ବାଲିଅନ୍ତା: ଦିନ ଥିଲା ବାଳକାଟି ବାଉଁଶ ତିଆରି ଜିନିଷର ବହୁତ ଚାହିଦା ଥିଲା। ଅବିଭକ୍ତ ପୁରୀଜିଲ୍ଲା ସମେତ ଅବିଭକ୍ତ କଟକ ଜିଲ୍ଲାର ବହୁ ବଜାରକୁ ବାଳକାଟି ବାଉଁଶ ତିଆରି କବ୍‌ଜା କରିଥିଲା। ଏମିତି କେଉଁ ବଡ଼ବଡ଼ ମେଳା, ମେଳଣ ନଥିଲା, ଯେଉଁଠି ବାଳକାଟି ବାଉଁଶ ସାମଗ୍ରୀର ପସଲା ମେଲୁନଥିଲା। ସେତେବେଳେ ଘରେଘରେ ବାଉଁଶ ସାମଗ୍ରୀ ଥିଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଭାତହାଣ୍ଡିରେ ଚାଉଳ ପଡ଼ିବା ପୂର୍ବରୁ ବାଉଁଶ ତିଆରି କୁଲା ଖୋଜା ପଡ଼ୁଥିଲା। ସେହିଭଳି ଗୁହାଳ ସଫା କରିବାକୁ ବାଉଁଶ ତିଆରି ଗାଣ୍ଡୁଆଟିଏ ନିହାତି ଲୋଡ଼ା ପଡ଼ୁଥିଲା। ପୂଜାପାର୍ବଣରେ ବାଉଁଶ ତିଆରି ଭୋଗଡାଲାଟିଏ ତ ନିଶ୍ଚିତ ବ୍ୟବହାର ହେଉଥିଲା। ସେହିଭଳି ବଡ଼ବଡ଼ ବେତା, ଟୋକେଇ, ଡାଲା, ଡାଲିଆ, ଲିଆଛଡ଼ା, ପାଚିଆ, ବାଉଁଶିଆ, ଝୁଡ଼ି, ଝଙ୍କା ଭଳି ବହୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କେବଳ ବାଉଁଶରେ ତିଆରି ହେଉଥିଲା। ତେଣୁ ବାଉଁଶ କାରିଗରଙ୍କ ହାତକୁ ଫୁରୁସତ ନଥିଲା। ଏହି କୁଟୀର ଶିଳ୍ପ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକ ବର୍ଷ ସାରା କାମ ପାଉଥିଲେ। ମାତ୍ର ପ୍ଲାଷ୍ଟିକ୍‌ ଯୁଗ ଆସିବା ପରେ ବାଉଁଶର ଚାହିଦା ହ୍ରାସ ପାଇଲା। କମ୍‌ ଦାମରେ ମିଳୁଥିବା ପ୍ଲା‌ଷ୍ଟିକ୍‌ ଜିନିଷ ବାଉଁଶ ସାମଗ୍ରୀ ବଜାରକୁ କବ୍‌ଜା କଲା। ସେହିଭଳି ଲୋକଙ୍କ ଜୀବନଯାପନ ଧାରା ବି ବଦଳିଗଲା। ପୁରୁଣାକାଳିଆ ଚାଷ ପଦ୍ଧତି ଛାଡ଼ି ଲୋକେ ଯନ୍ତ୍ର ଉପରେ ନିର୍ଭର କଲେ। ଫଳରେ ବାଉଁଶ ଜିନିଷ ବ୍ୟବହାର କମିଗଲା ଏବଂ ତାହା ପଛେପଛେ ବାଉଁଶ କାରିଗରଙ୍କ ହାତ ଆପେଆପେ ଧିମେଇଗଲା। ତେଣୁ କାଳକ୍ରମେ କୁଳ ବେଉସା କରିଆସିଥିବା ବାଉଁଶ କାରିଗରମାନେ ଏହି ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେ। ଏକଦା ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ଅଧୀନ ବାଳକାଟି ନାଏକସାହି, ସରକଣା ପଞ୍ଚାୟତ ରଣପୁର, ଲୁଣା ନାଏକସାହି ‌ଓ ପୁରଣପଧାନ ପଞ୍ଚାୟତ ନଈକୂଳସାହି, ନାଏକସାହି ଆଦି ପଡ଼ାରେ ଅଧିକାଂଶ ପରିବାରରେ ବାଉଁଶକୁ ନେଇ କୁଟୀରଶିଳ୍ପ ଗଢ଼ିଉଠିଥିଲା। ସେଥିରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟୁଥିଲା। କିନ୍ତୁ ଏବେ ଅନେକ ପରିବାର ଏହି କାମ ବନ୍ଦ କରି ଦେଲେଣି।

