୧୫ ବର୍ଷ ପରେ ଭାରତର ଦୁଇ ଶତ୍ରୁ ଆମନା-ଜସିମ ଢାକାର ଅତିଥି ଭବନରେ

ଗୁରୁବାର ଦିନ ଢାକାର ପଦ୍ମା ଷ୍ଟେଟ୍ ଗେଷ୍ଟ ହାଉସରେ ପାକିସ୍ତାନର ବୈଦେଶିକ ସଚିବ ଆମନା ବାଲୋଚ୍ ଏବଂ ବାଂଲାଦେଶର ବୈଦେଶିକ ସଚିବ ମହମ୍ମଦ ଜସିମ୍ ଉଦ୍ଦିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି....

After 15 years, India's two enemies, Amna-Jasim, meet at Dhaka's guest house

After 15 years, India's two enemies, Amna-Jasim, meet at Dhaka's guest house Photograph: (sambad.in)

ଢାକା: ବାଂଲାଦେଶର ରାଜଧାନୀ ଢାକାର ପ୍ରସିଦ୍ଧ ପଦ୍ମା ଷ୍ଟେଟ୍ ଗେଷ୍ଟ ହାଉସରେ ଗୁରୁବାର ଏକ ବୈଠକ ହେବାକୁ ଯାଉଛି। ଯାହା ଭାରତର ବୈଦେଶିକ ନୀତି ମହଲର ଚିନ୍ତା ବଢ଼ାଇ ଦେଇଛି।  ପ୍ରାୟ ୧୫ ବର୍ଷ ପରେ, ପାକିସ୍ତାନ ଏବଂ ବାଂଲାଦେଶର ଶୀର୍ଷ କୂଟନୀତିଜ୍ଞ ଆମନା ବାଲୋଚ୍ ଏବଂ ମହମ୍ମଦ ଜସିମ୍ ଉଦ୍ଦିନ ଗୋଟିଏ ଟେବୁଲରେ ମୁହାଁମୁହିଁ ବସିବାକୁ ଯାଉଛନ୍ତି।

ଏହି ବୈଠକ ଏପରି ଏକ ସମୟରେ ହେବାକୁ ଯାଉଛି ଯେତେବେଳେ ଭାରତ-ବାଂଲାଦେଶ ସମ୍ପର୍କ ପୂର୍ବ ପରି ସୁଦୃଢ଼ ନାହିଁ। ଅନ୍ୟପକ୍ଷରେ, ବାଂଲାଦେଶରେ ପାକିସ୍ତାନର ଏହି ପ୍ରକାରର କୂଟନୈତିକ ପ୍ରବେଶକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

୧୫ ବର୍ଷ ପରେ ବୈଦେଶିକ ସ୍ତରୀୟ ଆଲୋଚନା ହେବାକୁ ଯାଉଛି। ପାକିସ୍ତାନୀ ବୈଦେଶିକ ସଚିବ ଆମନା ବାଲୋଚ୍ ବାଂଲାଦେଶ ବୈଦେଶିକ ସଚିବ ଜସିମୁଦ୍ଦିନଙ୍କ ସହ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ (ଏଫଓସି) ଅର୍ଥାତ୍ ବୈଦେଶିକ ମନ୍ତ୍ରଣାଳୟ ସ୍ତରୀୟ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ଶେଷ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ୨୦୧୦ମସିହାରେ ଅନୁଷ୍ଠିତ ହୋଇଥିଲା।

ଏହା ବ୍ୟତୀତ ସେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ ଏବଂ ମହମ୍ମଦ ୟୁନୁସ୍‌ଙ୍କୁ ମଧ୍ୟ ଭେଟିବେ। ଏହି ଗସ୍ତରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂତନ ଦିଗଦର୍ଶନ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଗସ୍ତ ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇସାକ ଦାର ମଧ୍ୟ ଢାକା ଆସିପାରନ୍ତି ବୋଲି ଆଲୋଚନା ହେଉଛି, ଯାହା ୨୦୧୨ ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବାଂଲାଦେଶ ଗସ୍ତ ହେବ।

ଏହି ବୈଠକର କାର୍ଯ୍ୟସୂଚୀ ବହୁତ ଆକର୍ଷଣୀୟ। ରିପୋର୍ଟ ଅନୁସାରେ, ଢାକା ବିଶ୍ୱବିଦ୍ୟାଳୟରେ ପାକିସ୍ତାନୀ ଛାତ୍ରଛାତ୍ରୀଙ୍କ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।  ଭିସା ନୀତି ମଧ୍ୟ କୋହଳ କରାଯାଇଛି। ପାକିସ୍ତାନ ସିଧାସଳଖ ବିମାନ ସେବା ଆରମ୍ଭ କରିବା, ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଛି। ଏହା ସ୍ପଷ୍ଟ କରୁଛି ଯେ, ଏଥର ପାକିସ୍ତାନର ଆଗ୍ରହ କେବଳ କୂଟନୈତିକ ବୈଠକ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ବାଂଲାଦେଶରେ ନିଜର ହଜିଯାଇଥିବା ଦଖଲ ଫେରି ପାଇବା ଉଦ୍ଦେଶ୍ୟରେ କରାଯାଉଛି।

୧୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଶେଖ୍ ହସିନା ସରକାରଙ୍କ ପତନ ପରେ ୨୦୨୪ ମସିହାରେ ବାଂଲାଦେଶର କ୍ଷମତା ଏକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ହାତରେ ରହିଛି। ଏହାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କ ଉପରେ ପୂର୍ବରୁ ଚୀନ୍ ପ୍ରତି ପକ୍ଷପାତିତା ଏବଂ ଭାରତକୁ ଅଣଦେଖା କରିବାର ଅଭିଯୋଗ ଆସିଛି।

ଅଧିକ ପଢ଼ନ୍ତୁ: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ: ତିଳତର୍ପଣ କଲେ ଦଳୀୟକର୍ମୀ

ଏବେ ଯେତେବେଳେ ପାକିସ୍ତାନ ମଧ୍ୟ ସେଠାରେ କୂଟନୈତିକ ସ୍ଥାନ ପାଉଛି, ଏହା ଭାରତ ପାଇଁ ଏକ କୂଟନୈତିକ ସତର୍କ ସୂଚନା ଭଳି ସାବ୍ୟସ୍ତ ହୋଇଛି। ଚୀନ୍ ପରେ ଏବେ ବାଂଲାଦେଶରେ ପାକିସ୍ତାନର ଦୃଷ୍ଟି ଆକର୍ଷଣ କରିବା ଏହାର ସଙ୍କେତ ଯେ, ଦକ୍ଷିଣ ଏସୀୟ ରାଜନୀତିରେ ସମୀକରଣ ଦ୍ରୁତ ଗତିରେ ବଦଳୁଛି।

ଅଧିକ ପଢ଼ନ୍ତୁ: କର୍କଟ ଚିକିତ୍ସାରେ ଟଙ୍କା ନ‌ଷ୍ଟ ହେବ ବୋଲି ପତ୍ନୀଙ୍କୁ ହତ୍ୟା କରି ନିଜେ ଜୀବନ ହାରିଲେ ପୀଡ଼ିତ

India | pakistan | Bangladesh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe