Delhi Red Fort Blast: ଟାର୍ଗେଟରେ ଥିଲା ଦିଲ୍ଲୀ ! ଦେଶର ରାଜଧାନୀକୁ ଦୋହଲାଇ ଦେବାକୁ ହୋଇଥିଲା ଷଡ଼ଯନ୍ତ୍ର ? ଚମକାଇ ଦେଲା ଡାକ୍ତରଙ୍କ ଆତଙ୍କୀ ରୂପ…

ସକାଳେ ହରିୟାଣାରେ ବିସ୍ଫୋରକ ଜବତ, ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ଜବତ ସ୍ଥଳରୁ ବିସ୍ଫୋରଣ ସ୍ଥଳ ମାତ୍ର ୨୫ କିଲୋମିଟର। ୟାରି ଭିତରେ ଘଟିଗଲା ଏତେବଡ଼ କାଣ୍ଡ

Delhi Red Fort Blast

Delhi Red Fort Blast Photograph: (sambad.in)

ନୂଆଦିଲ୍ଲୀ: ସକାଳେ ହରିୟାଣାରେ ବିସ୍ଫୋରକ ଜବତ, ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ଜବତ ସ୍ଥଳରୁ ବିସ୍ଫୋରଣ ସ୍ଥଳ ମାତ୍ର ୨୫ କିଲୋମିଟର। ୟାରି ଭିତରେ ଘଟିଗଲା ଏତେବଡ଼ କାଣ୍ଡ ।

ଦିଲ୍ଲୀକୁ ଦୋହଲାଇ ଦେବାକୁ ଷଡ୍‌ଯନ୍ତ୍ର

ଦିଲ୍ଲୀ ବିସ୍ଫୋରଣ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଘଟିଛି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ, ହରିୟାଣାର ଫରିଦାବାଦରେ ପୋଲିସ ମୁଜାମ୍ମିଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ୍‌ ଜବତ କରିଥିଲା ଏବଂ ଏହାକୁ ନେଇ ସମସ୍ତ ସୁରକ୍ଷା ଏଜେନ୍ସି ତତ୍ପର ହୋଇ ଉଠିଥିଲେ। ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଦିଲ୍ଲୀକୁ ଟାର୍ଗେଟ ପାଇଁ ଏକ ବଡ଼ ଷଡ୍‌ଯନ୍ତ୍ରର ଅଂଶ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗିରଫ ଆତଙ୍କବାଦୀ ଓ ସେମାନଙ୍କଠାରୁ ମିଳିଥିବା ପ୍ରଚୁର ବିସ୍ଫୋରକ ସହ ଏହି ଘଟଣାର ସିଧାସଳଖ ସଂପର୍କ ଅଛି କି ନାହିଁ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। 

ପେଶା ଡାକ୍ତରୀ ନିଶା ଆତଙ୍କୀ

ଦିଲ୍ଲୀର ସବୁଠୁ ସୁରକ୍ଷିତ ଅଞ୍ଚଳ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି । ବିସ୍ଫୋରଣ ପଛର ସତ ଓ ଦୋଷୀଙ୍କୁ ଧରିବାକୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ପ୍ରାରମ୍ଭିକ ଦଫାରେ କୁହାଯାଉଛି କି ଆତ୍ମଘାତୀ ବିସ୍ଫୋରଣର ଆତଙ୍କୀ ମାଷ୍ଟର ମାଇଣ୍ଡ ଜଣେ ଡାକ୍ତର । ଖାଲି ସେତିକି ନୁହେଁ ଏହି ଷଡ଼ଯନ୍ତ୍ରରେ ସାମିଲ ୫ ଜଣ ଡାକ୍ତର ଗିରଫ ହେବା ସାରା ଦେଶକୁ ଚମକାଇ ଦେଇଛି । 