Advertisment

Army bomb: ମ୍ୟାମାର ହସ୍‌ପିଟାଲ୍‌ ଉପରେ ସେନାର ବୋମାମାଡ଼: ୩୪ ମୃତ

ରଣପୁର, ଲୁଣା ଭୋଇସାହି ଓ ନଈକୂଳସାହିରେ ବାଉଁଶ ପାତି କାମବନ୍ଦ ହୋଇଗଲାଣି। ଏବେ କେବଳ ବାଳକାଟି ନାଏକସାହିର ୪୦ ପରିବାର ମଧ୍ୟରୁ ମାତ୍ର ଦଶ ବାରଟି ପରିବାର ବାଉଁଶ ପାତିରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଘର ପାଖରେ ବାଳକାଟି ବଜାର ଥିବାରୁ ବିକ୍ରି ସୁବିଧା ହେଉଛି ବୋଲି ସେହି ପରିବାରର କିଛି ଲୋକ ଏହି ବେଉସା ବୁଡ଼ାଇ ନାହାନ୍ତି। ଏହାଛଡ଼ା ବାଳକାଟି ପଞ୍ଚୁଦୋଳ ମେଳଣ, ଲକ୍ଷ୍ମୀସାଗର ଗାଁ ମେଳଣ, ଖଣ୍ଡଗିରି ମାଘମେଳା ଓ ହରିରାଜପୁର ମେଳଣ ଭଳି କିଛି ବଡ଼ବଡ଼ ମେଳା ପାଖରେ ହେଉଥିବାରୁ ଏହି ପରିବାରଗୁଡ଼ିକ ଏହି ପୁରୁଣା ବୃତ୍ତିକୁ ଜାବୁଡ଼ି ଧରିଛନ୍ତି। ବାଉଁଶ କାରିଗର ମିନତି ନାଏକ, ଗୁଲେଇ ଦେଈ, ପ୍ରମିଳା ନାଏକ, ବେଣୁଧର ନାଏକ, କାଶୀନାଥ ନାଏକ, ଭାଗ୍ୟଧର ନାଏକ ଓ ସୁଦର୍ଶନ ଘଡ଼େଇଙ୍କ ଭଳି କିଛି କାରିଗରମାନଙ୍କ କହିବା କଥା ଏବେ ବାଉଁଶ ଜିନିଷର ବଜାର ନାହିଁ। କେବଳ ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାମ ପାଇଁ ବାଉଁଶ ଜିନିଷପତ୍ର ଖୋଜା ପଡ଼ୁଛି। ବାଉଁଶ କିଣି ତାକୁ ପାତି କରିବା ଓ ଜିନିଷ ତିଆରି କରିବାରେ ଯେତିକି ଶ୍ରମ ଲାଗୁଛି, ସେହି ଅନୁସାରେ ମୂଲ ଉଠୁନି। ତେଣୁ ବର୍ଷସାରା କାମ ନାହିଁ। କେବଳ କାମ ଜାଣିଛୁ ବୋଲି ବସିବୁ କ’ଣ, କମ୍‌ ହେଉ ପଛେ କିଛି ରୋଜଗାର ମିଳିବା ଲୋଭରେ ଏହି କାମ କରୁଛୁ। ତେଣୁ ନୂଆ ପିଢ଼ି ଏହି କାମ କରିବାକୁ ଆଗ୍ରହ କରୁନାହାନ୍ତି।

Ahamikar Storm: ପରିବାର ମହତ୍ତ୍ୱର ବାର୍ତ୍ତାଦେଲା ‘ଅହମିକାର ଝଡ଼’

Leopard Killed Bonai ବଣାଇଁରେ ଚାଞ୍ଚଲ୍ୟ: ବଳଦକୁ ଖାଇଦେଲା ବୋଲି ବିଷ ଦେଇ ବାଘକୁ ମାରିଦେଲେ, ଅଭିଯୁକ୍ତ ଅଟକ

 
ମିନତିଙ୍କ କହିବା କଥା ସମୟ ପୁଣି କଡ଼ ଲେଉଟାଉଛି। ଲୋକେ ପରିବେଶ ସୁରକ୍ଷା ପ୍ରତି ସଚେତନ ହେଲେଣି। ପ୍ରଦୂଷଣର କାରଣ ପ୍ଲାଷ୍ଟିକ୍‌କୁ ଲୋକେ ଘୃଣା ଚକ୍ଷୁରେ ଦେଖିଲେଣି। ଏବେ ପୂଜା ପାଇଁ ବାଉଁଶ ତିଆରି ଫୁଲଚାଙ୍ଗୁଡ଼ି ହେଉ କି ଟେବୁଲ ସଜାଇବା ପାଇଁ ଫୁଲଦାନି, ପେନ୍‌ଷ୍ଟାଣ୍ଡ୍‌ ହେଉ, ଘର ସଜାଇବାକୁ ଲୋକେ ବାଉଁଶ ଜିନିଷ ଖୋଜୁଛନ୍ତି। ଘର କାନ୍ଥର ସାଜସଜ୍ଜା ପାଇଁ ବି ବାଉଁଶ ପାତିଆ ତିଆରି ସୋ’ପିସ୍‌ ବଜାରରେ ଭଲ ଦାମ୍‌ରେ ବିକ୍ରି ହେଉଛି। ଏସବୁ ଜିନିଷ ବହୁ ପରିମାଣରେ ତିଆରି କରିବା ପାଇଁ ଯୁବପିଢ଼ିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇଦେବା ଜରୁରି। ସେହିଭଳି ବିପଣନ ବ୍ୟବସ୍ଥାକୁ ବି ସୁବ୍ୟବସ୍ଥିତ କରିବାକୁ ହେବ। ଏସବୁ ହେଲେ, ବାଉଁଶ ଜିନିଷ ପୁଣି ତା’ର ପୁରୁଣା ବଜାରକୁ ଫେରିପାଇବ।