କେବଳ ଖଣିଜ ପଦାର୍ଥର ଉପସ୍ଥିତି କିମ୍ବା ପର୍ବତର ଉଚ୍ଚତାକୁ ବିଚାରକୁ ନେଇ ଖନନ ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ ନୁହେଁ‌; ସଂପୃକ୍ତ ଅଞ୍ଚଳର ପରିବେଶ ଉପରେ ତାହାର ପ୍ରଭାବକୁ ହିଁ ମୁଖ୍ୟତଃ ବିଚାରକୁ ନେଇ ଏଭଳି ଅନୁମତି ପ୍ରଦାନ କରାଯିବା ଉଚିତ।

Advertisment

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

ଏକ ମାନଚିତ୍ରରେ ପର୍ବତର ସଂଜ୍ଞା ବଦଳାଇ ଦିଆଯାଇ କୌଣସି ଏକ ପର୍ବତମାଳାକୁ ସମତଳ ଭୂମିରେ ପରିଣତ କରି ଦିଆଯାଇ ପାରିବ କି? ଏହା ଅସମ୍ଭବ ଓ ହାସ୍ୟାସ୍ପଦ ମନେ ହେଉଥିଲେ ହେଁ, ଭାରତର ସର୍ବପୁରାତନ ଭାଙ୍ଗ ପର୍ବତମାଳା (ଫୋଲ୍‌ଡ ମାଉଣ୍ଟେନ୍ ରେଞ୍ଜ) ଉତ୍ତର-ପଶ୍ଚିମ ଭାରତରେ ଅବସ୍ଥିତ ପ୍ରସିଦ୍ଧ ଅ‌ାରାବଳୀ ପର୍ବତମାଳା ଏଇଭଳି ଏକ ଉଦ୍ଭଟ ଦଶାର ସମ୍ମୁଖୀନ ହେବାକୁ ଯାଉଛି ବୋଲି ବ୍ୟାପକ ଆଶଙ୍କା ପ୍ରକାଶ ପାଇବା ଦେଖାଯାଇଛି। ଏହି ୬୭୦ କି.ମି. ଦୀର୍ଘ ପର୍ବତମାଳା ଦିଲ୍ଲୀ ନିକଟରୁ ଆରମ୍ଭ ହୋଇ ହରିଆନାର ଦକ୍ଷିଣ ଭାଗ ଦେଇ ରାଜସ୍ଥାନ ଅତିକ୍ରମ କରି ଗୁଜରାଟର ଅହମଦାବାଦ ଠାରେ ସମାପ୍ତ ହୋଇଥାଏ। ନିକଟ ଅତୀତରେ ଅନିୟନ୍ତ୍ରିତ ଖଣି ଖନନ କାର୍ଯ୍ୟକଳାପ ଯୋଗୁଁ ଏହି ପର୍ବତମାଳାର ଦ୍ରୁତ କ୍ଷୟ ସାଧନ ଘଟିବା ଯୋଗୁଁ ଏହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କର ପରିବେଶ ମନ୍ତ୍ରଣାଳୟ ଉପାୟ ସନ୍ଧାନ ନିମିତ୍ତ ଏକ ପ୍ୟାନେଲ୍ ଗଠନ କରିଥିଲେ। ଏଇ ପ୍ୟାନେଲ୍ ଏଥିପାଇଁ ଆରାବଳୀ ପର୍ବତମାଳାବାଚ୍ୟ ହେବା ନିମିତ୍ତ ଯେଉଁ ସଂଜ୍ଞା ନିରୂପଣ କଲା, ତାହା ଅନୁସାରେ କେବଳ ଭୂମି ପତ୍ତନରୁ ଏକଶହ ମିଟର କିମ୍ବା ତଦୂର୍ଦ୍ଧ୍ବ ଉଚ୍ଚତାବିଶିଷ୍ଟ ସଂରଚନାକୁ ଆରାବଳୀ ପର୍ବତମାଳାର ଅଂଶ ରୂପେ ବିବେଚନା କରାଯାଇ ପାରିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତ ମାସରେ ସୁପ୍ରିମ୍ କୋର୍ଟ ଉକ୍ତ ପ୍ୟାନେଲ୍‌ର ଏହି ସୁପାରିସକୁ ଗ୍ରହଣ କରିନେଲେ।
