ଗୁଆହାଟୀ: ଆସାମ କଂଗ୍ରେସ ପୂର୍ବତନ ମୁଖ୍ୟ ଭୁପେନ୍ ବୋରାଙ୍କ ଇସ୍ତଫାକୁ ନେଇ ସସ୍ପେନ୍ସ ଜାରି ରହିଛି। ଆଗକୁ ଆସାମରେ ବିଧାନସଭା ନିର୍ବାଚନ ଥିବାବେଳେ ବୋରା ସୋମବାର ଦଳରୁ ଇସ୍ତଫା ଦେବା ପରେ ଦଳର ଚିନ୍ତା ବଢ଼ିଯାଇଥିଲା। ବୋରା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ତାଙ୍କୁ ଦଳରେ ଅବହେଳା କରାଯାଉଥିବା ଏବଂ ରାଜ୍ୟରେ ଦଳ ପକ୍ଷରୁ ତାଙ୍କୁ ଯେତିକି ଗୁରୁତ୍ବ ମିଳିବା କଥା ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ।
ବର୍ତ୍ତମାନ ରାଜ୍ୟ କଂଗ୍ରେସ ମୁଖ୍ୟ ଥିବା ଗୌରବ ଗୋଗୋଇ ବୋରାଙ୍କ ଗୁଆହାଟୀ ବାସଭବନରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ବୋରା ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେଇଥିବା ଆସାମ କଂଗ୍ରେସ ପକ୍ଷରୁ କୁହାଯାଇଛି। ରାହୁଲ ଗାନ୍ଧୀଙ୍କ ସହିତ ଫୋନ ମାଧ୍ୟମରେ ଆଲୋଚନା ପରେ ସେ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି ବୋଲି କୁହାଯାଇଛି। ଆସାମ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଭୁପେନ୍ଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନଥିଲା ବୋଲି କହିଥିଲେ।
ଅଧିକପଢ଼ନ୍ତୁ:ଗଛକୁ ପିଟିଲା ବାଇକ୍, ଜଣେ ମୃତ, ୨ ମହିଳା ଗୁରୁତର
ଅନ୍ୟପକ୍ଷରେ ଗୋଗୋଇ କହିଛନ୍ତି, ବୋରା ରାହୁଲ ଗାନ୍ଧୀଙ୍କ ସହିତ ୧୫ ମିନିଟ ଧରି କଥା ହୋଇଥିଲେ। ଆମେ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଛୁ। ବୋରା ଏହା ଉପରେ ଚିନ୍ତା କରିବାକୁ ସମୟ ନେଇଛନ୍ତି।
ବିଜେପିର ଦ୍ବାର ଭୁପେନ୍ ବୋରାଙ୍କ ପାଇଁ ସର୍ବଦା ଖୋଲା ରହିଛି
ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ବିଜେପିର ଦ୍ବାର ଭୁପେନ୍ ବୋରାଙ୍କ ପାଇଁ ସର୍ବଦା ଖୋଲା ରହିଛି। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ସେ ତାଙ୍କୁ ଏକ ସୁରକ୍ଷିତ ଆସନରୁ ନିର୍ବାଚିତ କରିବାକୁ ଚେଷ୍ଟା କରିବେ। ବୋରା କୌଣସି ରାଜନୈତିକ ପୃଷ୍ଠଭୂମି ବିନା କଂଗ୍ରେସରେ ଆଗକୁ ଆସିଥିବା ଶେଷ ହିନ୍ଦୁ ନେତା ବୋଲି ବିଶ୍ବଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଦୁଇ ଥରର ବିଧାୟକ ବୋରା ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଆସାମ କଂଗ୍ରେସ ସଭାପତି ଥିଲେ। ଗତବର୍ଷଠାରୁ ଗୋଗୋଇ ଏହି ପଦବୀରେ ଅଛନ୍ତି।
ଅଧିକପଢ଼ନ୍ତୁ:ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
Follow Us