଦୁଇରୁ ତିନି ଘଣ୍ଟା ମଧ୍ୟରେ ପହଞ୍ଚାଇ ଦେଉଥିବା ଏହି ବିମାନ କଂପାନି ଦେଶର ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କୁ ସମୟ ଅପଚୟ ଓ ଦୀର୍ଘ ଯାତ୍ରାର କ୍ଳାନ୍ତିରୁ ମୁକ୍ତ କରିବାର ଯେଉଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତିରେ ପରିଣତ ହୋଇଥିଲା, ତାହା ଏଭଳି ବିଭ୍ରାଟ ପରେ ପ୍ରତାରଣା ତୁଲ୍ୟ ଦିଶୁଛି; ଯେଉଁଠି ଶହ ଶହ ଯାତ୍ରୀ ଚାକିରିରେ ଯୋଗଦାନ ବା ପରୀକ୍ଷା କି ବାହାଘରରେ ଅଂଶ ଗ୍ରହଣ ଅଥବା ଜରୁରୀ ଚିକିତ୍ସା ଲାଭ ଇତ୍ୟାଦିରୁ ଅନ୍ତିମ କ୍ଷଣରେ ବଞ୍ଚିତ ହେବାର ଧକ୍କା ଭୋଗୁଛନ୍ତି। ଏଭଳି ଏକ ହାହୁତାଶମୟ ସ୍ଥିତିରେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ
ତେବେ, ପ୍ରଥମେ ଅତ୍ୟନ୍ତ ସଂକ୍ଷେପରେ ଘଟଣାର ପୃଷ୍ଠଭୂମିକୁ ଦେଖିବା। ଗଲା ନଭେମ୍ବର ୧ ତାରିଖରେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ, ‘ଏଫ.ଡି.ଟି.ଏଲ.’ ବା ‘ଫ୍ଲାଇଟ ଡ୍ୟୁଟି ଟାଇମ ଲିିମିଟେସନ’ ଭଳି ଏକ ନୂତନ ନିୟମର ପ୍ରଚଳନ ଘଟିବା ସହିତ ଏହି ଘୋର ଅଭାବନୀୟ ପରିସ୍ଥିତିର ସୂତ୍ରପାତ ହୋଇଛି। ପ୍ରକାଶ ଥାଉ କି ନିରାପଦ ବିମାନ ଯାତ୍ରା ସକାଶେ ‘ପାଇଲଟ୍ ସତେଜତା’କୁ ମହତ୍ତ୍ବ ଦେଇ ନିୟାମକ ଅନୁଷ୍ଠାନ ‘ଡିଜିସିଏ’ ବା ‘ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ’ ପକ୍ଷରୁ ୨୦୨୪ ମସିହା ଜାନୁଆରି ୧ ତାରିଖରେ ‘ଏଫ.ଡି.ଟି.ଏଲ.’ ନିୟମ ସଂପର୍କରେ ସୂଚନା ଦିଆଯାଇଥିଲା ଏବଂ ଏଥି ସକାଶେ ବିମାନ କଂପାନିଗୁଡ଼ିକଙ୍କ ପ୍ରସ୍ତୁତି ଲାଗି ପ୍ରାୟ ଦୁଇ ବର୍ଷର ସମୟ ଉପଲବ୍ଧ ଥିଲା। ଏହି ନିୟମ ଅନୁସାରେ ପାଇଲଟମାନଙ୍କ ସକାଶେ ଅଧିକ ବିଶ୍ରାମ ସମୟ, ଅଧିକ ଅବକାଶ ଏବଂ ଅତିରିକ୍ତ ରାତ୍ରି ଉଡ଼ାଣରୁ ମୁକ୍ତି ଭଳି ବ୍ୟବସ୍ଥାକୁ ଅନିବାର୍ଯ୍ୟ କରାଯାଇଛି, ଯାହାର ଅର୍ଥ ବିମାନ କଂପାନିଗୁଡ଼ିକୁ ନିଜ ନିଜ ଉଡ଼ାଣ ସାମର୍ଥ୍ୟ ଅନୁସାରେ ଅଧିକ ପାଇଲଟ ନିଯୁକ୍ତି କରିବାକୁ ପଡ଼ିପାରେ। ଏବଂ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ୬୩% ଅକ୍ତିଆର କରି ପ୍ରଶ୍ନାତୀତ ପ୍ରାଧାନ୍ୟ ବିସ୍ତାର କରିଥିବା ଇଣ୍ଡିଗୋ ସକାଶେ ତା’ର ଦୈନିକ ୨୩୦୦ ଉଡ଼ାଣ ଲାଗି ଅଧିକ ପାଇଲଟ ନିଯୁକ୍ତ କରିବା ଅବଧାରିତ ହୁଅନ୍ତା। କିନ୍ତୁ ଏହି ସମୟ ସୀମା ମଧ୍ୟରେ ସର୍ତ୍ତ ପୂରଣ କରି ଆବଶ୍ୟକ ସଂଖ୍ୟକ ପାଇଲଟଙ୍କୁ ନିଯୁକ୍ତି ଦେଇ ନଥିବା ହେତୁ ‘ଏଫ.ଡି.ଟି.ଏଲ.’ ନିୟମର ପ୍ରଚଳନ ସହିତ ବିଶ୍ରାମ ଓ ଅବକାଶ ଆକାଂକ୍ଷୀ ପାଇଲଟମାନଙ୍କ କାର୍ଯ୍ୟରେ ଅନୁପସ୍ଥିତି ଦେଖିବାକୁ ମିଳିଥିଲା, ଯଦ୍ଦ୍ବାରା ବିମାନଗୁଡ଼ିକ ସହସା ଚାଳକ ଶୂନ୍ୟ ହୋଇପଡ଼ି ଭୂସଂଲଗ୍ନ ହୋଇ ରହିଲେ ଓ ଏଭଳି ଘୋର ଅଭାବନୀୟ ପରିସ୍ଥିତିକୁ ଜନ୍ମ ଦେଲେ। ଏହି ସଂଦର୍ଭରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଦେଶ ଭିତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକାଧିପତି ଇଣ୍ଡିଗୋ ପକ୍ଷରୁ ଏଭଳି ଅତ୍ୟାବଶ୍ୟକ ଓ ମୌଳିକ ସର୍ତ୍ତ ପୂରଣ କରିବାରେ କୁଣ୍ଠା ପ୍ରକାଶ କରାଗଲା କାହିଁକି? ଏହାର କାରଣ କ’ଣ ଅର୍ବାଚୀନ ସୁଲଭ ଅପରିଣାମଦର୍ଶିତା ନା ଅସହାୟତା ନା ଅଧିକ ଲାଭ ଅର୍ଜନର ମୋହ ନା ସରକାରଙ୍କ ସହିତ ମୁହାଁମୁହିଁ ହୋଇ ନିୟମକୁ କୋହଳ କରିବା ସକାଶେ ଚାପ ସୃଷ୍ଟିର ଉଦ୍ୟମ?
ଏହାର ଉତ୍ତରଟି ନିହିତ ଅଛି ଇଣ୍ଡିଗୋ ବିଜନେସ ମଡେଲର ଆଦର୍ଶ ଏବଂ ତା’ର ଅଭୂତପୂର୍ବ ସଫଳତାରେ। ପ୍ରକାଶ ଥାଉ କି ଯେଉଁ ସମୟରେ ପ୍ରାୟ ଶୂନ୍ୟତାରୁ ଇଣ୍ଡିଗୋର ଆବିର୍ଭାବ ଘଟିଥିଲା, ସେହି ସମୟରେ ଜେଟ୍ ଏୟାରୱେଜ, ଏୟାର ଏସିଆ, କିଙ୍ଗ ଫିସର ଭଳି ଅତିକାୟ ଦେଶୀ ବିମାନ କଂପାନିଗୁଡ଼ିକ ଦେବାଳିଆ ହୋଇ ଅଦୃଶ୍ୟ ହେବାରେ ଲାଗିଥିଲେ। ଏଭଳି ସ୍ଥିତିରେ ବିମାନ ଯାତ୍ରାର ସାଂଭ୍ରାନ୍ତ୍ୟ ବା ବୈଶିଷ୍ଟ୍ୟର ସାଧରଣୀକରଣରେ ନିହିତ ଥିଲା ଇଣ୍ଡିଗୋର ସାଫଲ୍ୟ; ଯେଉଁଠି ଶସ୍ତା ଦରର ସୁଯୋଗ ନେଇ ଛୋଟ ସହରର ସାଧାରଣ ମଧ୍ୟବିତ୍ତ ପରିବାରର ସଦସ୍ୟମାନେ ଅନାୟାସରେ ବିମାନ ଯାତ୍ରା କରିପାରିଲେ। ତା’ ସହିତ ସମୟାନୁବର୍ତ୍ତିତା, ‘କ୍ରିଉ’ଙ୍କ ଦକ୍ଷତା ଏବଂ ପ୍ରାୟ ଅଘଟଣ-ଶୂନ୍ୟ ବିମାନ ଚଳାଚଳର ଟ୍ରାକ୍ ରେକର୍ଡ ଏହାକୁ ଉଦାହରଣୀୟ ମଧ୍ୟ କରିଥିଲା। ସୁତରାଂ, ଅଚିରେ ଏହା ହୋଇଯାଇଥିଲା ସର୍ବାଧିକ ଆଦୃତ ବିମାନ କଂପାନି। କିନ୍ତୁ, ଏଭଳି ପରିଚାଳନାରେ ଯେଉଁ ଅନ୍ତର୍ନିହିତ ଖୁଣଟି ଥାଏ, ତାହା ହେଲା ବ୍ୟାବସାୟିକ ଲାଭ ସକାଶେ ମିତବ୍ୟୟିତାର କଠୋର ଅନୁପାଳନ, ଯହିଁରେ କମ୍ ସଂଖ୍ୟକ ପାଇଲଟ ଅଧିକ ଉଡ଼ାଣରେ ବ୍ୟାପୃତ ହେବାକୁ ବାଧ୍ୟ ହୁଅନ୍ତି, ସିନା କ୍ଳାନ୍ତି ଅପନୋଦନର କୌଣସି ଉପାୟ ନ ଥାଏ। ଏଣେ, ନୂତନ ସର୍ତ୍ତ ଅନୁସାରେ ଅଧିକ ପାଇଲଟଙ୍କୁ ନିଯୁକ୍ତ କରାଯିବା ଏକାନ୍ତ ଜରୁରୀ ବୋଲି ସାଧାରଣ ଜ୍ଞାନ କହୁଥିଲେ ହେଁ ଏହାର ବିଚକ୍ଷଣ ପ୍ରତିଷ୍ଠାତା ରାହୁଳ ଭାଟ୍ଟିଆ ଓ ରାକେଶ ଗଂଗୱାଲ ବା କଂପାନିର ସି.ଇ.ଓ.ଙ୍କ ମୁଣ୍ଡକୁ ତାହା ଢୁକେ ନାହିଁ!
