ନୂଆଦିଲ୍ଲୀ: ୯୦ଦଶକର ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ଜଣେ ଆଧ୍ୟାତ୍ମିକ ଗୁରୁମା ହୋଇଯାଇଛନ୍ତି। ସେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଉପରେ ଦେଇଥିବା ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ ଯେ, "ଦାଉଦ ମୁମ୍ବାଇରେ ବୋମା ବିସ୍ଫୋରଣ ଘଟାଇ ନଥିଲେ। ସେ ଆତଙ୍କବାଦୀ ନୁହଁନ୍ତି।" କିନ୍ତୁ ଏବେ ସେ ଏହି ବୟାନକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି।

Advertisment

ଗୋରଖପୁରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମମତା କୁଲକର୍ଣ୍ଣୀ ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଥିଲେ ଯେ, "ମୋ ମନ୍ତବ୍ୟକୁ ଭୁଲ ବୁଝାଯାଇଛି। ମୁଁ ଦାଉଦ ଇବ୍ରାହିମଙ୍କୁ ନୁହେଁ, ବିକି ଗୋସ୍ୱାମୀଙ୍କ ବିଷୟରେ କହୁଥିଲି। ଦାଉଦ ପ୍ରକୃତରେ ଜଣେ ଆତଙ୍କବାଦୀ। ମୁଁ କେବେ ବି ଦାଉଦକୁ ଭେଟି ନାହିଁ। ବର୍ତ୍ତମାନ, ମୋର ରାଜନୀତି କିମ୍ବା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ କୌଣସି ସମ୍ପର୍କ ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତାରେ ବୁଡ଼ି ରହିଛି। ମୁଁ ସନାତନ ଧର୍ମର ଜଣେ ଅନୁଗାମୀ। କୌଣସି ରାଷ୍ଟ୍ର ବିରୋଧୀ ତତ୍ତ୍ୱ ସହିତ କୌଣସି ସମ୍ପର୍କ ରଖିବା ମୋ ପାଇଁ ଅସମ୍ଭବ।"

କ’ଣ କହିଥିଲେ ମମତା?

ପୂର୍ବରୁ ସେ କହିଥିଲେ ଯେ, "ମୋର ଦାଉଦ୍ ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ସେ ଦେଶ ଭିତରେ କୌଣସି ବୋମା ବିସ୍ଫୋରଣ କିମ୍ବା ଦେଶ ବିରୋଧୀ କାର୍ଯ୍ୟକଳାପ କରିନଥିଲେ। ମୁଁ ତାଙ୍କ ସହିତ ନାହିଁ, କିନ୍ତୁ ସେ ଆତଙ୍କବାଦୀ ନୁହଁନ୍ତି। ଆପଣ ପାର୍ଥକ୍ୟ ବୁଝିବା ଉଚିତ। ଯେତେବେଳେ ଆପଣ ଦାଉଦ୍ ବିଷୟରେ କହୁଛନ୍ତି, ଯାହାଙ୍କ ସହିତ ମୋର ନାମ ଜଡିତ, ସେ କେବେ ମୁମ୍ବାଇରେ ବୋମା ବିସ୍ଫୋରଣ କରିନାହାନ୍ତି। ମୁଁ ଦାଉଦ୍ ସହିତ କେବେ ଦେଖା ମଧ୍ୟ କରିନାହିଁ।"

ମମତାଙ୍କ ସମ୍ପତ୍ତି

ମମତା କୁଲକର୍ଣ୍ଣୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦ ନିୟୁତ ଡଲାର ଅର୍ଥାତ୍ ୮୫ କୋଟି। ବଲିଉଡରେ ତାଙ୍କର କ୍ୟାରିଅର ଗଢ଼ିବା ସମୟରେ ସେ ଏହି ସମ୍ପତ୍ତି ଅର୍ଜନ କରିଥିଲେ। ମମତା ୯୦ଦଶକରେ "ଆଶିକ ଆୱାରା", "କରଣ ଅର୍ଜୁନ", "ସବସେ ବଡ଼ା ଖିଲାଡି" ଏବଂ "ଚାଇନା ଗେଟ୍" ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ। ୧୯୯୨ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିବା ମମତା ୨୦୦୦ ମସିହା ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଥିଲେ। ୧୯୯୩ରେ ମମତା ଏକ ପତ୍ରିକା ପାଇଁ ଟପଲେସ୍ ଫଟୋ ଉଠାଇ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ନାମ ଛୋଟା ରାଜନ ଭଳି ଅଣ୍ଡରୱାର୍ଲ୍ଡ ଡନଙ୍କ ସହ ମଧ୍ୟ  ଯୋଡା ଯାଇଥିଲା। ଏମଧ୍ୟରେ ମମତା ଭାରତ ଛାଡ଼ି ବିଦେଶ ଚାଲି ଯାଇଥିବା ବେଳେ ୨୦୨୪ ଶେଷ ଆଡକୁ ଭାରତ ଫେରିଥିଲେ। ଭାରତ ଫେରିବା ପରେ ୨୦୨୫ରେ ପ୍ରୟାଗରାଜର ମହାକୁମ୍ଭରେ ‌ସେ କିନ୍ନର ଅଖାଡ଼ାର 'ମହାମଣ୍ଡଳେଶ୍ୱର' ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: MP Bus Accident: ଓଲଟିଲା 'ନର୍ମଦା ପରିକ୍ରମା' ପାଇଁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍, ଜଣେ ମୃତ

ଅ‌ାହୁରି ପଢ଼ନ୍ତୁ: Tej Pratap Target Khesari Lal: ଖେସାରୀଙ୍କ ପେସାକୁ ନେଇ ସମାଲୋଚନା କଲେ ତେଜ ପ୍ରତାପ