ସାଦାସିଧା ଓ ଚୁଲ୍‌ବୁଲି ବ୍ୟକ୍ତିତ୍ବ ସଂପନ୍ନ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କର ଏବେ ଅସଂଖ୍ୟ ପ୍ରଶଂସକ। ତାଙ୍କ ପୂର୍ବ ପିଢ଼ିର ଅଭିନେତ୍ରୀମାନେ ଫିଲ୍ମ ସଂଖ୍ୟା କମାଇ ଦେଇଥିବାବେଳେ ତାଙ୍କ ନିଜ ପିଢ଼ିର ଅଳ୍ପ କେତେଜଣ ହିଁ ଦର୍ଶକୀୟ ସ୍ବୀକୃତି ପାଇଛନ୍ତି। କିଆରା ସେମିତି ବଡ଼ ବଜେଟ୍‌ ଫିଲ୍ମ‌ରେ ଅଭିନୟ କରି ନ ଥିଲେ ବି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ତଥା ପ୍ରଶଂସକ ଗୋଷ୍ଠୀ ସୃଷ୍ଟି କରିବାରେ ସକ୍ଷମ ‌ହୋଇଛନ୍ତି।

Advertisment

ସେ ନିଜର ଆଗାମୀ ଫିଲ୍ମ ‘ଗେମ୍‌ ଚେଞ୍ଜର’କୁ ନେଇ ଭାରି ଉତ୍ସାହିତ ଅଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମର ନାମକରା ନିର୍ଦ୍ଦେଶକ ଏସ୍‌ ଶଙ୍କରଙ୍କର ଏ ଫିଲ୍ମରେ କିଆରାଙ୍କର ନାୟକ ଅଛନ୍ତି ଦକ୍ଷିଣୀ ଯୁବ ସୁପର୍‌ଷ୍ଟାର୍‌ ରାମ ଚରଣ। ଉଭୟ ଉତ୍ତର ଓ ଦକ୍ଷିଣ ଭାରତରେ ଧୁମ୍‌ ମଚାଇବାର ସବୁ ସମ୍ଭାବନା ଥିବା ଏ ହାଇ ବଜେଟ୍‌ ଫିଲ୍ମଟି କିଆରାଙ୍କ କ୍ୟାରିୟର୍‌ ପାଇଁ ମଧ୍ୟ ଗେମ୍‌ ଚେଞ୍ଜର୍‌ ହେବ ବୋଲି ଆଶା କରା ଯାଉଛି। ‘ଗେମ୍‌ ଚେଞ୍ଜର୍‌’ର ସୁଟିଂ ସେପ୍ଟେମ୍ବରର ଶେଷ ସପ୍ତାହରେ ଆରମ୍ଭ ହେବାର ଥିଲା, କିନ୍ତୁ ଡେଟ୍‌ସ ସମସ୍ୟା କାରଣରୁ ସୁଟିଂ ଗୋଟିଏ ମାସ ଘୁଞ୍ଚି ଯାଇଛି।