ଶ୍ୟାମସୁନ୍ଦର ଅଗ୍ରୱାଲା

ବର୍ତ୍ତମାନ ଗାଡ଼ିମଟର ପ୍ରଦୂଷଣ ନିୟନ୍ତ୍ରଣର କାଗଜ ଖଣ୍ଡେ ପାଇଁ ଶହ ଶହ ଲୋକ ଲମ୍ବା ଲମ୍ବା ଧାଡ଼ି ବାନ୍ଧିକି ଛିଡ଼ା ହୋଇଛନ୍ତି। ଏ ସବୁ ଦେଖିଲେ ଯାହା ଜଣା ପଡୁଛି ଯେ ସରକାରଙ୍କୁ ପ୍ରଦୂଷଣ ନିୟନ୍ତ୍ରିତ ଗାଡ଼ିମଟରର ଯେତେ ଦରକାର ନାହିଁ ସେତେ ଏହି ପ୍ରମାଣପତ୍ର ଖଣ୍ଡକ ଦରକାର ପଡୁଛି, କାରଣ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଯେଉଁ ଗାଡ଼ି ଏହାକୁ ଜାରି କରୁଛି ତାହା ପ୍ରାୟ ସବୁ ଗାଡ଼ିକୁ ତା’ର ପ୍ରାପ୍ୟ ବଦଳରେ ଖଣ୍ଡିଏ ଖଣ୍ଡିଏ ପ୍ରମାଣପତ୍ରର କାଗଜ ତୁରନ୍ତ ଧରେଇ ଦେଉଛି। ମନେ ହୁଏ ଆପଣଙ୍କ ଗାଡ଼ି ଯେତେ ଅଙ୍ଗାରକାମ୍ଳ ଛାଡୁଥାଉ ପଛେ ଥରେ ଶହେଟି ଟଙ୍କା ଦେଇ ଏହି କାଗଜ ଖଣ୍ଡିଏ ହାସଲ କରିଦେଲେ ତାହା ଖାଲି ଅମ୍ଳଜାନ ଛାଡୁଛି ବୋଲି ସରକାରଙ୍କୁ ପ୍ରମାଣ ଦେଉଛି। 

