ନୂଆଦିଲ୍ଲୀ: ଦିଲ୍ଲୀ କାର ବୋମା ବିସ୍ଫୋରଣର ଲିଙ୍କ୍ ଏବେ ପାକିସ୍ତାନ ସହିତ ଜଡିତ ହୋଇଛି। ଘଟଣା ପରଠାରୁ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥା ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି, ଡାକ୍ତର ମୁଜାମ୍ମିଲ ଏବଂ ଅନ୍ୟମାନଙ୍କ ପଚରାଉଚରା ପରେ ପାକିସ୍ତାନ ସହିତ ଲିଙ୍କ୍ ପ୍ରକାଶ ପାଇଛି। ଏହି ବିସ୍ଫୋରଣ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍ ସହିତ ଜଡିତ ଥିବା ପ୍ରମାଣ ମିଳିଛି। ଏଜେନ୍ସିଗୁଡ଼ିକ ଅନୁସାରେ ଡାକ୍ତର ମୁଜାମ୍ମିଲ ପାକିସ୍ତାନର ମୌଦୁଦ୍ଦିନ ଔରଙ୍ଗଜେବ ଆଲମ ଓରଫ ଅମ୍ମାର ଆଲଭି ସହିତ ଜଡିତ ହୋଇପାରନ୍ତି।
ଜୈସ୍ ଲିଙ୍କ୍
ସୂତ୍ର ଅନୁସାରେ ମୌଦ୍ଦିନ ଔରଙ୍ଗଜେବ ଆଲମ, ଯାହାକୁ ଅମ୍ମାର ଆଲଭି ମଧ୍ୟ କୁହାଯାଇଥଏ, ସେ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ। ସମ୍ପ୍ରତି ଭାରତର ଅନେକ ପ୍ରମୁଖ ସହରକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ପୁରୁଣା ଯାନବାହାନ ବ୍ୟବହାର କରାଯାଉଛି। ଅମ୍ମାର ଆଲଭି ଜୈସ୍ ସଂଗଠନର ଜଣେ ବରିଷ୍ଠ କମାଣ୍ଡର।
ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଚଳନ୍ତା କାରରେ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ଏହାକୁ ଏକ ଛୋଟ ବିସ୍ଫୋରଣ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ, ବିସ୍ଫୋରଣରେ ୩୦ ରୁ ଅଧିକ ଗାଡ଼ି ନଷ୍ଟ ହୋଇଯାଇଥିଲା। ଏହାର ପ୍ରଭାବରେ ବହୁ ଦୂରରେ ଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। ସନ୍ଦେହ କରାଯାଉଛି କାରଟିରେ IED କିମ୍ବା ବିସ୍ଫୋରକ ସାମଗ୍ରୀ ଥାଇପାରେ। ଆତଙ୍କବାଦୀ ଘଟଣା ସନ୍ଦେହ କରି ଗୃହ ମନ୍ତ୍ରଣାଳୟ ତଦନ୍ତ ଦାୟିତ୍ୱ NIAକୁ ହସ୍ତାନ୍ତର କରିଛି।
ବହୁ ସନ୍ଦିଗ୍ଧଙ୍କୁ ଅଟକ
ଏନଆଇଏ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛନ୍ତି ଏବଂ ସେମାନଙ୍କୁ କଡ଼ା ପଚରାଉଚରା କରାଯାଉଛି। ସନ୍ଦିଗ୍ଧଙ୍କ ମଧ୍ୟରେ ଫରିଦାବାଦର କିଛି ଡାକ୍ତର ଅଛନ୍ତି। କାର ଚଳାଉଥିବା ଉମର ମଧ୍ୟ ଜଣେ ଡାକ୍ତର ଥିଲେ।
ଦିଲ୍ଲୀ କାର ବୋମା ବିସ୍ଫୋରଣ ସମ୍ପର୍କରେ କଂଗ୍ରେସ ନେତା ରସିଦ ଆଲଭି କହିଛନ୍ତି, ଲାଲକିଲ୍ଲା ନିକଟରେ ଘଟିଥିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏଥିପାଇଁ କିଏ ଦାୟୀ? ପହଲଗାମ ଆକ୍ରମଣ କଶ୍ମୀରରେ ଘଟିଥିଲା, ଏବଂ ଦୋଷୀମାନେ କେଉଁଠାକୁ ପଳାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ କେବଳ ବୈଠକ କରୁଛନ୍ତି।
ଭାରତ ସରକାର କହୁଛନ୍ତି ଯେ, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଛନ୍ତି, ଯଦି ପାକିସ୍ତାନ ଦାୟୀ, ତେବେ ବିଳମ୍ବ କାହିଁକି? ଆଗକୁ ବଢ଼ନ୍ତୁ, ସମଗ୍ର ଦେଶ ଭାରତ ସରକାରଙ୍କ ସହିତ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/12/delhi-blasts-have-roots-in-pakistan-suspect-questioned-for-links-to-jaish-terror-group-2025-11-12-15-20-00.jpg)