ୱାଶିଂଟନ: ଭେନେଜୁଏଲାରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ଗିରଫଦାରୀ ଏବଂ ସଫଳ ସାମରିକ ଅଭିଯାନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପଡ଼ୋଶୀ ଦେଶମାନଙ୍କ ବିରୋଧରେ ତାଙ୍କର ଆଭିମୁଖ୍ୟ କଠୋର କରିଛନ୍ତି। ଟ୍ରମ୍ପ୍ ମେକ୍ସିକୋ, କ୍ୟୁବା ଏବଂ କଲମ୍ବିଆକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ଦେଶଗୁଡ଼ିକ ସେମାନଙ୍କର ଆଭ୍ୟନ୍ତରୀଣ ସମସ୍ୟା ଏବଂ ନାର୍କୋ ଚାଲାଣକୁ ନିୟନ୍ତ୍ରଣ ନ କରନ୍ତି, ତେବେ ସେମାନେ ମଧ୍ୟ ଗମ୍ଭୀର ପରିଣାମର ସମ୍ମୁଖୀନ ହୋଇପାରନ୍ତି।
ଭେନେଜୁଏଲା ଘଟଣାକୁ ଏକ "ଚେତାବନୀ" ଭାବରେ ଉପସ୍ଥାପନ କରି ଟ୍ରମ୍ପ୍ ଏହି ଦେଶଗୁଡ଼ିକର ସରକାରଙ୍କୁ ଆମେରିକାର ସ୍ୱାର୍ଥ ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବୃତି ଲାଟିନ୍ ଆମେରିକାରେ ଆମେରିକାର ସାମରିକ ସମ୍ପୃକ୍ତି ଏବଂ ଭବିଷ୍ୟତ ରଣନୀତି ବୃଦ୍ଧି ନେଇ ସଙ୍କେତ ଦେଇଛି, ଯାହା ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।
କ୍ୟୁବା,'ବିଫଳ ରାଷ୍ଟ୍ର' ଏବଂ ଭବିଷ୍ୟତ ପାଇଁ ଯୋଜନା
ରାଷ୍ଟ୍ରପତି ଟ୍ରମ୍ପ୍ କ୍ୟୁବାକୁ ଏକ "ବିଫଳ ରାଷ୍ଟ୍ର" ବୋଲି ଅଭିହିତ କରି କହିଛନ୍ତି, ସେଠାକାର ବର୍ତ୍ତମାନର ବ୍ୟବସ୍ଥା ସମ୍ପର୍କରେ ଖୁବ୍ ଶୀଘ୍ର ଠୋସ୍ ନିଷ୍ପତ୍ତି ନିଆଯିବ। ସେ କ୍ୟୁବା ଲୋକଙ୍କୁ ସହାୟତା ଏବଂ ଆମେରିକାରେ ନିର୍ବାସିତ ଜୀବନଯାପନ କରୁଥିବା କ୍ୟୁବା ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ଆହ୍ୱାନ କରିଛନ୍ତି। ଟ୍ରମ୍ପ୍ସ୍ପଷ୍ଟ କରିଛନ୍ତି ଯେ ଭେନେଜୁଏଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରୁ କ୍ୟୁବା ଶିକ୍ଷା ଗ୍ରହଣ କରିବା ଉଚିତ, କାରଣ ଆମେରିକା ଆଉ ଏହି ଅଞ୍ଚଳରେ ଅସ୍ଥିରତାକୁ ସହ୍ୟ କରିବ ନାହିଁ।
କଲମ୍ବିଆର କୋକେନ୍ କାରଖାନା ନେଇ ଟ୍ରମ୍ପ୍ କ୍ରୋଧିତ
