ଭୁବନେଶ୍ବର: ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ସତ୍ୟନଗର ସତ୍ୟକାଳୀ ବସ୍ତି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଗାଡ଼କଣ ରଙ୍ଗମାଟିଆଠାରେ ଆଫୋର୍ଡେବଲ୍ ହାଉସିଂ ଯୋଜନାରେ ଘର ମିଳିଲା। କିନ୍ତୁ ସରକାର ଉଚ୍ଛେଦ ପରେ ଜବରଦଖଲମୁକ୍ତ ଏହି ଜାଗାକୁ ଜଗିଲେନି କି ପାଚେରି ବୁଲାଇଲେନି। ଏଣୁ ପୁଣିଥରେ ସତ୍ୟକାଳୀ ବସ୍ତି ଅଞ୍ଚଳ ଜବରଦଖଲକାରୀଙ୍କ କବଳକୁ ଚାଲିଗଲାଣି। ଘର କରି ଲୋକେ ରହିଲେଣି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ବସ୍ତି ପୁଣି ଗଢ଼ି ଉଠିଲାଣି। ଦୁଇଚକିଆ, ଚାରିଚକିଆ ଗାଡ଼ି ବି ସତ୍ୟକାଳୀ ବସ୍ତିରେ ପୁନର୍ବାର ଗଢ଼ି ଉଠିଥିବା ଘର ଆଗରେ ପାର୍କିଂ ହେଉଛି। ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ଆଗରେ ଏହି ବସ୍ତି ରହିଛି ଏବଂ ନେତା ଓ ଅଧିକାରୀଙ୍କ ଆଖି ଆଗରେ ଏଠାରେ ଜବରଦଖଲ ଚାଲିଥିଲେ ବି ସମସ୍ତେ ନିରବଦ୍ରଷ୍ଟା ସାଜିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

