ନୂଆଦିଲ୍ଲୀ: ଦିନେ ଫୁଡ୍ କୋର୍ଟରେ ପୋଛା ମାରୁଥିଲେ, ହେଲେ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଆମେ ଏଠାରେ ପଞ୍ଜାବୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟକ-ଅଭିନେତା ଗିପ୍ପି ଗ୍ରେୱାଲଙ୍କ କଥା କହୁଛୁ। ଅଭିନେତା ଏବେ ନିଜ ସଫଳତାକୁ ଉପଭୋଗ କରୁଛନ୍ତି | ତାଙ୍କର ଚଳଚ୍ଚିତ୍ର ଏବଂ ଗୀତଗୁଡିକ ଖୁବ ଭାଇରାଲ ହେବା ସହ ଏବେ ସେ ପଞ୍ଜାବୀ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର କଳାକାର । କିନ୍ତୁ ସେ ଏହି ଖ୍ୟାତି ଏତେ ସହଜରେ ପାଇନଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ବହୁତ ସଂଘର୍ଷ କରିଥିବା କହିଛନ୍ତି। ଖ୍ୟାତି ଅର୍ଜନ କରିବା ପୂର୍ବରୁ ସେ କାନାଡାରେ ମ୍ୟୁଜିକ୍ ଭିଡିଓ ପାଇଁ ଅର୍ଥ ସଂଗ୍ରହ କରୁଥିଲେ । ତାଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ପତ୍ନୀ ମଧ୍ୟ ବହୁତ କାମ କରିଥିଲେ।
ଗିପ୍ପି ଏକ ସାକ୍ଷାତକାରରେ କହିଥିଲେ ଯେ, "ମୁଁ ଏବଂ ମୋ ପତ୍ନୀ କଣ୍ଠଶିଳ୍ପୀ ଭାବେ କ୍ୟାରିୟର ଗଢ଼ିବାକୁ ଆବଶ୍ୟକ ଥିବା ପାଣ୍ଠି ସଂଗ୍ରହ ପାଇଁ ଅନେକ କାମ କରିଥିଲୁ। ଖବରକାଗଜ ବାଣ୍ଟିବା ସହ ଇଟା ଏବଂ ମାର୍ବଲ ତିଆରି କରିଥିଲୁ। ଗୋଟେ ସମୟରେ ମୁଁ ତିନୋଟି ଚାକିରି କରୁଥିଲି | ମୁଁ ଅଧିକ ରୋଜଗାର କରିବାକୁ ସକ୍ଷମ ନଥିଲି ଏବଂ ପଞ୍ଜାବରେ ଏତେ ସଂଖ୍ୟକ ଗାୟକ ଥିଲେ ଯେ କମ୍ପାନିଗୁଡ଼ିକ ନିବେଶ କରିବା ବନ୍ଦ କରିଦେଲେ । ଏଥିପାଇଁ ଆଲବମ୍ ମହଙ୍ଗା ହେଲା | ଘରୁ ଟଙ୍କା ଆଣି ଗୀତ ନିର୍ମାଣରେ ଲଗାଇବାକୁ ଚାହୁନଥିଲି, ତେଣ ମୁଁ ଅନୁଭବ କଲି ଯେ ମୋତେ ନିଜେ ରୋଜଗାର କରିବାକୁ ପଡିବ | କାନାଡା ଯାଇ ମୁଁ ଏବଂ ମୋ ପତ୍ନୀ ଫୁଡ୍ କୋର୍ଟରେ ପୋଛା ମାରିବା ସହ ବାସନ ସଫା କରୁଥିଲୁ। ମୁଁ ସକାଳୁ ଖବରକାଗଜ ବାଣ୍ଟି ଇଟା ଓ ମାର୍ବଲ ତିଆରି ଫ୍ୟକ୍ଟ୍ରିକୁ ଯାଉଥିଲି। ଏହା ପରେ ଆମେ ଫୁଡ୍ କୋର୍ଟ ଯାଉଥିଲୁ। କିନ୍ତୁ ମୋତେ ସେ ସବୁ କାମ କରିବାକୁ ମଜା ଲାଗୁଥିଲା।"