Aditya's 'chadi-ganji gang' sarcasm: Opposition furious Photograph: (sambad.in)
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ବେଶ୍ ସରଗରମ ହେବାରେ ଲାଗିଛି। ବିରୋଧୀ ଦଳ ନେତା ଆଦିତ୍ୟ ଠାକରେ ସିଧାସଳଖ ଶାସକ ଦଳକୁ "ଚଡ଼ି-ଗଞ୍ଜି ଗ୍ୟାଙ୍ଗ୍" ବୋଲି କହି କଟାକ୍ଷ କରିଛନ୍ତି। ଆଦିତ୍ୟ ଠାକରେ ଏହି ପରିହାସ କରିବା ମାତ୍ରେ ସିନ୍ଦେ ଗୋଷ୍ଠୀରେ ବସିଥିବା ବିଧାୟକମାନେ କ୍ରୋଧିତ ହୋଇଛନ୍ତି। ଏହାକୁ ନେଇ କଡ଼ା ପ୍ରତିକ୍ରିୟା ନୀଲେଶ ରାଣେ ଦେଇଛନ୍ତି। ସେ ଆଦିତ୍ୟଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ଯଦି ତୁମର ସାହସ ଅଛି, ତେବେ ନାମ ନେଇ କୁହ! ଯଦି ତୁମେ ଭୟ କରୁଛ, ତେବେ ଏପରି ଭାଷା ବ୍ୟବହାର କର ନାହିଁ!।
ଏହି ମନ୍ତବ୍ୟରେ କ୍ରୋଧିତ ହୋଇ ନିଲେଶ ରାଣେ ନିଜ ଆସନରୁ ଉଠି ପ୍ରଶ୍ନ କରିଥିଲେ, ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ ଯେ, ଏହି ଶବ୍ଦଗୁଡ଼ିକ କାହା ପାଇଁ ଉଦ୍ଦିଷ୍ଟ ଥିଲା। ଚଡ଼ି କିଏ, ଗଞ୍ଜି କିଏ? ଯଦି ଆପଣଙ୍କର ନାମ ନେବାର ସାହସ ନାହିଁ, ତେବେ ଏପରି ଭାଷା ବ୍ୟବହାର କରନ୍ତୁ ନାହିଁ। ଆମେ ଗୋଟିଏ ଘଣ୍ଟା ଧରି ଆପଣଙ୍କ ଭାଷଣ ଶୁଣୁଛୁ। ଆମେ ଚୁପ୍ ଥିଲୁ। କିନ୍ତୁ ଏବେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏହି ଶବ୍ଦଗୁଡ଼ିକୁ ଗୃହର କାର୍ଯ୍ୟଧାରାରୁ ହଟାଯାଉ।
ଅଧିକ ପଢ଼ନ୍ତୁ: ହନି ଟ୍ରାପ୍ର ମାୟା: ୭୨ରୁ ଅଧିକ ସରକାରୀ ବାବୁ-ମନ୍ତ୍ରୀ ସାମିଲ
ରାଣେଙ୍କ ଏଭଳିପ୍ରଶ୍ନ ଗୃହରେ ନୀରବତା ସୃଷ୍ଟି କରିଥିଲା ଏବଂ ଶାସକ ଦଳ ସର୍ବସମ୍ମତ ଭାବରେ ଆଦିତ୍ୟ ଠାକରେଙ୍କ ଶବ୍ଦକୁ ବିରୋଧ କରିଥିଲା। ଶାସକ ଦଳର ଅନେକ ବିଧାୟକ ଗୃହର କାର୍ଯ୍ୟଧାରାରୁ "ଚଡ଼ି-ଗଞ୍ଜି ଗ୍ୟାଙ୍ଗ୍" ଭଳି ଅପମାନଜନକ ଶବ୍ଦଗୁଡ଼ିକୁ ହଟାଇବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିରୋଧୀ କେବଳ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି ଏବଂ ପ୍ରସଙ୍ଗଗୁଡ଼ିକରୁ ଦୂରେଇ ଯାଉଛନ୍ତି।
ସମଗ୍ର ଘଟଣା ସମୟରେ ବିଧାନସଭାର ପରିବେଶ ବେଶ୍ ସରଗରମ୍ ରହିଥିଲା। ବିରୋଧୀ ଦଳ ଶାସକ ଦଳକୁ ଆକ୍ଷେପ କରୁଥିବା ବେଳେ, ଶାସକ ଦଳର ବିଧାୟକମାନେ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ଗୃହରେ ହଟ୍ଟଗୋଳ ହେବାରୁ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଆଗାମୀ ଦିନରେ ଏହାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ଏବେ ବି କଲେଜ ପଡ଼ିଆରେ ପଡ଼ିଛି ସୌମ୍ୟାଶ୍ରୀଙ୍କ ଦେହର ଝାଳ; ଲୁହ ଝରେଇ କାନ୍ଦୁଛି ଜୀବନ ନଥିବା ସିମେଣ୍ଟ୍ ଚେୟାର୍!
aaditya-thackeray | maharastra
Follow Us