ଟ୍ରମ୍ପ ସିଧାସଳଖ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଟାର୍ଗେଟ କରି ତାଙ୍କ ଦେଶ ଆମେରିକାକୁ ବିପୁଳ ପରିମାଣରେ ନିଶା ପଠାଉଥିବା ଅଭିଯୋଗ କରିଛନ୍ତି। ଟ୍ରମ୍ପ୍ ଦାବି କରିଛନ୍ତି, କଲମ୍ବିଆରେ ବର୍ତ୍ତମାନ ତିନୋଟି ବିଶାଳ କୋକେନ୍ କାରଖାନା କାର୍ଯ୍ୟ କରୁଛି, କିନ୍ତୁ ପେଟ୍ରୋ ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସେ ଚେତାବନୀ ଦେଇଛନ୍ତି, ଯଦି କଲମ୍ବିଆ ଡ୍ରଗ୍ସ ଚାଲାଣ ବନ୍ଦ ନ କରେ, ତେବେ ଆମେରିକା ସେଠାରେ ହସ୍ତକ୍ଷେପ କରିବାକୁ ପଛାଇବ ନାହିଁ।
ମେକ୍ସିକୋର କାର୍ଟେଲ ନିୟମ ଏବଂ ଟ୍ରମ୍ପ୍ଙ୍କ ପ୍ରସ୍ତାବ
ମେକ୍ସିକୋ ସମ୍ପର୍କରେ, ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ସେ ଡ୍ରଗ୍ସ କାର୍ଟେଲଗୁଡ଼ିକୁ ଭୟ କରୁଛନ୍ତି ଏବଂ ଦେଶ ଉପରେ ତାଙ୍କର ନିୟନ୍ତ୍ରଣର ଅଭାବ ରହିଛି। ଟ୍ରମ୍ପ୍ ଦାବି କରିଛନ୍ତି, ସେ କାର୍ଟେଲଗୁଡ଼ିକୁ ଦୂର କରିବା ପାଇଁ ମେକ୍ସିକୋକୁ ବାରମ୍ବାର ସାମରିକ ସହାୟତା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ସେନବାଉମ ଏନେଇ ମନା କରିଦେଇଥିଲେ। ଟ୍ରମ୍ପ୍ କଠୋର ଭାବରେ କହିଛନ୍ତି, ଆମକୁ ଏବେ ମେକ୍ସିକୋ ବିଷୟରେ କିଛି କରିବାକୁ ପଡିବ, ଯାହା ଭବିଷ୍ୟତରେ ଏକ ବଡ଼ ଅପରେସନର ସୂଚନା ହୋଇପାରେ।
ନାର୍କୋ-ଆତଙ୍କବାଦ ଏବଂ ଆଞ୍ଚଳିକ ସୁରକ୍ଷା
ଟ୍ରମ୍ପ୍ ଏହି ବିପଦ ପଛରେ ନାର୍କୋ-ଆତଙ୍କବାଦ ଏବଂ ବେଆଇନ ପ୍ରବାସୀଙ୍କୁ ମୁଖ୍ୟ କାରଣ ଭାବରେ ଉଲ୍ଲେଖ କରିଛନ୍ତି, ଯାହା ସିଧାସଳଖ ଆମେରିକାର ଜାତୀୟ ସୁରକ୍ଷାକୁ ପ୍ରଭାବିତ କରୁଛି । ଭେନେଜୁଏଲାରେ ମାଦୁରୋଙ୍କ ଗିରଫଦାରୀ ପରେ, ଟ୍ରମ୍ପ୍ ମନରୋ ସିଦ୍ଧାନ୍ତ(Monroe Doctrine)କୁ ନୂଆ ରୂପରେ ଲାଗୁ କରୁଥିବା ପରି ମନେ ହେଉଛି। ଏହା ପଶ୍ଚିମ ଗୋଲାର୍ଦ୍ଧରେ ଆମେରିକାର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ।
ଆହୁରି ପଢ଼ନ୍ତୁ: 2 Thieves Arrested ୪ ଚୋରି ମାମଲାର ଖୁଲାସା: ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ, ଦୁଇ ଗିରଫ
ଯଦି ଏପରି ହେବ ତେବେ ଭବିଷ୍ୟତରେ, ଏହି ଦେଶଗୁଡ଼ିକ ସହିତ ଆମେରିକାର ସମ୍ପର୍କ ଆହୁରି ତିକ୍ତ ହୋଇପାରେ ବୋଲି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2026/01/04/after-venezuela-now-its-mexico-cuba-and-colombias-turn-trump-threatens-2026-01-04-14-25-06.jpg)