କିନ୍ତୁ ଅଧିକାଂଶ ବିଶେଷଜ୍ଞ ଏକମତ ହୁଅନ୍ତି ଯେ କଂପାନି ପକ୍ଷରୁ ଜାଣିଶୁଣି ପାଇଲଟ ନିଯୁକ୍ତିିରେ ଅବହେଳା କରାଯାଇଛି, କାରଣ ଏକଛତ୍ରବାଦୀ ସୁଲଭ ଅହମିକା ହେତୁ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ଧାରଣା ହୋଇଥିବ ଯେ ନୂଆ ନିୟମ ଲାଗୁ ହେଲେ ଇଣ୍ଡିଗୋ ଚଳାଚଳରେ ବ୍ୟାଘାତ ଘଟି ଯେଉଁ ବିଭ୍ରାଟ ସୃଷ୍ଟି ହେବ, ତାହାକୁ ଭୟ କରି ‘ଡି.ଜି.ସି.ଏ. ପକ୍ଷରୁ ସର୍ତ୍ତ କୋହଳ କରାଯିବ, ଯାହା କଂପାନିକୁ ସୁହାଇବ। ତେବେ, ସ୍ବଳ୍ପ ସଂଖ୍ୟକ ବିଶେଷଜ୍ଞ ଆଉ ଏକ କାରଣ ରୂପେ ଅତ୍ୟଧିକ ଉଚ୍ଚାଭିଳାଷକୁ ମଧ୍ୟ ଦାୟୀ କରନ୍ତି। ସେମାନଙ୍କ ମତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରକୁ ଆକର୍ଷଣୀୟ ଢଙ୍ଗରେ ପ୍ରବେଶ କରିବା ଲାଗି ଇଣ୍ଡିଗୋ ପକ୍ଷରୁ ୯୦୦ରୁ ଅଧିକ ଉଚ୍ଚ ମୂଲ୍ୟଯୁକ୍ତ ବୃହଦାକାୟ ବିମାନ ଖର୍ଦ୍ଦି କରାଯାଉଛି; ଏଣେ ଗଲା ନଭେମ୍ବର ମାସରେ ପ୍ରକାଶିତ ପୂର୍ବ ଚଉଠର ବିବରଣୀରେ କଂପାନି ୨୫୮୩ କୋଟି ଟଙ୍କାର କ୍ଷତି ସହିଥିବା ଦର୍ଶାଯାଇଛି। ଏହାର ପୂର୍ବ ଚଉଠରେ କଂପାନିର ଲାଭ ଥିଲା ପ୍ରାୟ ୨୫୦୦ କୋଟି ଟଙ୍କା। ସେମାନେ କହନ୍ତି ଯେ ଉପରୋକ୍ତ ଉଚ୍ଚାଭିଳାଷୀ ପ୍ରକଳ୍ପକୁ ରୂପ ଦେବାରେ ଉତ୍କଟ ଆର୍ଥିକ ସମସ୍ୟା ଦେଖା ଦେଇ ଅଧିକ ସଂଖ୍ୟକ ପାଇଲଟ ନିଯୁକ୍ତିକୁ ଅସମ୍ଭବ କରି ପକାଇଛି। ତେବେ, ଅହମିକା ହେଉ କି ଅସହାୟତା; ଏହା ଯେ ସଂପୂର୍ଣ୍ଣ ଅପରିଣାମଦର୍ଶିତାରୁ ସୃଷ୍ଟ ଏଥିରେ ସନ୍ଦେହ ନାହିଁ। କୁହାଯାଉଛି ଯେ ଇଣ୍ଡିଗୋ ଉଡ଼ାଣ ଓ ପାଇଲଟ ସଂଖ୍ୟାରେ ନିହିତ ଅସମାନୁପାତିକତା ଦୂର କରିବା ଲାଗି ପ୍ରାୟ ୧୫୦୦ ସରିକି ପାଇଲଟ୍ ନିଯୁକ୍ତି ଆବଶ୍ୟକ, ଯାହା ଏକ ଅତ୍ୟନ୍ତ ସମୟସାପେକ୍ଷ ବ୍ୟାପାର। ଏଣୁ ସାଂପ୍ରତିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନର ବିଶେଷ ଆଶା ଦିଶି ନ ଥାଏ। କେବଳ ସେତିକି ନୁହେଁ, ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ସର୍ତ୍ତ ପୂରଣ ଦିଗରେ ଇଣ୍ଡିଗୋର ଅଗ୍ରଗତି ଉପରେ ଡି.ଜି.ସି.ଏ.ର ଦୃଷ୍ଟି ରହିଲା ନାହିଁ କାହିଁକି? ସଂପ୍ରତି ବିମାନ ଚଳାଚଳ କ୍ଷେତ୍ରଟି ସଂପୂର୍ଣ୍ଣ ରୂପେ ଘରୋଇ କଂପାନିଗୁଡ଼ିକ ଦ୍ବାରା ଅଧିକୃତ ହୋଇ ଯାଇଥିବାରୁ ନାଗରିକଙ୍କ ସ୍ବାର୍ଥ ରକ୍ଷା ଲାଗି ଡି.ଜି.ସି.ଏ. ଭଳି ନିୟାମକ ସଂସ୍ଥା ଆଶ୍ବାସନାର କାରଣ ହେବା କଥା! କିନ୍ତୁ ଡି.ଜି.ସି.ଏ.ର ନିଷ୍କ୍ରିୟତା ହେତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରାସଙ୍ଗିକତା ମଧ୍ୟ ପ୍ରଶ୍ନାକୁଳ ହୋଇ ପଡ଼ିଛି।
