ନୂଆଦିଲ୍ଲୀ :ଆଉ ଦେଖିବାକୁ ମିଳିବନି ଥାଲାପତି ବିଜୟଙ୍କର ଅଭିନୟର ଜଲଓ୍ବା। ବଡ ପରଦାରେ ଲୋକଙ୍କୁ ହସାଉଥିବା କନ୍ଦାଉଥିବା ଚରିତ୍ର ସବୁଦିନ ପାଇଁ ଚଳଚିତ୍ର ଜଗତରୁ ନେବେ ବିଦାୟ। ବିଜୟ ୧୦ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ଭେଟ୍ରିରେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। 

Advertisment

୧୮ ବର୍ଷ ବୟସରୁ ଅଭିନୟ

୧୮ ବର୍ଷ ବୟସରେ ସେ ନାଲାୟା ଥିରପୁ ଚଳଚ୍ଚିତ୍ରରେ ନାୟକ ଭାବରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ୫୧ ବର୍ଷରେ ପାଦ ଥାପିଛନ୍ତି। ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବିମୋହିତ କରୁଥିବା ବିଜୟ ଆଉ ଅଭିନୟ କରିବେ ନାହିଁ। ଶନିବାର ଦିନ ମାଲେସିଆରେ ନିର୍ଦ୍ଦେଶକ ଏଚ୍ ଭିନୋଥଙ୍କ ଫିଲ୍ମ "ଜନ ନାୟାଗନ୍"ର ଅଡିଓ ଲଞ୍ଚ ସମୟରେ ସେ ଏହି ଘୋଷଣା କରିଥିଲେ। 

ଆହୁରି ପଢ଼ନ୍ତୁ:Nandankanan Foundation Day: ୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ପରଦାରେ ନଜର ଆସିବେନି ଥାଲାପତି

ରାଜନୀତିରେ ସବୁବେଳେ ସକ୍ରିୟ ରହିବା ପାଇଁ ବିଜୟ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ବିଜୟ ଗତ ବର୍ଷ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟ୍ରି କାଝାଗମ ଗଠନ କରିଥିଲେ। ଏବେ ତାଙ୍କ ଦଳ ୨୦୨୬ ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ମଧ୍ୟ ଲଢ଼ିବ। 

ନିଜ ପ୍ରଶଂସକଙ୍କୁ କଣ କହିଛନ୍ତି ବିଜୟ 

ତାଙ୍କ ପ୍ରଶଂସକମାନଙ୍କୁ ସମ୍ବୋଧିତ କରି ବିଜୟ କହିଥିଲେ ଯେ, " ଲୋକମାନେ ମୋ ପାଇଁ ଥିଏଟରକୁ ଆସନ୍ତି ଏବଂ ଧାଡ଼ିରେ ଠିଆ ହୁଅନ୍ତି। ସେଥିପାଇଁ ମୁଁ ଆଗାମୀ ୩୦-୩୩ ବର୍ଷ ପାଇଁ ସେମାନଙ୍କ ପାଇଁ ଠିଆ ହେବାକୁ ଚାହୁଁଛି। ମୋ ପ୍ରଶଂସକମାନଙ୍କ ପାଇଁ ମୁଁ ସିନେମାରୁ ଅବସର ନେଉଛି।" ସେ ଆହୁରି କହିଛନ୍ତି ଯେ ତାଙ୍କୁ ତାଙ୍କ କ୍ୟାରିୟରର ପ୍ରଥମ ଦିନରୁ ସମସ୍ତ ପ୍ରକାରର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ସତ୍ତ୍ୱେ ତାଙ୍କ ପ୍ରଶଂସକମାନେ ସର୍ବଦା ତାଙ୍କ ସହିତ ଠିଆ ହୋଇଥିଲେ। ଦୀର୍ଘ ୩୩ ବର୍ଷ ଧରି ସେ ପାଇଥିବା ପ୍ରେମ ଏବଂ ସମର୍ଥନକୁ କେବେ ଭୁଲିପାରିବେ ନାହିଁ।

ଜନ ନାୟାଗନ୍ ହେବ ଶେଷ ଚଳଚ୍ଚିତ୍ର 

ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜନ ନାୟାଗନ୍ ତାଙ୍କର ଶେଷ ଚଳଚିତ୍ର ହେବ। ଏହି ଚଳଚିତ୍ରରେ ତାଙ୍କୁ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ। ଏହାଛଡା ଏଚ୍ ଭିନୋଥଙ୍କ ନିର୍ଦ୍ଦେଶିତ ' ଜନ ନାୟାଗନ୍ ' ରେ  ବବି ଦେଓଲ, ପୂଜା ହେଗଡେ, ମମିତା ବୈଜୁ ଏବଂ ପ୍ରିୟମଣି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରରେ ବିଜୟ ନୀଳ ସାର୍ଟ ଏବଂ କଳା ଡେନିମ୍ ପିନ୍ଧିଥିବାର ଦେଖାଯାଇଥିଲା। 

ଆହୁରି ପଢ଼ନ୍ତୁ:Rourkela Girl Smruti Rekha: ପ୍ରଶିକ୍ଷଣ ବିନା ଆଙ୍କୁଛନ୍ତି ସୁନ୍ଦର ଚିତ୍ର: ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସ୍ମୃତି

 ସେ ଲୋକଙ୍କ ପ୍ରବଳ ଭିଡ ସହିତ ସେଲ୍ଫି ନେଉଥିବାର ଦେଖାଯାଇଥିଲା। ଏହି ଚଳଚିତ୍ର ଜାନୁଆରୀ ୯ , ୨୦୨୬ ରେ ବିଶ୍ବବ୍ୟାପି ଥିଏଟରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ରିପୋର୍ଟ: ଅର୍ପିତା ରଥ