Ramadan in Gaza Photograph: (sambad.in)
ଗାଜା: ପବିତ୍ର ରମ୍ଜାନ୍ ମାସ ଗାଜାବାସୀଙ୍କ ପାଇଁ ଏକ ନୂତନ ଆଶାର କିରଣ ଆଣିଛି। ଆଶା ପରିସ୍ଥିତି ପରିବର୍ତ୍ତନ ହେବ। ପରମେଶ୍ୱର ଦୟା କରିବେ । ଗାଜା କେବଳ ବିନାଶର ପ୍ରତୀକ ହୋଇ ରହିବ ନାହିଁ। ପବିତ୍ର ମାସ ଆରମ୍ଭ ହେବା ସହିତ ଗାଜା ସହରର ଭୁଶୁଡ଼ି ପଡ଼ିଥିବା କୋଠା ଓ ଧ୍ୱଂସାବଶେଷରେ ପୂର୍ଣ୍ଣ ରାସ୍ତାରେ ଛୋଟ ଲଣ୍ଠନ ଓ ରଙ୍ଗୀନ ଆଲୋକ ଦୃଶ୍ୟମାନ ହେଉଛି।
ଯୁଦ୍ଧର ତାଣ୍ଡବରେ ଶୈଶବ ହରାଇଥିବା ପିଲାମାନଙ୍କ ମୁହଁରେ ହସ ଓ ଟିକିଏ ଆଶ୍ୱସ୍ତି ଦେଖିବାକୁ ମିଳୁଛି। ଗତ ବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି ପରେ ଏହା ପ୍ରଥମ ରମ୍ଜାନ୍। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରମଜାନର ପ୍ରଥମ ସକାଳେ ଓମାରି ମସଜିଦରେ ଫଜର୍ ନମାଜ୍ ପାଇଁ ଲୋକେ ଏକାଠି ହୋଇଥିଲେ । ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ଜ୍ୟାକେଟ୍ ପିନ୍ଧିଥିଲେ। ମସଜିଦରେ ପଡ଼ିଥିବା କାର୍ପେଟ ଉପରେ ଥିଲା ଫୁଙ୍ଗୁଳା ପାଦ।
ଆନନ୍ଦ ମିଶ୍ରିତ ଯନ୍ତ୍ରଣା
ଅକ୍ଟୋବର ୨୦୨୫ ରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ପରେ ମଧ୍ୟ, ଗାଜାର ଦକ୍ଷିଣ ଅଞ୍ଚଳର ହଜାର ହଜାର ଲୋକ ଏବେ ବି ତମ୍ବୁ ଓ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଛନ୍ତି। ସେମାନେ ଘର ପୁନଃନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି। ଅଲ-ମାୱାସି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ମିଶ୍ରିତ ଯନ୍ତ୍ରଣା ଦେଖିବାକୁ ମିଳିଛି। ପ୍ରିୟଜନଙ୍କ ସ୍ମୃତି ସେମାନେ ଧ୍ବଂସସ୍ତୁପରେ ବସି ମନେ ପକାଇଛନ୍ତି। ଆଖିରେ ଭରି ରହିଛି ଳୁହ। ମନରେ ଅସରନ୍ତି କୋହ। ଅନେକଙ୍କର ପ୍ରିୟ ପରିଜନ ନିଖୋଜ ଅଛନ୍ତି। କେତେକଙ୍କର ପରିବାର ସଦସ୍ୟ ଅଟକ ଅଛନ୍ତି।
ଅସ୍ତ୍ରବିରତି ସତ୍ତ୍ୱେ, ଗାଜାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଜାରି ରହିଛି। ଦୁର୍ବଳ ଅର୍ଥନୀତି ଓ ବ୍ୟାପକ ଧ୍ୱଂସ ଅଧିକାଂଶ ଲୋକଙ୍କୁ ମାନବୀୟ ସହାୟତା ଉପରେ ନିର୍ଭରଶୀଳ କରିଦେଇଛି। ଜାତିସଂଘ ତଥା ରିଲିଫ୍ ସଂଗଠନଗୁଡ଼ିକ କହିଛନ୍ତି ଯେ, ପ୍ରବେଶ ସ୍ଥାନଗୁଡ଼ିକରେ କଡ଼ା ନିୟନ୍ତ୍ରଣ ଯୋଗୁ ଗାଜାରେ ପର୍ଯ୍ୟାପ୍ତ ସାମଗ୍ରୀ ପହଞ୍ଚିବା ନେଇ ବାଧା ସୃଷ୍ଟି ହେଉଛି। ଫଳରେ ଦରଦାମ୍ କମି ପାରୁ ନାହିଁ।
ଧ୍ୱଂସ ଓ ଦୁଃଖ ସତ୍ତ୍ୱେ, ରମ୍ଜାନ୍ର ମହତ୍ତ୍ୱ କମିନି
ଧ୍ୱଂସ ଓ ଦୁଃଖ ସତ୍ତ୍ୱେ, ରମ୍ଜାନ୍ର ମହତ୍ତ୍ୱ କମିନି। ଲୋକେ ପୁଣି ଜୀବନ ଜୀଇଁବାର ନୂଆ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ରାତ୍ରିର ଶେଷ ପ୍ରହରରେ ବଞ୍ଚିଥିବା ପରିବାର ସଦସ୍ୟ ଓ ପଡ଼ୋଶୀମାନେ ଏକାଠି ସେହରି ପାଇଁ ପ୍ରସ୍ତୁତି କରୁଛନ୍ତି । ସରଳ ସାଜସଜ୍ଜା ସହିତ ରମ୍ଜାନ୍ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବଜାରର ଗହଳି ଓ ଆଲୋକ ସେମାନଙ୍କ ମନରେ ସ୍ଥିରତା ଫେରିବା ପାଇଁ ଆଶା ସଞ୍ଚାର କରିଛି। ସେହିପରି ସନ୍ଧ୍ୟାରେ ରାସ୍ତାରେ ଇଫତାର୍ ଆରମ୍ଭ ହେଉଛି।
କେନ୍ଦ୍ରୀୟ ଗାଜାର ଦେଇର ଅଲ-ବାଲାହ ବେଳାଭୂମିରେ, ଜଣେ ସ୍ଥାନୀୟ କଳାକାର ବାଲିରେ ଆରବି ଭାଷାରେ ସ୍ୱାଗତ ରମ୍ଜାନ୍ ଲେଖି ପରିବେଶକୁ ଆହୁରି ସୁନ୍ଦର କରିଛନ୍ତି। ପାଖରେ ଥିବା ତମ୍ବୁରେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ପୁଣି ଫେରିଛି।
୨୦୨୩ ଅକ୍ଟୋବର ୭ ଆକ୍ରମଣ ସହିତ ଆରମ୍ଭ ହୋଇଥିବା ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷରେ ଗାଜାର ପ୍ରାୟ ୨୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ନିଜ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଛନ୍ତି। ଲୋକେ ଆଶା କରୁଛନ୍ତି ଚଳିତ ରମ୍ଜାନ୍ ତମ୍ବୁରେ ବିତାଇଥିବା ସେମାନଙ୍କର ଶେଷ ରମ୍ଜାନ୍ ହେଉ।
ଆହୁରି ପଢ଼ନ୍ତୁ: Bombay High Court:ସିଙ୍ଗଲ୍ ମଦର୍ଙ୍କ ସନ୍ତାନଙ୍କୁ ପିତାଙ୍କ ପରିଚୟ ପଚରା ଯାଇ ପାରିବନି: ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
Follow Us