ଢାକା: ଶେଖ ହସିନାଙ୍କୁ ପଠାଇବାକୁ ବାଂଲାଦେଶ ଭାରତ ନିକଟରେ ଦାବି କରିଛି। ତେବେ ଏହି ଦାବିକୁ ଭାରତ ଅଧିକ ଗୁରୁତ୍ୱ ଦେଇନାହିଁ। ବାଂଲାଦେଶ ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇନାହିଁ। ଏଭଳି ପରିସ୍ଥିତିରେ ବାଂଲାଦେଶର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଏକ ବଡ଼ ପ୍ରଶ୍ନ। ତେବେ ଭାରତକୁ ଏକ  ରିମାଇଣ୍ଡର ପତ୍ର ପଠାଇବ ବୋଲି ବାଂଲାଦେଶ କହିଛି। ଦି ଡେଲି ଷ୍ଟାର ଅନୁଯାୟୀ, ଢାକା ନୂଆଦିଲ୍ଲୀକୁ ଏକ  ରିମାଇଣ୍ଡର ପତ୍ର ପଠାଇବ।

Advertisment

ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେ ଏପର୍ଯ୍ୟନ୍ତ ନୂଆଦିଲ୍ଲୀରୁ କୌଣସି ଉତ୍ତର ପାଇନାହୁଁ। ଆମେ ଉତ୍ତର ପାଇଁ ଅପେକ୍ଷା କରିବୁ। ଯଦି ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ନ  ପାଇବୁ, ଆମେ ଏକ ରିମାଇଣ୍ଡର ପତ୍ର ପଠାଇବୁ। ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଢାକାର ପରବର୍ତ୍ତୀ ପଦକ୍ଷେପ ଦିଲ୍ଲୀର ପ୍ରତିକ୍ରିୟା ଉପରେ ନିର୍ଭର କରିବ। ଆମେ ଏହି ସମୟରେ ପରିସ୍ଥିତି ଉପରେ ମନ୍ତବ୍ୟ କିମ୍ବା କଳ୍ପନାଜଳ୍ପନା କରିବାକୁ ଚାହୁଁନାହୁଁ।

ଏହାପୂର୍ବରୁ ସୋମବାର ଦିନ ବାଂଲାଦେଶ ନୂଆଦିଲ୍ଲୀରେ ନିଜର ମିଶନ ମାଧ୍ୟମରେ କୂଟନୈତିକ ନୋଟ୍ ପଠାଇ ଭାରତ ସରକାରଙ୍କୁ ବାଂଲାଦେଶରେ ନ୍ୟାୟିକ ପ୍ରକ୍ରିୟା ପାଇଁ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ କରିଛି। ବାଂଲାଦେଶର ଦାବି ଉପରେ ଏପର୍ଯ୍ୟନ୍ତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇନାହିଁ।

ଜୁଲାଇ ବିଦ୍ରୋହ ସମୟରେ ହସିନାଙ୍କ ବିରୋଧରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଥିଲା। ବାଂଲାଦେଶ ସ୍ଥିତ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ(ଆଇସିଟି) ହସିନାଙ୍କ ବିରୋଧରେ ମାନବିକତା ବିରୋଧରେ ଅପରାଧ ତଥା ନରସଂହାର ମାମଲାରେ ଗିରଫ ପରୱାନା ଜାରି କରିଛି। ୫ ଅଗଷ୍ଟରେ ତାଙ୍କ ସରକାରଙ୍କର ପତନ ହୋଇଥିଲା। କ୍ଷମତା ହରାଇବା ପରେ ଶେଖ ହସିନା ଭାରତ ଆସିଥିଲେ।

୨୦୧୩ରେ ଭାରତ ଏବଂ ବାଂଲାଦେଶ ଏକ ପ୍ରତ୍ୟର୍ପଣ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଚୁକ୍ତିନାମାର ଅସ୍ତିତ୍ୱର ଅର୍ଥ ନୁହେଁ ଯେ, ନୂଆଦିଲ୍ଲୀକୁ ଶେଖ ହସିନାଙ୍କୁ ଢାକାକୁ ହସ୍ତାନ୍ତର କରିବାକୁ ପଡିବ। ଚୁକ୍ତିନାମା ଅନୁଯାୟୀ ଯଦି ଅପରାଧ ରାଜନୈତିକ ସ୍ୱଭାବରେ ହୁଏ ତେବେ ପ୍ରତ୍ୟର୍ପଣକୁ ପ୍ରତ୍ୟାଖ୍ୟାନ କରାଯାଇପାରେ।

ତଥାପି, ଅପରାଧର ତାଲିକା ଯାହାକୁ ରାଜନୈତିକ ବିବେଚନା କରାଯାଇପାରିବ ନାହିଁ ସେ କ୍ଷେତ୍ରରେ ସ୍ଥିତି ଅନ୍ୟ ପ୍ରକାରର ହୋଇପାରେ। କେତେକ ଅପରାଧ ଯେଉଁଥିରେ ହସିନା ବୁକ୍ ହୋଇଛନ୍ତି ସେସବୁକୁ ଏହି ଚୁକ୍ତିରେ ରାଜନୈତିକ ଅପରାଧର ସଂଜ୍ଞାରୁ ବାଦ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ହସିନାଙ୍କୁ ନେଇ ଭାରତର କୂଟନୈତିକ ସମସ୍ୟା ବଢ଼ିଲା

ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ୨୦୧୬ରେ ଏହି ଚୁକ୍ତିରେ ସଂଶୋଧନ କରାଯାଇଥିଲା। ଏହି ଚୁକ୍ତିର ଧାରା ୧୦(୩) ର ସଂଶୋଧନ ଦ୍ୱାରା କରାଯାଇଥିବା ଅପରାଧର ପ୍ରମାଣ ଯୋଗାଇବା ପାଇଁ ଦେଶ ଲାଗି ଜରୁରୀ ଥିବା ଆବଶ୍ୟକତାକୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ପ୍ରତ୍ୟର୍ପଣ ପ୍ରକ୍ରିୟା କେବଳ ସେହି ଦେଶର କୋର୍ଟ ଦ୍ବାରା ଜାରି ଗିରଫ ୱାରେଣ୍ଟ ଆବଶ୍ୟକ କରେ ଏବଂ ବାଂଲାଦେଶରେ ହସିନାଙ୍କ ବିରୋଧରେ ଅନେକ ୱାରେଣ୍ଟ ରହିଛି। କିନ୍ତୁ ଧାରା ୮ରେ ପ୍ରତ୍ୟର୍ପଣ ପ୍ରତ୍ୟାଖ୍ୟାନ କରିବାର ଅନେକ କାରଣ ଅଛି।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନ୍ୟାୟ ସ୍ୱାର୍ଥରେ ନୁହେଁ ବୋଲି ଆଧାରରେ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା କରିବାର ବିକଳ୍ପ ରହିଛି। ତେବେ ଏହା ନୂଆଦିଲ୍ଲୀ ଏବଂ ଢରକା ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ୟୁନୁସ ନିଆଁରେ ଘିଅ ଢାଳୁଛନ୍ତି: ହସିନାଙ୍କ ପ୍ରତ୍ୟର୍ପଣ ନେଇ ସଜିବଙ୍କ ମନ୍ତବ୍ୟ