ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ୍‌ ମର୍ଜଙ୍କ ସହିତ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ଗାନ୍ଧୀନଗରଠାରେ ମହାତ୍ମା ଗାନ୍ଧୀ କନଭେନସନ ସେଣ୍ଟରଠାରେ ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବିଦେଶ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଥିଲେ। ମର୍ଜ ଦୁଇ ଦିନିଆ ଭାରତ ଗସ୍ତରେ ସୋମବାର ସକାଳେ ଅହମଦାବାଦଠାରେ ଆସି ପହଞ୍ଚିଥିଲେ। ଏହା ଭାରତ-ଜର୍ମାନୀର ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ଏବଂ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାର ୨୫ ବର୍ଷ ରହିଛି। ଦ୍ବିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନାବେଳେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚଶିକ୍ଷା ବିକାଶ ଉପରେ ଏକ ବ୍ୟାପକ ରୋଡମ୍ୟାପ୍‌ର ଅଂଶ ଭାବରେ ମୋଦୀ ଜର୍ମାନ ବିଶ୍ବବିଦ୍ୟାଳୟମାନଙ୍କୁ ଭାରତରେ କ୍ୟାମ୍ପସ୍‌ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିଥିଲେ। ମୋଦୀ କହିଥିଲେ, ଭରତ-ଜର୍ମାନୀ ମଧ୍ୟରେ ଅର୍ଥନୈତିକ ସହଯୋଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ମାନବତା ପାଇଁ ଗୁରୁତ୍ବପୂର୍ଣ୍ଣ। ମର୍ଜଙ୍କ ସହିତ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଦୁଇ ଦେଶ ମଧ୍ୟରେ ରହିଥିବା ଗଭୀର ଐତିହାସିକ ତଥା ଦାର୍ଶନିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଜର୍ମାନୀ ଚାନ୍ସେଲରଙ୍କ ଗସ୍ତ ସମୟରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Advertisment

ଆହୁରି ପଢନ୍ତୁ- Washington Sundar: ଆହତ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ଟିମରେ ସାମିଲ ହେଲେ ଆୟୁଷ ବାଦୋନି

ଅହମଦାବାଦରେ ଭାରତ- ଜର୍ମାନୀ ସିଇଓ ଫୋରମରେ ଦୁଇ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଥିଲେ। ଏହି ଅବସରରେ ମୋଦୀ କହିଥିଲେ, ଦୁଇ ଦେଶର ବାଣିଜ୍ୟ ୫୦ ବିଲିଅନ ଡଲାର ପାର୍‌ କରିସାରିଥିବାବେଳେ ଭାରତରେ ୨୦୦୦ରୁ ଅଧିକ ଜର୍ମାନ କମ୍ପାନି କାର୍ଯ୍ୟ କରୁଛନ୍ତି। ଭାରତ- ଜର୍ମାନୀ ମଧ୍ୟରେ ଏହି ଅବସରରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଜର୍ମାନୀ ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପଦକ୍ଷେପ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି କରିବ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆହୁରି ପଢନ୍ତୁ- Raj Thackeray: ରାଜ୍‌ ଠାକ୍‌ରେଙ୍କ ‘ରସମଲାଇ’ ମନ୍ତବ୍ୟରେ ଅନ୍ନାମଲାଇଙ୍କ ତୀବ୍ର ପ୍ରତିକ୍ରିୟା

ମର୍ଜ ଭାରତରେ ପହଞ୍ଚିବା ପରେ ସାବରମତି ନଦୀକୂଳରେ ଚାଲିଥିବା ଆର୍ନ୍ତଜାତିକ ଗୁଡ଼ି ମହୋତ୍ସବକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଉଦଘାଟନ କରିଥିଲେ। ଉଭୟ ରାଷ୍ଟ୍ର ମୁଖ୍ୟ ସେମାନଙ୍କ ଆକୃତି ବିଶିଷ୍ଟ ଗୁଡ଼ି, ଦୁଇ ଦେଶର ପତାକା ଥିବା, ହିନ୍ଦୁ ଦେବାଦେବୀଙ୍କ ଚିତ୍ର ତଥା ‘ଅପରେସନ ସିନ୍ଦୂର’ ବିଷୟବସ୍ତୁ ଥିବା ଗୁଡ଼ି ଉଡ଼ାଇବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ମୋଦୀ ଓ ମର୍ଜ ମହିଳା କାରିଗରଙ୍କୁ ଭେଟିଥିଲେ। ଜର୍ମାନୀ ଚାନ୍ସେଲର ମର୍ଜ ସାବରମତୀ ନଦୀକୂଳରେ ଥିବା ଐତିହାସିକ ଗାନ୍ଧୀ ଆଶ୍ରମ ପରିଦର୍ଶନ କରିଥିଲେ। ଗାନ୍ଧୀଜୀଙ୍କ ‘ହୃଦୟ କୁଞ୍ଜ’ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ଉପସ୍ଥିତ ଥିଲେ।