ନୂଆଦିଲ୍ଲୀ: ପୁରୁଣା ପେନ୍ସନ ସ୍କିମ୍ (ଓପିଏସ୍) ଲାଗୁ କରିବା ଦାବି ନେଇ ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ସରକାରୀ କର୍ମଚାରୀମାନେ ଏହି ସମାବେଶରେ ସାମିଲ ହୋଇଥିବା ବେଳେ ଏହି ଆନ୍ଦୋଳନର ନେତା ବିଜୟ କୁମାର ବନ୍ଧୁ କହିଛନ୍ତି, ଯଦି କେନ୍ଦ୍ର ସରକାର ଓପିଏସ୍ ବ୍ୟବସ୍ଥାକୁ ଅନୁମୋଦନ କରିବେ ତେବେ ରାଜ୍ୟମାନଙ୍କରେ ଏହା ଲାଗୁ ହେବାନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଆଗାମୀ ଦିନରେ ଓପିଏସ୍ ଲାଗୁ ଦାବିରେ ‘ଭୋଟ୍ ଫର ଓପିଏସ୍’ ଅଭିଯାନ ଆରମ୍ଭ ହେବ ଏବଂ ଏହାକୁ ଯେଉଁ ଦଳ ଲାଗୁ କରିବ ସେହି ଦଳ ଦେଶରେ କ୍ଷମତାକୁ ଆସିବ ବୋଲି ସେ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆମେ ଓପିଏସ୍ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛୁ ଏବଂ ଓପିଏସ୍ ବ୍ୟବସ୍ଥାକୁ ଦୃଢ଼ ସମର୍ଥନ କରୁଛୁ। କଂଗ୍ରେସ ଦଳ ମଧ୍ୟ ପୁରୁଣା ପେନ୍ସନ ସ୍କିମ୍ ଲାଗୁ କରିବାକୁ ପୂର୍ଣ୍ଣ ସମର୍ଥନ କରିଛି ଏବଂ କଂଗ୍ରେସ ଶାସିତ ରାଜ୍ୟ ସରକାରମାନେ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।