Babri Masjid Photograph: (sambad.in)
କୋଲକାତା: ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସ୍ଜିଦ୍। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କଲେ ତୃଣମୂଳ କଂଗ୍ରେସର ବିଧାୟକ ହୁମାୟୁନ୍ କବୀର। ତାଙ୍କର ଏହି ଘୋଷଣା ସହିତ ପଶ୍ଚିମବଙ୍ଗ ରାଜନୀତି ଏକ ସାମ୍ପ୍ରଦାୟିକ ମୋଡ଼ ନେଇଛି। ସେ ଘୋଷଣା କରିଛନ୍ତି ଯେ, ଡିସେମ୍ବର ୬ ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ନିର୍ମାଣ କଲେ ଭାଙ୍ଗିଦେବୁ: ଉମା ଭାରତୀ
୩୩ ବର୍ଷ ପୂର୍ବେ ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦ ଭଙ୍ଗା ଯାଇଥିଲା। ଏବେ ସେହି ତାରିଖରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ସେ ଘୋଷଣା କରିଛନ୍ତି। ହୁମାୟୁନ୍ଙ୍କ ଏହି ଘୋଷଣା ପରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବିଜେପି ନେତ୍ରୀ ଉମା ଭାରତୀ ଟିଏମସି ବିଧାୟକଙ୍କ ଏହି ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ପୂଜା ନାମରେ ନିର୍ମିତ ମସଜିଦକୁ ସମ୍ମାନ କରିବୁ, କିନ୍ତୁ ବାବରଙ୍କ ନାମରେ ନିର୍ମିତ ମସଜିଦ ଭାଙ୍ଗିଦିଆଯିବ। ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦର ଅବସ୍ଥା ଯାହା ହୋଇଥିଲା ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ହେଲେ ତା’ର ଅବସ୍ଥା ମଧ୍ୟ ସେଭଳି ହେବ।"
କ’ଣ କହିଥିଲେ ହୁମାୟୁନ୍?
ହୁମାୟୁନ୍ କବୀର କହିଥିଲେ ଯେ, "ଡିସେମ୍ବର ୬ତାରିଖରେ ବେଲଡାଙ୍ଗାରେ ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁସଲିମ୍ ସମ୍ପ୍ରଦାୟର ଅନେକ ନେତା ଅଂଶଗ୍ରହଣ କରିବେ। ଏହି ନିର୍ମାଣ କାର୍ଯ୍ୟ ତିନି ବର୍ଷ ମଧ୍ୟରେ ସମାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଅନେକ ମୁସଲିମ୍ ମୌଲବୀଙ୍କୁ ନିମନ୍ତ୍ରଣ କରାଯିବ।"
ଆହୁରି ପଢ଼ନ୍ତୁ: Dharmendra's Net Worth: ଧର୍ମେନ୍ଦ୍ର ବହୁ ହିଟ୍ ଫିଲ୍ମରେ କାମ କରିଥିଲେ: ପ୍ରଥମ ଫିଲ୍ମ ପାଇଁ ପାରିଶ୍ରମିକ ମିଳିଥିଲା ୫୧ ଟଙ୍କା
ହୁମାୟୁନ୍ଙ୍କ ରାଜନୈତିକ ଯାତ୍ରା
ହୁମାୟୁନ୍ କବୀର ୨୦୨୧ ମସିହାରେ ଭରତପୁର ବିଧାନସଭା ଆସନରୁ ଜିତିଥିଲେ। ଏବେ ବିଧାନସଭା ନିର୍ବାଚନ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୧ ମସିହାରେ ହୁମାୟୁନ୍ କବୀର ୯୬ ହଜାର ୨୨୬ ଭୋଟ ପାଇଥିଲେ। ସେ ବିଜେପିର ଇମାନ କଲ୍ୟାଣ ମୁଖାର୍ଜୀଙ୍କୁ ୪୩ ହଜାର ୮୩ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୬ ମସିହାରେ ହୁମାୟୁନ୍ କବୀର ସମାଜବାଦୀ ପାର୍ଟି ଟିକେଟରେ ଭରତପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୪୯୭ ଭୋଟ ପାଇଥିଲେ। କିନ୍ତୁ ଯେତେବେଳେ ସେ ଟିଏମସିରେ ଯୋଗଦେଲେ, ତାଙ୍କ ଭାଗ୍ୟ ବଦଳିଗଲା।
ଆହୁରି ପଢ଼ନ୍ତୁ: Chief Minister condolences: ଧର୍ମେନ୍ଦ୍ରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Follow Us