ଅବଶ୍ୟ, ଇତିମଧ୍ୟରେ ପରାଜୟ ସ୍ବୀକାର କଲା ଭଳି ଡି.ଜି.ସି.ଏ. ପକ୍ଷରୁ ପାଇଲଟ ନିଯୁକ୍ତିର ସମୟ ସୀମାକୁ ଆସନ୍ତା ଫେବ୍ରୁଆରି ମାସକୁ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଇଣ୍ଡିଗୋର ସମସ୍ୟା ଦୂର କରିବାକୁ ଏହା ଆଦୌ ଯଥେଷ୍ଟ ନୁହେଁ। ବ୍ୟବସାୟରେ ଏକାଧିପତ୍ୟ କିଭଳି ଉଭୟ ଉପଭୋକ୍ତା ଓ ସରକାରଙ୍କୁ ପଣବନ୍ଦୀରେ ପରିଣତ କରିପାରେ, ତାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଥିଲେ ହେଁ ଏହା ହେଉଛି ସଦ୍ୟତମ। ତେବେ, ବିଡ଼ମ୍ବନାଟି ହେଲା, ସଂପ୍ରତି ଭାରତର ବ୍ୟାବସାୟିକ କ୍ଷେତ୍ରରେ ଗୋଟିଏ ଗୋଟିଏ କଂପାନିର ସଂପୂର୍ଣ୍ଣ ପ୍ରଭୁତ୍ବ ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ୟୁରୋପ ବା ଆମେରିକା ସଦୃଶ ‘ମନୋପଲି’ ନିରୋଧକ ଆଇନ ଅଣାଯିବା ଆବଶ୍ୟକ। ବେଳେ ବେଳେ ପ୍ରଶ୍ନ ଉଠେ, ଶସ୍ତାରେବିମାନ ଯାତ୍ରାର ସୁଯୋଗ ଦେଇଥିବାରୁ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ଦୟାର ପାତ୍ର ବୋଲି ବିବେଚନା କରାଯାଉଥିଲା କି? ଭାରତରେ ସର୍ବାଧିକ ସଂଖ୍ୟକ ପାଇଲଟ(୫,୪୫୬)ଙ୍କୁ ନିଯୁକ୍ତିି ଦେଇଥିବାରୁ କଂପାନି ନିଜକୁ ଏକ ତ୍ରାଣକର୍ତ୍ତ ବୋଲି ବିବେଚନା କରୁଥିଲା କି? ତାହା ହୋଇ ନ ଥିଲେ କଂପାନି ତା’ର ନିଜ ସ୍ବାର୍ଥ ରକ୍ଷା ଲାଗି ଉଭୟ ଯାତ୍ରୀ ଓ ପାଇଲଟଙ୍କୁ ଏଭଳି ଚିପୁଡ଼ିବାର ସାହସ କରନ୍ତା କି? ତେବେ ଏହି ‘ମଣିଷ ଚିପୁଡ଼ା’ ଉଦ୍ଦେଶ୍ୟଟି କେବଳ ଇଣ୍ଡିଗୋର ଆଚରଣରେ ସୀମିତ ନାହିଁ। ଯାତ୍ରୀମାନଙ୍କ ଅସୁବିଧାର ସୁଯୋଗ ନେଇ ଅବଶିଷ୍ଟ ବିମାନ କଂପାନି ଭଡ଼ାରେ ଚାରିରୁ ପାଞ୍ଚ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ଘଟାଇ ‘ମଣିଷ ଚିପୁଡ଼ା’କୁ ଜାରି ରଖିଲେ। ବେସାରମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିରବ ଦ୍ରଷ୍ଟା ସାଜି ମଣିଷ ଚିପୁଡ଼ା ତନ୍ତ୍ରକୁ ପ୍ରୋତ୍ସାହାନ ଦେଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)