ବେଙ୍ଗାଲୁରୁ: ମାଟିରେ ପଡିଛି ମାଳ ମାଳ ଜୋତା... କେଉଁଠି ଚପଲ ସବୁ ଓଲଟି ପଡିଛି ତ କାହାର ଗୋଟେ ସ୍ଲିପର ଅନ୍ୟ ଏକ ପଟ ଠାରୁ ସମ୍ପର୍କ ତୁଟେଇ ଜୋତାର ଜଙ୍ଗଲ ଭିତରେ ନିଖୋଜ ହୋଇଛି... ପୁଣି କେଉଁଠି ଓଲଟି ପଡିଥିବା ଲୁହାର ବ୍ୟାରିକେଡ ଭିତରେ ଫସି ଯାଇଛି କେଉଁ କ୍ରୀଡା ପ୍ରେମୀ ପ୍ରଶଂସକର ସ୍ପୋର୍ଟ୍ସ ସୋ... ହାଏ ତା ବାପା ବହୁ କଷ୍ଟରେ ତା ପାଇଁ ମୂଲ ଲାଗି କିଣି ଦେଇଥିଲା ପିଲାଟା ଖେଳକୁ ଭଲପାଏ ତେଣୁ ସେହି ଜୋତା ପିନ୍ଧି ଖେଳିବ ବୋଲି... ଆଉ ବାଳୁଙ୍ଗାଟା ସେହି ଜୋତା ପିନ୍ଧି ତା ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ବେଙ୍ଗାଲୁରୁ ଆସିଥିଲା... କିନ୍ତୁ ଦେଖନ୍ତୁ ବାପାର ଝାଳବୁହା ଧନରେ କିଣା ହୋଇଥିବା ସେହି ଦାମୀ ଜୋତାଟା କେମିତି ସେହି ଲୁହାବାଡାରେ ଝୁଲୁଛି... 

Advertisment
tuiuo
Photograph: (Sambad.in)

 

ଚିନ୍ନାସ୍ବାମୀ ଷ୍ଟାଡିୟମର ଚାରିପାଖରେ ଖାଲି ଜୋତା ଆଉ ଜୋତା.. ଲେଡିଜ୍- ଜେଣ୍ଟସ୍ ଛୁଆ... ବିଭିନ୍ନ ପ୍ରକାରର ଜୋତାର ଭିଡ଼ । ସତେକି କେଉଁ ଫେରିବାଲା ଏଠି କେବଳ ଜୋତା ହିଁ ବିକିବାକୁ ଆସିଥିଲେ ଆଉ ସେମାନେ ସେସବୁକୁ ଫିଙ୍ଗି ଦେଇ ପଳେଇଛନ୍ତି... ସହର ଛାତିରେ ବିଛେଇ ହୋଇପଡିଥିବା ଗୋଟି ଗୋଟି ଜୋତା ଦଳାଚକଟାର ସାକ୍ଷୀ, ଏ ଜୋତାମାନେ ହିଁ ଜାଣିଛନ୍ତି କେମିତି ଜୀବନ ନେବାକୁ ତାଣ୍ଡବ ରଚୁଥିଲା ମୃତ୍ୟୁ... ମାଳମାଳ ଜୋତାର ଛବି ଆପଣ ଦେଖିଲେ କେବଳ ଜୋତାକୁ ଦେଖିବେନି ବରଂ ଏ ଫଟୋ ଦେଖି ଆପଣ ଟିକେ ଅଟକିଯିବେ ଆଉ ଭାବିବାକୁ ବାଧ୍ୟ ହେବେ- କେତେ ଭୟଙ୍କର ଥିବ ସେତେବେଳର ସେ ସମୟ...

ଅଧିକ ପଢନ୍ତୁ-

ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ ମୁହଁ ଖୋଲିଲେ କୋହଲି: କହିଲେ- ମୁଁ ଶବ୍ଦହୀନ, ମୁଁ ମର୍ମାହତ...

gfb

ଚିନ୍ନାସ୍ବାମୀ ଷ୍ଟାଡିୟମର ଚାରିପାଖରେ ଖାଲି ଜୋତା ପଡିନଥିଲା ବରଂ ପଡିଥିଲା ପୁଳାପୁଳା ଘଣ୍ଟା । କାହା ହାତରୁ ଛିଡି ପଡିଥିବା ଘଣ୍ଟା ବି ସେଠି ଟିକଟିକ୍ ଶବ୍ଦ କରି ତା ଆୟୁଷ ସରିବାକୁ ଅପେକ୍ଷା କରିଥିଲା । କାହା କାନରୁ ଖସି ପଡିଥିଲା ଇୟରପଡ୍ସ., ସେଲ୍ଫି ନେଲା ବେଳେ ହାତରୁ ଖସିପଡୁଥିବା ଗୋଟେ ପରେ ଗୋଟେ ମୋବାଇଲ କାହା ଗୋଡ ତଳେ ଚୁନା ହେଇଯାଉଥିଲା... ପିଚୁ ରାସ୍ତାର ଛାତିରେ କେବଳ ଜୋତା ଜୁଆର ଦେଖିବାକୁ ମିଳିନଥିଲା ବରଂ ମାଳମାଳ ମୋବାଇଲ ଫୋନ, ଭ୍ୟାନିଟି, ପର୍ସ ବି ପଡିଥିଲା ... ଯାହା ସବୁ ଦଳାଚକଟାର ନିର୍ଜୀବ ସାକ୍ଷୀ ସାଜିଥିଲେ ।

ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଖେଳାଳିଙ୍କ ଟିକେ ଝଲକ ପାଇଁ ଏତେ ଭିଡ ଜମିଥିଲା ଯେ ଲୋକେ ଷ୍ଟାଡିୟମ ବାହାରେ ଥିବା ବଡ ବଡ ଗଛ ଉପରେ ଚଢିଯାଇଥିଲେ । କିଏ ଲୁହା ଖୁଣ୍ଟକୁ ଚଢିଥିଲା ତ କିଏ ପାଚେରୀ ଉପରେ ଚଢିଥିଲା । ଷ୍ଟାଡିୟମ ଏବଂ ଷ୍ଟାଡିୟମ ବାହାରେ କ୍ଷମତାଠାରୁ ଅଧିକ ଲୋକେ ଜମା ହୋଇଥିଲେ । କୁହାଯାଉଛି ୨ରୁ ୩ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଯାହା ନିୟନ୍ତ୍ରଣ ବାହାରେ ଥିବାରୁ ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି କଲା । 

ଅଧିକ ପଢନ୍ତୁ-

ବେଙ୍ଗାଲୁରୁ ଦଳାଚକଟା ଘଟଣାର ସତ: ବିରାଟଙ୍କୁ ଦେଖିବାକୁ ମାଳମାଳ ଯୁବତୀ ମାଡ଼ିଯିବାରୁ ଉପୁଜିଲା ଭୟଙ୍କର ସ୍ଥିତି, କହିଲେ ପ୍ରତ୍ୟେକ୍ଷଦର୍ଶୀ...