Advertisment

Entrepreneurship: ଉଦ୍ୟମିତାରେ ବାଧକ ସାଜୁଛି ଇଣ୍ଟର୍‌ନେଟ୍‌ ଦର

ଭୁବନେଶ୍ବର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଆସୁଛି ସତ୍ୟକାଳୀ ବସ୍ତି। ରାଜ୍ୟ ସରକାର ୧୦ ନମ୍ବର ପ୍ରାକୃତିକ ନାଳ ବିକାଶ ଯୋଜନା ବେଳେ ସତ୍ୟନଗର ଶ୍ମଶାନକୁ ଲାଗି ବିସ୍ତୃତ ପାର୍କିଂର ଯୋଜନା କରିଥିଲେ। ଯେଉଁଠି ଉଭୟ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ପାର୍କିଂ ଯୋଜନା ହୋଇଥିଲା। ଏଥିସହ ଅନ୍ୟାନ୍ୟ ବିକାଶମୂଳକ ଯୋଜନାର ନକ୍ସା ଅଙ୍କାଯାଇଥିଲା। ଏଣୁ ସତ୍ୟନଗର ଶ୍ମଶାନକୁ ଲାଗି ଥିବା ସତ୍ୟକାଳୀ ବସ୍ତିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା। ୨୦୧୩ ମସିହା ରାଜୀବ ଆବାସ ସର୍ଭେ ତାଲିକା ଅନୁସାରେ ଉଚ୍ଛେଦ ହୋଇଥିବା ୨୮୦ଜଣ ପରିବାରଙ୍କୁ ଆଫୋର୍ଡେବଲ୍ ହାଉସିଂ ଯୋଜନାରେ ଘର ମିଳିବ ବୋଲି ସରକାର ଘୋଷଣା କରିଥିଲେ। ଗାଡ଼କଣସ୍ଥିତ ରଙ୍ଗମାଟିଆଠାରେ ବସ୍ତିବାସିନ୍ଦାଙ୍କ ପାଇଁ ଆଫୋର୍ଡେବଲ୍ ହାଉସିଂ ଯୋଜନାରେ ନିର୍ମିତ ପ୍ରାୟ ୬୦୦ ଘର ଭିତରୁ ପ୍ରଥମ ପର୍ଯ୍ୟାୟରେ ଓ ପ୍ରାଥମିକତା ଭିତ୍ତିରେ ସତ୍ୟକାଳୀ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଗଲା। ପରେ ୯ ନମ୍ବର ୱାର୍ଡର ଅରବିନ୍ଦ ଓ ତାରିଣୀ ବସ୍ତି ଏବଂ ୧୨ ନମ୍ବର ୱାର୍ଡର ଦଶରାଜ ବସ୍ତି ଓ ପାତ୍ରସାହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ବୋଲି ସରକାର କହିଥିଲେ। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସତ୍ୟକାଳୀ ବସ୍ତିର ୧୪୩ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ବାକି ବସ୍ତିବାସିନ୍ଦାଙ୍କୁ ରଙ୍ଗମାଟିଆଠାରେ ଘର ମିଳିଥିଲା। ଯେଉଁଠି ରାଜଧାନୀ ଭୁବନେଶ୍ବରରେ ଛାତ ଘରଟିଏ କରି ମୁଣ୍ଡ ଗୁଞ୍ଜିବା ବଡ଼ବଡ଼ିଆଙ୍କୁ କଷ୍ଟସାଧ୍ୟ ହୋଇପଡ଼ିଛି, ସେଠି ଉଚ୍ଛେଦ ବସ୍ତିବାସିନ୍ଦାମାନେ ୧.୨୦ ଲକ୍ଷ ଟଙ୍କାରେ ନିଜ ପସନ୍ଦର ଘର ପାଇଥିଲେ। ସତ୍ୟକାଳୀ ବସ୍ତି ଉଚ୍ଛେଦ ପରେ ବି ପାର୍କିଂ ନିର୍ମାଣ ହେଲା ସତ, କିନ୍ତୁ ଅଧାଗଢ଼ା ହୋଇ ରହିଯାଇଛି। ଏଣୁ ଏହି ଅର୍ଦ୍ଧନିର୍ମିତ ପାର୍କିଂ ପଛକୁ ଲାଗି ଶହ ଶହ ଘର ପୁଣି ଗଢ଼ି ଉଠିଲାଣି। କେଉଁଠି ଇଟା, ଆଜବେଷ୍ଟସ୍ ଘର ତ କେଉଁଠି ବାଉଁଶ ଓ ପାଲଟାଣି ଲୋକେ ରହିଲେଣି।

Horoscope 2025 December 08: ଜାଣନ୍ତୁ ଆଜିର ରାଶିଫଳ

ସବୁଠୁ ବଡ଼ କଥା ଏଠାରେ ଚାରିଚକିଆ ଗାଡ଼ି ବି ଆସି ପାର୍କିଂ ହେଉଛି। ଏଣୁ ଏହି ଜବରଦଖଲ ପଛରେ ସ୍ବଚ୍ଛଳବର୍ଗ ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ସେପଟେ ଏହି ଜବରଦଖଲ କାରଣରୁ ଅସାମାଜିକ କାର୍ଯ୍ୟ ବି ଏଠାରେ ବଢ଼ିଚାଲିଛି। ନିଶା କାରବାରଠାରୁ ଆରମ୍ଭ କରି ନାନାଦି ଅନୈତିକ କାର୍ଯ୍ୟ ଚାଲୁଛି। ନିଶାଡ଼ିଙ୍କ ଉତ୍ପାତ ଲୋକଙ୍କୁ ବି ଅତିଷ୍ଠ କଲାଣି। ଏଣୁ ସଂପୂର୍ଣ୍ଣ ଜାଗା ଜବରଦଖଲକୁ ଚାଲିଯିବା ଓ ପୁଣିଥରେ ଜରବଦଖଲକାରୀମାନେ ନିଜକୁ ବସ୍ତିବାସିନ୍ଦା ଦର୍ଶାଇ କ୍ଷତିପୂରଣ ହାତେଇବା ଆଗରୁ ଏହି ସରକାରୀ ଜାଗାକୁ ତଥା ଅଞ୍ଚଳକୁ ଜବରଦଖଲମୁକ୍ତ କରି ସରକାର ନିଜ ଦଖଲକୁ ଆଣିବାକୁ ଦାବି ହୋଇଛି।