ମୁମ୍ବାଇ: ମହାରାଷ୍ଟ୍ରର ନୂତନ ମହାୟୁତି ସରକାରରେ ଅନ୍ତର୍ଭୁକ୍ତ ନ ହେବା ନେଇ  ଅସନ୍ତୁଷ୍ଟ ଥିବା ବରିଷ୍ଠ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଛଗନ ଭୁଜବଳ ସୋମବାର  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଭୁଜବଳ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ରାଜନୈତିକ ତଥା ସାମାଜିକ ପରିବେଶ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

Advertisment

ମୁମ୍ବାଇର ସାଗର ବଙ୍ଗଳାଠାରେ ପ୍ରାୟ ଅଧ ଘଣ୍ଟା ଧରି ତାଙ୍କ ସହ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୟରେ ପୂର୍ବତନ ମନ୍ତ୍ରୀ ଭୁଜବଳ ତାଙ୍କ ପୁତୁରା ସମୀର ଭୁଜବଳଙ୍କ ସହ ଥିଲେ। ତେବେ ଫଡନାଭିସ୍‌ଙ୍କୁ ଭେଟିବା ପରେ ଛଗନ ଭୁଜବଳ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସହ ତାଙ୍କର ବୈଠକ ନେଇ ପ୍ରଶ୍ନର ଉତ୍ତରରେ ବରିଷ୍ଠ ଏନସିପି ନେତା ଭୁଜବଳ କହିଛନ୍ତି, ଫଡନାଭିସ୍ ମୋତେ କହିଥିଲେ ଯେ, ବିଧାନସଭା ନିର୍ବାଚନରେ ​​ମହାୟୁତିର  ବିଜୟରେ ଅନ୍ୟ ପଛୁଆ ବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେ ଓବିସି ସମ୍ପ୍ରଦାୟର ସ୍ୱାର୍ଥ ପ୍ରତି ଧ୍ୟାନ ଦେବେ। ଓବିସି ସମ୍ପ୍ରଦାୟର ସ୍ବାର୍ଥ ଯେପରି ପ୍ରଭାବିତ ହେବ ନାହିଁ  ସେଥିପ୍ରତି  ଦୃଷ୍ଟି ଦେବାକୁ  ମୁଖ୍ୟମନ୍ତ୍ରୀ କହିଛନ୍ତି। ଓବିସିଙ୍କ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କିଛି ସମୟ ମାଗିଛନ୍ତି ବୋଲି ଭୁଜବଳ କହିଛନ୍ତି।

ଫଡନାଭିସ୍‌ କହିଛନ୍ତି ଯେ, ସେ ୧୦-୧୨ ଦିନ ମଧ୍ୟରେ ନିଷ୍ପତ୍ତି ନେବେ। ଓବିସି ନେତାମାନେ ଅନ୍ୟ ପଛୁଆ ବର୍ଗ ଶ୍ରେଣୀରେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ କାର୍ଯ୍ୟକର୍ତ୍ତା ମନୋଜ ଜାରେଞ୍ଜଙ୍କ ଦାବି ବିରୁଦ୍ଧରେ ଅଛନ୍ତି। ଭୁଜବଳ ମଧ୍ୟ ଏହି  ଦାବିକୁ ବିରୋଧ କରୁଛନ୍ତି। ଯେତେବେଳେ ଭୁଜବଳଙ୍କୁ ପଚରାଯାଇଥିଲା ଯେ, ସେ ବିଜେପିରେ ଯୋଗଦେବାକୁ ଯୋଜନା କରୁଛନ୍ତି କି, ସେ କିଛି ବିସ୍ତୃତ ଭାବରେ କହି  ନ ଥିଲେ। କିନ୍ତୁ କ୍ୟାବିନେଟ ବିସ୍ତାରରେ ତାଙ୍କୁ ଅଣଦେଖା କରାଯିବା ନେଇ ସେ ନିଜର ମତ ପ୍ରକାଶ କରିସାରିଛନ୍ତି।

ଅଧିକ ପଢ଼ନ୍ତୁ:  ପୂର୍ବୋଦୟ ମିସନ ଓ ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ ପାରାଦୀପ: ଧର୍ମେନ୍ଦ୍ର

ମହାରାଷ୍ଟ୍ରର ଅନେକ ପ୍ରାନ୍ତରୁ ଓବିସି ସଂଗଠନର କିଛି ପ୍ରତିନିଧୀ ରବିବାର ଦିନ ଭୁଜବଳଙ୍କୁ ଭେଟିଥିଲେ। ନାସିକ୍ ଜିଲ୍ଲାର ୟୱଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଏନସିପି ନେତା ଶନିବାର ନାଗପୁରରେ ଅନୁଷ୍ଠିତ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେଇ ନ ଥିଲେ। ସେ ଅଧିବେଶନର ପ୍ରଥମ ଦିନ ନାସିକ୍ ଯାଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ, ମହୁୟୁତିର ୩୯ ଜଣ ବିଧାୟକ ନୂତନ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

ଅଧିକ ପଢ଼ନ୍ତୁ: ସହଜରେ ଅପରାଧ କରିବାରେ ୟୁପି ଏକ ନମ୍ବର: ଡକାୟତି ନେଇ ଅଖିଳେଶଙ୍କ କଟାକ୍ଷ