୫୫ ବର୍ଷର କନ୍ୟା, ୬୧ ବର୍ଷର ବର ଆଉ ବିବାହ ଖର୍ଚ୍ଚ ୪୦୦ କୋଟି !

ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍‌ଙ୍କୁ ବିବାହ କରିବେ। ଏହି ବିବାହ ଇଟାଲୀର ସୁନ୍ଦର ସହର ଭେନିସ୍‌ରେ ହେବାକୁ ଯାଉଛି...

55-year-old bride, 61-year-old groom and wedding expenses of 400 crores!

55-year-old bride, 61-year-old groom and wedding expenses of 400 crores! Photograph: (sambad.in)

ଭେନିସ୍: ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି।  ସେ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍‌ଙ୍କୁ ବିବାହ କରିବେ। ଏହି ବିବାହ ଇଟାଲୀର ସୁନ୍ଦର ସହର ଭେନିସ୍‌ରେ ହେବାକୁ ଯାଉଛି, ଯାହାକୁ 'ଶତାବ୍ଦୀର ସବୁଠାରୁ ବଡ଼ ଧରଣର ଭବ୍ୟ ବିବାହ ବୋଲି କୁହାଯାଉଛି।

କିନ୍ତୁ ଏହି ବିବାହର ଚମକ ଏବଂ ଗ୍ଲାମର ମଧ୍ୟରେ, ଭେନିସ୍‌ର ରାସ୍ତାରେ ପ୍ରତିବାଦର ସ୍ୱର ମଧ୍ୟ ଜୋରଦାର ହେଉଛି। ସ୍ଥାନୀୟ ଲୋକେ ଏବଂ ସାମାଜିକ କର୍ମୀମାନେ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ହେବାରେ ଲାଗିଛନ୍ତି। ସେମାନେ ହାତରେ 'ନୋ ସ୍ପେସ୍ ଫର୍ ବେଜୋସ୍' ବ୍ୟାନର ଧରି ରାସ୍ତାକୁ ବାହାରି ପ୍ରଦର୍ଶନ କରୁଛନ୍ତି। 

୬୧ ବର୍ଷୀୟ ଜେଫ୍ ବେଜୋସ୍ ଏବଂ ତାଙ୍କ ୫୫ ବର୍ଷୀୟ  ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍ ଚଳିତ ସପ୍ତାହରେ ଭେନିସ୍‌ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ବିବାହ ଜୁନ୍ ୨୪ ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରକାଶ ପାଇଥିଲା।  ଏହି ମେଗା ଇଭେଣ୍ଟରେ ବ୍ୟବସାୟ, ରାଜନୀତି, ହଲିଉଡ୍ ଏବଂ ଅର୍ଥ ଜଗତର ୨୦୦-୨୫୦ ଜଣ ଭିଆଇପି ଅତିଥି ଯୋଗଦେବେ। କିନ୍ତୁ ଏହି ମହାନ ଇଭେଣ୍ଟ ଭେନିସ୍‌ର ଲୋକଙ୍କ ଅସନ୍ତୁଷ୍ଟ କରିଛି। ଲୋକମାନେ ଏହାକୁ ସେମାନଙ୍କ ଶାନ୍ତ ସହରକୁ 'ଧନୀମାନଙ୍କ ପାଇଁ ଏକ ବ୍ୟକ୍ତିଗତ ପାର୍କ'ରେ ପରିଣତ କରିବାର ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି।

ପ୍ରାରମ୍ଭରେ, ଜେଫ୍ ବେଜୋସ୍ ତାଙ୍କ ବିବାହ ଉତ୍ସବ ପାଇଁ ଭେନିସ୍‌ର କାନାରେଜିଓ ଅଞ୍ଚଳର ସ୍କୁଓଲା ଗ୍ରାଣ୍ଡେ ଡେଲା ମିସେରିକୋର୍ଡିଆକୁ ବାଛିଥିଲେ। ଏହା ଏକ ମଧ୍ୟଯୁଗୀୟ ଧାର୍ମିକ ବିଦ୍ୟାଳୟ, ଯାହା ନିଜର ଐତିହାସିକ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। କିନ୍ତୁ ସ୍ଥାନୀୟ ଲୋକମାନେ ଏହା ଜାଣିବା ମାତ୍ରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। 'ନୋ ସ୍ପେସ୍ ଫର୍ ବେଜୋସ୍' ଅଭିଯାନ ମାଧ୍ୟମରେ ପ୍ରତିବାଦକାରୀମାନେ ରାସ୍ତା, କେନାଲ ଏବଂ ସେତୁରେ ହଙ୍ଗାମା କରିବା ଆରମ୍ଭ କରିଥଲେ। ଫଳସ୍ୱରୂପ, ବେଜୋସ୍‌ଙ୍କୁ ତାଙ୍କ ବିବାହ ସ୍ଥାନ ପରିବର୍ତ୍ତନ କରିବାକୁ ପଡିଥିଲା।