ଆତ୍ମଘାତୀ କାର ବିସ୍ଫୋରଣ ଘଟଣାସ୍ଥଳରେ ତଦନ୍ତ ଏନଆଇଏ ଆରମ୍ଭ କରିଛି । ଏନଆଇଏ ତଦନ୍ତରୁ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ବିସ୍ଫୋରଣ ପଛରେ ଉଚ୍ଚଶିକ୍ଷିତ ଡାକ୍ତରଙ୍କ ଆତଙ୍କୀ ମୋଡ୍ୟୁଲର ସଂପୃକ୍ତି ସାରା ଦେଶକୁ ଚମକାଇ ଦେଇଛି। ବିସ୍ଫୋରଣ ଏହି ଲିଙ୍କ୍‌ ଦିଲ୍ଲୀ- ଫରିଦାବାଦ ଓ କାଶ୍ମୀର ଯାଏଁ ଲମ୍ୱିଥିବା ସ୍ପଷ୍ଟ ହୋଇଛି । ଫରିଦାବାଦର ମେଡିକାଲ କଲେଜରୁ କାଶ୍ମୀରର ମୌଲବୀ ଯାଏ ଆତଙ୍କବାଦର ବିଷ ବୁଣିଥିବା ଜଣାପଡିଛି । ଏହାରି ଭିତରେ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବା ଆତଙ୍କୀ ଡାକ୍ତର ଉମର ମହମ୍ମଦର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । 

ଆହୁରି ପଢନ୍ତୁ- Terror Attack In India: ଦେଶର ବଡ଼ ବଡ଼ ଆକ୍ରମଣ ଓ ବିସ୍ଫୋରଣର କଳା ଚିଠା: ଦେଶବାସୀ ହୋଇଛନ୍ତି ଲହୁଲୁହାଣ… ଜାଣନ୍ତୁ କେବେ ହୋଇଛି କଣ ?

ଲାଲ୍ଲକିଲ୍ଲା ବିସ୍ଫୋରଣରେ ୫ଜଣ ଡାକ୍ତରଙ୍କ ସମ୍ପୃକ୍ତି ଥିବା ସାମନାକୁ ଆସିଛି। ପୂର୍ବରୁ ଫରିଦାବାଦର ଡାକ୍ତର ଆଦିଲ ଅହମ୍ମଦ, ହାଇଦ୍ରାବାଦ ଡାକ୍ତର ଅହମ୍ମଦ ମୋହିଉଦ୍ଦିନ, କାଶ୍ମୀରର ଡାକ୍ତର ମୁଝମିଲ ଶକିଲ ଓ ଲକ୍ଷ୍ନୌର ମହିଳା ଡାକ୍ତର ଶାହିନ ଶାହିଦ ଗିରଫ ହୋଇଥିଲେ। ସେମାନଙ୍କ ପାଖରୁ ବିସ୍ଫୋରକ, ମାରଣାସ୍ତ୍ର ଓ ଉତ୍କଟ ବିଷ ଜବତ ହୋଇଥିଲା। ସବୁ ସାଥୀ ଧରାପଡ଼ିବାରୁ ଉମର ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବା ଅନୁମାନ କରାଯାଉଛି । ଫରିଦାବାଦର ଅଲ-ଫଲାହ ୟୁନିର୍ଭସିଟି ଆତଙ୍କୀ ମୋଡ୍ୟୁଲଙ୍କ ଆଡ୍ଡା ଥିବାରୁ ୟୁନିର୍ଭସିଟିର ଆହୁରି ୫୨ ଜଣଙ୍କୁ ପଚରାଉଚରା କରୁଛି ଏନଆଇଏ । ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବିସ୍ଫୋରଣରେ ସମ୍ପୃକ୍ତ ଥିବା ଆତଙ୍କୀଙ୍କୁ ଖୋଜି ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଭୁଟାନରୁ ଶତ୍ରୁଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିବା ସହ ଦୋଷୀଙ୍କୁ କଡ଼ା ଶାସ୍ତି ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ଆହୁରି ପଢନ୍ତୁ- Delhi Red Fort Blast, Why November: କେବେ ଆତଙ୍କୀ ଆକ୍ରମଣ ତ କେବେ ବଡ଼ ବିସ୍ଫୋରଣ, ଦେଶ ପାଇଁ ଅଶୁଭ ‘ନଭେମ୍ବର’… ଜାଣନ୍ତୁ କେବେ ହୋଇଛି କଣ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe