Donald Trump Photograph: (sambad.in)
ୱାସିଂଟନ: ବିଶ୍ବ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ପ୍ରତିଦିନ ଟ୍ରମ୍ପ କିଛି ନୂଆ କରୁଛନ୍ତି। କେବେ ଶୁଳ୍କ ବୋମା ତ କେବେ କାହା ଉପରେ ଆକ୍ରମଣ ଏଭଳି କାର୍ଯ୍ୟ ଏବେ ସାଧାରଣ ଘଟଣା ପାଲଟିଲାଣି। ଟ୍ରମ୍ପ ଆଉ ଶୁଳ୍କ ସତେ ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ସେ ଚାହିଁଲେ ଆଣ୍ଟାର୍କଟିକାର ପେଙ୍ଗୁଇନ୍ ଉପରେ ବି ଶୁଳ୍କ ଲଗାଦେବେ। ହୁଏତ ଆଗାମୀ ଦିନରେ ତାଙ୍କ ବଦଳରେ ସୂର୍ଯ୍ୟ ଚାରିପାଖରେ ଘୂରୁଥିବାରୁ ସେ ପୃଥିବୀ ଉପରେ ମଧ୍ୟ ଶୁଳ୍କ ଲଗାଇବାକୁ ଘୋଷଣା କରିପାରନ୍ତି।
ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରିଛନ୍ତି
ନିଜର ଗୋଟିଏ ବର୍ଷର ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ବହୁ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଆମେରିକାର ଅନ୍ୟ ସମସ୍ତ ରାଷ୍ଟ୍ରପତିଙ୍କଠାରୁ ଭିନ୍ନ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ନେତା ଭାବେ ସେ ନିଜକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ପ୍ରଚାର କରିଛନ୍ତି।। ଶାନ୍ତି ପୁରସ୍କାର ପାଇବାକୁ ଭିକ ମାଗିଛନ୍ତି। ଶାନ୍ତି ପୁରସ୍କାର ପାଇଥିବା ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କରୋନା ମାଚାଡୋଙ୍କଠାରେ ସେକେଣ୍ଡ ଭାବେ ଏହାକୁ ଗ୍ରହଣ କରି ବେଶ୍ ଉତଫୁଲ୍ଲିତ ହେବାରେ ମଧ୍ୟ ପ୍ରଥମ । ଖୁସିରେ ମାରିଆଙ୍କ ସହିତ ପୋଜ୍ ଦେଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ନିଜକୁ ଜଣେ ଶାନ୍ତି ପ୍ରତିଷ୍ଠାକାରୀ ବୋଲି ଦାବି କରନ୍ତି ଆଉ ଆଠଟି ଯୁଦ୍ଧ ବନ୍ଦ କରିଥିବା ଦାବି କରୁଛନ୍ତି। ଭେନେଜୁଏଲାର ଉପରେ ଏୟାର ଷ୍ଟ୍ରାଇକ୍ କରି ରାଷ୍ଟ୍ରପତି ନିକୋଲୋସ ମାଦୁରୋଙ୍କୁ ଧରି ନିଜକୁ ସେଠାକାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସତେ ଯେପରି ସବୁକିଛି ତାଙ୍କ ପାଇଁ ସମ୍ଭବ।
ଟ୍ରମ୍ପ ଓଭାଲ ଅଫିସରେ ପ୍ରବେଶ କରିବା ସହିତ ସୌଜନ୍ୟ ଓ କୂଟନୀତି ଶେଷ ହୋଇଥିଲା। ଆରମ୍ଭ ହୋଇଥିଲା ସ୍ୱେଚ୍ଛାଚାରିତା। ସେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କୁ ବର୍ତ୍ତମାନର ସୋସିଆଲ ମିଡିଆ ଏକ୍ସ ସେତେବେଳେର ଟ୍ୱିଟରରେ ନିଷିଦ୍ଧ କରାଯାଇଥିଲା। ଏହାପରେ, ସେ ନିଜର ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଏହାକୁ ଟ୍ରୁଥ୍ ସୋସିଆଲ ନାମ ଦେଇଥିଲେ। ସେ ସେଠାରେ ଯାହା ସେୟାର କରନ୍ତି ତାହା ତାଙ୍କର ସତ୍ୟ। ଏଥିରେ ବିଶ୍ୱ ଅସହମତ ହେଲେ ବି ତାଙ୍କ ରକିଛି ଯାଏ ଆସେ ନାହିଁ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ତାଙ୍କର