ଭୁବନେଶ୍ବର: ସେ ଥିଲେ ସୌମ୍ୟକାନ୍ତ। ୭୦ ଦଶକର ଶେଷ ଆଡ଼କୁ ତାଙ୍କର ପ୍ରବେଶ ଚଳଚ୍ଚିତ୍ର ଜଗତରେ ନୂଆ ଯୁଗର ଆରମ୍ଭ କରିଥିଲା। ପାଠୁଆ, ସୁନ୍ଦର, ଗୋରା ରଙ୍ଗ ସହ କ୍ଲିନ୍-ସେବ୍ ଲୁକ୍ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା। ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର କରି ସେ ପାଲଟି ଯାଇଥିଲେ ଚଳଚ୍ଚିତ୍ର ଜଗତର ଅନ୍ୟତମ ଲୋକପ୍ରିୟ ସୁପରଷ୍ଟାର୍। ଏଥିସହ ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଜି ପର୍ଯ୍ୟନ୍ତର ସବୁଠାରୁ ସୁନ୍ଦର ଅଭିନେତା। ୧୯୭୭ ମସିହାରୁ ୯୦ ଦଶକର ଆରମ୍ଭ ଯାଏଁ ପ୍ରାୟ ୧୫ ବର୍ଷ ଧରି ସେ ଜଣେ ରୋମାଣ୍ଟିକ୍ ନାୟକ ଭାବେ ଚଳଚ୍ଚିତ୍ର ଜଗତରେ ଛାଇ ରହିଥିଲେ। ଆଉ ପ୍ରମାଣ କରିଥିଲେ, ‘ସେ ଉତ୍ତମ ନୁହନ୍ତି ସର୍ବୋତ୍ତମ’। ତାଙ୍କ ଦେହାବସାନକୁ ଆସନ୍ତାକାଲି ୧ ବର୍ଷ ପୂରୁଥିବା ବେଳେ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ପ୍ରତି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।
ଅଶୀ ଦଶକର ଥିଲେ ଅପ୍ରତିଦ୍ବନ୍ଦୀ ଚେହେରା
ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ନିଜ କଲେଜ ଜୀବନରେ ଉତ୍ତମ ବହୁ ମଞ୍ଚରେ ଅଭିନୟ କରି ନିର୍ଦ୍ଦେଶକ ଓ କାହାଣୀ ଲେଖକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୭୬ ମସିହାରେ ସେ ଯେତେବେଳେ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପାଠ ପଢ଼ୁଥିଲେ ସେତେବେଳୁ ନିର୍ଦେଶକ ସାଧୁ ମେହେର ତାଙ୍କୁ ଚଳଚ୍ଚିତ୍ରରେ ନାୟକ ସାଜିବା ପାଇଁ ଅଫର୍ ଦେଇଥିଲେ। ଏନେଇ ସେ ଏକ ପତ୍ର ତାଙ୍କ ଘରକୁ ପଠାଇଥିଲେ। କିନ୍ତୁ ଉତ୍ତମଙ୍କ ପାଠପଢ଼ା ଚାଲିଥିବାରୁ ବଡ଼ ଭାଇ ଏହି ପତ୍ରକୁ ଚିରି ଦେଇଥିଲେ। ଏହାପରେ ଯେତେବେଳେ ମାସେ ଛୁଟିରେ ଉତ୍ତମ ବାରିପଦା ନିଜ ଘରକୁ ଆସିଥାନ୍ତି, ସେତେବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ନେଇ ସାଧୁ ମେହେରଙ୍କ ସହ ସାକ୍ଷାତ କରାଇଥିଲେ। ସେ ଉତ୍ତମଙ୍କୁ ତାଙ୍କ ‘ଅଭିମାନ’ ଚଳଚ୍ଚିତ୍ରରେ ନେବା ପାଇଁ ନିଷ୍ପତ୍ତି ନେଲେ। ତେବେ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। ପରେ ଭଉଣୀମାନେ ବୁଝାଇବାରୁ ସମସ୍ତେ ରାଜି ହୋଇଥିଲେ। କିନ୍ତୁ ଚଳଚ୍ଚିତ୍ରର ସୁଟିଂ ଏହି ଛୁଟି ମାସ ଭିତରେ ସାରିବାକୁ ସର୍ତ୍ତ ରହିଥିଲା। ବାରିପଦାରେ ସୁଟିଂ ହେଉଥିବା ଚଳଚ୍ଚିତ୍ରର ସୁଟିଂ ମାସେ ଭିତରେ ଶେଷ କରାଗଲା। ୧୯୭୭ରେ ଅଭିମାନ ସୁପରହିଟ୍ ହେଲା। ପୁଣି ୩ ବର୍ଷର ବିରାମ ପରେ ସେ ଚଳଚ୍ଚିତ୍ର ‘ପତିପତ୍ନୀ’ ଜରିଆରେ ରୂପେଲି ପରଦାକୁ ଫେରିଥିଲେ ।
NCERT books: ଏନ୍ସିଇଆର୍ଟି ପୁସ୍ତକ ଉପରେ ରୋକ୍: ସମସ୍ତ କପି ଜବତ ନିର୍ଦ୍ଦେଶ, ଅନ୍ଲାଇନ୍ ସେୟାର ଉପରେ କଟକଣା
ଜିଦ୍ରେ ଫେରିଥିଲେ ଚଳଚ୍ଚିତ୍ର ଜଗତ
ଉତ୍ତମ ମହାନ୍ତି ତାଙ୍କର ଅନେକ ସାକ୍ଷାତକାର ଏକଥା କହିଛନ୍ତି, ‘ଅଭିମାନ’ ଚଳଚ୍ଚିତ୍ର ପରେ ସେ ଜିଦ୍ରେ ଚଳଚ୍ଚିତ୍ର ଦୁନିଆକୁ ଫେରିଥିଲେ। କୋଲାକତାରେ ରହିବା ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଧୀର ବିଶ୍ୱାଳଙ୍କ ଚଳଚ୍ଚିତ୍ର ‘ଗୌରୀ’ ପାଇଁ ତାଙ୍କୁ ଅଫର୍ ଆସିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଚଳଚ୍ଚିତ୍ରରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପ୍ରଶାନ୍ତ ନନ୍ଦଙ୍କୁ ଫାଇନାଲ୍ କରି ଦିଆଯାଇଥିଲା। ଏହା ଉତ୍ତମଙ୍କୁ ଅପମାନବୋଧ ହୋଇଥିଲା। ଏହାପରେ ୩ ବର୍ଷ ବିରାମରେ ଜିଦ୍ରେ ଚଳଚ୍ଚିତ୍ର ଜଗତ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଯାଇଥିଲେ ଉତ୍ତମ ଏବଂ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଲାଗିଲେ।
ଦେଶୀ, ବିଦେଶୀ ନାୟିକାଙ୍କ ସହ ଜମିଥିଲା ଉତ୍ତମଙ୍କ ଯୋଡ଼ି