Advertisment

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

ରାସ୍ତା କଡ଼ରେ ଯେଉଁ ଗାଡ଼ିଗୁଡ଼ିକ ଏହି ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଜାରି କରୁଛନ୍ତି କିମ୍ବା ଯେଉଁ ପୋଲିସ ଗାଡ଼ି ସବୁ ଏହି କାଗଜ ପତ୍ର ତଦାରଖ କରୁଛନ୍ତି ସେଗୁଡ଼ିକ ଦେଖିଲେ ସେମାନଙ୍କର ନିଜର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଅଛି କି ନାହିଁ ବୋଲି ସନ୍ଦେହ ହେଉଛି। ନିକଟରେ ଖବରକାଗଜରେ ପ୍ରକାଶିତ ହୋଇଥିବା ଏକ ସମ୍ବାଦ ଅନୁଯାୟୀ ପ୍ରଦୂଷଣ ଯାଞ୍ଚରେ ସାମିଲ ହୋଇଥିବା ବାଲେଶ୍ୱର ଟ୍ରାଫିକ ଥାନାର ଏକ ଟାଟା ସୁମୋ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ତ ଦୂରର କଥା ସାଧାରଣ ବୀମାର ମଧ୍ୟ ବର୍ଷ ବର୍ଷ ଧରି କୌଣସି କାଗଜପତ୍ର ନ ଥିବାର ଜଣା ପଡ଼ିଛି। ପ୍ରଶ୍ନ ଉଠେ, ଯିଏ ଏଥିପାଇଁ ଦାୟୀ ସିଏ ତାଙ୍କ ହାତରୁ ଜରିମାନା ଦାଖଲ କରିଛନ୍ତି କି? ଯଦି ସିଏ ନ କରିଛନ୍ତି ତେବେ ଜଣେ ସାଧାରଣ ନାଗରିକ ପ୍ରଦୂଷଣ ନିୟନ୍ତ୍ରଣର କାଗଜ ନାହିଁ ବୋଲି କାହିଁକି ଜରିମାନା ଦାଖଲ କରିବ?
ଏହା ଏକ ସାଧାରଣ ନାଗରିକର ଦାୟିତ୍ୱ ଯେ ସେ ତାହାର ଗାଡ଼ିର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ପ୍ରଦୂଷଣ ନିୟନ୍ତ୍ରଣର ପ୍ରମାଣପତ୍ର ସର୍ବଦା ଗାଡ଼ିରେ ମହଜୁଦ ରଖିବ ଅନ୍ୟଥା କେନ୍ଦ୍ର ମୋଟର ଯାନ ନିୟମ ଅନୁଯାୟୀ ତାକୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏହି ଅବହେଳା ପାଇଁ ଗୋଟିଏ ଦଣ୍ଡର ବ୍ୟବସ୍ଥା ରହିଥିବା ବେଳେ ତା’ର ଗାଡ଼ିକୁ ସେହି ଅବହେଳା ପାଇଁ ଅନ୍ୟ ଏକ ଦଣ୍ଡ ସ୍ୱରୂପ ପେଟ୍ରୋଲ କାହିଁକି ବନ୍ଦ କରିଦିଆଯିବ ବୁଝା ପଡ଼େ ନାହିଁ। ସରକାର କିନ୍ତୁ ଜଣେ ସାଧାରଣ ନାଗରିକକୁ ହଠାତ୍ ଏଭଳି ଏକ ପରିସ୍ଥିତିରେ ପକେଇ ଦେଇଛନ୍ତି ଯେ ପୂର୍ବରୁ ଗାଡ଼ି ଉପରେ ଜରିମାନା ବକେୟା ଥିଲେ ପ୍ରଦୂଷଣ ପ୍ରମାଣପତ୍ର ମିଳିବ ନାହିଁ, ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ତେଲ ମିଳିବ ନାହିଁ ଆଉ ଯଦି ବା ଦୈବାତ ତା’ ଗାଡ଼ିରେ ତେଲ ଅଛି ତେବେ ତାକୁ ଟୋଲ ଗେଟ ପାର କରିବାକୁ ଦିଆଯିବ ନାହିଁ। ଏହି ପରି ଚତୁଃଦିଗରୁ ସଣ୍ଢୁଆଶି ଆକ୍ରମଣ କରି ସରକାର ସାଧାରଣ ଲୋକଟିଏ ପିଛା ହଠାତ୍ ଏମିତି ପଡ଼ିଯାଇଛନ୍ତି ଯେ ସତେ ଯେମିତି ସମଗ୍ର ପ୍ରଦୂଷଣ ପାଇଁ ସିଏ ହିଁ ଏକମାତ୍ର ଦାୟୀ। 
ସେ ଅବଶ୍ୟ ଦାୟୀ କିନ୍ତୁ ଏକମାତ୍ର ଦାୟୀ ନୁହେଁ। ସହରାଞ୍ଚଳରେ ପ୍ରତ୍ୟହ ସକାଳୁ ସକାଳୁ ମ୍ୟୁନିସିପାଲିଟିର ଠିକା କର୍ମଚାରୀମାନେ ଝାଡୁ ମାରି ରାସ୍ତାଘାଟରେ ଏମିତି ଧୂଳି ଉଡ଼ଉଛନ୍ତି ଯେ ପ୍ରଦୂଷଣ ପାଇଁ ସେମାନଙ୍କୁ ସର୍ବାଧିକ ଦାୟୀ ବୋଲି କୁହାଯାଉଛି ଅଥଚ ସେମାନଙ୍କୁ ରାତିରେ ଝାଡୁ ମାରିବା କିମ୍ବା ଜଳ ସିଞ୍ଚନ କରି ଝାଡୁ ମାରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଟିପର, ଟ୍ରାକ୍ଟର ଓ ଟ୍ରକମାନଙ୍କରେ ବାଲି ଓ କୋଇଲା ପରିବହନ ପ୍ରଦୂଷଣ ପାଇଁ ଦ୍ୱିତୀୟ ସର୍ବାଧିକ ଦାୟୀ ହୋଇଥିଲା ବେଳେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା ବେଳେ ମାର ମାର ହରିଆକୁ ମାର ନୀତିରେ କେବଳ ଏହି ସାଧାରଣ ଜନସାଧାରଣଙ୍କ ଉପରେ ସରକାର କାହିଁକି ଏତେ ଦାଉ ସାଧୁଛନ୍ତି ବୁଝା ପଡୁନାହିଁ। 

Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ

ସରକାରଙ୍କର ଏହିପରି ଏକ ଅତର୍କିତ ପଦକ୍ଷେପ ଯୋଗୁଁ ସାଧାରଣ ଲୋକମାନେ ଏମିତି ଛାନିଆ ହୋଇପଡ଼ିଛନ୍ତି ଯେ ସାରା ରାଜ୍ୟରେ ବର୍ତ୍ତମାନ ଛତୁ ଫୁଟିଲା ପରି ନକଲି ପ୍ରଦୂଷଣ କେନ୍ଦ୍ରମାନ ଖୋଲିଯାଇଛି। ଏମାନେ କେବଳ ପ୍ରଦୂଷଣ ପ୍ରମାଣପତ୍ର ନୁହେଁ, ସାଥିରେ ସବୁଜ ଷ୍ଟିକର ମଧ୍ୟ ଯୋଗେଇବାରେ ଲାଗିଛନ୍ତି। ଜଣେ ପେଟ୍ରୋଲ ପମ୍ପର କର୍ମଚାରୀ ଯାହାକୁ ତେଲ ଦେବା ପାଇଁ ମଧ୍ୟ ଗୋଟିଏ ସେକେଣ୍ଡର ଫୁରୁସତ ମିଳେ ନାହିଁ ସେ କିଭଳି ଏଗୁଡ଼ିକ ଅସଲି କି ନକଲି ପରୀକ୍ଷା କରି ଦେଖିବ? ବେଳେବେଳେ ଏହି ନକଲି କାଗଜ ପତ୍ର ଅସଲିଠାରୁ ଅଧିକ ଅସଲି ଲାଗିଥାଏ। ଏହା ପ୍ରଦୂଷଣ ନିୟନ୍ତ୍ରଣ ନ କରି କେବଳ ଗୁଡ଼ାଏ ବିଭ୍ରାଟ ସୃଷ୍ଟି କରିବ ନାହିଁ କି?
ବନ୍ଧୁଗଣ, ସରକାର ହେଉଛନ୍ତି ଲୋକଙ୍କ ସରକାର। ପ୍ରଦୂଷଣ ନିୟନ୍ତ୍ରଣ ଲୋକଙ୍କର ହିତ ପାଇଁ ହିଁ ହେଉଛି କିନ୍ତୁ ଲୋକଙ୍କୁ ସମୟ ନ ଦେଇ ଅକସ୍ମାତ୍‌ ପଦକ୍ଷେପ ନେବା ଦ୍ୱାରା ଲୋକଙ୍କର ଯନ୍ତ୍ରଣା ବଢ଼ିବଢ଼ି ଚାଲିଛି ଏବଂ ଏଥିଯୋଗୁଁ ବାରମ୍ବାର ତାରିଖ ବଦଳେଇ ସରକାରଙ୍କୁ ଅଯଥା ଲୋକହସା ହେବାକୁ ପଡୁଛି। ଏହା ଏମିତି ଏକ ପ୍ରହସନ ହୋଇ ପଡ଼ିଛି ଯେ ଗୋଟିଏ ସମ୍ବାଦ ଅନୁଯାୟୀ ଏହି କାଗଜ ଖଣ୍ଡକ ପାଇଁ ଆପଣଙ୍କୁ ଆଉ ପ୍ରଦୂଷଣ କେନ୍ଦ୍ରକୁ ମଧ୍ୟ ଯିବାକୁ ପଡୁନାହିଁ। ସାମାନ୍ୟ ଅର୍ଥ ବ୍ୟୟରେ ଆପଣ ଘରେ ବସି ମଧ୍ୟ ଏହି କାଗଜ ଓ ସବୁଜ ଷ୍ଟିକରର ବ୍ୟବସ୍ଥା କରିପାରୁଛନ୍ତି। ଏହା ପ୍ରମାଣ କରୁଛି ଯେ ନିୟମ ଯାହା ହେଉ ନା କାହିଁକି ଏହାକୁ ବୁଝେଇସୁଝେଇ ଲଗେଇବାର ଏକ କଳା ଅଛି। ତା’ ନ କରି ଯଦି ଚତୁଃଦିଗରୁ ସଣ୍ଢୁଆଶି ଆକ୍ରମଣ କରି ଆଉ ଧମକଚମକ ଦେଇ ଏହାକୁ ଲଗେଇବାକୁ ଚେଷ୍ଟା କରିବେ ତେବେ ଦଲାଲମାନେ ଅଯଥା ପ୍ରବେଶ କରିବେ ଆଉ ସେ ଦିନ ଦୂର ନାହିଁ ଯେଉଁ ଦିନ ଆପଣ ଘରେ ବସି ଚୁପ୍‌ଚାପ୍‌ ଶୁଣିବାକୁ ପାଇବେ, “ବ୍ୟସ୍ତ ହୁଅନ୍ତୁ ନାହିଁ, ମାତ୍ର ଶହେଟି ଟଙ୍କା ଦେଇ ଖଣ୍ଡିଏ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନେଇଯାଆନ୍ତୁ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