ଦାବି ପରି ସେ କେବଳ କହି ଚାଲିଥିବେ ସମସ୍ତେ ଶୁଣି ଚାଲିଥିବେ। ଟ୍ରମ୍ପଙ୍କ ସତ୍ୟ ହିଁ କେବଳ ସତ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଥିବା ଜଣେ ବ୍ୟକ୍ତିଙ୍କୁ ନୀରବ କରିବା ଅସମ୍ଭବ। ସେ ଯେକୌଣସି କୋଣରୁ, ଯେକୌଣସି ପ୍ଲାଟଫର୍ମରୁ କହିପାରିବେ। ତାଙ୍କର କଥା ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରୁ ସେ ଏହା ଚହାନ୍ତି।
ଆହୁରି ପଢନ୍ତୁ- Iran's strong response: ଚାବାହାର ବନ୍ଦର ନେଇ ଆମେରିକାକୁ ଇରାନର କଡ଼ା ଜବାବ: ଭାରତ ସହିତ ସମ୍ପର୍କ ଅତୁଟ, କେହି କ୍ଷତି କରିପାରିବେ ନାହିଁ
ପିଲାଳିଆମି ଯାଇନି
ଟ୍ରମ୍ପ ଅନ୍ୟ ବିଶ୍ୱ ନେତାମାନଙ୍କ ପରି ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ। ଶୁଭେଚ୍ଛା ଜଣାଇବା, କୂଟନୈତିକ ମୁହୂର୍ତ୍ତଗୁଡ଼ିକୁ ସେୟାର କରିବା କିମ୍ବା ଦାୟିତ୍ୱର ସହ ନୀତି ଘୋଷଣା କରିବା ସେ କରି ନଥାନ୍ତି। ତାଙ୍କର ପୋଷ୍ଟଗୁଡ଼ିକ ପ୍ରାୟ ସର୍ବଦା ଆଶ୍ଚର୍ଯ୍ୟଜନକ ହୋଇଥାଏ। ଗ୍ରିନ୍ଲାଣ୍ଡ ସମ୍ବନ୍ଧୀୟ ଘୋଷଣା ସମେତ ଅନେକ ଶୁଳ୍କ ଘୋଷଣା ପ୍ରଥମେ ସୋସିଆଲ ମିଡିଆରେ ଦେଖାଯାଇଥାଏ। ସରକାରୀ ବିଜ୍ଞପ୍ତି ବହୁତ ପରେ ଆସିଥାଏ। ଟ୍ରମ୍ପ୍ ଘୋଷଣା କରନ୍ତି ନାହିଁ, ସେ ଧମକ ଦିଅନ୍ତି ଓ ନିଜକୁ ଅବିରାମ ଭାବରେ ଦୋହରାଇଥାନ୍ତି। ସେ ବିଶ୍ୱ ନେତାମାନଙ୍କ ସହିତ ବ୍ୟକ୍ତିଗତ ଚାଟର ସ୍କ୍ରିନସଟ୍ ମଧ୍ୟ ସେୟାର କରନ୍ତି। ଏଥିରୁ ତାଙ୍କର ପିଲାଳିଆମି ଜଣପଡ଼ିଥାଏ। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ୱାରା ପଠାଯାଇଥିବା ଏକ ବ୍ୟକ୍ତିଗତ ବାର୍ତ୍ତାର ସ୍କ୍ରିନସଟ୍ ସେୟାର କରିଛନ୍ତି। ଟ୍ରମ୍ପ ସାରା ବିଶ୍ୱକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି। ଆଗକୁ ସେମାନଙ୍କର କ’ଣ ପଡ଼ିବ ତାହା କେହି ଜାଣନ୍ତି ନାହିଁ। ବିଶ୍ବ ନେତା ତାଙ୍କର କାର୍ଯ୍ୟ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି।ନୂଆଦିଲ୍ଲୀରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି ଟ୍ରମ୍ପଙ୍କର ବିଶ୍ୱ ଓ ତାଙ୍କ ନିଜ ଦେଶ ସହିତ ବ୍ୟବହାର କରିବାର ଶୈଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଟ୍ରମ୍ପ ବିଶ୍ୱରେ ଏକ ବିରାଟ ଅନିଶ୍ଚିତତା ସୃଷ୍ଟି କରିଛନ୍ତି। ସେ ପରବର୍ତ୍ତୀ ସମୟରେ କ''''ଣ କରିବେ ତାହା ସଭିଙ୍କୁ ଅଜଣା। ଯେତେବେଳେ ସମସ୍ତେ ଇରାନ କିମ୍ବା ଗ୍ରିନ୍ଲାଣ୍ଡରେ କିଛି କାର୍ଯ୍ୟାନୁଷ୍ଠାନ ଆଶା କରୁଥିଲେ, ସେତେବେଳେ ଭେନେଜୁଏଲା ଏୟାର ଷ୍ଟ୍ରାଇକ୍ ହୋଇଥିଲା।
ଆହୁରି ପଢନ୍ତୁ- BMC Mayor: କାହାର ହେବ ବିଏମସି ମେୟର ଆସନ ? ଏକନାଥ ସିନ୍ଦେ ନା ବିଜେପି ? ଅଳ୍ପ ଆସନ, ଦାବି ପ୍ରବଳ...
