ନୂଆଦିଲ୍ଲୀ: ରାଜସ୍ଥାନ-ଆନ୍ଧ୍ରପ୍ରଦେଶ ପରେ ଏବେ ଦିଲ୍ଲୀରେ ଜଳିଲା ବସ୍। ଦିଲ୍ଲୀ ବିମାନବନ୍ଦରରେ ଏକ ବସ୍ ଜଳିଯାଇଥିବା ଜଣାପଡ଼ିଛି। ବିମାନବନ୍ଦରର ଟର୍ମିନାଲ ୩ରେ ଏକ ଏୟାର ଇଣ୍ଡିଆ ବସ୍‌ରେ ନିଆଁ ଲାଗିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ, ଘଟଣା‌ ଘଟିବା ବେଳେ କେହି ବସ୍‌ରେ ନଥିଲେ। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଘଟଣାସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବସ୍‌ଟି ହୁତୁ ହୁତୁ ହୋଇ ଜଳିଯାଉଥିବା ଦେଖାଯାଇଛି। 

Advertisment

ପ୍ର‌ାଥମିକ ସୂଚନାରୁ ଜଣାପଡ଼ିଛି ଯେ, ବସ୍‌ଟି ଏୟାର ଇଣ୍ଡିଆ STS ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା। ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଯୋଧପୁରରେ ଜଳିଥିଲା ବସ୍

ଅକ୍ଟୋବର ୧୪ରେ ରାଜସ୍ଥାନର ଯୋଧପୁର ରାଜପଥରେ ଭୟାନକ ବସ୍‌ ଦୁର୍ଘଟଣା ଘଟିଥିଲା। ଏଥିରେ ୨୬ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଥିଲେ। ଜୈସଲମେର୍‌ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍‌ ମ୍ୟୁଜିୟମ୍‌ ନିକଟରେ ଏକ ଘରୋଇ ବସ୍‌ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଥିଲା। ବସ୍‌ରେ ୫୭ ଜଣ ଯାତ୍ରୀ ଥିବା ବେଳେ ୨୬ଜଣଙ୍କ ମୃତ୍ୟୁ ହୋଇଥିଲା। 

ଆନ୍ଧ୍ରପ୍ରଦେଶରେ ବସ୍ ଜଳିବା ଘଟଣା

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନାଟେକୁର ନିକଟରେ ଗତ ଶୁକ୍ରବାର ଭୋର ସମୟରେ ଏକ ଘରୋଇ ଟ୍ରାଭେଲ୍ ବସ୍ ଏକ ଦୁଇଚକିଆ ଯାନ ସହ ଧକ୍କା ହେବାରୁ ଗାଡ଼ିର ତେଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ଟି ଧୁଧୁ ହୋଇ ଜଳିବା ସହ ସେଥିରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।  ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲା।

୪୦ ନିୟୁତ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ସକ୍ଷମ ଟର୍ମିନାଲ-୩

ଦିଲ୍ଲୀ ବିମାନବନ୍ଦରରେ ଏବେ ତିନୋଟି ଟର୍ମିନାଲ ଏବଂ ଚାରୋଟି ରନୱେ ଅଛି, ଯାହା ବାର୍ଷିକ ୧୦ କୋଟିରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରଖେ। ୨୦୧୦ ମସିହାରେ ଉଦଘାଟନ ହୋଇଥିବା ଟର୍ମିନାଲ ୩, ବିଶ୍ୱର ସବୁଠାରୁ ବଡ଼ ଟର୍ମିନାଲ ମଧ୍ୟରୁ ଗୋଟିଏ ଏବଂ ବାର୍ଷିକ ୪୦ ନିୟୁତ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ସକ୍ଷମ। ଏହି ଟର୍ମିନାଲରେ ଅନ୍ତର୍ଜାତୀୟ ଏବଂ ଘରୋଇ ବିମାନ ଉଭୟ ଚଳାଚଳ କରେ।

ଆହୁରି ପଢ଼ନ୍ତୁ: Hurricane Melissa: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟାର ରୂପ ନେଲା 'ମେଲିସା', ଜମାଇକାରେ ରଚିବ ତାଣ୍ଡବ

ଆହୁରି ପଢ଼ନ୍ତୁ: delhi upsc candidate murder case: ରାମକେଶ ମୀନାଙ୍କ ହତ୍ୟା ମାମଲା: ପୁଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ,ଉଠାଇବ ଅନେକ ରହସ୍ୟ ଉପରୁ ପର୍ଦ୍ଦା