ବାପାଙ୍କ ଚିଠି
ସତ୍ୟନାରାୟଣ ପ୍ରଧାନ
ଡାକ୍ତର ବାବୁଙ୍କଠାରୁ ସତ୍ୟ ତା’ର ବାପା ଆଉ ଅଳ୍ପଦିନର ଅତିଥି ଜାଣିବା ପରେ ବାକି ସମୟଗୁଡ଼ାକ ତାଙ୍କୁ ଖୁସି ରଖିବାକୁ ମନେ କରିଥିଲା। ତାଙ୍କୁ ଭଲରେ ରଖିବାର ପ୍ରୟାସ ଭିତରେ ଦଇବ ଦାଉ ସାଧିଲା। ପରିବାର ପିଲାଛୁଆଙ୍କ ପାଇଁ ଅନେକ ସ୍ବପ୍ନ ଦେଖୁଥିବା ମଣିଷଟା ଅସାଧ୍ୟ ରୋଗରେ ପୀଡ଼ିତ ଥିବାରୁ ରାତି ଅଧରେ ଚାଲୁଥିବା ହୃଦ୍ସ୍ପନ୍ଦନ କେତେବେଳେ ବନ୍ଦ ହୋଇଯାଇଥିଲା।
ସକାଳକୁ ମଲା ଦେହଟା ଯାହା ଖାଲି ଚାରିକାନ୍ଧକୁ ଅପେକ୍ଷା କରିରହିଥିଲା। ଗାଁ ଗଣ୍ଡାରେ ଭଲ ଲୋକଟିଏ ଥିଲା ବୋଲି କଥା ହେଉଥିଲେ। ପୁଅ ଏତେଗୁଡ଼ାଏ ଟଙ୍କା ଦେହ ଖରାପରେ ଖର୍ଚ୍ଚ ହୋଇଥିଲା ପୁଣି କ୍ରିୟା କର୍ମରେ ଲାଗିବ ଭାବି ଦୁଃଖରେ ଭାଙ୍ଗି ପଡ଼ିଥିଲା। ଯାହାହେଉ ବନ୍ଧୁବାନ୍ଧବ ପ୍ରିୟ ପରିଜନମାନଙ୍କ ସାହାଯ୍ୟ ସହଯୋଗରେ ସବୁ ଭଲରେ ସମାପନ ଘଟିଲା। ଶୁଦ୍ଧି କାମରେ ଆସିଥିବା ବନ୍ଧୁବାନ୍ଧବ ବିଦା ହେଲାପରେ ସତ୍ୟ ନିଜକୁ ଆହୁରି ଏକା ମନେକରି ତା’ ସହିତ ଭଗବାନ କାହିଁକି ଏପରି କଲେ ମନ ଭିତରେ ପଚାରି ହେଉଥିଲା।
କିଛିଦିନ ବିତିଗଲା। ସେ ଦିନେ ସକାଳୁ ଘରେ ଥାକରେ ଅନେକଦିନ ତଳୁ ପୁରୁଣା କାଠବାକ୍ସରେ ରଖା ହୋଇଥିବା ବିଲବାଡ଼ି କାଗଜପତ୍ର ସବୁ ଠିକ୍ ଅଛି କି ନାହିଁ, ତାକୁ ତ ସବୁ ବୁଝିବାକୁ ହେବ; ସେଥିପାଇଁ ଥରେ ନଜର ପକାଇବା ଲାଗି ଖୋଲି ବସିଲା। ବିଲବାଡ଼ି କବଲା ପଟ୍ଟା ସାଙ୍ଗକୁ ନାଲି କପଡ଼ାରେ କିଛି ଗୁଡ଼ାଇ ହୋଇଥିବାର ଦେଖିବାକୁ ପାଇଲା। ସେଥିରେ କ’ଣ ଅଛି ଭାବି ତାକୁ କାଢ଼ିଲା ବେଳେ ତାମ୍ରପାତ୍ରରେ ଲେଖା ହୋଇଥିବା ଅକ୍ଷରଗୁଡ଼ାକ ଅସ୍ପଷ୍ଟ ଥିବାରୁ ତା’ ତଳକୁ କାଗଜରେ ଥିବା ଲେଖାକୁ ପଢ଼ିବାରେ ଲାଗିପଡ଼ିଲା।