ସମସ୍ୟା ହେଲା, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (‘ଏଫ୍ଏସ୍ଆଇ’) କରିଥିବା ନିଜର ଏକ ସର୍ବେକ୍ଷଣ ଅନୁସାରେ ସମଗ୍ର ଆରାବଳୀ ପର୍ବତମାଳାର ମାତ୍ର ପ୍ରାୟ ୮ ଶତାଂଶ ଅଂଶ ଏଇ ଉଚ୍ଚତା ସ୍ପର୍ଶ କରିଥାଏ କିମ୍ବା ଅତିକ୍ରମ କରିଥାଏ। ‘ଏଫ୍ଏସ୍ଆଇ’ କିନ୍ତୁ ଯେଉଁ ଉଠାଣି-ଗଡ଼ାଣି (ସ୍ଲୋପ୍)ଭିତ୍ତିକ ମାନଦଣ୍ଡ ବ୍ୟବହାର କରିଥାଏ, ତାହା ଅନୁସାରେ ସର୍ବନିମ୍ନ ୪.୫୭ ଡିଗ୍ରି ସ୍ଲୋପ୍ ଥିବା ଓ ଅନ୍ୟୂନ ୩୦ ମିଟର ଉଚ୍ଚତା ସ୍ପର୍ଶ କରୁଥିବା ସଂରଚନାକୁ ପର୍ବତମାଳାର ଅଂଶ ରୂପେ ବିବେଚନା କରାଯାଇଥାଏ। ଏହି ମାନଦଣ୍ଡ ଅନୁସାରେ ଆରାବଳୀ ପର୍ବତମାଳାର ୪୦ ଶତାଂଶ ଅଂଶ ସଂରକ୍ଷିତ ଅଞ୍ଚଳ ରୂପେ ବିବେଚିତ ହୁଅନ୍ତା; କିନ୍ତୁ ଯଦି ଉପରୋକ୍ତ ପ୍ୟାନେଲ୍ ସୁପାରିସ କରିଥିବା ମାନଦଣ୍ଡ ପ୍ରୟୋଗ କରାଯାଏ, ତେବେ ପର୍ବତମାଳାର ୯୦ ଶତାଂଶରୁ ଅଧିକ ଅଂଶ ଅସୁରକ୍ଷିତ ହୋଇପଡ଼ିବ, କାରଣ ତାହା ପର୍ବତମାଳାର ଅଂଶ ରୂପେ ବିବେଚିତ ହେବ ନାହିଁ।
ଏହା ପ୍ରକାଶ ପାଇବା ପରେ ଆରାବଳୀର ଭବିଷ୍ୟତ ସଂକଟାପନ୍ନ ବୋଲି ଆଶଙ୍କା ସୃଷ୍ଟି ହୋଇ ପରିବେଶ ସୁରକ୍ଷା ପରିସରରେ ତଥା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ଦେଖାଯିବା ପରେ କେନ୍ଦ୍ର ସରକାର ଏହାକୁ ପ୍ରଶମିତ କରିବା ଲାଗି ଆଶ୍ବାସନା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି। ଏହା ଅନୁସାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଘୋଷଣା କରିଛନ୍ତି ଯେ ୧.୪୭ ଲକ୍ଷ ବର୍ଗକି.ମି. କ୍ଷେତ୍ରଫଳ ବିଶିଷ୍ଟ ଆରାବଳୀ ପର୍ବତମାଳାର କେବଳ ମାତ୍ର ପ୍ରାୟ ୨ ଶତାଂଶ ଅଞ୍ଚଳରେ ଖଣି ଖନନ ପାଇଁ ଅନୁମତି ପ୍ରଦାନ କରାଯିବ, ଏବଂ ତାହା ମଧ୍ୟ ଅନୁଶୀଳନର ଫଳାଫଳ ଉପରେ ନିର୍ଭର କରିବ। ସେ ମଧ୍ୟ ଆରାବଳୀ ପର୍ବତମାଳା ମଧ୍ୟରେ ରହିଥିବା ୨୦ଟିରୁ ଅଧିକ ସଂଖ୍ୟକ ସଂରକ୍ଷିତ ଜଙ୍ଗଲ ଓ ସୁରକ୍ଷିତ ଅଞ୍ଚଳମାନଙ୍କର ନିରାପତ୍ତା ଅକ୍ଷୁଣ୍ଣ ରହିବ ବୋଲି ଭରସା ଦେଇଛନ୍ତି। ‌ସରକାର ମଧ୍ୟ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ଯେ ପରସ୍ପର ଠାରୁ ୫୦୦ ମିଟର ବ୍ୟବଧାନ ମଧ୍ୟରେ ଛିଡ଼ା ହୋଇଥିବା ଏକାଧିକ ପାହାଡ଼ ଓ ସେମାନଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳମାନ ଆରାବଳୀ ପର୍ବତମାଳାର ଅଂଶ ରୂପେ ବିବେଚିତ ହେବେ।