ଏବେ ଏହି ବିବାହ ଭେନିସ୍‌ର ପୂର୍ବ କାଷ୍ଟେଲୋ ଜିଲ୍ଲାରେ ଅବସ୍ଥିତ ଆର୍ସେନାଲରେ ହେବ। ଏହା ୧୪ ଶତାବ୍ଦୀର ଏକ ବିଶାଳ କମ୍ପ୍ଲେକ୍ସ। ଯାହାର ଚାରିପାଖ ପାଣି ଏବଂ ସୁଦୃଢ଼ ​​କାନ୍ଥ ଦ୍ୱାରା ଘେରି ରହିଛି। ଏହାର ବିଶେଷତ୍ୱ ​​ହେଉଛି ଏଠାକୁ ସ୍ଥଳପଥରେ ପହଞ୍ଚିବା ପ୍ରାୟ ଅସମ୍ଭବ, ଯାହା ପ୍ରତିବାଦକାରୀଙ୍କ ପାଇଁ ଏହି ଉତ୍ସବକୁ ବାଧା ଦେବା କଷ୍ଟକର ହେବ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଆର୍ସେନାଲକୁ ଏହାର ସୁରକ୍ଷା ଏବଂ ଗୋପନୀୟତା ଯୋଗୁ ଚୟନ କରାଯାଇଛି।

ଜେଫ୍ ବେଜୋସ୍‌ଙ୍କ ବିବାହ ଏହି ମେଗା ଇଭେଣ୍ଟରେ ୪୮ମିଲିୟନ ୟୁରୋ (ପ୍ରାୟ ୫୫.୬୯ ମିଲିୟନ ଡଲାର ଅର୍ଥାତ୍ ୪୦୦କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଅତିଥିମାନଙ୍କୁ ପରିବହନ କରିବା ପାଇଁ ୯୦ଟି ଘରୋଇ ଜେଟ୍ ଭେନିସ୍, ଟ୍ରେଭିସୋ ଏବଂ ଭେରୋନା ବିମାନବନ୍ଦରରେ ଅବତରଣ କରିବ। ଏହା ବ୍ୟତୀତ, ସହରର କେନାଲ ଦେଇ ଅତିଥିମାନଙ୍କୁ ଆର୍ସେନାଲ୍‌କୁ ନେବା ପାଇଁ ୩୦ଟି ଜଳ ଟ୍ୟାକ୍ସି ବୁକ୍ କରାଯାଇଛି।

ବିବାହରେ ଅତିଥିମାନଙ୍କ ରହିବା ପାଇଁ ଭେନିସ୍‌ର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ବୁକ୍ କରାଯାଇଛି। ଅମାନ ଭେନିସ୍, ଗ୍ରିଟି ପ୍ୟାଲେସ୍, ସେଣ୍ଟ ରେଜିସ୍, ବେଲମଣ୍ଡ ସିପ୍ରିଆନି ଏବଂ ହୋଟେଲ ଡାନିଏଲି ଭଳି ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ସଂରକ୍ଷଣ କରାଯାଇଛି। ଅତିଥିମାନେ ଯେପରି କୌଣସି ଅଭାବର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିଶେଷ ଯତ୍ନ ନିଆଯାଉଛି।

ଲରେନ୍ ସାଞ୍ଚେଜ୍‌ଙ୍କ ବିବାହ ଲେହେଙ୍ଗା ମଧ୍ୟ ଖବରରେ ଅଛି। ରିପୋର୍ଟ ଅନୁଯାୟୀ, ତାଙ୍କ ବିବାହ ପୋଷାକ ପାଇଁ ପ୍ରାୟ ୧୨୯,୦୨୦,୨୭୧ ଟଙ୍କା (ପ୍ରାୟ ୧.୫ ନିୟୁତ ଡଲାର) ଖର୍ଚ୍ଚ ହୋଇଛି। ଏହି ଲେହେଙ୍ଗା ଏତେ ସ୍ୱତନ୍ତ୍ର ଯେ, ଏହାକୁ ଏହି ବିବାହର ସବୁଠାରୁ ବଡ଼ ଆକର୍ଷଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଏହା ବ୍ୟତୀତ ଜେଫ୍ ଲରେନ୍‌ଙ୍କୁ ନିର୍ବନ୍ଧରେ ୩-୫ ନିୟୁତ ଡଲାର ମୂଲ୍ୟର ଏକ ଗୋଲାପୀ ହୀରା ମୁଦି ଦେଇଥିଲେ, ଯାହା ପୂର୍ବରୁ ଶିରୋନାମା ପାଲଟିଥିଲା।

