ଓଡ଼ିଶାର ଇଷ୍ଟ ପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କୁ ହିଁ ନେଇ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନ। ଏଣୁ ଏଥର ରଥରେ ପର୍ଯ୍ୟଟକଙ୍କ ଭିଡ଼ରେ ପୁରୀ ଉଛୁଳିଥିଲା। ସେପଟେ ଆଉ କିଛି ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ନନ୍ଦିଘୋଷ ଅଟକିଯାଇଥିଲା। ରଥଯାତ୍ରାରେ ଅହେତୁକ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା। ୩ ଭକ୍ତଙ୍କ ପ୍ରାଣହାନୀ ପ୍ରଶାସନର ପରିଚାଳନା ଉପରେ ପ୍ରଶ୍ନବାଚୀ ଉଠାଇଥିଲା। ପଶ୍ଚିମବଙ୍ଗ ପୁଣି ‘ଧାମ’ ଶବ୍ଦକୁ ଚୋରି କରି ଦୀଘା ଜଗନ୍ନାଥ ମନ୍ଦିରରେ ଯୋଡ଼ିଥିଲା। ଇସ୍କନ ବି ମନମାନି କରି ଅଦିନିଆ ରଥଯାତ୍ରା ପାଳିଥିଲା। ପର୍ଯ୍ୟଟନରେ ବିବିଧତା ଆଣିବାକୁ ଅତ୍ୟାଧୁନିକ ଓ ଦୁଃସାହସିକ ପର୍ଯ୍ୟଟନ ବିକାଶରେ ସରକାର ଗୁରୁତ୍ବ ଦେଲେ। ତଥାପି ରାଜ୍ୟବାସୀ ନୂଆ ପର୍ଯ୍ୟଟନ ନୀତି ଅପେକ୍ଷାରେ ରହିଗଲେ। ମୋଟ୍ ଉପରେ ରାଜ୍ୟ ପର୍ଯ୍ୟଟନରେ ବିଶେଷ କିଛି ନୂଆ ଘଟିନଥିଲେ ବି ଚଳିତ ବର୍ଷ ପର୍ଯ୍ୟଟକଙ୍କ ମେଳରେ ଓଡ଼ିଶା ଚର୍ଚ୍ଚାେର ରହିଥିଲା।
ପ୍ରସ୍ତୁତି: ସସ୍ମିତା ସାହୁ
ରଥଯାତ୍ରାରେ ଗଡ଼ିଲାନି ନନ୍ଦିଘୋଷ
ଲକ୍ଷ ଲକ୍ଷ ଭକ୍ତଙ୍କ ନଜର ଥିଲା ନନ୍ଦିଘୋଷ ରଥ ଉପରେ। ବର୍ଷ ସାରା ଅପେକ୍ଷାର ଅନ୍ତ ଘଟିବ। ରଥ ଗଡ଼ିବ। ପଥ ପବିତ୍ର ହେବ। ହେଲେ ଚଳିତ ବର୍ଷ ରଥଯାତ୍ରାରେ ରଥାରୂଢ଼ ଜଗତ ସାଇଁଙ୍କ ନନ୍ଦିଘୋଷ ଥରେ ଗଡ଼ି ଅଟକିଗଲା ଯେ ଆଉ ତିଳେ ବି ଘୁଞ୍ଚିଲାନାହିଁ। ଏଭଳି ଘଟଣା ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ଲଗାଇଥିଲା। ପହଣ୍ଡି ନିର୍ଦ୍ଧାରିତ ସମୟରେ ସରିଥିଲା। ରଥ ଟଣା ଠିକ୍ ସମୟରେ ଆରମ୍ଭ ହେଲା। ରଥଟଣାର ପ୍ରଥମ ବିଗୁଲ ବାଜିବା ବେଳକୁ ଘଣ୍ଟାରେ ୪ଟା ୧୦ ବାଜି ଯାଇଥିଲା। ତାଳଧ୍ବଜ, ଦର୍ପଦଳନ କିଛି ବାଟ ଗଡ଼ିଥିଲେ। କିନ୍ତୁ ନନ୍ଦିଘୋଷ ରଥ ଥରେ ଗଡ଼ି ଅଟକିଗଲା। ରଥଟଣାରେ ଅହେତୁକ ବିଳମ୍ବ ଯୋଗୁଁ ଏଭଳି ଘଟିଥିଲା। ତାଳଧ୍ବଜ ରଥ ଗଡ଼ିବା ବେଳେ ବାରମ୍ବାର ମୋଡ଼ ନେବାରୁ ସମସ୍ତ ରଥ ବଡ଼ଦାଣ୍ଡରେ ଅଟକି ରହିଗଲେ। ରଥ ବଡ଼ଦାଣ୍ଡରେ ଅଟକିଥିବାରୁ ରାତି ତମାମ ଭକ୍ତଙ୍କ ସୁଅ ଛୁଟିଥିଲା। ରଥଯାତ୍ରା ପରଦିନ ରଥଟଣା କାର୍ଯ୍ୟ ସମାପନ ହୋଇଥିଲା।
/filters:format(webp)/sambad/media/media_files/2025/12/12/hfshfshfsxvbb-2025-12-12-23-50-08.jpg)
ରଥଯାତ୍ରା ଦଳଚକଟାରେ ଗଲା ୩ ଜୀବନ
ଚଳିତବର୍ଷ ଜୁନ୍ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୮ରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ପ୍ରତିବର୍ଷ ଭଳି ରଥାରୂଢ଼ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ରାତିସାରା ଭକ୍ତଙ୍କ ସୁଅ ଛୁଟିଥିଲା। କିନ୍ତୁ ସେଦିନ ସଅଳ ପହୁଡ଼ କରି ଦିଆଯାଇଥିଲା ଓ ବିଳମ୍ବରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏଣୁ ଭକ୍ତଙ୍କ ଭିଡ଼ ବଢ଼ିବା ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଓ ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଫଳସ୍ବରୂପ ଜୁନ୍ ୨୯ ତାରିଖ ଭୋର ପ୍ରାୟ ୪ଟାରେ ଦ୍ବାରଫିଟା ନୀତି ପରେ ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଠେଲାପେଲା ଓ ଦଳାଚକଟା ସ୍ଥିତି ଉପୁଜିଥିଲା। ଦଳାଚକଟାରେ ପ୍ରତିଭା ଦାସ(୫୨), ପ୍ରେମକାନ୍ତ ମହାନ୍ତି(୭୮) ଓ ବାସନ୍ତୀ ସାହୁ(୪୨)ଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ତତ୍କାଳ ଉନ୍ନୟନ କମିସନର୍ ଅନୁ ଗର୍ଗଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଥିଲା। ପୁରୀ ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ୍ ଅଜୟ ପାଢ଼ୀଙ୍କୁ ବି ନିଲମ୍ବିତ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବାବେଳେ ଏଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଉନ୍ନୟନ କମିସନର୍ ତାଙ୍କ ତଦନ୍ତ ରିପୋର୍ଟ ୩୧ ଜୁଲାଇରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଯେଉଁଥିରେ ସେ ୭ ପୁଲିସ ଅଧିକାରୀଙ୍କୁ ଦୋଷୀ ଦର୍ଶାଇଥିଲେ। ତେବେ ଏଆଇ କ୍ୟାମେରା, ଦକ୍ଷ ପୁଲିସ ଫୋର୍ସ ଓ ଏତେ ପ୍ରସ୍ତୁତି ସତ୍ତ୍ବେ ଏଭଳି ଅଘଟଣା, ସାରା ଦେଶ ତଥା ବିଶ୍ବ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ନିକଟରେ ରାଜ୍ୟର ମୁଣ୍ଡ ତଳକୁ ନୁଆଁଇ ଦେଇଥିଲା।
Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ
ରଥଯାତ୍ରା ଦେଖିବାକୁ ଆସିଲେ ଗୌତମ ଆଦାନୀ
ଜୁନ୍ ୨୭ରେ ପୁରୀରେ ଆରମ୍ଭ ହୋଇଯାଇଥିଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବର କୋଣଅନୁକୋଣରୁ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ସକାଶେ ପୁରୀ ଧାଇଁ ଆସିଥିଲେ। ଏଥିସହ କାଳିଆ ଦର୍ଶନ ପାଇଁ ଜୁନ୍ ୨୮ରେ ପହଞ୍ଚିଥିଲେ ବିଶ୍ବର ଅନ୍ୟତମ ଧନାଢ଼୍ୟ ବ୍ୟକ୍ତିତ୍ବ କୋଟିପତି ବ୍ୟବସାୟୀ ଗୌତମ ଅାଦାନୀ। ଆଦାନୀଙ୍କ ଆସିବା ଖବର ଶୁଣି ଦେଶ ତଥା ଦେଶ ବାହାରର ବହୁ ୟୁଟ୍ୟୁବର୍, ବ୍ଲଗର୍ ବି ଓଡ଼ିଶା ଛୁଟିଥିଲେ। ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ଏଥର ସାମାଜିକ ଗଣମାଧ୍ୟମ ଛାଇଯାଇଥିବା ବେଳେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବି ଅହେତୁକ ବୃଦ୍ଧି ପାଇଥିଲା। ଜୁନ୍ ୨୬ରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ‘ଅାଦାନୀ ଗ୍ରୁପ୍’ ପକ୍ଷରୁ ପୁରୀରେ ପ୍ରସାଦ ସେବା ଆରମ୍ଭ ହୋଇଛି। ଏହି ପ୍ରସାଦ ସେବାର ଭବ୍ୟ ଆୟୋଜନରେ ଲକ୍ଷ ଲକ୍ଷ ଭକ୍ତ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ।
ଓଡ଼ିଶା ଆସୁଛନ୍ତି ଅଧିକ ଜାପାନୀ ପର୍ଯ୍ୟଟକ
