୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏକ ମାସର ବ୍ୟବଧାନରେ ଦୁଇଟି ସିନେମା ମୁକ୍ତିଲାଭ କରିବା ଦର୍ଶାଏ ଯେ ସେହି କ୍ଷଣସ୍ଥାୟୀ ଯୁଦ୍ଧର ପରିଣାମ ଆମ ଜାତୀୟ ଚେତନାରେ କେତେ ଗୁରୁତ୍ବ ବହନ କରେ। ଶ୍ରୀରାମ ରାଘବନଙ୍କ ‘ଇକ୍କୀସ’ ସିନେମାରେ କେବଳ ଟ୍ୟାଙ୍କ୍ ଲଢ଼େଇର ଅବତାରଣା କରାଯାଇଥିବା ବେଳେ ଅନୁରାଗ ସିଂହଙ୍କ ‘ବର୍ଡର ୨’ ଏକାବେଳେ ଜଳ-ସ୍ଥଳ-ବାୟୁ ଲଢ଼େଇର ବ୍ୟାପକ ଯୁଦ୍ଧକୁ ଗୋଟିଏ କାହାଣୀରେ ଗୁନ୍ଥିବାର ଦୁଃସାହସ କରିଛି। ପୁଣି ଅବଧି ଓ ବିଶାଳତା ଦୃଷ୍ଟିରୁ ଏହା ‘ବର୍ଡର’କୁ ଅତିକ୍ରମ କରିବାକୁ ଚେଷ୍ଟା କରିଛି। ଟ୍ରେଲର୍ ଆସିବା ପରେ ସାମାଜିକ ଗଣମାଧ୍ୟମ ଚର୍ଚ୍ଚାରେ ବରୁଣ ଧଵନଙ୍କୁ ଯେଉଁଭଳି ବିଦ୍ରୂପ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ନେଇ ଏକ ନକାରାତ୍ମକ ଚିତ୍ର ତୋଳିଥିଲା। ଚଳଚ୍ଚିତ୍ରଟି ଦେଖିବା ପରେ ସ୍ପଷ୍ଟ ହୋଇଗଲା ଯେ ଅଭିନୟ ନେଇ ଯେଉଁସବୁ ସନ୍ଦେହ ଥିଲା ସେଗୁଡ଼ିକ ଅମୂଳକ; ପରିବାର ସହ ଉପଭୋଗ କରିବା ପାଇଁ ଏଥିରେ ଯଥେଷ୍ଟ ଉପାଦାନ ଅଛି। ତେବେ ଦ୍ବିତୀୟାର୍ଦ୍ଧରେ ଯୁଦ୍ଧର ଦୃଶ୍ୟଗୁଡ଼ିକ ଅପେକ୍ଷା ଯୁଦ୍ଧ ପୂର୍ବବର୍ତ୍ତୀ ପ୍ରଥମାର୍ଦ୍ଧ ଅଧିକ ଉପଭୋଗ୍ୟ। ଜାହାଜ, ଉଡ଼ାଜାହାଜ ଓ ଟ୍ୟାଙ୍କ୍ ଯୁଦ୍ଧର ଲୋମଟାଙ୍କୁରା ଅଭିଜ୍ଞତା ଆଶା ରଖିଥିବା ଦର୍ଶକଙ୍କୁ ଏହାର ଦୁର୍ବଳ ‘ଭିଏଫ୍ଏକ୍ସ’ପ୍ରସୂତ ଦୃଶ୍ୟଗୁଡ଼ିକ ନିରାଶ କରିବା ସୁନିଶ୍ଚିତ।
Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ
‘ବର୍ଡର’ର ପରବର୍ତ୍ତୀ ଭାଗ ହୋଇଥିଲେ ହେଁ ‘ବର୍ଡର ୨’ରେ ସମାନ ଯୁଦ୍ଧର ଗୋଟିଏ ପୂରା ଅଲଗା କାହାଣୀ ଦେଖାଯାଇଛି(ଅବଶ୍ୟ ଏଥିରେ ଲୋଙ୍ଗେଵାଲା ଲଢ଼େଇର ଉଲ୍ଲେଖ ରହିଛି)। ସନୀ ଦେଓଲଙ୍କ ଚରିତ୍ର ମଧ୍ୟ ଏଠାରେ ଅଲଗା। ତେବେ ‘ବର୍ଡର’ର ଆତ୍ମା ଓ ଚରିତ୍ର ଏହି ଚଳଚ୍ଚିତ୍ରରେ ଅକ୍ଷୁଣ୍ଣ ରହିଛି। ଏଥିରେ ସନୀ ଶିଖ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ନେଲ ଫତେହ ସିଂହ କଲେର(ଅସଲ ଜୀବନର ବ୍ରିଗେଡିଅର୍ ହରଦେବ ସିଂହ କଲେର) ଭୂମିକାରେ ଅଭିନୟ କରିଛନ୍ତି। ସେନାବାହିନୀକୁ ଉଦ୍ବୋଧନ ଦେବା ବେଳେ ତାଙ୍କର ଚିରାଚରିତ ଗର୍ଜନ ଦର୍ଶକ ମନରେ ମଧ୍ୟ ଉର୍ଜା ଭରିଦେଇଥାଏ। କୌଣସି ଅଭିନେତ୍ରୀଙ୍କୁ ଦକ୍ଷତା ପ୍ରଦର୍ଶନର ବିଶେଷ ଅବସର ମିଳି ନଥିଲେ ହେଁ ଲେଫ୍ଟନାଣ୍ଟ କର୍ନେଲ କଲେରଙ୍କ ପତ୍ନୀ ଭୂମିକାରେ ମୋନା ସିଂହ ପ୍ରଭାବଶାଳୀ ଅଭିନୟ କରିଛନ୍ତି।
ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳୁଛି ମେଜର ହୋଶିୟାର ସିଂହ ଦହିୟା(ବରୁଣ ଧଵନ), ଫ୍ଲାଇଂ ଅଫିସର ନିର୍ମଳ ଜିତ ସିଂହ ଶେଖୋଁ(ଦିଲଜୀତ ଦୋସାଂଝ) ଓ ଲେଫ୍ଟନାଣ୍ଟ କମାଣ୍ଡର ଏମ୍. ଏସ୍. ରାଵତ(ଅହାନ ଶେଟ୍ଟୀ) ଟ୍ରେନିଂ କାଳରେ କିପରି ଘନିଷ୍ଠ ବନ୍ଧୁ ପାଲଟୁଛନ୍ତି। ଲେଫ୍ଟନାଣ୍ଟ କର୍ନେଲ କଲେର ଏମାନଙ୍କ ପ୍ରଶିକ୍ଷକ ଭାବେ ସେନାର ଅନୁଶାସନ ସହ ଅବଗତ କରାଉଛନ୍ତି। ତିନି ବନ୍ଧୁଙ୍କ ପାରିବାରିକ ବନ୍ଧନର କାହାଣୀ ଏକ ଦୃଢ଼ ଆବେଗିକ ମୂଳଦୁଆ ସ୍ଥାପନ କରୁଛି। ଫ୍ଲାଇଂ ଅଫିସର ନିର୍ମଳଙ୍କ ବିବାହ ଦିନ ଖବର ଆସୁଛି ଯେ ସେନାବାହିନୀର ସମସ୍ତଙ୍କ ଛୁଟି ବାତିଲ ହୋଇଯାଇଛି। ଏହା ପରେ ସମସ୍ତେ ନିଜନିଜ ପରିବାରକୁ ବିଦାୟ ଜଣାଇ ଯୁଦ୍ଧଭୂମି ଅଭିମୁଖେ ଯାଉଛନ୍ତି। ଭାରତର ଏହି ବୀରପୁତ୍ରମାନଙ୍କ ବନ୍ଧୁତା, ତ୍ୟାଗ, ଦେଶପ୍ରେମର ପରାକାଷ୍ଠାକୁ ଚଳଚ୍ଚିତ୍ରର ଦ୍ବିତୀୟାର୍ଦ୍ଧରେ ମୁଖ୍ୟତଃ ବାହାସ୍ଫୋଟରଞ୍ଜିତ ସଂଳାପ ଜରିଆରେ ଅଭିବ୍ୟକ୍ତ କରିବାକୁ ଚେଷ୍ଟା କରାଯାଇଛି, ଯାହା ସେମାନଙ୍କ ବଳିଦାନ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମନେ ହେଲା ନାହିଁ। ଏ ଦୃଷ୍ଟିରୁ ‘ଇକ୍କୀସ’ ଚଳଚ୍ଚିତ୍ର ଅଧିକ ପ୍ରଶଂସନୀୟ।
Horoscope 2026 January 24: ଜାଣନ୍ତୁ ଆଜିର ରାଶିଫଳ
ଏହି ଚଳଚ୍ଚିତ୍ରର ଅଧିକାଂଶ ଗୀତ ପୁରୁଣା ଚଳଚ୍ଚିତ୍ରରୁ ଉଠାଇଆଣି ରିମେକ୍ କରାଯାଇଛି; ୨୮ ବର୍ଷ ପରେ କେବଳ ଚିତ୍ର ନିର୍ମାଣର ବୈଷୟିକ ଅଗ୍ରଗତି ଏଥିରେ ସବୁଠାରୁ ପ୍ରାଞ୍ଜଳ ଭାବେ ପ୍ରଦର୍ଶିତ ହୋଇଛି। ଏହା ସତ୍ତ୍ବେ କିଛି ଯୁଦ୍ଧ ଦୃଶ୍ୟ ଏତେ କୃତ୍ରିମ ଲାଗିଲା ଯେ ସେଗୁଡ଼ିକୁ ଦେଖିବା ବେଳେ ମନରେ ରୋମାଞ୍ଚର ଭାବନା ଉଦ୍ରେକ ହେଲା ନାହିଁ। ତିନି ଘଣ୍ଟା ସତର ମିନିଟର ଅବଧିକୁ ନିଶ୍ଚିତ ଭାବେ ତିନି ଘଣ୍ଟା ମଧ୍ୟରେ ସୀମିତ ରଖାଯାଇପାରନ୍ତା।
Follow Us