ପ୍ରବାସୀଙ୍କୁ ଗାଈଗୋରୁ ପରି ଶିକୁଳିରେ ବାନ୍ଧି ଦେଶାନ୍ତର
ଟ୍ରମ୍ପ ଆମେରିକାକୁ ବେଆଇନ ପ୍ରବାସୀଙ୍କଠାରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କୁ ଗାଈଗୋରୁ ପରି ଶିକୁଳିରେ ବାନ୍ଧି ଦେଶାନ୍ତର କରିଥିଲେ। ଯଦି କୌଣସି ଦେଶ ନିଜର ନିର୍ବାସିତମାନଙ୍କୁ ଗ୍ରହଣ କରିବାକୁ ମନା କରିବାର ସାହସ କରିବ, ତେବେ ତାକୁ ଶୁଳ୍କ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କୁହାଯାଇଥିଲା। ପ୍ରତି ମତଭେଦରେ ଦଣ୍ଡ, ସାର୍ବଜନୀନ ଅପମାନର ଆଶଙ୍କା ରହିଛି। ବେଆଇନ ଭାରତୀୟ ପ୍ରବାସୀଙ୍କୁ ତିନୋଟି ବିମାନରେ ପଞ୍ଜାବରେ ଅବତରଣ କରାଯାଇଥିଲା। ଏଥିରେ ଭାରତ ସହଯୋଗ କରିଥିଲା। କିନ୍ତୁ ଅନେକ ଦେଶ ନିର୍ବାସିତ ପ୍ରବାସୀମାନଙ୍କୁ ଫେରାଇ ନେବାକୁ ମନା କରିଦେଇଥିଲେ। ତେଣୁ, ଟ୍ରମ୍ପ ଭାରତ ଓ ପାକିସ୍ତାନ ଉପରେ ଅସ୍ତ୍ରବିରତି ପାଇଁ ବ୍ୟବହାର କରିଥିବା ସମାନ ବ୍ରହ୍ମାସ୍ତ୍ର ବ୍ୟବହାର କରିଥିଲେ। ସେସବୁ ଦେଶଙ୍କ ସହିତ ବ୍ୟବସାୟ କରିବାକୁ ମନା କରିଥିଲେ।
ଜଣେ ବ୍ୟବସାୟୀ ରାଷ୍ଟ୍ରପତି
ଟ୍ରମ୍ପ ଜଣେ ବ୍ୟବସାୟୀ ରାଷ୍ଟ୍ରପତି। ସେ କେବଳ ବ୍ୟବସାୟ ଚିନ୍ତା କରନ୍ତି। ବ୍ୟବସାୟ କଥା କୁହନ୍ତି ଓ ବ୍ୟବସାୟ କରନ୍ତି। କୌଣସି ବନ୍ଧୁତା ନାହିଁ, କେବଳ କାରବାର। ସେ ଗୋଟିଏ ପଟେ ଭାରତକୁ ଭଲ ବନ୍ଧୁ ବୋଲି କହି ଅନ୍ୟପଟେ ରୁଷୀୟ ତେଲ କିଣୁଥିବାରୁ ନିନ୍ଦା କରିଛନ୍ତି। ଯୁବ ବ୍ୟବସାୟର ମହାରଥୀ ଟ୍ରମ୍ପ ଜଣେ ମହିଳା ପ୍ରେମୀ ଭାବରେ କୁଖ୍ୟାତ ଥିଲେ। ସେ ତାଙ୍କ ସମ୍ପର୍କକୁ ପ୍ରଦର୍ଶନ କରୁଥିଲେ। ସେ ଜଣେ ବିବାହିତ ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିବା ବିଷୟରେ ଗର୍ବର ସହିତ କହୁଥିବା ଶୁଣାଯାଇଥିଲା। ବୟସ ପରିପକ୍ୱତା ଆଣିବା କଥା, କିନ୍ତୁ ଟ୍ରମ୍ପଙ୍କ କ୍ଷେତ୍ରରେ, ତାଙ୍କର ଖରାପ ଗୁଣଗୁଡ଼ିକ କେବଳ ବହୁଗୁଣିତ ହୋଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ସର୍ବଦା ବ୍ୟସ୍ତ ବୋଲି ଲୋକେ ଅନୁମାନ କରିଥାନ୍ତି। କିନ୍ତୁ ଟ୍ରମ୍ପଙ୍କ କ୍ଷେତ୍ରରେ ତାହା ନୁହେଁ। ସେ ସର୍ବଦା ବୟସ୍କ ତାରକାମାନଙ୍କ ଉପରେ ମଧ୍ୟ ମନ୍ତବ୍ୟ ଦେବା ପାଇଁ ସମୟ ପାଇବା ସହିତ ପପ୍-ସଂସ୍କୃତି ବିତର୍କକୁ ସରଗରମ କରିଥାନ୍ତି। ସିଡନୀ ସ୍ୱିନିଙ୍କ ବିବାଦୀୟ ଡେନିମ୍ ବିଜ୍ଞାପନକୁ ସେ ସର୍ବାଧିକ ଉତ୍ତେଜିତ କହି ପ୍ରଶଂସା କରିଛନ୍ତି। ସେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଚୁପ୍ କରାଇବା ପାଇଁ ଟଙ୍କା ଦେବା ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ୟୁରୋପ ସହ ମୁହାଁମୁହିଁ
ଏବେ ଗ୍ରିନ୍ଲାଣ୍ଡକୁ ନିଜ ଦଖଲକୁ ନେବା ପାଇଁ ସେ ୟୁରୋପ ସହିତ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପଙ୍କ ପାଇଁ ଗ୍ରିନ୍ଲଶଣ୍ଡ ହେଉଛି ନଷ୍ଟ ହେଉଥିବା ଏକ ଭୂସମ୍ପତ୍ତିର ଖଣ୍ଡ। ତେଣୁ ଲଗଜରୀ ରିସର୍ଟ, ଟ୍ରମ୍ପ ଟାୱାର ଓ ହିମବାହ ମଧ୍ୟରେ ଅବସ୍ଥିତ ପ୍ରିମିୟମ୍ ଗଲ୍ଫ କୋର୍ସର କଳ୍ପନା କରୁଛନ୍ତି।
କ୍ୟାମେରାକୁ ନିଜ ଉପରେ କେନ୍ଦ୍ରିତ କରିବା ଇଛା
ଜଣେ ରିୟଲିଟି ଶୋ ପ୍ରତିଯୋଗୀଙ୍କ ପରି ଶାସନ କରନ୍ତି ଯିଏ ସୌଭାଗ୍ୟବଶତଃ ରାଷ୍ଟ୍ରପତି ପଦ ଜିତିଥିଲେ। ବର୍ତ୍ତମାନ କ୍ୟାମେରାଗୁଡ଼ିକୁ ତାଙ୍କ ଉପରେ କେନ୍ଦ୍ରିତ ରଖିବାକୁ ସେ ପ୍ରତିଶ୍ରୁତିବଦ୍ଧ। ବିଶ୍ୱ ଏପରି ଜଣେ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବାକୁ ବାଧ୍ୟ ହେଉଛି ଯିଏ ବିଶ୍ୱାସ କରନ୍ତି, ଶୁଳ୍କ ହେଉଛି କୂଟନୀତି।
ସାମ୍, ଦାମ୍, ଦାଣ୍ଡ, ଭେଦ୍ ବ୍ୟବହାର
ଟ୍ରମ୍ପ୍ ସାମ୍, ଦାମ୍, ଦାଣ୍ଡ, ଭେଦ୍ ବ୍ୟବହାର କରିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ମହତ୍ୱାକାଂକ୍ଷା ପାଇଁ କେତେ ଦୂର ଯାଇ ପାରିବେ ତାହାର ଉଦାହରଣ ହେଉଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଶେଷ ସୁଦ୍ଧା ବିଶ୍ୱ ମାନଚିତ୍ର କିପରି ଦେଖାଯିବ ସେ ନେଇ ସଭିଏଁ ଚିନ୍ତିତ। ଟ୍ରମ୍ପଙ୍କ ବେପରୁଆ ମନୋଭାବରେ ହତାଶ ହୋଇ ବିଶ୍ୱର ନେତାମାନେ ତାଙ୍କ ବିରୋଧରେ ଛିଡ଼ା ହେବାରେ ଲାଗିଛନ୍ତି। ଏକବର୍ଷର କାର୍ଯ୍ୟକାଳ ଳମଧ୍ୟରେ ଟ୍ରମ୍ପ ପ୍ରତି ୯୦ ଦିନରେ ଗୋଟିଏ ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ୧୨ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜର କାର୍ଯ୍ୟ ମାଧ୍ୟମରେ ବିଶ୍ବକୁ ଥରହର କରିବାକୁ ସେ ଭଲ ପାଇଥାନ୍ତି।
Follow Us