IFFI Goa: ଆଇଏଫଏଫଆଇର ବିଶ୍ୱସ୍ତରୀୟ ଉଦ୍‌ଘାଟନୀ ଉତ୍ସବରେ ମୋହିତ ଗୋଆ

ଐତିହାସିକ ଭବ୍ୟ ପରେଡ୍‌ ବା କାର୍ଣ୍ଣିଭାଲ୍‌ ଆୟୋଜନ ସହ ଗୁରୁବାର ଠାରୁ ଗୋଆରେ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି। ଗୋଆର ରାଜରାସ୍ତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି।

FILM Festival

IFFI at Goa inaugurated on Thursday. Photograph: (sambad.in)

ପାଣାଜୀ: ଐତିହାସିକ ଭବ୍ୟ ପରେଡ୍‌ ବା କାର୍ଣ୍ଣିଭାଲ୍‌ ଆୟୋଜନ ସହ ଗୁରୁବାର ଠାରୁ ଗୋଆରେ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଆରମ୍ଭ ହୋଇଛି। ଗୋଆର ରାଜରାସ୍ତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି। ପ୍ରଥମ ଥର ପାଇଁ ପାରମ୍ପରିକ ଶୁଭାରମ୍ଭ ପରିବର୍ତ୍ତେ ଆଇଏଫଏଫଆଇ ଗୋଆର ଜନତାଙ୍କ ଗହଣରେ ଏବଂ ଏହାର ରାଜରାସ୍ତାରେ ଚିତ୍ତାକର୍ଷକ ଢଙ୍ଗରେ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଗୋଆ ଜନଜୀବନକୁ ସମ୍ପୂର୍ଣ୍ଣ ଜୀବନ୍ତ କରି ଦେଇଛି ।

ଭବ୍ୟ ଉଦଘାଟନୀ ସମାରୋହରେ ଏକ ସାହସିକ ପରିକଳ୍ପନା ସହିତ ଆରମ୍ଭ ହୋଇଛି। ଆଇଏଫଏଫଆଇ ୨୦୨୫ ଗୋଆର ପାଣାଜୀ ସହରକୁ ଏକ ବଡ଼ ଏବଂ ଜୀବନ୍ତ କାନଭାସରେ ପରିଣତ କରି ଦେଇଛି। ସହରରେ ଚଳଚ୍ଚିତ୍ର ଚମକ, ସାଂସ୍କୃତିକ ଗୌରବ ଏବଂ ଶାଶ୍ୱତ କାହାଣୀର କୁହୁକ ଦେଖିବାକୁ ମିଳିଛି। ଏଥିରେ କଳାକାର, ସୃଜନଶୀଳ ପ୍ରତିଭା, ସିନେମାପ୍ରେମୀଙ୍କ ଉତ୍ସାହ ଗୋଆର ସଡ଼କକୁ ମନୋରଞ୍ଜନର ଉତ୍ସାହରେ ଭରି ଦେଇଥିଲା। ଗୋଆ ସୃଜନଶୀଳତାର ଏକ କରିଡରରେ ପରିଣତ ହୋଇଛି। ମହୋତ୍ସବର ଇତିହାସରେ ଏହି ଉଦଘାଟନୀ ଉତ୍ସବ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି । ଆଇଏଫଏଫଆଇର ଚଳିତ ସଂସ୍କରଣ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟପାଳଙ୍କ ପ୍ରଶଂସା

ମହୋତ୍ସବକୁ ଉଦ୍‌ଘାଟନ କରି ଗୋଆ ରାଜ୍ୟପାଳ ପୁସାପତି ଅଶୋକ ଗଜପତି ରାଜୁ ଆଇଏଫଏଫଆଇର ବିଶ୍ୱସ୍ତରୀୟ ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ମହୋତ୍ସବ ସୃଜନଶୀଳ ଆଦାନପ୍ରଦାନ, ନୂତନ ସହଯୋଗ ଏବଂ ସିନେମା ଉତ୍କର୍ଷର ଉତ୍ସବ ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପାଲଟିଛି। ଗୋଆର ଜାଗତିକ ଚରିତ୍ର, ସାଂସ୍କୃତିକ ସମୃଦ୍ଧି ଏବଂ ବିଶ୍ୱସ୍ତରୀୟ ସମ୍ପର୍କ  ସହିତ ଏଠାରେ ଚଳଚ୍ଚିତ୍ର ପ୍ରେମୀମାନେ ଏତେ ସଂଖ୍ୟାରେ ଏକତ୍ରିତ ହେବା ସ୍ୱାଭାବିକ। ସେ ଜୋର ଦେଇ କହିଛନ୍ତି, ଆଇଏଫଏଫଆଇ ସର୍ବଦା ଏକ ପାରମ୍ପରିକ ଚଳଚ୍ଚିତ୍ର ମହୋତ୍ସବର ସୀମା ଅତିକ୍ରମ କରିଆସିଛି । ସାରା ବିଶ୍ୱର ଅଭିନବ ବିଚାର, କାହାଣୀ ଏବଂ ସୃଜନଶୀଳ ମସ୍ତିଷ୍କଙ୍କ ପାଇଁ ଏହା ଏକ ମିଳନ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ଏହି ମଞ୍ଚ ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସମର୍ଥନ କରିବା ସହିତ ସିନେମା ପ୍ରତିଭାକୁ ସମ୍ମାନିତ କରେ ଏବଂ ଚଳଚ୍ଚିତ୍ର ଓ ସୃଜନଶୀଳ ଶିଳ୍ପର ଏକ ବିଶ୍ୱ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିଥାଏ।

ଗୋଆ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରସ୍ତୁତ

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ତାଙ୍କ ଭାଷଣରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ଗନ୍ତବ୍ୟସ୍ଥଳ ଭାବରେ ଗୋଆର ପ୍ରଗତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଗୋଆ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରସ୍ତୁତ ରହିଛି ଏବଂ ଏହି କାରଣରୁ ଏହା ଆଇଏଫଏଫଆଇର ସ୍ଥାୟୀ ଆୟୋଜନ ସ୍ଥଳ ପାଲଟିଛି। ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଆକର୍ଷିତ କରେ, କିନ୍ତୁ ଆମର ଦୃଢ଼ ନୀତିଗତ ସଂସ୍କାର ସେମାନଙ୍କୁ ପୁନର୍ବାର ଫେରି ଆସିବାକୁ ବାଧ୍ୟ କରିଥାଏ। ସେ ଆହୁରି କହିଛନ୍ତି, ଆଇଏଫଏଫଆଇ ୨୦୨୫ ସୃଜନଶୀଳତା ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଏହା ବିଶ୍ୱ ସୃଜନଶୀଳ ବିପ୍ଳବରେ ଭାରତର ନେତୃତ୍ୱକୁ ପ୍ରତିଫଳିତ କରୁଛି। ଆଇଏଫଏଫଆଇ ଭାରତୀୟ ପ୍ରତିଭାକୁ ବିଶ୍ୱ ସମ୍ଭାବନା ସହିତ ଯୋଡ଼ିଛି। ଆମର ସ୍ୱପ୍ନ ହେଉଛି ଗୋଆକୁ ଭାରତର ସୃଜନଶୀଳ କ୍ଷେତ୍ରର ରାଜଧାନୀ ରୂପେ ପ୍ରତିଷ୍ଠା କରିବା। ଗୋଆ ଆସି ନିଜର କାହାଣୀ କହିବା ଏବଂ ଚଳଚ୍ଚିତ୍ର ସୁଟିଂ କରିବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ଭାରତୀୟ ସିନେମାକୁ ଅଭୂତପୂର୍ବ ଅନ୍ତର୍ଜାତୀୟ ପ୍ରସିଦ୍ଧି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରେୟ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ନିଜକୁ କାହାଣୀ ବର୍ଣ୍ଣନାର ଅଗ୍ରଣୀ ଶକ୍ତି ରୂପେ ପ୍ରତିଷ୍ଠିତ କରିପାରିଛି।

ଆହୁରି ପଢ଼ନ୍ତୁ: Maoists Encounter: ପୈତୃକ ଘରେ ପହଞ୍ଚିଲା ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମାର ମରଶରୀର

ଉଦୀୟମାନ ସୃଜନଶୀଳ ପ୍ରତିଭାକୁ ସଶକ୍ତ କରୁଛି

ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ଆଇଏଫଏଫଆଇ ପ୍ରତ୍ୟେକ ସଂସ୍କରଣ ସହିତ ଉନ୍ନତ ହେବାରେ ଲାଗିଛି। ପାରମ୍ପରିକ ଭାବରେ, ଏହି ମହୋତ୍ସବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହେଉଥିଲା। ଚଳିତ ବର୍ଷ, ଏହା ଏକ ମହାନ ସାଂସ୍କୃତିକ କାର୍ନିଭାଲ୍ ଆୟୋଜନ ସହିତ ଏହାର ଶୁଭାରମ୍ଭ ହେଉଛି। ଏହା ଆମ ରାଜ୍ୟଗୁଡ଼ିକର ବିବିଧ ପରମ୍ପରାକୁ ପ୍ରଦର୍ଶିତ କରିଛି। ସେ ବିଷୟବସ୍ତୁ, ସୃଜନଶୀଳତା ଏବଂ ସଂସ୍କୃତି ଦ୍ୱାରା ପରିଚାଳିତ ଭାରତର ବର୍ଦ୍ଧିତ ଅରେଞ୍ଜ ଇକୋନୋମୀ ବା ମନୋରଞ୍ଜନ ଅର୍ଥବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସ୍ମରଣ କରିଥିଲେ। ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ଭଳି ପଦକ୍ଷେପ ଦେଶବ୍ୟାପୀ ଉଦୀୟମାନ ସୃଜନଶୀଳ ପ୍ରତିଭାକୁ ସଶକ୍ତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। କେନ୍ଦ୍ରମନ୍ତ୍ରୀ ଗୋଆକୁ ଆଇଏଫଏଫଆଇର ସ୍ଥାୟୀ ଆୟୋଜନ ସ୍ଥଳୀ ରୂପେ ପ୍ରତିଷ୍ଠା କରିବାରେ ସ୍ୱର୍ଗତଃ ଶ୍ରୀ ମନୋହର ପାରିକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କର ସ୍ମୃତିଚାରଣ କରିଥିଲେ। 

ଆହୁରି ପଢ଼ନ୍ତୁ: Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe