ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୋରରେ ରବିବାର ଏକ ବଡ଼ ଟ୍ରେନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଭୋର୍ ପ୍ରାୟ ୪ଟାରେ ଘଣ୍ଟାକୁ ୮୦ କିମି ବେଗରେ ଯାଉଥିବା କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ୧୦ ରୁ ଅଧିକ ବଗି ସହିତ ଇଞ୍ଜିନ୍ ଆଗକୁ ମାଡ଼ି ଚାଲିଥିଲା ବେଳେ ୫ ରୁ ଅଧିକ ଅବଶିଷ୍ଟ କୋଚ୍ ପଛରେ ରହି ଯାଇଥିଲା।
କପଲିଙ୍ଗ୍ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ​​ଏବଂ ହଠାତ୍ ଝଟକା ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଯାତ୍ରୀମାନେ ବିକଳରେ ଚିତ୍କାର କରିବାକୁ ଲାଗିଥିଲେ। ଦୁର୍ଘଟଣା ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ଥିଲା। ହଠାତ୍ କପଲିଙ୍ଗ୍ ଭାଙ୍ଗିଯାଇଥିଲା। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବା ଖବର ନାହିଁ। କିନ୍ତୁ ଯାତ୍ରୀମାନଙ୍କ ମଧ୍ୟରେ କ୍ରୋଧ ରହିଛି। ସେମାନେ କହିଛନ୍ତି ଯେ ଯଦି ଟ୍ରେନ୍ ଦୁର୍ଘଟଣା ଘଟିଥାନ୍ତା କ’ଣ ହୋଇଥାନ୍ତା। ଯଦି ଟ୍ରେନ୍ ଲାଇନଚ୍ୟୁତ ଅବା ଓଲଟି ପଡିଥାନ୍ତା ଏବଂ କେହି ମରିଯାଇଥାନ୍ତେ, ତେବେ କିଏ ଦାୟୀ ହୋଇଥାନ୍ତା?
କିସାନ ଏକ୍ସପ୍ରେସ (୧୩୩୦୭) ଝାଡଖଣ୍ଡର ଧାନବାଦରୁ ପଞ୍ଜାବର ଫିରୋଜପୁର ଅଭିମୁଖେ ଯାଉଥିଲା। କିନ୍ତୁ ମୋରାଦାବାଦ ଛାଡିବା ପରେ ସେହୋରା ଏବଂ ଧାମପୁର ଷ୍ଟେସନ ମଧ୍ୟରେ ଏକ ଦୁର୍ଘଟଣା ଘଟିଥିଲା। ଏସ-୩ ଏବଂ ଏସ-୪ କୋଚଗୁଡ଼ିକୁ ସଂଯୋଗ କରୁଥିବା ଟ୍ରେନର କପଲିଙ୍ଗ୍ ଚକରାମଲ ଗ୍ରାମ ନିକଟରେ ଭାଙ୍ଗିଯାଇଥିଲା ଏବଂ ଟ୍ରାକରେ ଖସି ପଡ଼ିଥିଲା।
ଯେତେବେଳେ ଯାତ୍ରୀମାନଙ୍କ ବିକଳରେ ଚିତ୍କାର ଶୁଣି ଶେଷ ବଗିରେ ବସିଥିବା ସୁରକ୍ଷାକର୍ମୀ ଦେଖିବା ପରେ ଏହି ଦୁର୍ଘଟଣା ସାମ୍ନାକୁ ଆସିଥିଲା। ଡ୍ରାଇଭର ଇଞ୍ଜିନ ଏବଂ ବଗି ସହିତ ପ୍ରାୟ ୪ କିଲୋମିଟର ଆଗକୁ ଯାଇ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ସେ ସୁରକ୍ଷାକର୍ମୀଙ୍କ ସହ କଥା ହୋଇପାରି ନ ଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀ, ଜିଆରପି, ଏସପି ପୂର୍ବ ଧରମ ସିଂ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢ଼ନ୍ତୁ: https://sambad.in/india-and-beyond/elon-musk-should-bring-sunita-back-nasa-said-when-he-will-return-6923481
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ରେ ଥିବା ଅଧିକାଂଶ ଯାତ୍ରୀ ପୁଲିସ୍ ନିଯୁକ୍ତି ପରୀକ୍ଷା ପ୍ରାର୍ଥୀ ଥିଲେ। ସେମାନଙ୍କୁ ବସ୍ ବ୍ୟବସ୍ଥା କରି ପୁଲିସ୍ ଏବଂ ରେଳ ଅଧିକାରୀମାନେ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ।
ଏହି କପଲିଙ୍ଗ୍ କିପରି ଭାଙ୍ଗିଲା ଜାଣିବା ପାଇଁ ରେଳ ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି? ଟ୍ରେନରେ ସମୁଦାୟ ୨୨ଟି କୋଚ୍ ଥିଲା। ଏଥିମଧ୍ୟରୁ ୮ଟି କୋଚ୍ ଭାଙ୍ଗିଯାଇଥିବା କପଲିଙ୍ଗ୍ ଯୋଗୁ ପଛରେ ରହିଯାଇଥିଲା। କପଲିଙ୍ଗ୍କୁ ସଂଯୋଗ କରିବା ପରେ ଟ୍ରେନ୍କୁ ଗନ୍ତବ୍ୟ ପଥରେ ପଠାଯାଇଥିଲା। ଦୁର୍ଘଟଣା ନେଇ ରେଳବାଇ ଚିନ୍ତାରେ ପଡ଼ିଛି।
Follow Us