ମଣିଷ ଲୋଭର ବଶବର୍ତ୍ତୀ ହେଲେ କିଭଳି ଅବିବେକୀ ଓ ବିନାଶକାରୀ ପାଲଟିଯାଏ ତାହା ଆମକୁ ପୁଣି ଥରେ ମନେ ପକାଇ ଦେଇଥିବାରୁ ଜେମ୍‌ସ କ୍ୟାମେରନ୍‌ ଆମ ସମୟର ଅନ୍ୟତମ ମହାନ ଚଳଚ୍ଚିତ୍ର ନିର୍ମାତାର ଗୌରବ ବଜାୟ ରଖିଛନ୍ତି। ତେବେ କେବଳ ଉଦ୍ଦେଶ୍ୟ ଓ ଚିତ୍ତାକର୍ଷକ ଦୃଶ୍ୟ ଚଳଚ୍ଚିତ୍ରର ଉତ୍କର୍ଷ ପାଇଁ ପର୍ଯ୍ୟାପ୍ତ ନୁହେଁ। କାହାଣୀରେ ନୂଆପଣ ତଥା ରୋମାଞ୍ଚକର ମୋଡ଼ର ଅଭାବ, ଏହି ସିନେମାକୁ ପୂର୍ବ ଦୁଇଟି ଭାଗର ଏକ ସୁଦୀର୍ଘ ପୁନର୍କଥନରେ ସୀମିତ କରିଦେଇଛି। 

Advertisment

Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ

‘ଅବତାର: ଫାୟର୍‌ ଆଣ୍ଡ୍‌ ଆସ୍‌’ର କାହାଣୀ ଏହିପରି- ମାନବରୁ ‘ନାଆଭି’ ପାଲଟିଥିବା ଜ୍ୟାକ୍‌ ସଲି(ସାମ୍‌ ଵର୍ଥିଙ୍ଗଟନ୍) ଓ ନୈତିରୀ(ଜୋ ସାଲ୍‌ଡାନା)ଙ୍କ ପରିବାର ଏକ ସମୁଦ୍ର ନିବାସୀ ସମ୍ପ୍ରଦାୟରେ ସାମିଲ ହୋଇଛନ୍ତି। ମାନବ ଆଗମନ ଯୋଗୁଁ ସୃଷ୍ଟ ଧ୍ବଂସଲୀଳା ନୈତିରୀଙ୍କ ମନରେ ମଣିଷ ପ୍ରତି ଘୃଣା ଭାବ ଜନ୍ମାଇଛି। ମାନବ ପୋଷ୍ୟ ସନ୍ତାନ ସ୍ପାଇଡର୍(ଜ୍ୟାକ୍‌ ଚାମ୍ପିଅନ୍‌)ର ଉପସ୍ଥିତି ତାଙ୍କ ପାଇଁ ଅସହ୍ୟ ହେବାରୁ ସେମାନେ ତାକୁ ମଣିଷଙ୍କ ପାଖକୁ ଫେରିଯିବାକୁ ବାଧ୍ୟ କରୁଛନ୍ତି। ତେବେ ଏତିକି ବେଳେ ଆଉ ଏକ ସମ୍ପ୍ରଦାୟ (ଆସ୍‌ ପିପୁଲ୍‌) ଏମାନଙ୍କ ଉପରେ ଆକ୍ରମଣ କରୁଛି। ପୂର୍ବ ‘ଅବତାର’ ଚଳଚ୍ଚିତ୍ରରେ ପାଣ୍ଡୋରାର ଅଧିବାସୀଙ୍କୁ ଶାନ୍ତିପ୍ରିୟ ଏବଂ ମଣିଷଙ୍କୁ ଖଳନାୟକ ଭାବେ ପ୍ରଦର୍ଶିତ କରାଯାଇଥିବା ବେଳେ ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ଯେ ‘ଆସ୍‌ ପିପୁଲ୍‌’ଙ୍କ ପରି ଖଳ ସମ୍ପ୍ରଦାୟ ମଧ୍ୟ ସେ ଗ୍ରହରେ ଅଛନ୍ତି, ଯେଉଁମାନେ କ୍ଷମତା ପାଇଁ ବହିରାଗତଙ୍କ ସହ ହାତ ମିଳାଇପାରନ୍ତି। ଏହା ବାର୍ତ୍ତା ଦେଇଥାଏ ସବୁ ପ୍ରକାର ଜୀବଙ୍କ ଭିତରେ ଖରାପ ଓ ଭଲ ସଦସ୍ୟ ଥାଆନ୍ତି। 