ଏହି ବିବାହରେ ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗ ଦେବାକୁ ଯାଉଛନ୍ତି। ଅତିଥି ତାଲିକାରେ ବିଲ୍ ଗେଟ୍ସ,, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍, ଜାରେଡ୍ କୁଶନର, ଲିଓନାର୍ଡୋ ଡିକାପ୍ରିୟୋ, କିମ୍ କାର୍ଦାସିଆନ୍, କେଟି ପେରି, ଡାଏନ୍ ଭନ୍ ଫର୍ଷ୍ଟେନବର୍ଗ ଏବଂ ଏଲନ୍ ମସ୍କଙ୍କ ଭଳି ନାମ ରହିଛି।

ସମସ୍ତ ଅତିଥି ଗୁରୁବାରଠାରୁ ଭେନିସ୍‌ରେ ପହଞ୍ଚିବା ଆରମ୍ଭ କରିବେ ଏବଂ ଶନିବାର ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ପାର୍ଟିରେ ଯୋଗଦେବେ। ବିଶେଷ କଥା ହେଉଛି ଏସବୁ ଅତିଥି ୨୦୨୩ ମସିହାରେ ବେଜୋସ୍ ଏବଂ ସାଞ୍ଚେଜ୍‌ଙ୍କ ନିର୍ବନ୍ଧ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ। ସେହି ପାର୍ଟି ଆମାଲ୍ଫି କୂଳ ନିକଟବର୍ତ୍ତୀ ପୋସିଟାନୋରେ ଆୟୋଜିତ ହୋଇଥିଲା।

ଭେନିସ୍‌ର ସ୍ଥାନୀୟ ଲୋକେ ଏବଂ ସାମାଜିକ କର୍ମୀମାନେ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସେମାନେ କହିଛନ୍ତି ଯେ, ଏପରି ଏକ ହାଇ-ପ୍ରୋଫାଇଲ୍ ବିବାହ ଯୋଗୂ ସହରରେ ସମସ୍ୟା ସୃଷ୍ଟି ହେବ। କାରଣ ସହରରେ ପୂର୍ବରୁ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ସମସ୍ୟା ଜାରି ରହିଛି ।

'ନୋ ସ୍ପେସ୍ ଫର୍ ବେଜୋସ୍' ଅଭିଯାନ ଚଲାଉଥିବା ଟୋମାସୋ କାସିଆରି କହିଛନ୍ତି, ମିସେରିକୋର୍ଡିଆରୁ ବେଜୋସ୍‌ଙ୍କ ପଳାୟନ ଆମ ପାଇଁ ଏକ ବଡ଼ ବିଜୟ। ଏହି ଗୋଷ୍ଠୀ ଶନିବାର ଭେନିସ୍‌ର କେନାଲ, ବ୍ରିଜ୍ ଏବଂ ରାସ୍ତାରେ ବଡ଼ ଧରଣର ପ୍ରତିବାଦ କରିବାକୁ ଧମକ ଦେଇଛି।

ବିରୋଧ ପ୍ରଦର୍ଶନ ମଧ୍ୟରେ, ଭେନିସ୍ ମେୟର ଲୁଇଗି ବ୍ରୁଗନାରୋ ବେଜୋସ୍‌ଙ୍କୁ ସମର୍ଥନ କରିଛନ୍ତି। ସେ ପ୍ରତିବାଦକାରୀମାନଙ୍କ କାର୍ଯ୍ୟକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି. ୨୦୦ ଅତିଥିଙ୍କ ସମାଗମ ଯୋଗୁ ସହରର ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବ ନାହିଁ। ଭେନେଟୋ କ୍ଷେତ୍ରର ସଭାପତି ଲୁକା ଜାଇଆ ମଧ୍ୟ ପ୍ରତିବାଦକୁ ସମାଲୋଚନା କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ୯୦ଟି ଘରୋଇ ଜେଟ୍‌ରେ ଆସୁଥିବା ଅତିଥିମାନେ ସ୍ଥାନୀୟ ବ୍ୟବସାୟ ପାଇଁ ୪୮ନିୟୁତ ୟୁରୋ (ରାଜସ୍ୱ ଆଣିବେ।

