ମ୍ରାଉକ୍‌ ୟୁ: ମ୍ୟାମାରର ପଶ୍ଚିମ ରାଖାଇନ ରାଜ୍ୟର ମ୍ରାଉକ୍‌ ୟୁ ସହରରେ ଥିବା ଏକ ସରକାରୀ ହସ୍ପିଟାଲ୍ ଉପରେ ସାମରିକ ବିମାନର ଆକ୍ରମଣରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଡାକ୍ତରଖାନାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ବର୍ବର ଆକ୍ରମଣ ଗତକାଲି ସନ୍ଧ୍ୟାରେ ଘଟିଥିବା ପ୍ରକାଶ।  ଘଟଣା ସମ୍ପର୍କରେ ସୂଚନା ଦେଇ  ଏକ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିବା  ଆଶଙ୍କା ରହିଛି। ମୃତକଙ୍କ ମଧ୍ୟରେ  ଅଧିକାଂଶ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀ ଅଛନ୍ତି। ଡାକ୍ତରଖାନାଟି ୩୦୦ ଶଯ୍ୟା ବିଶିଷ୍ଟ ଥିଲା ଏବଂ ଆକ୍ରମଣ ସମୟରେ ୨୫୦ରୁ ଅଧିକ ରୋଗୀ ଥିଲେ।

Advertisment

Truck falls: ଗଭୀର ଖାଇକୁ ଖସିଲା ଟ୍ରକ୍: ୨୨ ମୃତ

Rajya Sabha: ରାଜ୍ୟସଭାରେ ନଡ୍ଡା-ଖଡ଼ଗେ ମୁହାଁମୁହିଁ


ଗତ ସପ୍ତାହରେ ମଧ୍ୟ ସାଗାଇଙ୍ଗ ଅଞ୍ଚଳରେ ଏକ ଚା’ ଦୋକାନ ଉପରେ ହୋଇଥିବା ସେନା  ଆକ୍ରମଣରେ  ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସପ୍ତାହକ ମଧ୍ୟରେ ନାଗରିକଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଘାତକ ଆକ୍ରମଣ। ଏହି ଆକ୍ରମଣଗୁଡ଼ିକ ମ୍ୟାମାର ସାମରିକ ଜୁଣ୍ଟାର ବର୍ବରତାକୁ ପ୍ରତିଫଳିତ କରୁଥିବା ବେଳେ ଏହାକୁ ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଜୁଣ୍ଟା ଡିସେମ୍ବର ୨୮ ତାରିଖରେ ଏକ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଛି। ଅନ୍ୟପକ୍ଷରେ ବିଦ୍ରୋହୀ ଗୋଷ୍ଠୀ ଏହାକୁ ଏକ ‘ମିଛ ନିର୍ବାଚନ’ ବୋଲି କହିଛି ଏବଂ ସେମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଏହାକୁ ବନ୍ଦ କରିବାକୁ ଶପଥ ନେଇଛି।  ଡାକ୍ତରଖାନା ଏବଂ ବିଦ୍ୟାଳୟ ସମେତ ବିଭିନ୍ନ  ସାର୍ବଜନୀନ ସ୍ଥଳ ଉପରେ ସେନାର ଏଭଳି ଅମାନୁଷିକ ଆକ୍ରମଣକୁ ଯୁଦ୍ଧ ଅପରାଧ ଭାବେ ଗ୍ରହଣ କରିବା ପାଇଁ ବିଭିନ୍ନ ମାନବାଧିକାର ସଂଗଠନ ନିବେଦନ କରିଛନ୍ତି।