ରୋମାଣ୍ଟିକ୍ ହିରୋ ଉତ୍ତମ ମହାନ୍ତି ମହେଶ୍ବତା ରାୟଙ୍କଠାରୁ ଆରମ୍ଭ କରି ଅପରାଜିତା, ରଚନା ବାନାର୍ଜୀ, ସୁଜାତା, ତନ୍ଦ୍ରା ରାୟ, ଅନୀତା, ବୈଶାଳୀ, ସୁଭଦ୍ରା ପତି ଓ ଦୀପାଙ୍କ ଭଳି ଅଭିନେତ୍ରୀଙ୍କ ବିପକ୍ଷରେ ନାୟକ ସାଜିଥିବା ବେଳେ ସର୍ବାଧିକ ବିଦେଶୀ ନାୟିକାଙ୍କ ସହ ବି କାମ କରିଛନ୍ତି। ୧୯୮୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଜ୍ବାଇଁପୁଅ’ରେ ଉତ୍ତମ ପ୍ରଥମ କରି ବଙ୍ଗ ସୁନ୍ଦରୀ ମିଠୁ ମୁଖାର୍ଜୀ ଙ୍କ ସହ କାମ କରିଥିଲେ।ଏହାପରେ ‘ଜୟଦେବ’ ଚଳଚ୍ଚିତ୍ରରେ ବି ବଙ୍ଗୀୟ ଅଭିନେତ୍ରୀ ଶର୍ମିଳା, ୧୯୮୮ରେ ‘ସୁନା ଚଢ଼େଇ’ରେ ଅର୍ଚ୍ଚନା ଯୋଗେଲକରଙ୍କ ସହ କାମ କରିଥିଲେ। ବଙ୍ଗୀୟ ନାୟିକା ଶତାବ୍ଦୀ ରାୟଙ୍କ ସହ ଉତ୍ତମ ଚଳଚ୍ଚିତ୍ର ‘ନାଗଜ୍ୟୋତି’ ଓ ହିନ୍ଦୀ ଫିଲ୍ମ ‘ନୟା ଜହର’ରେ ନଜର ଆସିଥିଲେ। ‘ଦଇବ ଦଉଡ଼ି’ରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଦକ୍ଷିଣୀ ଅଭିନେତ୍ରୀ ରେଖା ରାଓ। ଏହି ଯୋଡ଼ି ପୁଣି ‘କଳକୀ ଅବତାର’ରେ ନଜର ଆସିଥିଲେ।
Indian Navy: ବଙ୍ଗୋପସାଗରରେ ସରିଲା ଭାରତୀୟ ନୌସେନାର ସମରାଭ୍ୟାସ
‘ପରଦେଶୀ ଚଢ଼େଇ’ରେ ବିଦେଶିନୀ ନାୟିକା ଅରମିଣ୍ଟାଙ୍କ ସହ ରୋମାନ୍ସ କରିଥିଲେ ଉତ୍ତମ। ‘ଚକା ଆଖି ସବୁ ଦେଖୁଛି’ରେ ଦକ୍ଷିଣ ଭାରତୀୟ ଶ୍ରୀପ୍ରଦାଙ୍କ ସହ ‘ଆମ ଘର ଆମ ସଂସାର’ରେ ଅଭିନେତ୍ରୀ ପ୍ରଯକ୍ତାଙ୍କ ସହ ରୋମାନ୍ସ ବି କିଛି କମ୍ ଆକର୍ଷକ ନ ଥିଲା। ‘କନ୍ୟାଦାନ’ ଚଳଚ୍ଚିତ୍ରରେ ସୋମା ମୁଖାର୍ଜୀଙ୍କ ସହ ବି ଜମିଥିଲା ଉତ୍ତମଙ୍କ ଯୋଡ଼ି। ଉତ୍ତମଙ୍କ ସହ ଅନ୍ସ୍କ୍ରିନ୍ ରୋମାନ୍ସ କରିଥିବା ଅନ୍ୟ ନାୟିକାମାନେ ହେଲେ ଶେହନାଜ୍ (ଅନ୍ୟାୟ ସହିବି ନାହିଁ), ପାପିୟା ଅଧିକାରୀ (ମିଛ ମାୟା ସଂସାର), ଅନୁରାଧା (ଚକାଡୋଳା କରୁଛି ଲୀଳା), କୀର୍ତ୍ତି (ମାଆ ଯାହାର ସାହା), ନୟନା ଦାସ (ଏମିତି ଭାଇ ଜଗତେ ନାହିଁ), ସହେଲି ମୁଖାର୍ଜୀ (ସତମିଛ), ଜୟଶ୍ରୀ (କାଳଚକ୍ର), ଦେବଶ୍ରୀ ରାୟ (ବାଦ୍ଶାହା), ରେଶ୍ମା (ଭୀଷ୍ମପ୍ରତିଜ୍ଞା) ଏବଂ ସୁଚେତା ମୁଖାର୍ଜୀ (ଏ ଯୁଗର କୃଷ୍ଣସୁଦାମା)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/01/hrxndTUPUX9j1VoCFEcE.jpg)