ସୂଚନାଯୋଗ୍ୟ, ଲରେନ୍ ସାଞ୍ଚେଜ୍ ଜଣେ ପ୍ରସିଦ୍ଧ ମିଡିଆ ବ୍ୟକ୍ତିତ୍ୱ, ନ୍ୟୁଜ୍ ଆଙ୍କର ଏବଂ ପ୍ରଯୋଜିକା। ୫୫ ବର୍ଷୀୟ ଲରେନ୍ ସୋସିଆଲ ମିଡିଆରେ ସକ୍ରିୟ ଏବଂ ତାଙ୍କର ୩ ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମ ଫଲୋଅର୍ସ ଅଛନ୍ତି। ସେ ଅନେକ ବଡ଼ ମିଡିଆ ହାଉସରେ କାମ କରିଛନ୍ତି ଏବଂ ୨୦୧୬ରେ ବ୍ଲାକ୍ ଅପ୍ସ ଆଭିଏସନ୍ ନାମକ ଏକ ଏରିଆଲ୍ ଫିଲ୍ମ ଏବଂ ପ୍ରଡକ୍ସନ୍ କମ୍ପାନି ପ୍ରତିଷ୍ଠା କରିଥିଲେ ଯାହା ପ୍ରଥମ ମହିଳା ମାଲିକାନା କମ୍ପାନି ଥିଲା।

ଅଧିକ ପଢ଼ନ୍ତୁ: ହସିନାଙ୍କ ନିଜ ଲୋକେ ଚକ୍ରାନ୍ତ ରଚିଲେ: ପିଲବାଗାନ ନରସଂହାର ତଦନ୍ତରେ ସାକ୍ଷ୍ୟ ଦେଲେ

ଲରେନ୍ ପ୍ରଥମେ ୨୦୦୫ରେ ହଲିଉଡ୍ ଏଜେଣ୍ଟ ପାଟ୍ରିକ୍ ହ୍ୱାଇଟ୍ସେଲ୍ ସହିତ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ, ପୁଅ ଇଭାନ୍ ଏବଂ ଝିଅ ଏଲା ଅଛନ୍ତି। ୨୦୧୯ରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ସେହିପରି ଜେଫ୍ ବେଜୋସ୍‌ଙ୍କ ପ୍ରଥମ ବିବାହ ୧୯୯୩ ମସିହାରେ ମ୍ୟାକେଞ୍ଜି ସ୍କଟ୍‌ଙ୍କ ସହ ହୋଇଥିଲା, ଯାହା ୨୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୯ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ସେଥିପାଇଁ ବେଜୋସ୍‌ଙ୍କୁ ତାଙ୍କ ସମ୍ପତ୍ତିର ଅଧା ମ୍ୟାକେଞ୍ଜିଙ୍କୁ ଦେବାକୁ ପଡିଥିଲା। ମ୍ୟାକେଞ୍ଜି ଏବେ ବିଶ୍ୱର ସବୁଠାରୁ ଧନୀ ମହିଳାମାନଙ୍କ ମଧ୍ୟରୁ ଜଣେ। ବେଜୋସ୍ ଏବଂ ଲରେନ୍‌ଙ୍କ ସମ୍ପର୍କ ୨୦୧୮ ମସିହାରେ ଚର୍ଚ୍ଚାକୁ ଆସିଥିଲା।

୨୦୨୩ ମସିହାରେ, ବେଜୋସ୍ ଫ୍ରାନ୍ସରେ ତାଙ୍କ ସୁପର ୟାଚ୍‌ରେ ଲରେନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଦମ୍ପତି ଆମାଲ୍ଫି କୋଷ୍ଟ ଏବଂ ବେଭର୍ଲି ହିଲ୍ସରେ ଦୁଇଟି ଭବ୍ୟ ନିର୍ବନ୍ଧ ପାର୍ଟି ମଧ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା: ପ୍ରଥମ ଫେବ୍ରୁଆରିରେ, ଦ୍ୱିତୀୟ ମେ’ରେ

venice | lauren-sanchez | Jeff Bezos | amazon

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe