Mumbai terror attacks Photograph: (sambad.in)
ମୁମ୍ବାଇ: ଭାରତ ପାଇଁ କଳାଦିନ, ମୁମ୍ବାଇ ପାଇଁ କଳାଦିନ… ୨୦୦୮ ପୂରା ଦେଶ ଛାତିରେ ଅଲିଭା ଦାଗ ଦେଇଥିବା ବର୍ଷ । ଆତଙ୍କୀଙ୍କ ଆତଙ୍କ, ଅନ୍ଧାଧୂନ ଗୁଳିବର୍ଷା, ଜଣେ ପରେ ଜଣେ ଶବ ପାଲଟୁଥିବାର ଦୃଶ୍ୟ, ହୋଟେଲ ତାଜ ଶୀଖରରେ ନିଆଁ ଆଉ ତାପରେ ଅପରେସନ୍… ଆତଙ୍କବାଦୀଙ୍କ ଧ୍ବଂସଲୀଲାରୁ କୁଢକୁଢ ଶବର ସଂସ୍କାର ଯାଏଁ… ଆଜି ବି ୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେପଡିଗଲେ ଥରିଉଠେ ଛାତି । ଆଉ ଆଜି ସେହି କଳାଦିନକୁ ପୂରିଛି ୧୭ ବର୍ଷ ।
୧୭ ବର୍ଷ ତଳର କଳାଦିନ
ଠିକ୍ ୧୭ ବର୍ଷ ତଳେ ଦୋହଲି ଯାଇଥିଲା ଦେଶ । ମୁମ୍ବାଇରେ ବଡ଼ ଆକ୍ରମଣ କରିଥିଲେ ଆତଙ୍କବାଦୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ସ୍ଥାନ – ମାୟାନଗରୀ ମୁମ୍ବାଇ । ଆତଙ୍କୀ ଆକ୍ରମଣର ଏ ଏମିତି ଏକ ଦିନ ଥିଲା ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ୧୭ ବର୍ଷ କଣ ଶହେ ବର୍ଷ ବିତିଗଲେ ବି ସେହି ଚିତ୍ରକୁ ଭୁଲିପାରିବେନି କେହି ଭୁଲିପାରିବେନି ବି ଭାରତୀୟ । ତାଜ ହୋଟେଲରୁ ବାହାରୁଥିବା ଧୂଆଁ ହିଁ ସେଦିନ କହୁଥିଲା ୨୬/୧୧ ଆକ୍ରମଣ କେତେ ଭୟଙ୍କର ଥିଲା । ଆଉ କେତେ ନୀରିହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ।
ମୁମ୍ବାଇ ମନରେ ୨୬/୧୧ ଆତଙ୍କ
ସବୁଦିନ ଭଳି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଷ୍ଟେସନରେ ଟ୍ରେନ୍ ଯାଆସ କରୁଥିଲା, ରାସ୍ତା ଉପରେ ଗାଡିମୋଟରର ଶବ୍ଦ ସହରର ନିର୍ଜନତାକୁ ଭାଙ୍ଗି ଦେଉଥିଲା । ଆଉ ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା 175 ନୀରିହ ଲୋକଙ୍କ ଜୀବନ । ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ରାତି ଯେତେ ବଢୁଥିଲା ମୃତ୍ୟୁର ସେତେ ଅଧିକ ଖବର ସାମ୍ନାକୁ ଆସିବାରେ ଲାଗିଥିଲା । ଅଧା ରାତି ହେଲା ବେଳକୁ ତାଜ ହୋଟେଲକୁ ପୁରାପୁରି କବଜାକୁ ନେଇ ଯାଇଥିଲେ ଆତଙ୍କବାଦୀ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନ ମାନେ । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ ।
ଆହୁରି ପଢନ୍ତୁ- Constitution Day: ଆଜି ସମ୍ବିଧାନ ଦିବସ: ଶୁଭେଚ୍ଛା ଜଣାଇଲେ ନେତା... ରାଷ୍ଟ୍ରପତି କହିଲେ- ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ବିରାଟ ଉଦାହରଣ...
୨୬/୧୧ ଆକ୍ରମଣ: ଦିନ ଯାଇଛି, ଦରଜ ଯାଇନି…
୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଯେଉଁ ନିଆଁକୁ ଦେଖିଥିଲା ସାରା ବିଶ୍ୱ । ଆଉ ଜାଣିଯାଇଥିଲା କି ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଅଛି । ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ ।
ଆଜି ସେହି ଦିନକୁ ୧୭ ବର୍ଷ ପୂରି ଥିବା ବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି- ଆମ ଦେଶର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସାହସୀ ସୈନିକମାନଙ୍କୁ ମୁଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶ କୃତଜ୍ଞତାର ସହିତ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ମନେ ରଖିବ । ଆସନ୍ତୁ ଆମେ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବା। ଆସନ୍ତୁ ଆମେ ଏକ ଶକ୍ତିଶାଳୀ ଏବଂ ଅଧିକ ସମୃଦ୍ଧ ଭାରତ ଗଠନ କରିବାର ସଂକଳ୍ପ ସହିତ ପ୍ରଗତି ପଥରେ ଏକାଠି ଆଗକୁ ବଢ଼ିବା।
ଆହୁରି ପଢନ୍ତୁ- Badrinath Dham: ଶୀତଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ କପାଟ: ଜାଣନ୍ତୁ ଏହି ୬ ମାସ କେଉଁଠି ପାଇବେ ପୂଜା…
ସେହିପରି ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି- ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସାହସୀ ସୈନିକ ଏବଂ ସାଧାରଣ ନାଗରିକଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତ ସେମାନଙ୍କ ସାହସ, ବଳିଦାନ ଏବଂ ସମର୍ପଣକୁ କେବେ ଭୁଲିବ ନାହିଁ।
Follow Us