ବିଦେଶୀମାନଙ୍କ ମଧ୍ୟରେ ଜାପାନୀ ପର୍ଯ୍ୟଟକଙ୍କ ପସନ୍ଦରେ ରହିଛି ଓଡ଼ିଶା। ବିଧାନସଭାରେ ଏଭଳି କିଛି ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମତୀ ପରିଡ଼ା ରଖିଥିବା ତଥ୍ୟ ଅନୁସାରେ, ୨୦୨୨-୨୩ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୩-୨୪ ରେ ଏହି ସଂଖ୍ୟା ବଢ଼ି ୧ କୋଟି ୧୪ ହଜାର ୧୭୫ରେ ପହଞ୍ଚିଥିଲା ପର୍ଯ୍ୟଟକଙ୍କ ସଂଖ୍ୟା। ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ସେହିପରି ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା। ଗତ ୫ ବର୍ଷରେ ଓଡ଼ିଶା ଆସିଲେଣି ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ। ୨୦୨୦ ମସିହାରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୧ରେ ୨୨୬୯ ଜଣ, ୨୦୨୨ରେ ୨୨ ହଜାର ୧୭୨ ଜଣ, ୨୦୨୩ରେ ୪୫ ହଜାର ୧୭୩ ଜଣ ଏବଂ ୨୦୨୪ରେ ୫୩ ହଜାର ୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ତଥ୍ୟ ଅନୁସାରେ, ଜାପାନରୁ ସବୁଠାରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା। ଯାହାର ସଂଖ୍ୟା ହେଉଛି ୪,୪୨୩ । ଜାପାନ ପରେ ଦ୍ବିତୀୟରେ ରହିଛି ଇଟାଲୀ। ଇଟାଲୀରୁ ଓଡ଼ିଶା ବୁଲି ଆସିଛନ୍ତି ୩,୮୩୦ ପର୍ଯ୍ୟଟକ। ସେହିପରି ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ଫ୍ରାନ୍ସରୁ ୩୦୦୮ ବିଦେଶୀ ପର୍ଯ୍ୟଟକ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଆସିଥିବା ସୂଚନା ମିଳିଛି।
Hockey: ପୁରୁଷରେ ରାଉରକେଲା ଏକାଦଶ, ମହିଳା ନାଭାଲ ଟାଟା ବିଜେତା
ପୁଣି ଇସ୍କନର ମନମାନି, ପାଳିଲା ଅଦିନ ରଥଯାତ୍ରା
ଅଦିନିଆ ରଥଯାତ୍ରା ପାଳନରୁ କ୍ଷାନ୍ତ ରହିବାକୁ ବାରମ୍ବାର ଇସ୍କନକୁ ଚେତାବନୀ ଦିଆଯାଉଥିଲେ ବି ଚଳିତ ବର୍ଷ ବି ଇସ୍କନ ନିଜର ମନମାନି ଚଳାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ସେପ୍ଟେମ୍ବର ୬ ତାରିଖରେ ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ଇସ୍କନ ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଏନେଇ ଚିଠି ଲେଖିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ)ର ଚୂଡ଼ାନ୍ତ ନିଷ୍ପତ୍ତି କ୍ରମେ ବିଶ୍ବର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ। ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ସେହି ଚିଠିରେ ଜଣାଇଥିଲେ। ମାତ୍ର ଏକ ମାସ ପରେ ଇସ୍କନ ପୁନର୍ବାର ତାର ମନମାନି ଜାରି ରଖି ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଏହାର ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଆୟୋଜିତ ହୋଇଥିଲା। ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡ଼ିରେ ବସି ଯାଉଥିବା ଦେଖିବାକୁ ମିଳିଥିଲା।
/filters:format(webp)/sambad/media/media_files/2025/12/12/dagaadzcvvccv-2025-12-12-23-50-49.jpg)
ଦେଓମାଳିେର ରାଜାମୌଲି, ପ୍ରିୟଙ୍କା ଓ ମହେଶ ବାବୁ
ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗର ମାନ୍ୟତାପ୍ରାପ୍ତ ପର୍ବତମାଳା ‘ଦେଓମାଳି’ ଚଳିତ ବର୍ଷ ଚର୍ଚ୍ଚାରେ ରହିଥିଲା। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏସ୍.ଏସ୍.ରାଜାମୌଲି ନିଜର ପରବର୍ତ୍ତୀ ବହୁଭାଷୀ ଫିଲ୍ମ ‘ଏସ୍ଏସ୍ଏମ୍ବି ୨୯’ ସୁଟିଂ ପାଇଁ ଏହି ସ୍ଥାନ ଚୟନ କରିବା ପରେ ଦେଓମାଳିକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳି ଚଳିତ ବର୍ଷ ଆକର୍ଷଣ ସହ ଚର୍ଚ୍ଚାରେ ରହିଥିଲା। ଏଥିସହ ସୁଟିଂ ସମୟରେ ଦକ୍ଷିଣୀ ସୁପରଷ୍ଟାର୍ ମହେଶ ବାବୁ ଓ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କର ଦେଓମାଳିରେ କିଛି ଦିନର ରହଣି, ଜାତୀୟସ୍ତରୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଏହି ସ୍ଥାନ ପ୍ରତି ଆକର୍ଷଣ ଆହୁରି ବଢ଼ାଇଥିଲା। ରାଜାମୌଲିଙ୍କ ସୁଟିଂ ପରେ ଦେଓମାଳିକୁ ଆଗାମୀ ଦିନରେ ଆହୁରି ବାହାରର ନିର୍ମାତା ସୁଟିଂ ପାଇଁ ଆସିବାର ସମ୍ଭାବନା ବଢ଼ିଯାଇଛି। ତେବେ ରାଜାମୌଲି ଫେରିବା ବେଳେ ସାମାଜିକ ଗଣାମାଧ୍ୟମରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପୋଷ୍ଟ କରିଥିଲେ। ସେ ଦର୍ଶାଇଛନ୍ତି,‘ଏହି ପର୍ବତ ଉପରେ ଚଢ଼ି ପ୍ରକୃତିର ନୈସର୍ଗିକ ଦୃଶ୍ୟ ଦେଖି ମୁଁ ବିଭୋର। ତେବେ ପର୍ବତ ଶିଖରରେ କୁଢ଼କୁଢ଼ ଆବର୍ଜନା ଚିନ୍ତାଜନକ।’ ଅର୍ଥାତ୍ ଦେଓମାଳି ପର୍ବତ ଶିଖରରେ ପ୍ଲାଷ୍ଟିକ ସାମଗ୍ରୀ ଏଣେତେଣେ ପଡ଼ିବା ଯୋଗୁଁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟୁଛି ବୋଲି ଯିବା ସମୟରେ ନିର୍ଦ୍ଦେଶକ ରାଜାମୌଲି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଯାଇଥିଲେ।
ଜଗନ୍ନାଥ ଧାମକୁ ନେଇ ହଟଚମଟ
ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସମଗ୍ର ଓଡ଼ିଶା ଏକାଠି ହୋଇଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ସମ୍ବୋଧନକୁ ନେଇ ବିରୋଧ ସ୍ବର ଶାଣିତ ହୋଇଥିଲା। ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ଏହି ପ୍ରସଙ୍ଗକୁ ଗୁରୁତ୍ବପୂର୍ଣ୍ଣ ମନେ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାର ପୁରୀ ହିଁ ଜଗନ୍ନାଥ ଧାମ। ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଉଛି ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଏଭଳି କାମରୁ ନିବୃତ୍ତ ରହିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବି ଶେଷେର ହସ୍ତକ୍ଷେପ କରିଥିଲେ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହା ନ ଯାଉ। ପଶ୍ଚିମବଙ୍ଗ ସରକାର ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରୁହନ୍ତୁ। ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ।
ଦେଓମାଳିର ପରିମଳ ଓ ବିକାଶକୁ ନେଇ କସରତ
‘ଏସ୍ଏସ୍ଏମ୍ବି୨୯’ ଚଳଚ୍ଚିତ୍ର ସୁଟିଂ ପରେ ରାଜ୍ୟର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳିକୁ କୋରାପୁଟ ଜିଲ୍ଲା ପ୍ରଶାସନ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଦେଓମାଳିରେ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅର୍ଥାତ ରାତ୍ର ରହଣି ଉପରେ କଟକଣା ବି ଜାରି କରିଛି। ରାତ୍ରିରହଣି କଟକଣାକୁ ବଳବତ୍ତର ରଖାଯିବା ସହ ସ୍ବଚ୍ଛତା, ପରିମଳ ଆଦି ବଜାୟ ରଖିବା ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ବିଶ୍ବରେ ଦେଓମାଳି ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଆଗାମୀ ଦିନରେ ପ୍ରାକୃତିକ ବିଭବରେ ବିଭିନ୍ନ ଚଳଚ୍ଚିତ୍ର ସୁଟିଂ କରିବାକୁ ବହୁ ପ୍ରଯୋଜନା ସଂସ୍ଥା ଆସିବାର ଯୋଜନା ରହିଛି। ପର୍ଯ୍ୟଟକଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ସବୁ ଦୃଷ୍ଟିକୋଣରୁ ଦେଓମାଳିରେ ଅାନୁଷଙ୍ଗିକ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟର ବିକାଶ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ରାଜ୍ୟସରକାର ଏଥିପାଇଁ ୧୫କୋଟି ଅନୁଦାନ ରାଶି ବି ପ୍ରଦାନ କରୁଛନ୍ତି। କୁନ୍ଦୁଲି ଛକରୁ ଦେଓମାଳି ପର୍ଯ୍ୟନ୍ତ ରାସ୍ତାର ପୁନରୁଦ୍ଧାର ସହ ଦେଓମାଳି ପାଦ ଦେଶରେ ଆହୁରି ଅଧିକା କଟେଜ୍ ସହ ହୋଟେଲ୍ ଆଦି ନିର୍ମାଣ କରାଯିବାର ଯୋଜନା ରହିଛି।
/filters:format(webp)/sambad/media/media_files/2025/12/12/adgdgagdazcvcv-2025-12-12-23-51-04.jpg)
ସାତକୋଶିଆରେ ରାଫ୍ଟିଂ ଓ ହୀରାକୁଦରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନ
ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଓ ରୋମାଞ୍ଚକର ସ୍ଥାନଗୁଡ଼ିକୁ ଦୁଃସାହସିକ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ପର୍ଯ୍ୟଟନ ବିଭାଗ ଏବର୍ଷ ଅଣ୍ଟା ଭିଡ଼ିଛି। ପର୍ଯ୍ୟଟନର ସମ୍ଭାବନା ଥିବା ସ୍ଥାନଗୁଡ଼ିକର ମ୍ୟାପିଂ କରାଯାଇ ସେଗୁଡ଼ିକ ବିକଶିତ ହେବ। ସାତକୋଶିଆରେ ରାଫ୍ଟିଂ ଓ ହୀରାକୁଦ ଉପରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏପରି ପର୍ଯ୍ୟଟନ ସୁବିଧାର ବ୍ୟବସ୍ଥା କରାଯିବ। ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ପର୍ଯ୍ୟଟକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡ଼ିଶା କଥା ତାଙ୍କ ମନକୁ ଆସିବ ବୋଲି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ‘ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫’କୁ ଚୂଡ଼ାନ୍ତ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ବିକାଶ କରାଯିବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଭିନ୍ନ ଦୁଃସାହସିକ ପର୍ଯ୍ୟଟନ ପାଇଁ ଯୁବବର୍ଗଙ୍କୁ ତାଲିମ ଓ ପ୍ରମାଣପତ୍ର ଦିଆଯିବ। ଏହା ଦ୍ୱାରା ବ୍ୟାପକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/adgdagdgzcvcv-2025-12-12-23-48-46.jpg)