ସିଓଲ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତିଠାରୁ ଦେଶକୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ହୋଇଛି।
ଉତ୍ତର କୋରିଆର ସୈନ୍ୟବାହିନୀଙ୍କୁ ହଟାଇବା ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଶପଥ ନେଇ ୟୋନ୍ ଏକ ଟେଲିଭିଜନ ଭାଷଣରେ ଏହି ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପଗୁଡିକ ଦେଶର ଶାସନ ଏବଂ ଗଣତନ୍ତ୍ର ଉପରେ କି ପ୍ରଭାବ ପକାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆସନ୍ତା ବର୍ଷର ବଜେଟ୍ ବିଲ୍ ଉପରେ ଉଦାରବାଦୀ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନଙ୍କ କଞ୍ଜରେବେଟିଭ୍ ପିପୁଲ୍ସ ପାୱାର ପାର୍ଟି ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତାଙ୍କ ପତ୍ନୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ହୋଇଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତର ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁଥିପାଇଁ ସେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ରାଜନୈତିକ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।
ରାଷ୍ଟ୍ରପତିଙ୍କ ଦ୍ୱାରା ସାମରିକ ଆଇନ ଘୋଷଣା ହେବାର ଠିକ୍ ପରେ ଦେଶର ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଏହାର ସାଂସଦମାନଙ୍କର ଏକ ଜରୁରୀ ବୈଠକ ଡାକିଛି। ଏହି ବୈଠକରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ ଆଲୋଚନା ହେବ ବୋଲି କୁହାଯାଉଛି।
ୟୋନହାପ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ନେତା ଲି ଜେ-ମାୟଙ୍ଗ କହିଛନ୍ତି, ସାମରିକ ଆଇନ ଘୋଷଣା ଅଣସାମ୍ବିଧାନିକ। ଅନ୍ୟପକ୍ଷରେ ଶାସକ ପିପୁଲ୍ସ ପାୱାର ପାର୍ଟିର ମୁଖ୍ୟ ହାନ ଡୋଙ୍ଗ-ହୁନ୍ ମଧ୍ୟ ସାମରିକ ଆଇନକୁ ଭୁଲ୍ ବୋଲି ଘୋଷଣା କରିଛନ୍ତି ଏବଂ ଏହାକୁ ବନ୍ଦ କରିବାକୁ ଶପଥ ନେଇଛନ୍ତି।
ଅଧିକ ପଢ଼ନ୍ତୁ: ହିନ୍ଦୁଙ୍କ ନରସଂହାର ୟୁନୁସଙ୍କ ନିର୍ଦ୍ଦେଶରେ ହେଉଛି: ହସିନାଙ୍କ ଦାବି
ୟୁନ୍ କହିଛନ୍ତି ଯେ ତାଙ୍କ ପାଖରେ ସାମରିକ ଆଇନ ପ୍ରୟୋଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରାଯିବ ସେ ତାଙ୍କ ଭାଷଣରେ ଉଲ୍ଲେଖ କରି ନାହାନ୍ତି। ସେ କହିଛନ୍ତି, ଉତ୍ତର କୋରିଆ ସମର୍ଥକ ସୈନ୍ୟମାନଙ୍କୁ ଦେଶରୁ ହଟାଇବା ଏବଂ ଉଦାରବାଦୀ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ: ଭାରତ-ଚୀନ୍ ସାଧାରଣ ସମ୍ପର୍କ ପାଇଁ ସୀମାରେ ଶାନ୍ତି- ସ୍ଥିରତା ପ୍ରଥମ ସର୍ତ୍ତ
Follow Us