ଆଶା କରାଯାଏ କେବଳ ବର୍ତ୍ତମାନର ପ୍ରତିକ୍ରିୟାଶୀଳ ପରିସ୍ଥିତିକୁ ସମ୍ଭାଳି ନେବା ଉଦ୍ଦେଶ୍ୟରେ ସରକାର ଏଭଳି ପ୍ରତିଶ୍ରୁତି ପ୍ରଦାନ କରିନାହାନ୍ତି। ସଂପୃକ୍ତ ଅଞ୍ଚଳରେ ବର୍ତ୍ତମାନ ଯେଉଁଭଳି ବାୟୁ ପ୍ରଦୂଷଣ ଓ ଜଳ କଷ୍ଟ ଦେଖାଦେଇଛି, ସରକାରଙ୍କର କୋହଳ ନୀତି ଯୋଗୁଁ ଯଦି ଆରାବଳୀର କ୍ଷୟ ଘଟେ, ତାହା ସେଇ ସମସ୍ୟାକୁ ଆହୁରି ଭୟଙ୍କର କରି ତୋଳିବ। କାରଣ ଆରାବଳୀ ଯୋଗାଉଥିବା ପରିବେଶ ସେବାର ମୂଲ୍ୟାୟନ କରିବା ସମ୍ଭବ ନୁହେଁ। ଏହି ପର୍ବତମାଳା ସେ ଅଞ୍ଚଳରେ ଭୂ-ତଳ ଜଳ ସ୍ତରକୁ ପୁନଃପୂରଣ ମାଧ୍ୟମରେ ସୁରକ୍ଷିତ ରଖିଥାଏ; ମୃତ୍ତିକା କ୍ଷୟକୁ ଅଟକାଇଥାଏ; ବନ୍ୟପ୍ରାଣୀମାନଙ୍କ ପାଇଁ ଯାତାୟାତ ପଥ ଯୋଗାଇଥାଏ; ସେଠାକାର ଶୁଷ୍କ ଜଳବାୟୁକୁ ସହନୀୟ କରିଥାଏ ଏବଂ ମରୁଭୂମିର ପ୍ରସାରଣ ପଥରେ ପ୍ରତିବନ୍ଧକ ଛିଡ଼ା କରିଥାଏ। ବର୍ତ୍ତମାନ ଭାରତର ରାଜଧାନୀ ଦିଲ୍ଲୀର ପ୍ରଦୂଷିତ ପରିବେଶର କୁଖ୍ୟାତି ସମ୍ବନ୍ଧରେ ଏଠାରେ ଅଧିକ ଉଲ୍ଲେଖ ନି‌ଷ୍ପ୍ରୟୋଜନ। ଯଦି ସେଇ ଅଞ୍ଚଳରେ ଆରାବଳୀ ପର୍ବତମାଳା ଦଣ୍ଡାୟମାନ ହୋଇ ନଥାନ୍ତା, ତେବେ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରାରେ ଆହୁରି ଏପରି ବୃଦ୍ଧି ଘଟନ୍ତା, ଯାହା ସେ ଅଞ୍ଚଳକୁ ବସ୍ତୁତଃ ଏକ ‘ଗ୍ୟାସ୍ ଚାମ୍ବର୍’ରେ ପରିଣତ କରିଦିଅନ୍ତା ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। କାରଣ, ଏହି ପର୍ବତମାଳାର ଉପରିଭାଗ ସୂକ୍ଷ୍ମ ପ୍ରଦୂଷକ କଣିକାମାନଙ୍କର ଅବଶୋଷଣ କରୁଥିବା ବେଳେ, ତାହାର ତଳଭାଗ ଅଧିକ ଭାରି ବାଲୁକା କଣିକାମାନଙ୍କୁ ଅଟକାଇ ଦେଇଥାଏ।
ବର୍ତ୍ତମାନ ସରକାରଙ୍କ ଦ୍ବାରା ଆଶ୍ବାସନା ପ୍ରଦାନ ଏକ ସାଧୁ ଉଦ୍ୟମ ହୋଇଥିଲେ ହେଁ, ସରକାର କିନ୍ତୁ ଏବେ ଆରାବଳୀର ମାନଚିତ୍ର ସଂପର୍କିତ ସମସ୍ତ ସଂଶୟର ଅନ୍ତ ଘଟାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି। ଦେଶର ସେଇ ବିସ୍ତୃତ ଅଞ୍ଚଳର ଜୀବନରେଖା ଆରାବଳୀର ଭାଗ୍ୟକୁ ସହରୀକରଣ ଓ ଖଣି ଖନନର ଶରବ୍ୟ ହେବାକୁ ଛାଡ଼ି ଦିଆଯାଇ ପାରିବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ବର୍ଷ ତଳେ କରାଯାଇଥିବା