ଅବତାର: ଫାୟର୍‌ ଆଣ୍ଡ୍‌ ଆସ୍‌’
ନିର୍ଦେଶକ: ଜେମ୍‌ସ କ୍ୟାମେରନ୍‌
ମୁଖ୍ୟ ଚରିତ୍ରରେ: ସାମ୍‌ ଵର୍ଥିଙ୍ଗଟନ୍, ଜୋ ସାଲ୍‌ଡାନା, ଉନା ଚାପ୍‌ଲିନ୍‌, ସିଗର୍ନି ଵିଭର୍‌

‘ଆସ୍‌ ପିପୁଲ୍‌’ଙ୍କ ନେତୃତ୍ବ ନେଉଥିବା ‘ଭାରାଙ୍ଗ’(ଉନା ଚାପ୍‌ଲିନ୍‌) ତାଙ୍କ ଗ୍ରହର ଧ୍ବଂସ ସାଧନ ପାଇଁ ପ୍ରକୃତି ମାତା ‘ଇଵା’ଙ୍କ ଦୁର୍ବଳତାକୁ ଦୋଷ ଦେଉଛି ଏବଂ ନିଜେ ଅପାର ଶକ୍ତିଶାଳୀ ହେବାର ଲକ୍ଷ୍ୟ ନେଇ ଅବାଧ ହିଂସା ଚଳାଉଛି। ମଣିଷଙ୍କ ସହିତ ମିଶି ଏ ସମ୍ପ୍ରଦାୟ ସେ ଗ୍ରହ ଉପରେ ରାଜୁତି କରିବା ପାଇଁ ସମସ୍ତଙ୍କୁ ଆକ୍ରମଣ କରୁଛି। ଜ୍ୟାକ୍‌ ଓ ନୈତିରୀଙ୍କ ପରିବାର ଏହି ବିରାଟ ଆହ୍ବାନକୁ କିପରି ମୁକାବିଲା କରିବ? ଏହା ହେଉଛି ଏହି ସିନେମାର ସାରାଂଶ। 

MDM: ମଧ୍ୟାହ୍‌ଣ ଭୋଜନ ହେଲା ପିଏମ୍‌ ପୋଷଣ, ସୁଧୁରିନି ଭିତ୍ତିଭୂମି

ଏହି କାହାଣୀ ଭିତରେ ଅଛି ବିପଦରେ ପ୍ରକୃତି ପାଖରୁ ସୁରକ୍ଷା ମିଳିବାର ଉଦାହରଣ ଏବଂ ଦଣ୍ଡ ଦେବା ବଦଳରେ କ୍ଷମାଶୀଳ ହେବା ସପକ୍ଷରେ ବଳିଷ୍ଠ ଯୁକ୍ତି। କିନ୍ତୁ ନିଜର ଅବସ୍ଥିତି ବିପନ୍ନ ହେଲେ ଶତ୍ରୁ ପ୍ରତି ହିଂସା ଯଥାର୍ଥ ବୋଲି ସନ୍ଦେଶ ଦେଉଛି। ଅଭିନେତାମାନଙ୍କ ପ୍ରଦର୍ଶନ ନେଇ ଅଭିଯୋଗର ଅବକାଶ ନାହିଁ। ତେବେ କିଛିଟା ବ୍ୟତିକ୍ରମ ଛାଡ଼ିଦେଲେ ସଂଳାପଗୁଡ଼ିକ ପାଣିଚିଆ ଲାଗିଲା। ପୃଷ୍ଠଭୂମି ସଂଗୀତ ଏହାର ଚିତ୍ତାକର୍ଷକ ଦୃଶ୍ୟଗୁଡ଼ିକୁ ନ୍ୟାୟ ଦେଇପାରି ନାହିଁ। କ୍ୟାମେରନ୍‌ ଏହି ସିନେମାକୁ ଆନ୍ତରିକତାର ସହିତ ନିର୍ମାଣ କରିଛନ୍ତି ସତ କିନ୍ତୁ ଏହା ପ୍ରଥମ ‘ଅବତାର’ର ପ୍ରତିଧ୍ବନି ଭଳି ଲାଗିଲା। ତଥାପି ମଣିଷ ନିଜ ଗ୍ରହ ଉପରେ କରୁଥିବା ଅତ୍ୟାଚାର ସମ୍ପର୍କରେ ଆଉ ଟିକେ ସମ୍ବେଦନଶୀଳ ହେବା ପାଇଁ ‘ଅବତାର: ଫାୟର୍‌ ଆଣ୍ଡ୍‌ ଆସ୍‌’କୁ ପରିବାର ସହିତ ଦେଖାଯାଇପାରେ।