ଏହା ମଧ୍ୟ ଏକ କର୍କଶ ବାସ୍ତବତା ଯେ କର୍ମଚାରୀ ଓ ଆଧୁନିକ ଯନ୍ତ୍ରପାତିର ଅଭାବ ଦ୍ବାରା ସରକାରଙ୍କ ପ୍ରାୟ ସମସ୍ତ ବିଭାଗ ଜର୍ଜର ଏବଂ ଯେତିକି ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ, ସେମାନେ ସ୍ଥାଣୁତା, ଆଳସ୍ୟ, ଅନାଗ୍ରହ ଓ ନିରୁଦ୍ବିଗ୍ନତା ଦ୍ବାରା ଗ୍ରସ୍ତ। ପୁଣି ସେତିକି ଯେମିତି ଯଥେଷ୍ଟ ନୁହେଁ, କୌଣସି ଦୁର୍ଘଟଣା ଘଟିଲେ ମୃତାହତଙ୍କ ଲାଗି ତୁରନ୍ତ କେଇ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶିର ଘୋଷଣା କରି ଦିଆଯିବା ବା ସରକାରଙ୍କ ପକ୍ଷରୁ ଦୈବାତ୍ ସେଭଳି ହୋଇ ନ ଥିଲେ କେବଳ ସେତକ ମାତ୍ର ପାଇବାର ଦାବି କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିବା ଓ ତାହା ମିଳିଗଲେ ସନ୍ତୁଷ୍ଟ ହୋଇଯିବା ଭଳି ପ୍ରକରଣ ଭିତରେ ସାଧାରଣ ଭାରତୀୟ ନାଗରିକର ଜୀବନର ମୂଲ୍ୟ ସତେ ଯେମିତି ସ୍ଥିର ହୋଇ ସାରିଲାଣି।
Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ
ଗଲା ଶୁକ୍ରବାର ଦିନ ପ୍ରାୟ ନିଶାର୍ଦ୍ଧରେ ନୂଆଦିଲ୍ଲୀ ସନ୍ନିକଟ ନୋଇଡ଼ା ଅଞ୍ଚଳରେ ଘଟି ଯାଇଥିବା ଏକ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ହେତୁ କେବଳ ଯେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ତାହା ନୁହେଁ, ତଜ୍ଜନିତ ଦୁଃଖର ତରଙ୍ଗ ଊଣା ଅଧିକେ ସମଗ୍ର ଦେଶକୁ ଚହଲି ଯାଇଛି। ଆମ ଦେଶରେ ଦିନକୁ ହାରାହାରି ପ୍ରାୟ ୧୪୭ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବାରୁ ହୁଏତ ସେହି ସଂଖ୍ୟା ଭିତରୁ ଗୋଟିଏ ହୋଇ ଏହି ଦୁର୍ଘଟଣା କେବଳ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ହୁଏତ ସ୍ବାଭାବିକ ହୋଇଥାଆନ୍ତା, ଯେମିତି ପ୍ରାୟତଃ ଘଟିଥାଏ। କିନ୍ତୁ ଯେଉଁ କାରଣରୁ ଏହି ଦୁର୍ଘଟଣା ଏକ ବ୍ୟତିକ୍ରମରେ ପରିଣତ ହୋଇଥାଏ, ତାହା ହେଲା ଅଚାନକ ଲିଭି ଯାଇଥିବା ଜଣେ ତରୁଣ ଇଂଜିନିଅରଙ୍କ ଜୀବନକୁ ରକ୍ଷା କରିବା ସକାଶେ ଏକାଧିକ ସୁଯୋଗ ଓ ସମ୍ବଳ ଘଟଣା ସ୍ଥଳରେ ହିଁ ମହଜୁଦ ଥିଲେ ଏବଂ ଆଶା, ନିରାଶା ଓ ପ୍ରାଣ ରକ୍ଷା ଲାଗି ଆକୁଳ ଆବେଦନ ସଂବଳିତ ପ୍ରାୟ ଦେଢ଼ ଘଣ୍ଟା ପରେ ଯାଇ ଏହି ଦାରୁଣ ବିୟୋଗାନ୍ତକ ନାଟକରେ ଯବନିକା ପଡ଼ିଥିଲା। ପର ଦିନ ପୋଷ୍ଟମର୍ଟମ ରିପୋର୍ଟରୁ ଯଦିଓ ସ୍ପଷ୍ଟ ହୋଇଛି ଯେ ପାଣି ଓ ପଙ୍କ ଭିତରେ ବୁଡ଼ି ଯିବାରୁ ଶ୍ବାସରୁଦ୍ଧ ଘଟି ତାଙ୍କର ମୃତ୍ୟୁ ଘଟିଛି, ଯାହା ତହିଁରେ ଉଲ୍ଲିଖିତ ନାହିଁ, ତାହା ହେଲା ବହୁ ସ୍ତରୀୟ ସଂବେଦନଶୂନ୍ୟତା, ଯାହା ଆମ ସମସ୍ତଙ୍କ ଜୀବନକୁ ପ୍ରତ୍ୟହ କୌଣସି ନା କୌଣସି ବାଟେ ଆକ୍ରାନ୍ତ କରିଥାଏ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ପାଠକପାଠିକାମାନଙ୍କ ଅବଗତି ନିମନ୍ତେ ଘଟଣାର ପୃଷ୍ଠଭୂମି ଉପରେ ଆଲୋକପାତ କରାଯାଉ। ଘଟଣା ଦିନ ରାତି ପାୟ ୧୨ଟା ୪୫ରେ ଅଫିସରୁ ଫେରୁଥିବା ସଫଟୱେର ଇଂଜିନିଅର, ସତେଇଶ ବର୍ଷ ବୟସ୍କ, ଯୁବରାଜ ମେହଟ୍ଟାଙ୍କ ଗାଡ଼ି ତାଙ୍କ ଆପାର୍ଟମେଣ୍ଟ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଏକ ପୋଖରୀ ମଧ୍ୟକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଗଲା। ପ୍ରକାଶ ଥାଉ କି ରାତ୍ରିର ଅନ୍ଧକାର ଓ ଘନ କୁହୁଡ଼ିର ପରଦା ହେତୁ ଦୃଷ୍ଟିପଥ ସଂପୂର୍ଣ୍ଣ ସଂକୁଚିତ ହୋଇ ଏହି ଦୁର୍ଘଟଣା ଘଟାଇଥିଲା। କିନ୍ତୁ ଏହା ସହିତ ଆଉ ଏକ ବାସ୍ତବତା ହେଲା, ନୋଇଡ଼ା ଅଞ୍ଚଳରେ ଚାଲିଥିବା ନିଘଞ୍ଚ ନିର୍ମାଣ ପ୍ରକରଣରେ ଅତିକାୟ ଓ ଗଭୀର ଗାତମାନ ଖୋଳା ଯାଇ କୃତ୍ରିମ ପୁଷ୍କରିଣୀମାନ ସୃଷ୍ଟି କରାଯାଉଛି, ଯହିଁରୁ ଅଧିକାଂଶ ସଂପୂର୍ଣ୍ଣ ଉନ୍ମୁକ୍ତ ରହି ବିପଦର କାରଣ ମଧ୍ୟ ହେଉଛି। ଯଦିଓ ବିପଦର ଉପସ୍ଥିତି ଜଣାଇ ସୂଚନା ଫଳକ ଲଗାଇବା ଅଥବା ଆଲୋକର ବ୍ୟବସ୍ଥା କରିବା କିମ୍ବା ପ୍ରାଚୀର ବା ବ୍ୟାରିକେଡ ଦ୍ବାରା ତାକୁ ପରିବେଷ୍ଟିତ କରିବା ଏକ ସାଧାରଣ ସତର୍କତାମୂଳକ ନିୟମ ହୋଇଥାଏ, ନିର୍ମାଣକାରୀ ସଂସ୍ଥାଗୁଡ଼ିକ ତା’ ଉପରେ କୌଣସି ଗୁରୁତ୍ବ ଦେଇ ନ ଥାଆନ୍ତି। ସୂଚନାଯୋଗ୍ୟ ଯେ ଏହି ନିର୍ଦ୍ଦିଷ୍ଟ ପୋଖରୀର ବିପଦ ନେଇ ସ୍ଥାନୀୟ ଅଧିବାସୀମାନେ ନଗର ପ୍ରଶାସନକୁ ଅବଗତ କରାଇଛନ୍ତି, କିନ୍ତୁ କୌଣସି ଫଳ ମିଳି ନାହିଁ। ସେ ଦିନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତରୁଣ ଯୁବରାଜ କୌଣସମତେ ଗାଡ଼ିରୁ ବାହାରି ମନ୍ଥର ଗତିରେ ବୁଡ଼ି ଯାଉଥିବା ସେହି ଗାଡ଼ିର ଛାତ ଉପରକୁ ଉଠି ନିଜ ପିତାଙ୍କୁ ଫୋନ କରି ତାଙ୍କ ‘ଲୋକେସନ’ ପଠାଇ ତୁରନ୍ତ ସାହାଯ୍ୟର ବ୍ୟବସ୍ଥା କରିବାକୁ ଅନୁରୋଧ କହିଥିଲେ। ଖବର ପାଇବା ମାତ୍ରକେ ଅଣନିଃଶ୍ବାସୀ ପିତାଙ୍କ ଫୋନ କଲ୍ରେ ଯଦିଓ ଖୁବ୍ ଶୀଘ୍ର ନିଆଁଲିଭା କର୍ମଚାରୀ, ଏନ.ଡି.ଆର.ଏଫ. ଓ ଏସ.ଡି.ଆର.ଏଫ.(ଉଭୟ କେନ୍ଦ୍ର ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ) ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ଏବଂ ଶହେ ସରିକି ଦେଖଣାହାରି ରୁଣ୍ଡ ହୋଇ ଯାଇଥିଲେ, ବିଡ଼ମ୍ବନାଟି ହେଲା, ଗାଡ଼ିର ଛାତ ଉପରୁ ମୋବାଇଲ ଟର୍ଚ ଜଳାଇ ନିଜ ଅବସ୍ଥିତିକୁ ସୂଚାଉ ଥିବା ଯୁବରାଜଙ୍କ ନିକଟକୁ ସାହାଯ୍ୟ ପହଞ୍ଚି ପାରି ନ ଥିଲା। ଘନ କୁହୁଡ଼ି, ଅନ୍ଧକାର ଓ ଅସହ୍ୟ ଥଣ୍ଡାର ଦ୍ବାହି ଦେଇ ବିପର୍ଯ୍ୟୟରୁ ସୁରକ୍ଷା ଦେବା ଲାଗି ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଦଳର କୌଣସି ଜଣେ ହେଲେ ସଦସ୍ୟ ପାଣିରେ ପଶି ନ ଥିଲେ। ଅଧିକ ବିଡ଼ମ୍ବନାର ବିଷୟ ହେଲା, ବିପର୍ଯ୍ୟୟ ପ୍ରଶମନ ଦଳଗୁଡ଼ିକ ନିକଟରେ କେବଳ ଦଉଡ଼ି ଛଡ଼ା ଅନ୍ୟ କୌଣସି ବିଶେଷ ସାଧନ ମଧ୍ୟ ନ ଥିଲା ଏବଂ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ହେଲେ ପହଁରା ଜାଣି ନାହାନ୍ତି ବୋଲି କୁଆଡ଼େ କହିଥିଲେ। ଏଭଳି ଏକ ଦୃଶ୍ୟପଟରେ ବ୍ୟବସ୍ଥାର ସଂବେଦନଶୂନ୍ୟତା, କର୍ମଚାରୀମାନଙ୍କ ଅସାମର୍ଥ୍ୟ ଓ କର୍ତ୍ତବ୍ୟ ସଂପାଦନରେ ଅନାଗ୍ରହ ଇତ୍ୟାଦିକୁ ନେଇ ଅଧିକ ସ୍ପଷ୍ଟତାର ଆବଶ୍ୟକତା ଅଛି କି? ଏହା ପୁଣି ଘଟିଛି ବିପର୍ଯ୍ୟୟ ପ୍ରଶମନ ଭଳି ଅତ୍ୟନ୍ତ ସ୍ପର୍ଶକାତର ସଂଦର୍ଭରେ, ଯେଉଁଠି ସଂପୃକ୍ତ ବିଭାଗର କର୍ମଚାରୀମାନେ ସର୍ବଦା ‘ଜୀବନ ଓ ମୃତ୍ୟୁର ସନ୍ଧିକ୍ଷଣ’ରେ ତ୍ରାଣକର୍ତ୍ତା ଭୂମିକାରେ ଅବତୀର୍ଣ୍ଣ ହେବେ। ତେଣୁ ନୋଇଡ଼ାରେ ସେମାନଙ୍କ ଉପସ୍ଥିତି ଏବଂ ସେମାନଙ୍କ ହାତରେ ପ୍ରାୟ ଦେଢ଼ ଘଣ୍ଟାର ସମୟ ଥିବା ବେଳେ ଗୋଟିଏ ଜୀବନକୁ ନିଶ୍ଚିହ୍ନ ହୋଇଯିବାକୁ ଛାଡ଼ି ଦେବା ଏକ ଟ୍ରାଜେଡି ନୁହେଁ କି?
Health: ଆପୋଲୋ ହସ୍ପିଟାଲ୍ସରେ ଶିଶୁଙ୍କ ସଫଳ ହୃତ୍ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା
କୌଣସି ସରକାରୀ ବିଭାଗର ଅଦୂରଦର୍ଶିତା, ନିସ୍ପୃହତା, ଦୁର୍ନୀତି ଇତ୍ୟାଦି ସଡ଼କ ଦୁର୍ଘଟଣା ମାଧ୍ୟମରେ ଯେମିତି ଅତି ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ, ସେଭଳି ଅନ୍ୟ ବିଭାଗରେ କ୍ବଚିତ ହୋଇଥାଏ। ଉଦାହରଣ ସ୍ବରୂପ ତ୍ରୁଟିପୂର୍ଣ୍ଣ ଡିଜାଇନ, ସତର୍କତା ବହନକାରୀ ସୂଚନା ଫଳକର ଅନୁପସ୍ଥିତି ଓ କଦର୍ଯ୍ୟ ସଡ଼କ ହେତୁ ଘଟୁଥିବା ଦୁର୍ଘଟଣା ଓ ଜୀବନ ହାନିର ହାର ଅତ୍ୟନ୍ତ ଉଦ୍ବେଗଜନକ, ଯେମିତି ଏକ ଆକଳନ ଅନୁସାରେ ୨୦୨୩ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରାୟ ୧.୭ ଲକ୍ଷ ଲୋକଙ୍କ ମଧ୍ୟରୁ ୨୧୬୧ ଜଣଙ୍କ ପ୍ରାଣ ଯାଇଥିଲା କେବଳ ସଡ଼କରେ ହୋଇଥିବା ଗାତ ବା ‘ପଟ୍ହୋଲ’ କାରଣରୁ। ଏହା ସୁବିଦିତ ଯେ ବାରମ୍ବାର ଅନୁରୋଧ କରାଯାଉଥିଲେ ହେଁ ସେଥି ପ୍ରତି ଦୃଷ୍ଟି ଦିଆଯାଇ ନ ଥାଏ ଏବଂ ଦୁର୍ନୀତିଗ୍ରସ୍ତ ନେତା-ଯନ୍ତ୍ରୀ-ଠିକାଦାରଙ୍କ ମଧୁଯାମିନୀ ହେତୁ ମରାମତି କାର୍ଯ୍ୟ କେବଳ ଲୋକ ଦେଖାଣିଆ ଓ ଅତ୍ୟନ୍ତ ସ୍ବଳ୍ପାୟୁ ହୋଇଥାଏ। ତେବେ, ଏହା ମଧ୍ୟ ଏକ କର୍କଶ ବାସ୍ତବତା ଯେ କର୍ମଚାରୀ ଓ ଆଧୁନିକ ଯନ୍ତ୍ରପାତିର ଅଭାବ ଦ୍ବାରା ସରକାରଙ୍କ ପ୍ରାୟ ସମସ୍ତ ବିଭାଗ ଜର୍ଜର ଏବଂ ଯେତିକି ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ, ସେମାନେ ସ୍ଥାଣୁତା, ଆଳସ୍ୟ, ଅନାଗ୍ରହ ଓ ନିରୁଦ୍ବିଗ୍ନତା ଦ୍ବାରା ଗ୍ରସ୍ତ। ପୁଣି ସେତିକି ଯେମିତି ଯଥେଷ୍ଟ ନୁହେଁ, କୌଣସି ଦୁର୍ଘଟଣା ଘଟିଲେ ମୃତାହତଙ୍କ ଲାଗି ତୁରନ୍ତ କେଇ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶିର ଘୋଷଣା କରି ଦିଆଯିବା ବା ସରକାରଙ୍କ ପକ୍ଷରୁ ଦୈବାତ୍ ସେଭଳି ହୋଇ ନ ଥିଲେ କେବଳ ସେତକ ମାତ୍ର ପାଇବାର ଦାବି କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିବା ଓ ତାହା ମିଳିଗଲେ ସନ୍ତୁଷ୍ଟ ହୋଇଯିବା ଭଳି ପ୍ରକରଣ ଭିତରେ ସାଧାରଣ ଭାରତୀୟ ନାଗରିକର ଜୀବନର ମୂଲ୍ୟ ସତେ ଯେମିତି ସ୍ଥିର ହୋଇ ସାରିଲାଣି। ଏଭଳି ଏକ ସ୍ଥିତିରେ ସରକାରୀ କର୍ମଚାରୀ ହୁଅନ୍ତୁ ବା ଜନସାଧାରଣ; ଏକ ଟ୍ରାଜେଡିର ଦର୍ଶକ ପାଲଟି ଯିବାରେ ବିସ୍ମୟର ବିଶେଷ କାରଣ ମଧ୍ୟ ନ ଥାଏ।
ଶଂସିତ ଘଟଣାରେ ଦେଖିବାକୁ ମିଳିଥିଲା ଯେ ପ୍ରାୟ ଦେଢ଼ ଘଣ୍ଟା ପରେ ସେଠାରେ ପହଞ୍ଚିଥିବା ଜଣେ ‘ଡେଲିଭରି ବଏ’ ଅବିଳମ୍ବେ ନିଜ ଅଣ୍ଟାରେ ଦଉଡ଼ି ବାନ୍ଧି ସେହି କୁହୁଡ଼ି ଆଚ୍ଛନ୍ନ ଅନ୍ଧକାରରେ ହେମାଳ ପୁଷ୍କରିଣୀ ମଧ୍ୟକୁ ଲଂଫ ଦେଇ ଅଧ ଘଣ୍ଟାଏ କାଳ ଖୋଜାଲୋଡ଼ା କରିଥିଲେ। ନିଷ୍ଫଳ ହୋଇ ସେ ଉପରକୁ ଉଠିବା ପରେ ଯାଇ କୂଳସ୍ଥ ଦେଖଣାହାରିଙ୍କ ହୃଦ୍ବୋଧ ହୋଇଥିଲା ଯେ ଯୁବରାଜ ସଲିଳ ସମାଧି ଘେନି ସାରିଛନ୍ତି। ତେବେ, ଏଭଳି ସ୍ଥିତିରେ ସହସା ମନରେ ଏକ ଗୂଢ଼ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ବିପନ୍ନଙ୍କ ଉଦ୍ଧାର ଲାଗି ସ୍ବଭାବଗତ ଭାବେ ଉଦ୍ଗ୍ରୀବ ଯୁବକ ଜଣକ ‘ଏନ.ଡି.ଆର.ଏଫ.’ ବା ‘ଏସ.ଡି.ଆର.ଏଫ.’ ଦଳର ସଦସ୍ୟ ନ ହୋଇ ‘ଡେଲିଭରି ବଏ’ ଭାବେ ଜୀବିକା ନିର୍ବାହ କରୁଛନ୍ତି କାହିଁକି? ଏହି ପ୍ରଶ୍ନ ସହିତ ସରକାରୀ ନିଯୁକ୍ତି ଲାଗି ଆମ ଦେଶରେ ଅନୁସୃତ ମନୋନୟନ ପଦ୍ଧତିର ଯୌକ୍ତିକତା ଓ ପ୍ରାସଙ୍ଗିକତା ମଧ୍ୟ ପ୍ରଶ୍ନାକୁଳ ହୋଇ ଉଠେ। କୌଣସି ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସାଧାରଣ ଜ୍ଞାନ ବା ଭାଷା ଜ୍ଞାନର ସ୍ତରର ଆକଳନ ତୁଳନାରେ ଉଦ୍ଦିଷ୍ଟ କାର୍ଯ୍ୟ କ୍ଷେତ୍ର ବା ଦାୟିତ୍ବ ପ୍ରତି ପ୍ରାର୍ଥୀଙ୍କ ଆଗ୍ରହର ସ୍ତରକୁ ମାପିବା ଅଧିକ ଯଥୋଚିତ ହୋଇ ନ ଥାଏ କି? ଉଦାହରଣ ସ୍ବରୂପ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କୁ ପ୍ରାଣ ଭରି ଭଲ ପାଉଥିବା ଜଣେ ବ୍ୟକ୍ତି ବନ ବିଭାଗର କର୍ମଚାରୀ ହେବାରେ ପ୍ରାଥମିକତା ପାଇବା ଉଚିତ ନୁହେଁ କି? ଏହା ସ୍ବୀକାର କରିବାରେ କୌଣସି ଅସୁବିଧା ନାହିଁ ଯେ ଆମ ସରକାରୀ ତନ୍ତ୍ରରେ ନିଜ କାର୍ଯ୍ୟ ଓ ବୃତ୍ତି ପ୍ରତି ଆବେଗିକ ଭାବେ ସଂଯୁକ୍ତ ଅତ୍ୟନ୍ତ ମୁଷ୍ଟିମେୟଙ୍କ ଦାୟବଦ୍ଧତା ହେତୁ ହିଁ ସରକାରଙ୍କୁ ସୁନାମ ଓ ସଫଳତା ମିଳିଥାଏ। ଏଣୁ ଅନେକ ଆପାତ୍କାଳୀନ ସ୍ଥିତିରେ ବିପନ୍ନଙ୍କ ଉଦ୍ଧାର ଲାଗି ତ୍ରାଣକର୍ତ୍ତା ରୂପେ ସରକାରୀ କର୍ମଚାରୀମାନଙ୍କ ବଦଳରେ ‘ଡେଲିଭରି ବଏ’ମାନଙ୍କ ଆବିର୍ଭାବ ହିଁ ଘଟିଥାଏ। ଏହା ମଧ୍ୟ ଏକ ଟ୍ରାଜେଡି।
Follow Us