ଏକ ଅନୁଶୀଳନରୁ ଆବିଷ୍କୃତ ହୋଇଥିଲା ଯେ ଏଇ ଦୁଇ ଶକ୍ତିର ଚାପରେ ୧୯୭୫ରୁ ୨୦୧୯ ମଧ୍ୟରେ ଆରାବଳୀ ପର୍ବତମାଳାର ୮ ଶତାଂଶ ଅଂଶ ସଂପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇ ଯାଇସାରିଛି। ଯଦି ଏଇ ଧାରା ବଜାୟ ରହେ, ତେବେ ୨୦୫୯ ମଧ୍ୟରେ ସେଇ ପର୍ବତମାଳାର ୨୨ ଶତାଂଶ ନିଶ୍ଚିହ୍ନ ହୋଇଯିବ ବୋଲି ସେଇ ଅନୁଶୀଳନରେ ସତର୍କ କରି ଦିଆଯାଇଥିଲା। ଯଦି ତାହା ଘଟେ, ତେବେ ଥର୍ ମରୁଭୂମି କ୍ରମେ ତା’ର କାୟା ବିସ୍ତାର କରିଚାଲି ଦିଲ୍ଲୀକୁ ଗ୍ରାସ କରିବା ପାଇଁ ସେଇ ରାଜଧାନୀ ନଗରୀର ଦ୍ବାରଦେଶରେ ପହଞ୍ଚିଯିବ।
ବର୍ତ୍ତମାନ ଆରାବଳୀର ସଂଜ୍ଞା ନିରୂପଣ କରିବା ପାଇଁ ବ୍ୟବହୃତ ମାନଦଣ୍ଡରେ ଯେଉଁ ପରିବର୍ତ୍ତନ ଘଟାଯାଉଛି, ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅବୈଧ ଖଣି ଖନନକୁ ପ୍ରତିହତ କରିବା। କିନ୍ତୁ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ପର୍ବତମାଳାର ୨ ଶତାଂଶ ଅଞ୍ଚଳରେ ମଧ୍ୟ ଖଣି ଖନନ ନିମିତ୍ତ ସର୍ବବ୍ୟାପୀ ଅନୁମତି ପ୍ରଦାନ ନିରାପଦ ନୁହେଁ। କେବଳ ଖଣିଜ ପଦାର୍ଥର ଉପସ୍ଥିତି କିମ୍ବା ପର୍ବତର ଉଚ୍ଚତାକୁ ବିଚାରକୁ ନେଇ ଖନନ ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ ନୁହେଁ‌; ସଂପୃକ୍ତ ଅଞ୍ଚଳର ପରିବେଶ ଉପରେ ତାହାର ପ୍ରଭାବକୁ ହିଁ ମୁଖ୍ୟତଃ ବିଚାରକୁ ନେଇ ଏଭଳି ଅନୁମତି ପ୍ରଦାନ କରାଯିବା ଉଚିତ।
ଏଥିରେ ସନ୍ଦେହ ନାହିଁ ଯେ ସହରୀକରଣର ପ୍ରସାର ଆରାବଳୀ ପର୍ବତମାଳାର ଘୋର କ୍ଷତି ଘଟାଇଛି; କିନ୍ତୁ ସହରୀକରଣ ଯୋଗୁଁ ପରିବେଶର କ୍ଷତି ଘଟିବା ବାଧ୍ୟତାମୂଳକ ନୁହେଁ। ତ୍ରୁଟିଯୁକ୍ତ ସହରୀକରଣ ଯୋଜନା ହିଁ ହେଉଛି ଏଠାରେ ମୁଖ୍ୟ ଅପରାଧୀ। ପ୍ରାକୃତିକ ବୈଶିଷ୍ଟ୍ୟର ଧ୍ବଂସ ସାଧନ ନ କରି ଯଦି ସହରର ସଂପ୍ରସାରଣ ସାଧନ କରାଯାଏ, ତେବେ ଏଇ ବିପର୍ଯ୍ୟୟକୁ ଟାଳି ଦିଆଯାଇ ପାରିବ। ଏହାକୁ ଧ୍ୟାନରେ ରଖି ସରକାର ଅର୍ଥନୀତି ବେଦୀରେ ଆରାବଳୀକୁ ବଳି ନ ଚଢ଼ାଇ ଆରାବଳୀ ସଂପର୍କିତ ନୀତି ପ୍ରଣୟନ କଲେ ହିଁ ଆମ ପାଇଁ ଏଇ ପ୍ରାଗୈତିହାସିକ ପର୍ବତମାଳାର ଜୀବନ ରକ୍ଷାକାରୀ ଆଶୀର୍ବାଦ ଅକ୍ଷୁଣ୍ଣ ରହି ଚାଲିବ।