“ପୁଅରେ ଆଜି ତୁ ଯେଉଁ ସମୟ ଦେଇ ଗତି କରୁଛୁ ମୁଁ ମଧ୍ୟ ସେ ସମୟ ଦେଇଆସିଛି। ଦିନେ ନା ଦିନେ ସବୁ ପୁଅମାନେ ଏହି ସମୟ ଦେଇ ଗତି କରିବେ। ତେଣୁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ। ଜୀବନରେ ବାପା ପାଖରେ ରୁହନ୍ତୁ ଅବା ନ ରୁହନ୍ତୁ, ତାଙ୍କ ଉପସ୍ଥିତି ସଦାସର୍ବଦା ମନେକରି ଉଚିତ କର୍ମ କରିବୁ। ସଂସାରରେ ମଣିଷ ଜୀବନ ହେଉଛି କ୍ଷଣଭଙ୍ଗୁର; ଆଜି ଅଛି କାଲିକୁ ନାହିଁ। ଛାତିତଳେ ଲୁଚି ରହିଥିବା ବିବେକର ବୋଲ ମାନି ସବୁ କାର୍ଯ୍ୟ କରିବୁ। ମୋ ବାପା ମୋ ପାଇଁ ଏସବୁ ଦୁନିଆ ଛାଡ଼ି ଯିବା ପୂର୍ବରୁ ଲେଖି ଯାଇଥିଲେ। ମୁଁ ବି ତାହା ତୋ ପାଇଁ ଛାଡ଼ିଯାଉଛି। ଆଶାକରେ ଜୀବନରେ ଗୋଟେ ପୁଅର ଧର୍ମ ପାଳନ କରିବୁ, ଯେତେ ଦୁଃଖକଷ୍ଟ ଆସିଲେ ବି ସତ୍ ମାର୍ଗରେ ବାଟ ଚାଲିବୁ। ତା’ ହେଲେ ଯାଇ ସ୍ବର୍ଗରେ ଥାଇ ମୋର ଆତ୍ମାକୁ ଟିକେ ଶାନ୍ତି ମିଳିବ।’’
ଆହୁରି ପଢ଼ନ୍ତୁ- India-Oman Trade Deal: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ
ସତ୍ୟ ସେ ଚିଠି ପଢ଼ିସାରି ତା’ ବାପାଙ୍କ ହାତଲେଖା ବୋଲି ସ୍ପଷ୍ଟ ଭାବେ ଜାଣି ପାରିଥିଲା। ଦୁନିଆରେ ରହିବା ପାଇଁ ହେଲେ ସବୁକିଛି ସହି ପୁଣି ହସିବାକୁ ହେବ। ସେ ଲେଖା ପଢ଼ିସାରି ମନରେ ଦମ୍ଭ ଯୋଗାଡ଼ କରୁଥିଲା। ଘର ଭିତରୁ ବାହାରି ଅଗଣାରେ ଆକାଶକୁ ଚାହିଁଲା ବେଳେ କଳାହାଣ୍ଡିଆ ବାଦଲ ତଳୁ ନାଲି ସୂରୁଜ ଯେପରି ମୁରୁକି ହସୁଥିଲା। ଆହାର ଯୋଗାଡ଼ କରିବା ନିମନ୍ତେ ପକ୍ଷୀମାନେ ଶବ୍ଦକରି ନିଜ ବାଟରେ ଧାଇଁ ଯାଉଥିଲେ। ଘର କାନ୍ଥରେ ଟଙ୍ଗା ହୋଇଥିବା ତା’ ବାପାଙ୍କ ଫଟୋ ପବନରେ ଦୋହଲି ତାକୁ ଯେପରି ହସିଦେଇ ପାଖରେ ଅଛନ୍ତି ବୋଲି ସ୍ମରଣ କରି ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/19/untitled-12-copy-2025-12-19-15-56-53.jpg)