ଭିଲୱାଡ଼ା: ରାଜସ୍ଥାନର ଭିଲୱାଡ଼ାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇ ଚାଲିଛି। ଏକ ପେଟ୍ରୋଲ ପମ୍ପରେ ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଜଣେ କର୍ମଚାରୀଙ୍କୁ ଚାପୁଡ଼ା ମାରିବା ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ଗଣ୍ଡଗୋଳ ଧୀରେ ଧୀରେ ଉଗ୍ର ରୂପ ନେଇଥିଲା ଓ ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀମାନେ ବି ଆସି ପ୍ରଶାସନିକ ଅଧିକାରୀଙ୍କ ଉପରକୁ ହାତ ଉଠାଇଥିଲେ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ହସ୍ତକ୍ଷେପ କରି ତିନି ଜଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗିରଫ କରିଛି।
କାହିଁକି ଉପୁଜିଲା ବିବାଦ
ଗିରଫ ହୋଇଥିବା ତିନି ଜଣ ପେଟ୍ରୋଲ ପମ୍ପ କର୍ମଚାରୀ ହେଲେ ଦୀପକ ମାଲି, ପ୍ରଭୁ ଲାଲ କୁମାୱତ ଏବଂ ରାଜା ଶର୍ମା । ରିପୋର୍ଟ ଅନୁସାରେ, ବର୍ତ୍ତମାନ ପ୍ରତାପଗଡ଼ରେ ନିଯୁକ୍ତ ହୋଇଥିବା ଏସଡିଏମ୍ ଛୋଟୁ ଲାଲ ଶର୍ମା ତାଙ୍କ ପତ୍ନୀ ଦୀପିକା ବ୍ୟାସଙ୍କ ସହ ପେଟ୍ରୋଲ ପମ୍ପକୁ ତାଙ୍କ ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରେ ତେଲ ପକାଉଥିବା କର୍ମଚାରୀ ଜଣକ ଦୀପିକାଙ୍କୁ ଆଖି ମାରି ଅଶାଳୀନ ଇଙ୍ଗିତ କରିଥିଲେ। ଯାହାଫଳରେ ଛୋଟୁ ଲାଲ ଶର୍ମା ରାଗିଯିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆମକୁ ଗାଳିଗୁଲଜ କଲେ ବୋଲି ଦୀପିକା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ:ପୁରୁଣା କଳିକୁ କେନ୍ଦ୍ର କରି ବାଳକଙ୍କ ଛାତିରେ ଫୁଟାଇ ଦେଲେ ୪ଟି ଗୁଳି
କ’ଣ କହୁଛି ପୁଲିସ୍
ପୁଲିସର ସୂଚନା ଅନୁଯାୟୀ, ଝଗଡ଼ା ପରେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ପ୍ରଶାସନିକ ଅଧିକାରୀଙ୍କ ଉପରେ ରାଗି ଅନ୍ୟ ଏକ ଗାଡ଼ିରେ ତେଲ ଭର୍ତ୍ତି କରିବାକୁ ଆରମ୍ଭ କରିବା ସମୟରେ ଶର୍ମା ଏହାକୁ ବିରୋଧ କରିଥିଲେ। ତାଙ୍କ ଗାଡ଼ି ପ୍ରଥମେ ଆସିଥିବାରୁ ତାଙ୍କୁ ଆଗ ତେଲ ଦିଆଯିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଯେତେବେଳେ ଅନ୍ୟ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ଶର୍ମା ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ କର୍ମଚାରୀ ତାଙ୍କୁ ପାଲଟା ଚାପୁଡ଼ା ମାରିଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ। ଘଟଣା ପରେ ପୁଲିସ ତିନି ଜଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ପ୍ରମାଣ ସଂଗ୍ରହ କରୁଛି। କାରଣ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି।
ଆହୁରି ପଢ଼ନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ଗଞ୍ଜାମଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ପୁଲିସ୍
Petrol Pump | social media | socialmedia | Police